ଭୁବନେଶ୍ୱର( ଦ କୁଇଭର ):- ଭୁବନେଶ୍ବର ଉପକଣ୍ଠସ୍ଥିତ ଗୋଠପାଟଣା, ମଳିପଡ଼ା, ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ଗଢ଼ି ଉଠିବ ଏକ ନୂଆ ସହର। ଏଥିପାଇଁ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍ଜେଆଇ) ମାଷ୍ଟର ପ୍ଲାନ୍ ତିଆରି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ପରାମର୍ଶ ଦେବ। ପୂରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଡିଏ ୧୫ ବର୍ଷରେ ୮୧୭୯ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ (୨୦୨୫-୨୬ରୁ ୨୦୨୯-୩୦) ପାଇଁ ରାଜ୍ୟ ବଜେଟ୍ରୁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜମି କିଣା, ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖର୍ଚ୍ଚ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୫ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଭୁବନେଶ୍ବର ପାଇଁ ‘ନୂଆ ସହର ଉନ୍ନୟନ’ (ନ୍ୟୁ ସିଟି) ଯୋଜନା ଉପରେ ସୂଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬’ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ନିର୍ମାଣ ହେବ। ‘ନୂଆ ସହର’ ଏକ ପରିବହନ-କେନ୍ଦ୍ରିକ ଯୋଜନା, ଯାହା ସାର୍ବଜନୀନ ପରିବହନ, କମ୍ ଯାତ୍ରା ଦୂରତା ଓ ବିଭିନ୍ନ ଜମି ବ୍ୟବହାରର ସୁଗମ ସଂଯୋଗ ଉପରେ ଧ୍ୟାନ ଦେଇଛି। ଏଥିରେ ସମସ୍ତଙ୍କ ପାଇଁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ୍ ଫରେଷ୍ଟ ପାର୍କ, ଗେଟ୍ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ ଓ ସବୁଜ ଭିତ୍ତିଭୂମି ସମାଧାନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।