ବ୍ରହ୍ମପୁର( ଦ କୁଇଭର ):- ଆସନ୍ତା ୨୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସୁଛନ୍ତି । ୧୭ ତାରିଖରେ ମୋଦୀଙ୍କ ଜନ୍ମଦିନ ଠାରୁ ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଗଞ୍ଜାମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପ୍ରଧାନମନ୍ତ୍ରୀ ୨୭ ତାରିଖ ଦିନ ଆସିବା ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ କେଉଁଠାରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେ ନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଅନେକ ସ୍ଥାନକୁ ବୁଲି ଦେଖିବା ସହ ସେଠାରେ କିଭଳି ରହିଛି ସ୍ଥିତି ସେ ନେଇ ପରଖାଯାଉଛି । ଯେହେତୁ ବର୍ଷା ଦିନ ରହୁଛି ତେଣୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବା ଦ୍ବାରା ସଫଳ ହୋଇପାରିବ ତାହାକୁ ଗୁରୁତ୍ବ ଦିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ରହିଛି । ୩ଲକ୍ଷ ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହେବାର ସୁବିଧା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦେଇ ସ୍ଥାନ ଚିହ୍ନଟ ଚାଲୁ ରହିଛି । ଦୁଇ ଦିନ ମଧ୍ୟରେ ସ୍ଥାନ ଚିହ୍ନଟ ଶେଷ ହେବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।
ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବ । ଏହି ସେବା ପକ୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଗଞ୍ଜାମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସେବା ପକ୍ଷ ପାଳନ ଅବସରରେ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମନ୍ତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ସାରା ରାଜ୍ୟର ସମସ୍ତ ବିଜେପି କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିପଡ଼ିଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।