ଦ କୁଇଭର ବ୍ୟୁରୋ :- ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ସେହିଦିନ ସକାଳ ୧୧ଟାରେ ବ୍ରହ୍ମପୁରରେ ଜାତୀୟସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦ୍ଘାଟନ କରିବେ। ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁରୂପେ ସମ୍ପାଦନ କରିବା, ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା କର୍ମୀଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ୱାସ୍ଥ୍ୟ, ପୁଲିସ, ପାଣି-ବିଦ୍ୟୁତ୍, ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେବା ପର୍ବ’ କାର୍ଯ୍ୟକ୍ରମରେ ଦେଶର ୮ଟି ଆଇଆଇଟିରେ ଦକ୍ଷତା ସଂପ୍ରସାରଣ, କୋରାପୁଟ-ବାଇଗୁଡ଼ା, ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନ୍ ଡବଲିଂ, ସମ୍ବଲପୁର-ସରଲା ଫ୍ଲାଏଓଭର ଉଦ୍ଘାଟନ, ବିଏସ୍ଏନ୍ଏଲ୍ ଦ୍ୱାରା ଦେଶବ୍ୟାପୀ ସ୍ୱଦେଶୀ ୪ଜି ନେଟ୍ୱର୍କ ସେବାର ଲୋକାର୍ପଣ, ଏମ୍କେସିଜି, ଭିମ୍ସାର ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସୁପର ସ୍ପେସାଲିଟି ମାନ୍ୟତା ଘୋଷଣା, ଦେଶବ୍ୟାପୀ ଦକ୍ଷତା ବିକାଶ ପ୍ରକଳ୍ପର ଉଦ୍ଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଓ ଅନ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ।
ଏହି ବୈଠକରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ।