ଦ କୁଇଭର ବ୍ୟୁରୋ :- କୋରାପୁଟ ଜୟପୁରରୁ ସାରା ଓଡ଼ିଶାର ସୁଭଦ୍ରା ହିତାଧିକାରୀଙ୍କୁ ୩ୟ କିସ୍ତି ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ମୋହନ ସରକାର । ଏହାସହ ମହିଳା ସଶକ୍ତିକରଣକୁ ପୂର୍ବ ସରକାର କେବଳ ସ୍ଲୋଗାନରେ ସୀମିତ ରଖିଥିବା ଘେରି ବିଜେଡିକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରି ସୁଭଦ୍ରା ସଫଳତାର ବାର୍ତ୍ତା ଦେଇଛନ୍ତି ମୋହନ । କୋରାପୁଟ ଜୟପୁରରେ ମହିଳାଙ୍କୁ ରାଖୀ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଏକକାଳୀନ ୧ କୋଟି ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ୫ ହଜାର ଟଙ୍କା । କୋଟିଆରେ ଆଦୌ ସୁଭଦ୍ରା ସହାୟତା ପାଇନଥିବା ହିତାଧିକାରୀଙ୍କୁ ଏକକାଳୀନ ମିଳିଛି ୩ଟି କିସ୍ତିର ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା ମାନଙ୍କ ସ୍ବପ୍ନ ପୂରଣର ନୂଆ ମାଧ୍ୟମ ସାଜିଛି ସୁଭଦ୍ରା । ମହିଳା ସଶକ୍ତିକରଣକୁ ସ୍ଲୋଗାନରେ ସୀମିତ ନରଖି ମା ମାନଙ୍କୁ ସ୍ବାବଲମ୍ବୀ କରୁଛି ସୁଭଦ୍ରା । ଯାହାର ସବୁଠୁ ବଡ ପ୍ରମାଣ, ୧୭ ଲକ୍ଷ ଲକ୍ଷପତି ଦିଦି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିଛି ସୁଭଦ୍ରା । ସୁଭଦ୍ରାର ୩ୟ କିସ୍ତି ସହାୟତା ରାଶି ପ୍ରଦାନ ଭିତରେ ତେଜିଛି ରାଜନୀତି । ବିରୋଧୀ ବିଜେଡି କହିଛି, ମହିଳାଙ୍କୁ ଠକିଛି ବିଜେପି ସରକାର । ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସହ ପ୍ରଥମ ୨ଟି କିସ୍ତିରେ ଟଙ୍କା ପାଇନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସୁଭଦ୍ରା ହିତାଧିକାରୀ ।