ଭୁବନେଶ୍ୱର( ଦ କୁଇଭର ):- ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍ ଖାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅନାସ୍ଥା ନୋଟିସ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି। କାରଣ ବିଜେଡି ଅନାସ୍ଥାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରିନାହିଁ । ସାର ପ୍ରସଙ୍ଗକୁ ନେଇ ବିଧାନସଭାରେରେ ସରକାରଙ୍କୁ ଘେରିବ ବିଜେଡି । ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ମଧ୍ୟ ଉଠାଇବ ବିରୋଧୀ ଦଳ । ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। କହିଛନ୍ତି, ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ ।
ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି ଚାଷୀ । ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । କଳାବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ । ସରକାର କେବଳ ଘୋଷଣା କରିଛନ୍ତି କିଛି କରିନାହାନ୍ତି । ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ହିଂସା ବଢ଼ିବାରେ ଲାଗିଛି। ନାରୀମାନେ ରାସ୍ତାରେ ସୁରକ୍ଷିତ ନାହାନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରିବାରେ ଲାଗିଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ନୀତି ବିରୁଦ୍ଧରେ ସରକାର ଯାହା କରୁଛନ୍ତି ସେହି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ। ସେପଟେ ବିଧାନସଭା ଅଧିବେଶନ ନେଇ ବିଜେପି ବିଧାୟକ ଦଳର ବୈଠକ ବସିଛି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯାହା ବିରୋଧୀ ଦଳ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ବୈଠକ ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ମହାଲିଙ୍ଗ କହିଛନ୍ତି, ସରକାର ମ୍ୟାଜିକ ନମ୍ୱର ରେ ଚାଲେ, ଆଉଟ ଅଫ ୧୪୭ ଲୋକ ବିଜେପିକୁ ସମର୍ଥନ କରିଛନ୍ତି, ବିଜେପି ସରକାରରେ ଲୋକ ପ୍ରଗତିପଥ ରେ ଯାଉଛନ୍ତି ତାହା ଓଡିଶାବାସୀ ଜାଣିଛନ୍ତି। ଅନାସ୍ତା ପ୍ରସଙ୍ଗ ଯେବେ ବିଧାନସଭାରେ ଆସିବ ତାର ଉତ୍ତର ଦିଆଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।