ଦ କୁଇଭର ବ୍ୟୁରୋ :- ବାହାଘରକୁ ବରଷେ ପୂରିନି କବରକୁ ଗଲା ଆଉ ଜଣେ ନବବଧୂ । ଝିଅଟି ଯୁବକଙ୍କ ହାତ ଧରି ଘରୁ ଲୁଚି ପଳାଇ ଆସିଥିଲା। ପରେ ଉଭୟ ଘର ଲୋକଙ୍କ ସହମତିରେ ବାହାଘର ହୋଇଥିଲା । ବାହାଘର ସିନା ହୋଇଗଲା ହେଲେ ଗଲାନି ଯୋତୁକ ଦୁଃଖ । କେତେ ସ୍ବପ୍ନ ନେଇ ସ୍ବାମୀ ହାତ ଧରି ସଂସାର କରିବେ ବୋଲି ଭାବିଥିଲେ । ହେଲେ ଝିଅଟିର ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର୍ ହୋଇଗଲା । ବାହାଘରର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ତା’ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଯାହା ପରବର୍ତ୍ତି ସମୟରେ ନେଇଥିଲା ଭୟଙ୍କର ରୂପ । ଯୌତୁକ ପାଇଁ ଝିଅର ଜୀବନ ନେଇଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବାପା ମା’।
ବେଗୁନିଆ ଶରଧାପୁର ଗାଁର ଶେଖ ସଲିମଙ୍କ ପୁଅ ସବିର୍ ଖାନ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଧୁଷୁରୀ ଥାନାର ଗୋଡିପୋଖରି ଗାଁର କାଦିର୍ ଖାନ୍ ଙ୍କ ଗୋଟିଏ ବୋଲି ଝିଅ ଦଶମ ଶ୍ରେଣୀରେ ପଢୁଥିବା ରୁହାନାକୁ ରାତାରାତି ଉଠାଇ ଆଣିଥିଲା । ରୁହାନାଙ୍କୁ ସେତେବେଳେ ୧୫ ବର୍ଷ ହୋଇଥିଲା । ସେତେବେଳେ ରୁହାନା ପରିବାର ତରଫରୁ ଧୁଷୁରୀ ଥାନାରେ ନାବାଳିକା ଅପହରଣ ଜନିତ ଅଭିଯୋଗ ହୋଇଥିଲା । ପରବର୍ତ୍ତି ସମୟରେ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଶରଧାପୁର ଗାଁରେ ଥିବା ଖବର ପାଇ ଏବଂ ଝିଅ ରୁହାନା ସବିରଙ୍କୁ ଭଲ ପାଇ ନିଜ ଇଚ୍ଛାରେ ପଳାଇ ଆସିଥିବା କହିବା ପରେ ଉଭୟ ପରିବାର ଲୋକ କିଛି ସମ୍ପର୍କୀୟଙ୍କ ସହାୟତାରେ ଉଭୟଙ୍କ ବିବାହ ଲୁଚାଇ କରିଦେଇଥିଲେ । ଏହା ଭିତରେ ନଅ ମାସ ବିତିଯାଇଥିବା ବେଳେ ସ୍ଵାମି ସବିର୍ ସ୍ତ୍ରୀ ରୁହାନା ଉପରେ ଯୌତୁକ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ତେବେ ରୁହାନା ଗତକାଲି ଏସବୁ ଚାପ ସହି ନ ପାରି ସଂନ୍ଧ୍ୟାରେ ଘର ଲୋକଙ୍କୁ ଫୋନ କରି ଜଣାଇଥିଲା ପରେ ତାଙ୍କ ସ୍ବାମୀ ମୋବାଇଲ ଛଡ଼ାଇ ନେଇଥିଲେ । ତା କିଛି ସମୟ ପରେ ଏହି ଅଘଟଣ ଘଟିଥିଲା । ରୁହାନାର ଜୀବନ ଚାଲିଯାଇଛି ବୋଲି ଶାଶୂଘର ଲୋକେ ଫୋନ କରି ତାଙ୍କ ଘରକୁ ଜଣାଇଥିଲେ ।ଗତ ନଭେମ୍ବର ମାସରେ ରୁହାନାର ବିବାହ ହୋଇଥିଲା । ସବିର ଭିଣୋଇଙ୍କ ଦୋକାନରେ କାମ କରୁଥିବା ବେଳେ ସେଠାରେ ରୁହାନାଙ୍କ ସହ ପ୍ରେମ ହୋଇଥିଲା । ହେଲେ ବାହାଘରକୁ ବରଷେ ନ ପୂରୁଣୁ ମୃତ୍ୟୁ ଶଯ୍ୟାରେ ଶୋଇଗଲେ ରୁହାନା । ଗତକାଲି ସଂନ୍ଧ୍ଯାରେ ପୋଲିସ ଖବର ପାଇବା ପରେ ନବ ବିବାହିତାର ଶବ ଜବତ କରିଥିଲା । ପରେ ସ୍ଵାମୀ ସବିରକୁ ଅଟକ ରଖି ରୁହାନା ପରିବାରକୁ ଡକାଇବା ସହିତ ସେମାନେ ଆଜି ଆସି ପହଁଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।