ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।