ବ୍ରହ୍ମପୁର ( ଦ କୁଇଭର ):- ଗୁରୁବାର ବ୍ରହ୍ମପୁର ସହରର ଏକ ହୋଟେଲରେ ଦେହ ବ୍ୟବସାୟ ରାକେଟ ଚଳାଇବା ଅଭିଯୋଗରେ ଜଣେ ହୋଟେଲ ପରିଚାଳକଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ ପୋଲିସ ଏସଆଇ ସୁଜାତା କନହୋରଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ଏଥିରେ ଚାରି ଜଣଙ୍କୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଜଣେ ପୀଡିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ ।
ବ୍ରହ୍ମପୁର ସହରର ସ୍ଥାନୀୟ ଖଲିକୋଟ କଲେଜ ରୋଡ ସ୍ଥିତ ହୋଟେଲ ମିଡିଟାଉନ୍ରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ କରିଥିବା ଏବଂ ଉକ୍ତ ହୋଟେଲରୁ ଜଣେ ପୀଡିତାଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼ା.ଶ୍ରବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି । ଗୁରୁବାର ହୋଟେଲ ମିଡିଟାଉନ୍ର କେତେକ କର୍ମଚାରୀ ଓ ମାଲିକ ଦେହ ବ୍ୟବସାୟ ଚଳାଇଥିବା ସୂଚନା ପାଇ ବ୍ରହ୍ମପୁର ଟାଉନ୍ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ହୋଟେଲର ଗୋଟିଏ ରୁମରେ ଜଣେ ଯୁବତୀ ଦେହ ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଉକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ଏବଂ ବେଆଇନ୍ ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ ହୋଟେଲ ମ୍ୟାନେଜର ଜି.କ୍ରିଷ୍ଣା ପାତ୍ରଙ୍କ ସମେତ ବଡବଜାର ଅଞ୍ଚଳର ଆକାଶ ବିଶୋୟୀ, ଅଜୟ ବେହେରା ଓରଫ ମଣ୍ଡୁ, ଲାଞ୍ଜିପଲ୍ଲୀ ଅଞ୍ଚଳର ଚିନ୍ମୟ ପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ପୋଲିସ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡମ୍, ଭାଏଗ୍ରା ଟାବଲେଟ ଆଦି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇ ଥିବା ସୂଚନା ମିଳିଛି ।