ଦ କୁଇଭର ବ୍ୟୁରୋ :- ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା l ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା 2 ଲକ୍ଷ 85 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଆଜି ଏଭଳି କିଛି ସୂଚନା ଦେଇଛନ୍ତି, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ, ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିଲା।ଆଗାମୀ 15 ଦିନ ଭିତରେ ଫିଲଡ୍ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ l ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ l ବାଦ୍ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ l ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି, ପ୍ରଭାତୀ ପରିଡ଼ା l 15 ହଜାର 984 ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ 1805 ଜଣ ଜୀବିତ ଅଛନ୍ତି ସେମାନଙ୍କୁ ମଧ୍ୟ ସାମିଲ କରାଯିବ l ଅନ୍ୟପଟେ 36 ହଜାର 702 ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ ପଡିଛନ୍ତି l 21 ହଜାର 35 ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବା ବେଳେ 1 ଲକ୍ଷ 33 ହଜାର 691 ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି l ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ l
ବୈଠକ ପୂର୍ବରୁ 3 ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା। ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି। ତିନି ବିଭାଗ ଦେଇଥିବା ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ।