ବ୍ରହ୍ମପୁର(ଦ କୁଇଭର): ବିଧାୟକ ଛାଡ଼ି ଏମପି ହେଲେ । ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ବସିଲେ । ହେଲେ ସନ୍ତୁଷ୍ଟ ହୋଇ ପାରୁ ନାହାନ୍ତି ଏମପି ପ୍ରଦୀପ ପାଣିଗ୍ରାହୀ । ଦିଲ୍ଲୀ ଯିବା ପରେ ସେ ଯେମିତି ନିଜ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି । ଗୋଟେ ଜିଦରେ ସିନା ଲେଖା ଛିଡ଼େଇ ଦେଲେ, ହେଲେ ସେ ତାଙ୍କ ଲୋକଙ୍କ ଠାରୁ ବି ଛିଡ଼ି ଛିଡ଼ି ଯାଉଛନ୍ତି । ତାଙ୍କ ଅଞ୍ଚଳର ଅନେକ ଲୋକ ଆଜି ବି କଷ୍ଟରେ ରହୁଛନ୍ତି । ସେଥିପାଇଁ ସେ ଏବେ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜନୈତିକ ସାର୍ ନବୀନ ପଟ୍ଟନାୟକଙ୍କ ଲେଖା ଛିଡ଼େଇବା ପରେ ଏବେ ନୂଆ ଲେଖା ଲେଖିବାକୁ ପାଦ କାଢ଼ିଛନ୍ତି । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଙ୍କୁଲି ଠାରେ ଜନତାଙ୍କ ସହ ଭେଟିଛନ୍ତି । ସ୍ଥାନୀୟ ବିଧାୟକଙ୍କ ବିନା ପ୍ରଦୀପ ପାଣିଗ୍ରାହୀଙ୍କ ଭ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲା ରାଜନୀତି ପୂରା ସରଗରମ ହୋଇ ପଡ଼ିଛି ।
ଗଞ୍ଜାମ ରାଜନୀତିରେ ପ୍ରଦୀପ ପାଣିଗ୍ରାହୀ ବେଶ ଦମ ରଖିଛନ୍ତି । ବିଜେଡିରେ ତ ସେ ଥିଲେ ବଡ଼ ଯୋଗାଡ଼ିଆ । ବିଜେଡିରୁ ତଡ଼ା ଖାଇବା ପରେ ସେ ବିଜେଡି ଲେଖା ଛିଡ଼ାଇବାକୁ ଅଡ଼ି ବସିଲେ । ବିଜେପିକୁ ଯିବେ ଯିବେ ବୋଲି ବହୁ ବିଳମ୍ବ ହେଲା । ଶେଷରେ ଗୋପାଳପୁର ବିଧାନସଭା ଆସନ ଛାଡ଼ିଲେ । ଏହାପରେ ବିଜେପିକୁ ପଶିଲେ । ପୂରା ଦମରେ ଲାଗିଲେ ପ୍ରଦୀପ । ଏମିତି ଲାଗିଲେ ଯେ, ନବୀନଙ୍କ ଲେଖା ଛିଡ଼େଇ ଦେଲେ । ନବୀନଙ୍କ ବିଜେଡି ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରାୟ ଶୂନ ହୋଇଗଲା । ବିଜେଡିକୁ ସିନା ଶୂନ କଲେ, ହେଲେ ସେ ତାଙ୍କ ପ୍ରିୟ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଛାଡ଼ିବାକୁ ବାଧ୍ୟ ହେଲେ ।
ଭୁବନେଶ୍ୱର ଛାଡ଼ି ଏମପି ହୋଇ ଦିଲ୍ଲୀ ଗଲେ । ଏପଟେ ତାଙ୍କ ପାରମ୍ପରିକ ବିରୋଧୀ ବିଭୂତି ଭୂଷଣ ଜେନା ଗୋପାଳପୁର ଦଖଲ କରିନେଲେ । ଗୋପାଳପୁର ବିଧାୟକ ହୋଇ ମନ୍ତ୍ରୀ ବି ହେଲେ ବିଭୂତି । ସେପଟେ ପ୍ରଦୀପ ଏମପି ହୋଇ ରହିଲେ । ନା ସରକାରରେ ସାମିଲ ହୋଇ ପାରିଲେ ନା ନିଜ ଅଞ୍ଚଳରେ ରହିପାରିଲେ । ପ୍ରାୟ ୫ମାସ ହେବ ପ୍ରଦୀପ ଗୋପାଳପୁର ଲୋକଙ୍କ ଠୁ ଦୂରେଇ ରହିଲେ । ହେଲେ ଏବେ ମନ ମାନୁନାହିଁ । ଶେଷରେ ପ୍ରଦୀପ ପାଣିଗ୍ରାହୀ ଓହ୍ଲାଇଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ । ତାଙ୍କୁ ଭବ୍ୟ ସ୍ୱାଗତ ଦିଆଗଲା । ସେ ବି ଗଦ ଗଦ ହୋଇପଡ଼ିଛନ୍ତି । ପ୍ରଦୀପ ସିନା ଆଙ୍କୁଲି ଆସିଲେ, ହେଲେ ସାଙ୍ଗରେ ନଥିଲେ ବିଭୂତି । ଏକା ଏକା ବୁଲି ଲୋକଙ୍କ କଥା ଶୁଣିଲେ । ଲୋକେ ତାଙ୍କର କ୍ଷୋଭ କହୁଥିଲେ । ସେ ଶୁଣୁଥିଲେ । କହିଲେ ଏଥର ଏଠାକାର ବିକାଶ ପାଇଁ ଲେଖା ଆରମ୍ଭ ହେବ । ମନ୍ତ୍ରୀ ଥାଉ ଥାଉ ପ୍ରଦୀପ ବିକାଶର ଲେଖା ଲେଖିବା ନୂଆ ରାଜନୀତି ନୁହେଁ ତ? ଦେଖାଯାଉ ପ୍ରଦୀପଙ୍କ ବିକାଶ ଲେଖାକୁ ବିଭୂତି ସହୁଛନ୍ତି ନା ବିଗାଡ଼ୁଛନ୍ତି?