ଦ କୁଇଭର ବ୍ୟୁରୋ - ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ତାଙ୍କ ଭୋଟ୍ ଚୋରି ଅଭିଯୋଗ ଉପରେ ଦ୍ୱିତୀୟ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ଏକ ବଡ଼ ଷଡ୍ଯନ୍ତ୍ରରେ ସାରା ଭାରତରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ହଟାଯିବା ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷରେ ରାହୁଲ ହାଇଡ୍ରୋଜେନ୍ ବୋମା ସଂକ୍ରାନ୍ତରେ କହିଛନ୍ତି ଯେ ଦଳ ଏବେ ବି ସେହି ବୋମା ପକାଇବାକୁ ପ୍ରସ୍ତୁତ ହେଉଛି ଏବଂ ଏପର୍ଯ୍ୟନ୍ତ ଯେଉଁସବୁ ପ୍ରମାଣ ଦାଖଲ କରାଯାଇଛି ସେସବୁ ‘ଶତ ପ୍ରତିଶତ ବୁଲେଟ୍ ପ୍ରୁଫ୍ ’ବୋଲି ରାହୁଲ କହିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ଭୋଟରଙ୍କ ନାମ କାଟିବା ଅନିୟମିତ ନୁହେଁ, ବରଂ ବିଶେଷ ଭାବରେ ସେହି ବୁଥ୍ଗୁଡ଼ିକୁ ଟାର୍ଗେଟ୍ କରାଯାଇଛି; ଯେଉଁଠାରେ କଂଗ୍ରେସ ଆଗୁଆ ରହିଛି। ତାଙ୍କ ଦାବି ମୁତାବକ କର୍ଣ୍ଣାଟକର ଆଲନ୍ଦ ନିର୍ବାଚନମଣ୍ଡଳୀରେ ୬,୦୧୮ ଭୋଟରଙ୍କ ନାମ ହଟାଇବାକୁ ଚେଷ୍ଟା କରାଯାଇଥିଲା। ସେ ଗୋଦାବାଈ ନାମକ ଜଣେ ମହିଳାଙ୍କ ମାମଲା ଉପସ୍ଥାପନ କରିଥିଲେ, ଯାହାଙ୍କ ନାମ ତାଙ୍କ ଅଜାଣତରେ ୧୨ ଜଣ ଭୋଟରଙ୍କୁ ‘ଡିଲିଟ୍’ କରିବା ପାଇଁ ନକଲି ଲଗ୍ଇନ୍ ତିଆରି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା। ରାହୁଲ ଏହି ନାମ ହଟାଯିବା ପ୍ରକ୍ରିୟାରେ କର୍ଣ୍ଣାଟକ ବାହାରୁ ନକଲି ଲଗ୍ଇନ୍ ଏବଂ ମୋବାଇଲ୍ ନମ୍ବର ବ୍ୟବହାର ହୋଇଥିବା ଦାବି କରିଛନ୍ତି। ସେ ସୂର୍ଯ୍ୟକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ କଥା ଉଲ୍ଲେଖ କରିଥିଲେ, ଯିଏ ୧୪ ମିନିଟରେ ୧୨ ଜଣ ଭୋଟରଙ୍କ ନାମ ହଟାଇ ଦେଇଥିଲେ। ଅନ୍ୟ ଏକ ଉଦାହରଣ ହେଉଛି ନାଗରାଜ ନାମକ ଜଣେ ବ୍ୟକ୍ତି ସକାଳ ୪:୦୭ ସମୟରେ ମାତ୍ର ୩୮ ସେକେଣ୍ଡରେ ଦୁଇଟି ‘ଡିଲିଟ୍’ ଫର୍ମ ପୂରଣ କରିଥିବା ଅଭିଯୋଗ ହୋଇଛି। ଯାହାକୁ ରାହୁଲ ‘ମଣିଷ ପକ୍ଷରେ ଅସମ୍ଭବ’ ବୋଲି କହିଛନ୍ତି। ଭୋଟରଙ୍କ ନାମ ହଟାଯିବା ପଛରେ ଏକ କେନ୍ଦ୍ରୀକୃତ ସଫ୍ଟୱେର୍ ଆଧାରିତ ଅପରେସନ୍ ଜଡ଼ିତ। ବିଭିନ୍ନ ରାଜ୍ୟରେ ଆବେଦନ ଦାଖଲ ପାଇଁ ସମାନ ମୋବାଇଲ୍ ନମ୍ବର ବ୍ୟବହାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ଦାୟୀ କରିଛନ୍ତି ରାହୁଲ। ଦୁର୍ନୀତି ପଛରେ ଥିବା ଲୋକଙ୍କୁ ସିଇସି ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକ ସିଆଇଡି ଭୋଟର ‘ଡିଲିଟ୍’ ସ୍କାମ୍ ସମ୍ପର୍କିତ ସୂଚନା ପାଇଁ ୧୮ ମାସ ମଧ୍ୟରେ ୧୮ଟି ଚିଠି ଲେଖିଥିଲା। କିନ୍ତୁ ନିର୍ବାଚନ କମିସନ କେବେ ବି ଅର୍ଥପୂର୍ଣ୍ଣ ଉତ୍ତର ଦେଇନାହାନ୍ତି। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ରାହୁଲ କହିଛନ୍ତି, ଭାରତୀୟ ନିର୍ବାଚନ କମିସନ ଗୋଟିଏ ସପ୍ତାହ ମଧ୍ୟରେ ଦୁର୍ନୀତିରେ ବ୍ୟବହୃତ ମୋବାଇଲ୍ ନମ୍ବର ଏବଂ ଓଟିପି ତଥ୍ୟ ପ୍ରକାଶ କରନ୍ତୁ। ନଚେତ୍ ଏହା ପ୍ରମାଣିତ ହେବ ଯେ ସିଇସି ଭୋଟ୍ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ପ୍ରତିକ୍ରିୟା ରଖି ଭୋଟର ‘ଡିଲିଟ୍’ ସ୍କାମ୍ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି। ରାହୁଲଙ୍କ ଦାବିକୁ ବିଭ୍ରାନ୍ତିକର ଦର୍ଶାଇ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଜନସାଧାରଣ ଅନ୍ଲାଇନରେ କୌଣସି ଭୋଟରଙ୍କୁ ‘ଡିଲିଟ୍’ କରିପାରିବେ ନାହିଁ। ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଣାଣି କରିବାର ସୁଯୋଗ ନ ଦେଇ କୌଣସି ନାମ କଟାଯାଇପାରିବ ନାହିଁ। କର୍ଣ୍ଣାଟକର ଆଲନ୍ଦ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ହଟାଇବା ପାଇଁ କିଛି ବିଫଳ ପ୍ରୟାସ କରାଯାଇଥିଲା ଏବଂ ଏହି ଘଟଣାର ତଦନ୍ତ ପାଇଁ ନିର୍ବାଚନ ଆୟୋଗ ନିଜ ଆଡୁ ଏଫ୍ଆଇଆର୍ ଦାଖଲ କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି।