ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୁଲିସ ଜିଲ୍ଲାର ବୈଦ୍ୟନାଥପୁର ଓ ନିମଖଣ୍ଡି ଥାନାରେ ରୁଜୁ ହୋଇଥିବା ୨ଟି ଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ, ନିରୀକ୍ଷଣ ଓ ପରିଚାଳନା କରାଯିବା ଫଳରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇପାରିଛି। ଯାହାକୁ ନେଇ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ, ନିରୀକ୍ଷଣ ଅଧିକାରୀ ଓ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟରେ ବୈଦ୍ୟନାଥପୁର ଥାନା ଅଞ୍ଚଳର ଜନୈକା ନାବାଳିକା ନିଜ ପରିବାର ବର୍ଗଙ୍କ ସହିତ ହାଇଦ୍ରାବାଦରେ ରହୁଥିଲେ | ତାଙ୍କ ବାପା ମା'କାମକୁ ଚାଲିଯିବାପରେ ତାଙ୍କ ଘର ନିକଟରେ ରହୁଥିବା ବିହାର ବକ୍ସର ଗ୍ରାମର ଅଭିଯୁକ୍ତ ଗୁଡୁ ରାଜଭର, ନାବାଳିକା ସହ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାର ଲୋକେ ବ୍ରହ୍ମପୁର ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ନାବାଳିକା ୮ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହାପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଏସ୍ଆଇ କାଜଲ ବାଗ ତଦନ୍ତ କରୁଥିବାବେଳେ ଡିଏସପି ଦେବୀ ଶଙ୍କର ପ୍ରତାପ ଏବଂ ଏସପି ଡ଼ା ସାର୍ଥକ ଷଡଙ୍ଗୀ ନିରୀକ୍ଷଣ କରୁଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଥିଲା । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ | ସ୍ବତନ୍ତ୍ର ପୋକସୋ କୋର୍ଟ ଏହି ମାମଲାର ବିଚାରଣ କରି ଉପଯୁକ୍ତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।
ସେହିଭଳି ୨୦୨୪ ନଭେମ୍ବର ୫ରେ ନିମଖଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକା, ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରାମ ସାହୁ ଦୁଷ୍କର୍ମ କରିଥିଲା I ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା | ଏହି ମାମଲାର ତଦନ୍ତ ଅଧିକାରୀ ତଥା ଏସଆଇ ଜ୍ଞାନରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ବେଳେ ବ୍ରହ୍ମପୁର ଏସ୍ପି ଡା ସର୍ବଣା ବିବେକ ଏମ୍ ମାମଲାର ନିରୀକ୍ଷଣ କରୁଥିଲେ ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ | ଏହି ମାମଲାର ବିଚାରଣା କରି ସ୍ବତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାର ତଦନ୍ତ ଓ ଦୋଷୀଙ୍କୁ ତ୍ବରିତ ଦଣ୍ଡବିଧାନ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ବ୍ରହ୍ମପୁରର ତତ୍କାଳୀନ ଡିଆଇଜି ଡା.ସାର୍ଥକ ଷଡଙ୍ଗୀଙ୍କ ସମେତ ବୈଦ୍ୟନାଥପୁର ଥାନାର ଏସଆଇ କାଜଲ ବାଗ, ଡିଏସପି ଦେବୀଶଙ୍କର ପ୍ରତାପ ଏବଂ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ନିମଖଣ୍ଡି ଥାନା ଅଧିନରେ ରୁଜୁ ହୋଇଥିବା ଏକ ନାବାଳିକା ବଳତ୍କାର ମାମଲାର ତଦନ୍ତ ଓ ଦୋଷିକୁ ତ୍ୱରିତ ଦଣ୍ଡବିଧାନରେ ଉତ୍ତମ କାର୍ଯ୍ୟ କରିଥିବା ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ,ଏସଆଇ ଜ୍ଞାନରଞ୍ଜନ ବେହେରା ଓ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଭାବେ ପ୍ରଚଳିତ ଫୌଜଦାରୀ ଆଇନର ତ୍ବରିତ ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟ କରିଥିବାରୁ ଉପରୋକ୍ତ ଅଧିକାରୀଙ୍କୁ ମଙ୍ଗଳବାର ଓଡ଼ିଶା ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।