ଦ କୁଇଭର ବ୍ୟୁରୋ :- ଛାତ୍ରଛାତ୍ରୀଙ୍କ ଏକ ବଡ଼ ଖୁସି ଖବର l ଏଣିକି ମାଗଣାରେ ବସରେ ଯିବେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡ଼ିବ ନାହିଁ ବସ ଭଡ଼ା । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସ୍କୁଲ ପିଲାଙ୍କ ସମୟକୁ ନଜରରେ ରଖି ବସ ଚଳାଚଳ ସମୟ ପରିବର୍ତ୍ତନ କରାଯିବ । ରୁଟରେ ମଧ୍ୟ ପରିବର୍ତ୍ତନ କରିବାକୁ OSRTCକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିବହନ ବିଭାଗକୁ ଚିଠି ଲେଖା ଯାଇଛି । ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏବେ ଏହି ନିଷ୍ପତ୍ତି ଉପରେ ସରକାରୀ ମୋହର ବାଜିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ 17 ତାରିଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତଥା କମିଶନ ଶାଳୀନି ପଣ୍ଡିତ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଗଣଶିକ୍ଷା ବିଭାଗର ସଚିବ ପରିବହନ ବିଭାଗକୁ ଚିଠି ଲେଖି କହିଛନ୍ତି, ‘ସରକାରୀ ସ୍କୁଲରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ମାଗଣାରେ ବସ ସେବା ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ସର୍ବାଧିକ ସଂଖ୍ୟକ ସ୍କୁଲକୁ ସାମିଲ କରିବା ପାଇଁ OSRTC ବସ ରୁଟ ଏବଂ ସମୟ ସଂଶୋଧନ କରିବା ଦରକାର ।' ଏଥି ସହିତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ରୁଟ ପୁନଃମ୍ୟାପିଂ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପରିବହନ ଅଧିକାରୀ ଓ OSRTCର ମ୍ୟାନେଜରଙ୍କୁ ସ୍କୁଲ ବାବଦରେ ସୂଚନା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁୁ କୁହାଯାଇଛି । ଏହି ମାଗଣା ବସ ସେବା ପାଇଁ OSRTCର ଯେଉଁ ରାଜସ୍ୱ କ୍ଷତି ହେବ ତାହାକୁ ଭରଣା କରିବା ପାଇଁ ପରିବହନ ବିଭାଗ ବଜେଟ ବ୍ୟୟ ବରାଦ କରିବ ।