ଝାରସୁଗୁଡ଼ା(ଦ କୁଇଭର): ଧରାପଡ଼ିଲା ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ଷଡ଼ଯନ୍ତ୍ର । ବିଜେଡିକୁ ଛାରଖାର କରିବା ପାଇଁ ସେ କିପରି ସାଂଘାତିକ ଯୋଜନା କରିଛନ୍ତି ତାହା ପଦାକୁ ଆସିଛି । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ବ୍ରଜରାଜନଗରରେ ବିଜେଡିକୁ ନିଶ୍ଚିହ୍ନ କରିବାକୁ ଲାଗିଛନ୍ତି । ବ୍ରଜରାଜନଗରରେ ବିଜେପିକୁ ଜିତିବା ପାଇଁ ସର୍ବାଧିକ ସହାୟତା କରିଥିବା ନେଇ ଦୀପାଳୀଙ୍କ ନାମରେ ଅଭିଯୋଗ ଥିଲା । ଏବେ ଏନଏସି ଅଧ୍ୟକ୍ଷା ଦୀପାଳୀଙ୍କ ଷଡ଼ଯନ୍ତ୍ର କଥା ଦଳର ସୁପ୍ରିମୋଙ୍କୁ ଜଣାଇଛନ୍ତି । ନବୀନଙ୍କ ଛତ୍ରଛାୟାରେ ରହି ଦୀପାଳୀ ନବୀନଙ୍କ ଗୋଡ଼ରେ ହିଁ କୁରାଢ଼ୀ ମାରୁଛନ୍ତି । ବିଜେଡି ବିରୋଧୀ ଆଭିମୁଖ୍ୟରେ ଯାଇ ଦୀପାଳୀ ଜଣେ ଆଦିବାସୀ ମହିଳାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବ୍ରଜରାଜନଗର ଏନଏସି ଅଧ୍ୟକ୍ଷା ।
ରାଜନୀତିରେ କଞ୍ଚା ଜ୍ଞାନ ରଖୁଥିବା ଦୀପାଳୀ ନିଜକୁ ତାଙ୍କ ବାପା ସ୍ୱର୍ଗତ ନବ ଦାସଙ୍କ ଭଳି ଧୁରନ୍ଧର ଭାବୁଛନ୍ତି । ନବଙ୍କ ନଜରରେ ଥିଲା ପଶ୍ଚିମ ଓଡ଼ିଶାକୁ ଦଖଲ କରିବା । ବିଜେପି ସହ ହାତ ମିଳାଇ ହେଉ କି ନିଜେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନକୁ ନେଇ ହେଉ ସବୁଠି ଗୋଡ଼ ପୂରାଉଥିଲେ । ଦୀପାଳୀ ନିଜ ନିର୍ବାଚନ ମଣ୍ଡଳୀରେ ବି ଛିଡ଼ା ହେବାକୁ ଗୋଡ଼ ସଳଖି ନଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୂରାଇ ବିଜେଡିକୁ ନାରଖାର କରିବାରେ ଲାଗିଛନ୍ତି । ନିର୍ବାଚନ ପୂର୍ବରୁ ସେ ବିଜେଡି ନେତା ରୋହିତ ପୂଜାରୀ, ସୁଶାନ୍ତ ସିଂ, ଅଳକା ମହାନ୍ତିଙ୍କ ବିରୋଧରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପି ପ୍ରାର୍ଥୀ ମାନଙ୍କୁ ଫଣ୍ଡିଂ କରୁଥିବା କୁହାଯାଉଥିଲା । ସେଥିପାଇଁ ତାଙ୍କର ଏତେବଡ଼ ବିପର୍ଯ୍ୟୟ ହେଲା । ଜଣେ ସାଧାରଣ ନେତା ତାଙ୍କୁ ହରାଇ ଦେଲେ ।
