ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ ତମ ସମାବର୍ତ୍ତନ ଉତ୍ସବ ଆଜି ବିଶ୍ବବିଦ୍ୟାଳୟର ବିଜୁପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଡ଼କ୍ଟର ହରିବାବୁ କମ୍ଭମପାଟି ଓ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ନେତୃତ୍ୱରେ ଏହି ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ କୃଷି, ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଥିଲା । ମିଲେଟ ଉତ୍ପାଦ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କୋରାପୁଟ ଜିଲ୍ଲାର ଡ.ରାଇମାତି ଘିଉରିଆ, ଆଣବିକ ବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ବ ମୟୂରଭଞ୍ଜର ଡଃ. ଅଜିତ କୁମର ମହାନ୍ତି ଏବଂ ମହାକାଶ ଓ ପ୍ରତିରକ୍ଷା ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କେରଳର ଡ. କେହି ଥୋମାସ୍ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ସମସ୍ତ ବିଭାଗର ଟପ୍ପର ୩୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୫୨ ଜଣଙ୍କୁ ପିଏଚଡ଼ି, ୪ ଜଣଙ୍କୁ ଡିଲିଟ୍ ପ୍ରଦାଳ କରାଯାଇଛି । ନାକ ପକ୍ଷରୁ ହୋଇଥିବା ମୂଲ୍ୟାଙ୍କନରେ ବିଶ୍ଵବିଦ୍ୟାଳୟକୁ ଏ ଗ୍ରେଡ଼ ମିଳିଥିବାରୁ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଉପସ୍ଥିତ ଅତିଥିମାନେ ଖୁସୀ ବ୍ୟକ୍ତ କରିଥିଲେ । ଏହି ଅବସରରେ ପିଏମ ଉସା ଯୋଜନାରେ ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି, ରାଜ୍ୟ ସରକାରଙ୍କ ପକ୍ଷରୁ ୭୭ କୋଟି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରୁ ୧୦ କୋଟି ଓ ଅନୁସନ୍ଧାନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ୧୨ କୋଟି ଆସିଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଗାମୀ ଦିନରେ ନୂତନ ନିଯୁକ୍ତି ସହ ଗବେଷଣା ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ଯୋଜନା କରିଥିବା କହିଛନ୍ତି କୁଳପତି ।