ଭୁବନେଶ୍ୱର(ଦ କୁଇଭର): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ବଡ଼ ଯୋଜନା କରିଛନ୍ତି । ଏତେଦିନ ପରେ ଏମିତି ଯୋଜନା ସେ ଆଣିଛନ୍ତି ଯେ, ପୂରା ରାଜ୍ୟର ମହିଳାଙ୍କ ସ୍ଥିତି ବଦଳାଇ ଦେବେ । ମୋହନ ସରକାର ରାଜ୍ୟର ପ୍ରତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୫ବର୍ଷରେ ୫୦ହଜାର ଟଙ୍କା ପ୍ରଦାନ କରିବେ । ପ୍ରତିବର୍ଷ ୧୦ହଜାର କରି ସରକାର ମହିଳାଙ୍କୁ ଦେଉଛନ୍ତି । ଏହି ଟଙ୍କାରେ ମହିଳାମାନେ ଛେଳି କିଣୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତିନିଟି କିସ୍ତି ପାଇଥିବା ମହିଳାମାନେ ୩ଟି ଛେଳି କିଣିଲେଣି । ଆଗକୁ କିସ୍ତି ପାଇଲେ ପୁଣି ଛେଳି କିଣିବେ ବୋଲି ପ୍ରଭାତୀ କହିଛନ୍ତି ।
ପ୍ରଭାତୀଙ୍କ ଯୋଜନାକୁ ଯିବା ପୂର୍ବରୁ ତାଙ୍କ କଥା ଶୁଣିବା ।---
ଶୁଣିଲେ ତ ଉପମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପାଇଁ ବଡ଼ ଯୋଜନା । ମହିଳାମାନେ ଛେଳି କିଣି ସ୍ୱାବଲମ୍ବୀ ହେବେ । ପ୍ରତିବର୍ଷ ୫ହଜାର ଲେଖାଏ ଦୁଇଥର ପାଇବେ, ସେଥିରେ ଛେଳି କିଣି ବ୍ୟବସାୟ କରିବେ । ୫ବର୍ଷରେ ୧୦ଟି ଛେଳି କିଣିଥିବେ ଓ ଏହାର ବ୍ୟବସାୟ ଭଲ ହେବ । କାରଣ ଛେଳିର ବଜାର ଚାହିଦା ବହୁତ ରହିଛି । ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଯୋଜନା ଏବେ ସବୁଠି ଚର୍ଚ୍ଚା । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ ଏହାର ବାସ୍ତବତା ଯେ ଅନେକ ମହିଳାଙ୍କୁ ସ୍ୱାଲମ୍ବୀ କରିପାରିବ ତାହା ସ୍ପଷ୍ଟ ବୋଲି କେତେକ ଅଭିଜ୍ଞ କହୁଛନ୍ତି । ଦେଖାଯାଉ, ସୁଭଦ୍ରା ଟଙ୍କାରେ କେତେ ମହିଳା କେତେ ଛେଳି କିଣୁଛନ୍ତି ଓ କିଭଳି ଲାଭବାନ ହେଉଛନ୍ତି?