ପୁରୀ( ଦ କୁଇଭର ):- ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀର ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର । ବିଚ୍ ରାସ୍ତାରେ ଫୁଲମାଳ ପକାଇ ଥାନା ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ । ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର ଯୋଗୁଁ ମହିଳାଙ୍କ ସ୍ବାମୀ ନାମରେ ମାମଲା । ନିମାପଡ଼ା ଥାନା ଅଞ୍ଚଳରୁ ଏଭଳି ଘଟଣା ସମ୍ମାନକୁ ଆସିବା ପରେ ମହିଳାଙ୍କ ସ୍ବାମୀ ସହିତ ଜଣେ ସହଯୋଗୀକୁ ବାନ୍ଧିଲା ପୋଲିସ । ଏନେଇ ନିମାପଡ଼ା ଏସ ଡିପିଓ ତଥା ଡିଏସପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଏନେଇ ଏକ କେସ ରୁଜୁ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ସମ୍ପୃକ୍ତ ଭିଡିଓରେ ଏଭଳି ନିନ୍ଦନୀୟ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ସ୍ବାମୀଙ୍କ ସମେତ କାକଟପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏନେଇ କେସ ନମ୍ବର 281/25ରେ BNSର ଧାରା 126(2), 127(2), 118(1), 115(2), 296, 109, 75, 76, 133, 333, 351(2), 3(5) ଆଧାରରେ ଗିରଫ କରାଯାଇଛି । ଏନେଇ କୋର୍ଟ ଚାଲାଣ କରାଯିବ । ନିମାପଡା ଥାନାଧିକାରୀ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ କିଛି ଦିନ ପୂର୍ବେ କାକଟପୁର ଅଞ୍ଚଳରେ ରହୁଥିଲେ । ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । କିନ୍ତୁ ପରେ ଏହି ଦମ୍ପତି ଆସି ନିମାପଡ଼ାରେ ରହୁଥିଲେ । ମହିଳା ଓ ପୂର୍ବ ଘରର ମାଲିକ ଉଭୟ ପେଶାରେ ଶିକ୍ଷକ । ଏପରିକି ମହିଳାଙ୍କ ନିକଟରେ ପୂର୍ବ ଘର ମାଲିକଙ୍କ ପୁଅ ଟିଉସନ ମଧ୍ୟ ନେଉଥିଲେ । ଯେଉଁଥିପାଇଁ ପୂର୍ବ ଘର ମାଲିକ ମହିଳାଙ୍କ ଘରକୁ ଯାତାୟାତ ରହୁଥିଲା । ଗତ କିଛି ଦିନ ଧରି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଘରକୁ କୌଣସି ବ୍ୟକ୍ତି ଆସୁଥିବାର ସନ୍ଦେହ କରୁଥିଲେ ମହିଳାଙ୍କ ସ୍ବାମୀ । ଗତକାଲି ସନ୍ଧ୍ୟାରେ ମହିଳାଙ୍କ ଘରକୁ ପୂର୍ବ ଘର ମାଲିକ ଆସିଥିଲେ । ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସନ୍ଦେହ କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ପୂର୍ବତନ ଘରମାଲିକ ଓ ମହିଳାଙ୍କୁ ଭଡ଼ା ଘରଠୁ ଥାନା ପର୍ଯ୍ୟନ୍ତ ସର୍ବସାଧାରଣରେ ବିଚ ରାସ୍ତାରେ ଚଲାଇ ମାଡ଼ ମାରିଥିଲେ । ଏପରିକି ବେକରେ ଫୁଲମାଳ ପକାଇ ଅତ୍ୟନ୍ତ ଅଶୋଭନୀୟ ବ୍ୟବହାର କରିଥିଲେ । ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କ ସହଯୋଗୀ ମଧ୍ୟ ସାମିଲ ଥିଲେ । ଏହି ଘଟଣାକୁ ସଭିଏଁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ, ବରଂ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଆଇନ ହାତକୁ ନେବା ଅଭିଯୋଗ ତଥା ମହିଳାଙ୍କ ମାନସମ୍ମାନକୁ ହାନି ପହଞ୍ଚାଇବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଭଳି ଘଟଣା ଘଟାଇଥିବା ମହିଳାଙ୍କ ସ୍ବାମୀ ଓ ତାର ସହଯୋଗୀ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।