ବ୍ରହ୍ମପୁର( ଦ କୁଇଭର ):: ରାଜ୍ୟରେ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଥିବା ପଲିଥିନ୍ ବ୍ୟବହାର ଭେଳିକି ସଦୃଶ ହୋଇଛି ସରକାରଙ୍କ ନିଷ୍ପତ୍ତ କେବଳ କାଗଜକଲମରେ ସୀମିତ ରହିଥିବା ବେଳେ ଲୋକ ଦେଖାଣିଆ ଭାବେ କିଛି ଦିନ ଧରପଗଡ଼ ପରେ ପ୍ରଶାସନ ହାତବାନ୍ଧି ବସିରହୁଛି। ସହରସାରା ପଲିଥିନ୍ର ମାତ୍ରାଧିକ ବ୍ୟବହାର ହେବା ଫଳରେ ଏହା କେବଳ ପରିବେଶକୁ ଦୂଷିତ କରୁନାହିଁ ବରଂ ନିରୀହ ଗାଈଗୋରୁ ଖାଇ ଜୀବନ ହାରୁଛନ୍ତି। ଗତ ତିନି ଦିନ ତଳେ ଏକ ଗାଈ ହିଲ୍ପାଟଣା ବଡ଼ସାହି ମୁଖ୍ୟରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ପଶୁ ସହାୟତା ନମ୍ବର ୧୯୬୨କୁ ଯୋଗାଯୋଗ କରିଥିଲେ | ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ ବି କୌଣସି ସୁଧାର ଆସିନଥିଲା। ବର୍ଷା କାକରରେ ପଡ଼ି ଗାଈଟି ଛଟପଟ ହେଉଥିବା ଦେଖି ଲୋକେ ସ୍ଥାନୀୟ କର୍ପୋରେଟର ସଂଜିତ ପାଣିଗ୍ରାହୀ ଓ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଜଣାଇଥିଲେ। ଶ୍ରୀ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ଗାଈଟିର ଚିକିତ୍ସା ପାଇଁ ଚିକିତ୍ସା ଅଧିକାରୀ ଅଞ୍ଜନ ଦାସଙ୍କୁ ଜଣାଇଥିଲେ । ଗାଈକୁ ଘଟଣାସ୍ଥଳରୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗାଈର ପେଟ ଯନ୍ତ୍ରଣା ହେଉଥିବା ଜାଣି ଡାକ୍ତର ସତ୍ୟ ନାରାୟଣ କର ଆଜି ଅସ୍ତ୍ରୋପଚାର କରିଥିଲେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ଗାଈ ପେଟରୁ ପାଖାପାଖି ୫୦ କିଲୋ ଓଜନର ପଲିଥିନ୍ ବାହାରିଥିଲା। ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀ ଓ ପଶୁପ୍ରେମୀ ତାଜୁବ୍ ହୋଇଯାଇଥିଲେ | ଡାକ୍ତର କରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧ ହୋଇଥିବା ପଲିଥିନ୍ର ବିକ୍ରି ଓ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।