ପୁରୀ ( ଦ କୁଇଭର ):- ଓଡ଼ିଶା ବନ୍ଦ ଯୋଗୁଁ ପୁରୀରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିଲା । ବସ ଚଳାଚଳ ବନ୍ଦ ରହିଥିଲା ବେଳେ ରେଳୱେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଛି । ବନ୍ଦର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରତିଦିନ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଜି କିନ୍ତୁ ଭକ୍ତଙ୍କ ଆଗମନ କମ ରହିଥିଲା । ବସ ଚଳାଚଳ ବନ୍ଦ ଥିବାରୁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଆଗମନ କମ୍ ରହିଛି । କେବଳ ଟ୍ରେନରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହୋଇଛି। ଓଡ଼ିଶା ବନ୍ଦ ପାଳନ ନେଇ କଂଗ୍ରେସ ଓ ବାମଦଳ କର୍ମୀ ମାନେ ପୁରୀ ବସଷ୍ଟାଣ୍ଡରେ ପ୍ରତିବାଦ ସଭା କରିଥିଲେ। ପୂର୍ବରୁ ଓଡ଼ିଶା ବନ୍ଦ ନେଇ ଘୋଷଣା ଥିବାରୁ କୌଣସି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ବସ ମାଲିକ ମାନେ ବସ ଚଳାଚଳ ବନ୍ଦ ରଖିଛନ୍ତି। ଫଳରେ ବସଷ୍ଟାଣ୍ଡ ସକାଳୁ ଖାଁ ଖାଁ ରହିଥିଲା। କେହି ବି ଯାତ୍ରୀ ବସଷ୍ଟାଣ୍ଡରେ ନଥିଲେ। ଟ୍ରେନ ଚଳାଚଳ କରୁଥିବାରୁ ପୁରୀକୁ ଆସିଥିବା ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଆଜି ସକାଳୁ କଂଗ୍ରେସ୍ ଓ ବାମଦଳ କର୍ମୀ ମାନେ ପୁରୀ କଟକ ସଟଲ ଟ୍ରେନଲୁ କିଛି ସମୟ ଅଟକାଇଥିଲେ। ପରେ ଆରପିଏଫ୍, ଜିଆରପି ଆନ୍ଦୋଳନରତ କର୍ମୀଙ୍କୁ ଟ୍ରେନ ଟ୍ରାକ ରୁ ହଟାଇଥିଲେ। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ କଂଗ୍ରେସ କର୍ମୀ ମାନେ ବାଇକରେ ପୁରୀ ସହର ବୁଲି ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କଲେଜ ବନ୍ଦ କରିଥିଲେ। କଚେରୀ ଛକରେ ଟାୟାର ଜାଳି ଉଭୟ କଂଗ୍ରେସ ଓ ବାମଦଳ କର୍ମୀ ରାସ୍ତା ରୋକ୍ କରିଥିଲେ। ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ସହ ଏହି ଘଟଣାରେ ଯେଉଁ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁରୀ କଂଗ୍ରେସ ଓ ବାମଦଳ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ ହେବା ନେଇ ଚେନାବନୀ ଦେଇଛନ୍ତି ।