ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ବୁଧବାର ବ୍ରହ୍ମପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମହିଳା ବିଜେଡି ଦଳ ।
ବାଲେଶ୍ବରରେ ଛାତ୍ରୀ ଆତ୍ମାହୂତୀ ଦେବା ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି l ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୧୫ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି l ଏଣୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ତରଫରୁ ତୀବ୍ର ବିରୋଧ ସହ ଦାବି କରାଯାଇଛି। ତେବେ ଆଇଜି କିମ୍ବା ବ୍ରହ୍ମପୁର ଏସ୍.ପି. ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ପରେ ଆଇଜି ନୀତି ଶେଖର ପହଞ୍ଚିବା ପରେ ସ୍ମାରକପତ୍ର ଗ୍ରହଣ କରିଥିଲେ l
ଏହି କାର୍ଯ୍ୟକ୍ରମର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳେଇ ନେତୃତ୍ବ ନେଇଥିବା ବେଳେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାସ ବେହେରା, ରଞ୍ଜିତା ସାହୁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମମତା କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।