ପୁରୀ ( ଦ କୁଇଭର ):- ପ୍ରସ୍ତୁତି ତ ଜୋରଦାର ଥିଲା । ସବୁ ସମୀକ୍ଷା ବି ସରିଥିଲା । ହେଲେ ଠିକଣା ବେଳକୁ ସବୁ ଫେଲ ମାରୁଛି କାହିଁକି ? ଏତେ ବ୍ୟତିକ୍ରମ କାହିଁକି ? କାହିଁକି ଏତେ ଅବ୍ୟବସ୍ଥା ? ତଦାରଖ ତ ତଳ ଠୁ ତାଳୁ ପର୍ଯ୍ୟନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ସମୀକ୍ଷା କରିଥିଲେ । ସବୁ ଠିକ ଥିଲା । ରଥ ହେଉ କି ବାହୁଡ଼ା, ସୁନାବେଶ ହେଉ କି ଅଧର ନୀତି ସବୁଥିରେ ବ୍ୟତିକ୍ରମ ହେଲା କେମିତି ? କାହାର ଭୁଲ ? ପ୍ରଶାସନର ନା ସରକାରଙ୍କର ନା ସେବକଙ୍କର ନା ସମସ୍ତଙ୍କର ?
ରଥ ଦିନ ଠାକୁର ଅଡିଦେଲେ, ସେଥିରେ ବି ବୁଦ୍ଧି ପଶିଲାନି ପ୍ରଶାସନର । ଶରଧାବାଲି ରକ୍ତ ରଞ୍ଜିତ ହେଲା, ସୁନାବେଶ ଦିନ କି ଅବ୍ୟବସ୍ଥା । ଗାଡ଼ିରେ ଦୁଇ ଘଣ୍ଟା ଧରି ଲୋକ ପଡିରହିଲେ ପୁରୀ ଯିବା ପାଇଁ । ଫେରିଲା ବେଳକୁ ବି ସେମିତି ସ୍ଥିତି । ଟ୍ରାଫିକ ନିୟନ୍ତ୍ରଣ ତ ଲାଗୁ ଥୁଲା ଯେମିତି ଛୋଟ ପିଲାଟି ଟ୍ରାଫିକ ଦାୟିତ୍ୱ ସମ୍ଭାଳୁଛି । ଏତେ ଅବ୍ୟବସ୍ଥା । ଖାଲି ବାହାର ଟ୍ରାଫିକ ନୁହେଁ, ବଡ଼ ଦାଣ୍ଡକୁ ସଂଯୁକ୍ତ କରୁଥୁବା ରାସ୍ତା ଗୁଡ଼ିକରେ ବି ସମାନ ଅବସ୍ଥା । ସବୁଠି ଦଳାଚକଟା ସ୍ଥିତି । ସଂକୀର୍ଣ୍ଣ ରାସ୍ତାରେ ନା ଥିଲା ଆଲୁଅ, ନା ଥିଲା ପୋଲିସର ପହରା । ଲୋକ ମାନେ କି କଷ୍ଟରେ ଯିବା ଆସିବା କରୁଥିଲେ ସଂକୀର୍ଣ୍ଣ ରାସ୍ତା ଦେଇ ।
ଧନ୍ୟବାଦ ସେହି ସାହି ପିଲାମାନଙ୍କୁ ଯେଉଁମାନେ ଏହି କାମରେ ସହଯୋଗ କରିଥିଲେ । ଆଲୁଅ ଲଗାଇ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିଲେ । ପ୍ରଶାସନର ବ୍ୟବସ୍ଥା କେବଳ ଥିଲା VIP ମାନଙ୍କୁ ଆପ୍ୟାୟିତ କରିବା ପାଇଁ । ହୋଟେଲରେ ରହିବାଠାରୁ ଆରମ୍ଭ କରି, କେମିତି ନେଇ ସୁନାବେଶ ଦେଖାଇବେ ଭଲରେ, ସେ ବ୍ୟବସ୍ଥାରେ ଲାଗିଥିଲେ ପ୍ରଶାସନିକ ବାବୁ ମାନେ । ଏଭଳି ଅବସ୍ଥା ଦେଖି ଭକ୍ତ ମାନେ କହୁଥାନ୍ତି ଧନ୍ୟରେ ତୁମେ ସରକାର । ଭକ୍ତଙ୍କୁ ଦେଖ, ଯେତେ କଥା କହିଥିଲ କିଛି ତ କାମ କର ।
ଖାଲି ବଡ଼ ବଡ଼ ପେଟ କାଢି ରଙ୍ଗୀନ ପୋଷାକ ପିନ୍ଧି ମନ୍ତ୍ରୀ ମାନେ ବସି ମହାଜନ ଭଳି ସୁନାବେଶ ଦେଖିବାରେ ଲାଗିଥାନ୍ତି । ଭକ୍ତଙ୍କର ଏହି ଦୁରା ଅବସ୍ଥାକୁ କେହି ନଜର ଦେଇନଥାନ୍ତି । ନିଜ ଚାରିପଟେ ଆଲୁଅ ଜଳୁଥିଲା ବୋଲି ଭାବୁଥିଲେ ସହର ସାରା ସବୁଠି ଆଲୁଅ ଜଳୁଥିଲା କିନ୍ତୁ ସବୁ ଯେ ଅଧା ପନ୍ତରିଆରେ ଚାଲୁଥିଲା ତାହା କିଏ ଦେଖିଛି ? ସୁନାବେଶ ଗଲା ତା ସହିତ ଭକ୍ତଙ୍କ କଷ୍ଟ ବି ଗଲା । ସବୁ ଏବେ ଭଗବାନଙ୍କ ଉପରେ ଛାଡ଼ିଦେବେ ମନ୍ତ୍ରୀ ମହାଶୟ । ମହାପ୍ରଭୁଙ୍କ ଇଛା । ଯାହା ହେଉଛି ତାଙ୍କରି ଇଛାରେ ହେଉଛି । ମହାପ୍ରଭୁଙ୍କ ଇଛାରେ ସବୁ ଅପାରଗତାକୁ ଧୋଇଦେଇ ସୁନା ପିଲା ହେଇଯିବେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ । ଦେଖାଯାଉ ଏହି ଯେଉଁ ଅବ୍ୟବସ୍ଥାରୁ ମୋହନ ସରକାର କିଛି ଶିଖୁଛନ୍ତି ନା ଏହାକୁ ଠାକୁରଙ୍କ ଆଶୀର୍ବାଦ କହି ବିଶୃଙ୍ଖଳାକୁ ଆଉ ପାଦେ ବଢ଼ାଇବାକୁ ସୁଯୋଗ ଦେଉଛନ୍ତି ?