ସେତିକିରେ ସେ ବୁଦ୍ଧି ଶିଖିଲେ ନାହିଁ । ଏବେ ବ୍ରଜରାଜନଗରରେ ବିଜେଡିକୁ ନିଶ୍ଚିହ୍ନ କରିବାକୁ ଲାଗିଛନ୍ତି । ନବୀନଙ୍କ ଛତ୍ରଛାୟାରେ ରହି ନିଜକୁ ଓ ନିଜ ଭାଇଙ୍କୁ ସୁରକ୍ଷା ଦେଉଛନ୍ତି ଦୀପାଳୀ । ତାଙ୍କ କଳା ସାମ୍ରାଜ୍ୟର ସୁରକ୍ଷା ପାଇଁ ନବୀନଙ୍କୁ ବି ଟାଣି ନେଉଛନ୍ତି । ନବୀନଙ୍କ ଦୟାରେ ରାଜନୀତିରେ ରହି ସୁରକ୍ଷା ପାଉଥିବା ଦୀପାଳୀ ନବୀନଙ୍କ ଆଭିମୁଖ୍ୟକୁ ବଳି ପକାଉଛନ୍ତି । ନବୀନ ଆଦିବାସୀ ମହିଳାଙ୍କୁ ପ୍ରାଥମିକତା ଦେଉଥିବା ବେଳେ ଦୀପାଳୀ ଆଦିବାସୀ ମହିଳାଙ୍କୁ ହଇରାଣ କରୁଛନ୍ତି । ଜଣେ ଗରିବ ଘରର ମହିଳା ରାଜନୀତିରେ ତିଷ୍ଠି ଥିବା ବେଳେ ତାଙ୍କ ଭଳି ଧନଶାଳୀ ମହିଳା ରାଜନୀତିରୁ ପ୍ରତ୍ୟାଖ୍ୟାତ ହେବା ସେ ସହି ପାରୁ ନାହାନ୍ତି । ତେଣୁ ବ୍ରଜରାଜନଗରରେ ବିଜେଡିକୁ ବି ଛାରଖାର କରିବାକୁ ଲାଗିଥିବା ଅଭିଯୋଗ ଆଣିଛନ୍ତି ଏନଏସି ଅଧ୍ୟକ୍ଷା । ନବୀନଙ୍କୁ ପୂର୍ବରୁ ଏନେଇ ସେ ଜଣାଇଥିଲେ । ମାତ୍ର ଦୀପାଳୀଙ୍କ କଳା ସାମ୍ରାଜ୍ୟର ଅତିଥି ଥିବା ବଡ଼ ବଡ଼ିଆମାନେ ସେ ଅଭିଯୋଗକୁ ନବୀନଙ୍କ ପାଖରେ ପହଞ୍ଚାଉ ନଥିଲେ । ଏବେ ବାଧ୍ୟ ହୋଇ ଗଣମାଧ୍ୟମ ଜରିଆରେ ଭିଡିଓ ବାର୍ତ୍ତା ଦେଇ ନବୀନଙ୍କୁ ଦୀପାଳୀଙ୍କ ଷଡ଼ଯନ୍ତ୍ର ଓ ଅସଲ ମୁଖା ଦେଖାଇଛନ୍ତି । ଯାହା ଏବେ ବିଜେଡି ଭିତରେ ହଲଚଲ ସୃଷ୍ଟି କରିଛି । ବ୍ରହ୍ମପୁର ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ଆଟାକୁ କନେଇ ବିଜେଡି କମ୍ପୁଥିବା ବେଳେ ଏବେ ଦଳ ଭିତରେ ଏପରି ଷଡ଼ଯନ୍ତ୍ରର ତଥ୍ୟ ବିଜେଡିକୁ ଚିନ୍ତାରେ ପକାଇ ଦେଲାଣି । ଏଭଳି ସ୍ଥିତି ଆଗକୁ ବଢ଼ିଲେ, ବିଜେଡି ଆପେ ଆପେ ଗଳିପଡ଼ିବ ବୋଲି କୁହାଯାଉଛି । ଦେଖାଯାଉ ନବୀନ ଦୀପାଳୀଙ୍କ ଏହି ଷଡ଼ଯନ୍ତ୍ରକୁ ବୁଝି ତାଙ୍କୁ ଦଣ୍ଡ ଦେଉଛନ୍ତି ନା ଦଳକୁ କ୍ଷତାକ୍ତ କରୁଛନ୍ତି?