ପଟ୍ଟାମୁଣ୍ଡାଇ(ଦ କୁଇଭର): ପୂରା ଗାଁ ସାରା ଲୋକେ ତାତିଲେଣି । ନ୍ୟାୟ ମିଳିବା ନେଇ ଭରସା କରିପାରୁ ନାହାନ୍ତି ପୋଲିସ ବା ସରକାରଙ୍କ ଉପରେ । ଗରିବ ବୋଲି ନ୍ୟାୟ ମିଳିବ ନାହିଁ, ଏମିତି କହିଲେଣି ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ଗାଁ ତେରୋହୀର ଲୋକେ । ତାଙ୍କ ବାପା ଆତ୍ମହତ୍ୟା ପାଇଁ ଧମକ ଦେଲେଣି । କାରଣ ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ବିଜେପି ଏମପି ତଥା ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିଥିବାରୁ ତାଙ୍କ ଭଳି ଗରିବ ଲୋକଙ୍କ ପ୍ରତି ପୋଲିସ ନ୍ୟାୟ କରିବ ନାହିଁ । ରାଜନୈତିକ ଚାପ ପଡ଼ୁଛି ତାଙ୍କ ନିରୀହ ପୁଅକୁ ଫସାଇବା ପାଇଁ । ଏଭଳି କିଛି ଅଭିଯୋଗ କରି ଗାଁ ସାରା ଲୋକେ ତାତିଲେଣି ।
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମାହୂତି ଦେଲେ । ପୁରୁଷବନ୍ଧୁଙ୍କ ବ୍ଲାକମେଲିଂ ଯୋଗୁ ସେ ଏପରି ପଦକ୍ଷେପ ନେଇଥିବା ତାଙ୍କ ବାପା ଘଟଣାର ୪ଦିନ ପରେ ଥାନାରେ ଏତଲା ଦେଇଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁର ସ୍ଥିତିକୁ ଦେଖି ସନ୍ଦେହ ତାଙ୍କ ବାପା ଓ ଭାଇ ଉପରକୁ ଯାଇଥିଲା । ଏଥିରେ କେତେକ ପଡ଼ୋଶୀ ସାମିଲ ଥିବା ମଧ୍ୟ କୁହାଯାଉଛି । ତେଣୁ ସବୁ କିଛି ବିଗିଡ଼ି ଯିବ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାର ତଦନ୍ତ ନିଜେ କେନ୍ଦ୍ରାପଡ଼ା ଏସପି କରୁଛନ୍ତି । ତଥାପୀ ଛାତ୍ରୀଙ୍କ ଘରେ ବିଜେପିର ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିବା ପରେ ମାମଲାର ତଦନ୍ତରେ ନୀରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୁକ୍ତଙ୍କ ବାପା ।
ସେ କହିଛନ୍ତି, ଏହାକୁ ରାଜନୀତିକରଣ କରାଯାଉଛି । ଏଥିରୁ ରାଜନୈତିକ ଫାଇଦା ଓ ସରକାରୀ ଅନୁକମ୍ପା ପାଇଁ ଯୋଜନା ଚାଲିଛି । ସେ ଗୋଟି ଗୋଟି କରି ପ୍ରମାଣ ମାଗିଛନ୍ତି । କେଉଁ ଫେସବୁକ ଆକାଉଣ୍ଟରୁ ଅଶ୍ଳୀଳ ଫଟୋ ଭାଇରାଲ କରାଯାଇଥିଲା ତାହାର ପ୍ରମାଣ ରଖନ୍ତୁ? ତାଙ୍କ ପୁଅ କେମିତି ବ୍ଲାକମେଲ କରୁଥିଲା ତାହାର ପ୍ରମାଣ ଦିଅନ୍ତୁ? ମୃତା ଛାତ୍ରୀ ଜଣକ ପ୍ରମୋଦଙ୍କୁ ଭଲ ପାଉଥିଲେ । ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଝିଅର ପରିବାର ଲୋକେ ଏହାର ବାଧକ ଥିଲେ । ଅନେକ ସମୟରେ ଝିଅକୁ ଗାଳି ମାଡ଼ ବି ଦେଉଥିବା କୁହାଯାଏ ।
ଏସବୁ ସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ସ୍ଥିତି ସବୁଠୁ ଚର୍ଚ୍ଚାରେ ରହିଛି । ହାତ ଓ ନିଜକୁ ବାନ୍ଧି ଦେଇ କିପରି ନିଆଁ ଲଗାଇଲେ, ଏହି ମୂଳ ପ୍ରଶ୍ନର ଉତ୍ତର କେହି ଦେଇ ପାରୁ ନାହାନ୍ତି? ପୋଲିସ ବି ନୀରବ ରହୁଛି । ସଡ଼ିର ଗୋଟିଏ ପାହାଚରେ ବସି ଜଳିଲେ କିପରି? ଏହି ମୂଳ ପ୍ରଶ୍ନର ଉତ୍ତର ପୋଲିସ ପାଖରେ ବି ନାହିଁ । ଛାତ୍ରୀଙ୍କ ପାଖ ପଡ଼ୋଶୀ ନାନା କଥା କହୁଛନ୍ତି, ହେଲେ ପ୍ରମାଣ କାହିଁ? ଅନ୍ୟପକ୍ଷରେ ଝିଅର ବାପା ଜଣେ ଧନୀ ଲୋକ ଓ ବିଜେପିରେ ତାଙ୍କର ଭଲ ଦବଦବା ରହିଛି । ସାଂସଦ ବୈଜୟନ୍ତଙ୍କର କାଳେ ସେ ଭୋଟ ଯୋଗାଡ଼କାରୀ । ତେଣୁ ପୋଲିସର ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠୁଛି । ଏସବୁକୁ ନେଇ ଏବେ ଅଭିଯୁକ୍ତଙ୍କ ଗାଁ ଲୋକେ ଏବେ ଗାଁ ପୁଅ ସପକ୍ଷରେ ବାହାରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯଦି ପ୍ରମୋଦ ଦୋଷୀ ତେବେ ପ୍ରମାଣ ଦେଖାନ୍ତୁ । ଯଦି ଦୋଷି ନୁହେଁ, ତେବେ ତାଙ୍କୁ ଅଯଥାରେ କାହିଁକି ହଇରାଣ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦେଖାଯାଉ ପୋଲିସ ବିଜେପି ଏମପିଙ୍କ ଚାପରେ ତଦନ୍ତକୁ ଦିଗହରା କରୁଛି ନା ବାସ୍ତବ ସତକୁ ପଦାକୁ ଆଣୁଛି?