ଦ କୁଇଭର ବ୍ୟୁରୋ :- ଶ୍ରାବଣ ମାସ ଯୋଗୁଁ ମାସ ସାରା ପ୍ରାୟ ଲୋକେ ଆମିଷ ତ୍ୟାଗ କରିଥିଲେ l ରକ୍ଷା ବନ୍ଧନ ଶନିବାର ପଡ଼ିଥିବା ଯୋଗୁଁ ଆମିଷ ବ୍ୟବସାୟ ତଥା ଭୋଜନ ପ୍ରାୟ ନଥିଲା, ଆଜି ରବିବାର, ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଛି ଲୋକଙ୍କ ପ୍ରବଳ ଭିଡ଼ । କାଉଡିଆ ଭକ୍ତମାନେ ଶିବଙ୍କ ବ୍ରତ ପାଳନରେ ଏକ ମାସ ଧରି ଆମିଷ ତ୍ୟାଗ କରିଥିଲେ, ସେଥିପାଇଁ ମାସକ ପରେ ଆଜି/ରବିବାର ସମସ୍ତେ ଛାଡଖାଇ ପାଳନ କରିଛନ୍ତି । ରାଜ୍ୟର ବିଭିନ୍ନ ସହରର ବିଭିନ୍ନ ଆମିଷ ବଜାରରେ ସକାଳୁ ସକାଳୁ ମାଛ, ମାଂସ, କଙ୍କଡ଼ା ଓ ଅଣ୍ଡା କିଣିବା ନିମନ୍ତେ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଦର ଯେତେ ହେଲେ ମଧ୍ୟ ସହରବାସୀ ନିଜର ସାମର୍ଥ୍ୟ ଅନୁସାରେ ଆମିଷ ଘରକୁ କିଣି ନେଉଛନ୍ତି । ଆଜି ଛାଡ଼ଖାଇ ଯୋଗୁଁ ବିଭିନ୍ନ ପ୍ରକାରର ମାଛ ମଧ୍ୟ ବିକ୍ରି ହୋଇଥିବାବେଳେ ମାଛ ଗୁଡ଼ିକର ସ୍ବାଦ ଓ ଚାହିଦାକୁ ନେଇ ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି । ଗୋଟା ମାଛ କିଲୋ ପିଛା ୨୦୦-୨୨୦ ଟଙ୍କା ରହିଥିବା ବେଳେ କଟା ମାଛ କିଲୋ ପିଛା ୨୪୦ ଟଙ୍କା ରହିଥିଲା । ସେହିପରି କଙ୍କଡ଼ା କିଲୋ ପିଛା ୪୦୦ ରୁ ୬୦୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ି କିଲୋ ପିଛା ୪୫୦ ଟଙ୍କାରୁ ୬୦୦ ଟଙ୍କା ରହିଛି । ଛେଳି ମାଂସ କିଲୋ ପିଛା ୮୦୦ ଟଙ୍କା ରହିଥିବା ବେଳେ କୁକୁଡ଼ା ମାଂସ କିଲୋ ପିଛା ୨୪୦ ଟଙ୍କା ରହିଥିଲା । ଏକ ମାସ ହେଲା ବ୍ୟବସାୟ ମାନ୍ଦା ଥିବା ବେଳେ ଆଜି ବ୍ୟବସାୟ ବୃଦ୍ଧି ପାଇଛି ଏବଂ ବ୍ୟବସାୟିଙ୍କ ମହଲରେ ମଧ୍ୟ ଏକ ପ୍ରକାର ଖୁସି ଦେଖିବାକୁ ମିଳିଛି l