ଦ କୁଇଭର ବ୍ୟୁରୋ :- ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ପରାସ୍ତ କରି ନୂଆ ଉପରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛନ୍ତି । ସେ ୧୫ତମ ଉପରାଷ୍ଟ୍ରପତି ଭାବେ ଦୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ପାଇଁ ନିର୍ବାଚନ ହୋଇଛି । ଆଜି ଅନୁଷ୍ଠିତ ନିର୍ବାଚନରେ ୭୬୮ଜଣ ମତଦାତା ତାଙ୍କର ମତଦାନ କରିଛନ୍ତି । ଏହି ନିର୍ବାଚନ ପାଇଁ ବିଧି ମୁତାବକ ୭୮୮ଜଣ ମତଦାତା ରହିବା କଥା । ମାତ୍ର ୭ଟି ଏମପି ଆସନ ଖାଲି ପଡ଼ିଥିବାରୁ ମୋଟ ୭୮୧ଜଣ ମତଦାତା ମତଦାନ କରିବାର ଥିଲା । ହେଲେ ବିଜେଡିର ୭ଜଣ ସଦସ୍ୟ ଏହି ନିର୍ବାଚନରୁ ଦୂରେଇ ରହିଲେ । ବିଜେଡିର ମତ ହେଲା ସମ ଦୂରତା ରଖିବା । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତାରେ ରହି ଭୋଟ ଦେଲା । ଅନ୍ୟପକ୍ଷରେ ବିଆରଏସର ୪ଜଣ ରାଜ୍ୟସଭା ସଦସ୍ୟ ଭୋଟ ବର୍ଜନ କରି ତେଲେଙ୍ଗାନା ଚାଷୀଙ୍କ ସହ ରହିବାକୁ ଘୋଷଣା କରିଛନ୍ତି । ଏହାବ୍ୟତୀତ ଶିରୋମଣୀ ଅକାଳୀଦଳର ଜଣେ ଲୋକସଭା ସଦସ୍ୟ ପଞ୍ଜାବ ବନ୍ୟାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସହଯୋଗ କରୁନଥିବାରୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲେ ।
ସେପଟେ ଇଣ୍ଡି ମେଣ୍ଟ ତାର ସମସ୍ତ ସଦସ୍ୟ ଭୋଟ ଦେଇଥିବା କହିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଣ୍ଡିମେଣ୍ଟର ୩୧୫ରୁ ୩୧୫ଏମପି ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ଏନଡିଏର ପାଇଁ ୪୫୩ଜଣ ମତଦାତା ଭୋଟ ଦେଇଥିବା ଜଣାପଡ଼ିଛି । ସଂଧ୍ୟାରେ ଭୋଟ ଗଣତି ବେଳେ ଏନଡିଏ ପ୍ରାର୍ଥୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇ ଉପରାଷ୍ଟ୍ରପତି ହେବାର ସୁଯୋଗ ହାସଲ କରିଛନ୍ତି ।