ଦ କୁଇଭର ବ୍ୟୁରୋ :- ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ, ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ।ବିଜେପି ତାଙ୍କ ଜନ୍ମଦିନକୁ 'ସେବା ପକ୍ଷ' ଭାବରେ ପାଳନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ, ଏହାର ବିଷୟବସ୍ତୁ 'ସୁସ୍ଥ ମହିଳା, ସଶକ୍ତ ପରିବାର' ରଖାଯାଇଛି । ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ଭାଡନଗରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତି ପାଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଛି, ତାହା ଅର୍ଥନୈତିକ କ୍ଷେତ୍ର ହେଉ, ଅନ୍ତର୍ଜାତୀୟ କୂଟନୀତି, ସାମରିକ ସଶକ୍ତିକରଣ କିମ୍ବା ଡିଜିଟାଲ୍ ବିପ୍ଳବ। ଆଜି ସକାଳ ଠାରୁ ସମର୍ଥକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି।