Join Us To Make A Difference

The Drops💧

ସମ୍ବଲପୁରିଆ ଗୁରୁଙ୍କୁ କେନ୍ଦୁଝର ମାଟିରେ ସ୍ବାଗତ

ସମ୍ବଲପୁରିଆ ଗୁରୁଙ୍କୁ କେନ୍ଦୁଝର ମାଟିରେ ସ୍ବାଗତ
Published by:Jyotshna Kumari
#state

କେନ୍ଦୁଝର( ଦ କୁଇଭର ):- ଏହି ଦୃଶ୍ୟଟି ହେଉଛି ଖଣି ଜିଲ୍ଲା ତଥା ଓଡିଶାର ଧନୀ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଅନ୍ତର୍ଗତ ଶିରିଶପାଳ ଗ୍ରାମ ପଞ୍ଚାୟତର ଅତିବୁଦ୍ଧିପଡା ଗ୍ରାମର। ଦୀର୍ଘ ଦିନ ପରେ ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଜଣେ ନୂତନ ଶିକ୍ଷକଙ୍କ ଆଗମନ ପରେ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ସ୍ବାଗତ କରି ବନ୍ଦାପନା କରିବା ସହ ବାଜା ବଜାଇ ପାଛୋଟି ନେଉଛନ୍ତି ବିଦ୍ୟାଳୟକୁ। ସୂଚନା ମୁତାବକ ଏହି ନୂତନ ସାର୍ ଜଣକ ହେଉଛନ୍ତି ଯତୀନ୍ଦ୍ର ବଢେଇ। ଯିଏ ସମ୍ବଲପୁର ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି। ଗ୍ରାମବାସୀଙ୍କ ଦ୍ବାରା ତାଙ୍କର ସ୍ବାଗତ ସମାରୋହର ଏହି ମନୋରମ ଦୃଶ୍ୟ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Sports

୨୧ ସେପ୍ଟେମ୍ବରରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିଆ କପର ଦଶମ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିଲା ।

State,Weather

କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ

Blog Thumbnail

ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

Politics

ବିଧାନସଭା ଅଧିବେଶନର ଆଜି ଦ୍ବିତୀୟ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍‌ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍‌ ଖାଇବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅନାସ୍ଥା ନୋଟିସ୍‌ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି। କାରଣ ବିଜେଡି ଅନାସ୍ଥାକୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରିନାହିଁ । ସାର ପ୍ରସଙ୍ଗକୁ ନେଇ ବିଧାନସଭାରେରେ ସରକାରଙ୍କୁ ଘେରିବ ବିଜେଡି । ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ମଧ୍ୟ ଉଠାଇବ ବିରୋଧୀ ଦଳ । ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। କହିଛନ୍ତି, ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ ।


ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି ଚାଷୀ । ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । କଳାବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ । ସରକାର କେବଳ ଘୋଷଣା କରିଛନ୍ତି କିଛି କରିନାହାନ୍ତି । ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ହିଂସା ବଢ଼ିବାରେ ଲାଗିଛି। ନାରୀମାନେ ରାସ୍ତାରେ ସୁରକ୍ଷିତ ନାହାନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସରକାର ଆକ୍ରମଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରିବାରେ ଲାଗିଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ନୀତି ବିରୁଦ୍ଧରେ ସରକାର ଯାହା କରୁଛନ୍ତି ସେହି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ। ସେପଟେ ବିଧାନସଭା ଅଧିବେଶନ ନେଇ ବିଜେପି ବିଧାୟକ ଦଳର ବୈଠକ ବସିଛି । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯାହା ବିରୋଧୀ ଦଳ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ବୈଠକ ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ମହାଲିଙ୍ଗ କହିଛନ୍ତି, ସରକାର ମ୍ୟାଜିକ ନମ୍ୱର ରେ ଚାଲେ, ଆଉଟ ଅଫ ୧୪୭ ଲୋକ ବିଜେପିକୁ ସମର୍ଥନ କରିଛନ୍ତି, ବିଜେପି ସରକାରରେ ଲୋକ ପ୍ରଗତିପଥ ରେ ଯାଉଛନ୍ତି ତାହା ଓଡିଶାବାସୀ ଜାଣିଛନ୍ତି। ଅନାସ୍ତା ପ୍ରସଙ୍ଗ ଯେବେ ବିଧାନସଭାରେ ଆସିବ ତାର ଉତ୍ତର ଦିଆଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

National

ଏକ୍ସପ୍ରେସ ଟ୍ରେନରେ ବି ଯାତ୍ରୀ ପାଇ ପାରିବେ ନିଜ ମନପସନ୍ଦର ଖାଦ୍ୟ

Blog Thumbnail

ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।


ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।

Politics

କଂଗ୍ରେସର ଅନାସ୍ଥା,ଭାଙ୍ଗିବ କି ମୋହନ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ, ଏବେ ଚର୍ଚ୍ଚା ହେଉଛି ଏହି ଅନାସ୍ଥା ଆଣିଲେ ସତରେ କଣ ମୋହନ ସରକାରକୁ ବିପଦ ହେବ? ସଂଖ୍ୟା ଗଣିତ ଦୃଷ୍ଟିରୁ ବିଧାନସଭାରେ ଏବେ ବି ବିଜେପି ସବୁଠୁ ବଡ଼ ଦଳ । ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ସେତେଟା ପ୍ରଭାବ ପକାଇନପାରେ । ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି । ଯାହା ଭିତରୁ ବିଜେପିର ହେଉଛନ୍ତି ୭୮ ବିଧାୟକ । ଏହାସହ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ । ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ, ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ୩ ।


ଯଦି କଂଗ୍ରେସକୁ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିସାରିଛନ୍ତି । ଯାହାଫଳରେ ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି । ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଜଣାଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ । ଯାହାକି ମ୍ୟାଜିକ୍ ନମ୍ବରଠାରୁ ବହୁତ ଦୂରରେ l ରାଜ୍ୟ ବିଧାନସଭାରେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସେମାନେ ବିଜେପି ସପକ୍ଷରେ ଯିବା ଏକପ୍ରକାର ପକ୍କା । ଅନାସ୍ଥା ପ୍ରସ୍ତାବ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ବର୍ତ୍ତମାନ ସମୟରେ କଂଗ୍ରେସ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଜେଡିର ୫୦ ଜଣ ବିଧାୟକ କାହାକୁ ସମର୍ଥନ କରିବେ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ରେଜଲ୍ଟ କଣ ହେବ ସ୍ପଷ୍ଟ ଜଣାପଡୁଛି l


ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି ଲୋକେ କହୁଥିବା ସହ ୱାନ ଟେନ୍ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା। ଅନାସ୍ଥା ପ୍ରସ୍ତାବ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତାପରେ ବି ଯଦି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ତେବେ କେବଳ ନିଜେ ହିଁ ଲୋକ ହସା ହେବା ଛଡ଼ା ଆଉ କିଛି ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l


ଅନ୍ୟପଟେ ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ । ସୁରୁଖୁରୁରେ ଅଧିବେଶନ ଚଲାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ବିଧାନସଭା । ଚଳିତ ଅଧିବେଶନରେ 7ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ସମୟରେ କଡା ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା । ବୁଧବାର ପୋଲିସ କମିଶନର ଓ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି । 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ଓ 150 ପୋଲିସ ଅଫିସର ରହିବେ । ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ 5ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲରୁମ୍‌ ଖୋଲାଯାଇଛି ।

City

ଜାଭିୟର୍ସ ହାଇ ସ୍କଲରେ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବୃକ୍ଷ ରୋପଣ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା'ପ୍ରତି ସମ୍ମାନ ଓ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡାଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା,ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ସେହିପରି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

District,City

୧୯ ରେ ଗଡିବ ତୀର୍ଥଯାତ୍ରୀ ଟ୍ରେନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୯ତାରିଖରେ ଅଯୋଧ୍ୟା ଓ ବାରଣାସୀକୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଗଡ଼ିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନମ୍ବର ପ୍ଲାଟଫର୍ମ ପହଞ୍ଚି ସେଠାରେ ଜିଲ୍ଲାର ବରିଷ୍ଟ ଅଧିକାରୀ, ରେଳବାଇ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ। ଏହାପରେ ଦିନକୁ ପୂର୍ବରୁ ବରିଷ୍ଠ ନାଗରିକମାନେ ରହିବା ପାଇଁ ଆୟୋଜିତ ହୋଇଥିବା ସ୍ଥାନ ବୁଲି ଦେଖୁଥିଲେ। ବରିଷ୍ଠ ନାଗରିକ କିପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇବେ ଏବଂ ସୁଚାରୁ ରୂପେ ଯାତ୍ରା କରି ଫେରିବେ। ସେ ନେଇ ସମସ୍ତ ଅଧିକାରୀମାନେ ଧ୍ୟାନ ଦେବାକୁ ବିଭାଗୀୟ ଅଧୁକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବିଏମ୍‌ସି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଓ ଆଶୀର୍ବ।ଦ ପରିଡ଼ା, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହଂସଦା, ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗ। ପ୍ରସାଦ ବ୍ରହ୍ମା, ଆର୍‌ପିଏଫ୍‌ ଥାନା ଅଧିକାରୀ ସି. ଭେଙ୍କଟ ରମଣା ଓ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Education

ମାଗଣାରେ ବସରେ ଯିବେ ଛାତ୍ରଛାତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଛାତ୍ରଛାତ୍ରୀଙ୍କ ଏକ ବଡ଼ ଖୁସି ଖବର l ଏଣିକି ମାଗଣାରେ ବସରେ ଯିବେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡ଼ିବ ନାହିଁ ବସ ଭଡ଼ା । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସ୍କୁଲ ପିଲାଙ୍କ ସମୟକୁ ନଜରରେ ରଖି ବସ ଚଳାଚଳ ସମୟ ପରିବର୍ତ୍ତନ କରାଯିବ । ରୁଟରେ ମଧ୍ୟ ପରିବର୍ତ୍ତନ କରିବାକୁ OSRTCକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିବହନ ବିଭାଗକୁ ଚିଠି ଲେଖା ଯାଇଛି । ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏବେ ଏହି ନିଷ୍ପତ୍ତି ଉପରେ ସରକାରୀ ମୋହର ବାଜିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ 17 ତାରିଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତଥା କମିଶନ ଶାଳୀନି ପଣ୍ଡିତ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।


ଗଣଶିକ୍ଷା ବିଭାଗର ସଚିବ ପରିବହନ ବିଭାଗକୁ ଚିଠି ଲେଖି କହିଛନ୍ତି, ‘ସରକାରୀ ସ୍କୁଲରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ମାଗଣାରେ ବସ ସେବା ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ସର୍ବାଧିକ ସଂଖ୍ୟକ ସ୍କୁଲକୁ ସାମିଲ କରିବା ପାଇଁ OSRTC ବସ ରୁଟ ଏବଂ ସମୟ ସଂଶୋଧନ କରିବା ଦରକାର ।' ଏଥି ସହିତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ରୁଟ ପୁନଃମ୍ୟାପିଂ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପରିବହନ ଅଧିକାରୀ ଓ OSRTCର ମ୍ୟାନେଜରଙ୍କୁ ସ୍କୁଲ ବାବଦରେ ସୂଚନା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁୁ କୁହାଯାଇଛି । ଏହି ମାଗଣା ବସ ସେବା ପାଇଁ OSRTCର ଯେଉଁ ରାଜସ୍ୱ କ୍ଷତି ହେବ ତାହାକୁ ଭରଣା କରିବା ପାଇଁ ପରିବହନ ବିଭାଗ ବଜେଟ ବ୍ୟୟ ବରାଦ କରିବ ।

Shree Jagannath

ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର

Blog Thumbnail

ପୁରୀ( ଦ କୁଇଭର ):-. ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏଥି ପାଇଁ ଅମୃତ ବେଳା ସ୍ଥିର କରାଯାଇଛି। ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ଅଳଙ୍କାର ସ୍ଥାନାନ୍ତରିତ ହେବ। ଏଥି ପାଇଁ କେବଳ ପାଳିଆ ସେବାୟତ ନିୟୋଜିତ ହେବେ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ। ଅଳଙ୍କାର ସ୍ଥାନାନ୍ତର ସମୟରେ ନାଟ ମଣ୍ଡପ ବନ୍ଦ ରଖାଯିବ। କିନ୍ତୁ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ସ୍ଥାନାନ୍ତର ନସରିଲେ ସେପ୍ଟେମ୍ବର ୨୪ରେ ମଧ୍ୟ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ସମୟରେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ରତ୍ନଭଣ୍ଡାରରେ ଅଳଙ୍କାର ରଖା ସରିଲା ପରେ ତାଲା ପଡ଼ିବ। ଏହାର ଚାବି ଟ୍ରେଜେରିରେ ରଖାଯିବ। ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ।

City

ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ପାଳନ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଦୈନିକ ଖବର କାଗଜ ଅନୁପମ ଭାରତର ୨୯ ତମ ସ୍ଵନକ୍ଷତ୍ର ଦିବସ ଶିଳ୍ପାଞ୍ଚଳ ସ୍ଥିତ ଅନୁପମ ଭାରତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଲେଖିକ ହୟଗ୍ରୀବ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ । ସୁଦାମ ଦାସ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ପରିଚାଳକ କୁରେଶ ପଣ୍ଡା, ସହ ସମ୍ପାଦକ ହରିଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ। ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଏହି ଅବସରରେ ଅନୁପମ ଭାରତ ରେ ନିଜର ଦୀର୍ଘ ଜୀବନ ର କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଜଗନ୍ନାଥ ଙ୍କ ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁପମ ଭାରତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

International

ଭାରତ ଉପରେ ପୁଣି ଅପବାଦ ଲଦିଲେ ଟ୍ରମ୍ପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ପାକିସ୍ତାନ, ଚୀନ୍ ସମେତ ୨୩ଟି ଦେଶକୁ ତାଲିକାଭୁକ୍ତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକ ବେଆଇନ ନିଶାଦ୍ରବ୍ୟ ଓ ଆନୁଷଙ୍ଗିକ ରାସାୟନିକ ପଦାର୍ଥର ଉତ୍ପାଦନ କରି ଆମେରିକା ଓ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହି ତାଲିକାରେ ଆଫଗାନିସ୍ତାନ, ବାହାମା, ବର୍ମା, ଚୀନ୍, ବେଲିଜ୍, ବଲିଭିଆ, କଲମ୍ବିଆ, କୋଷ୍ଟାରିକା, ଡୋମିନିକାନ୍ ରିପବ୍ଲିକ୍, ଇକ୍ୱେଡର୍, ଏଲ୍ ସାଲଭାଡୋର, ଭାରତ, ଗୁଆଟେମାଲା, ହାଇତି, ହଣ୍ଡୁରାସ୍, ଜାମାଇକା, ଲାଓସ୍, ମେକ୍ସିକୋ, ନିକାରାଗୁଆ, ପାକିସ୍ତାନ, ପାନାମା, ପେରୁ ଓ ଭେନେଜୁଏଲା ରହିଛନ୍ତି।ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ତାଲିକାଭୁକ୍ତ ଏହି ଦେଶଗୁଡ଼ିକ ଆମେରିକାରେ ପ୍ରବେଶ କରୁଥିବା ଅବୈଧ ଡ୍ରଗ୍ସ ପାଇଁ ପ୍ରମୁଖ ଉତ୍ସ କିମ୍ବା ଗମନାଗମନ ମାର୍ଗ ଭାବରେ କାର୍ଯ୍ୟ କରୁଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ, ବଲିଭିଆ, ବର୍ମା, କଲମ୍ବିଆ ଓ ଭେନେଜୁଏଲା ଭଳି ପାଞ୍ଚଟି ଦେଶ ନିଶାଦ୍ରବ୍ୟ ଉତ୍ପାଦନ ଓ ଚୋରା ଚାଲାଣକୁ ରୋକିବା ପାଇଁ ପ୍ରୟାସ କରିବାରେ ବିଫଳ ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ଦର୍ଶାଇଛି ଯେ ଭୌଗୋଳିକ ଓ ଅର୍ଥନୈତିକ ଅବସ୍ଥା ଔଷଧ ଉତ୍ପାଦନ କିମ୍ବା ପରିବହନକୁ ସମ୍ଭବ କରିଥାଏ ଏବଂ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କ ସହଯୋଗର ଅଭାବକୁ ପ୍ରତିନିଧିତ୍ୱ କରେ ନାହିଁ। ଟ୍ରମ୍ପ ଚୀନ୍‌କୁ ଫେଣ୍ଟାନିଲ୍ ଉତ୍ପାଦନରେ ବ୍ୟବହୃତ ରାସାୟନିକ ପଦାର୍ଥର ସର୍ବବୃହତ୍ ଉତ୍ସ ବୋଲି କହି ସମାଲୋଚନା କରିଛନ୍ତି।

City

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଅବସରପ୍ରାପ୍ତ ନିଶ୍ଚେତକ ବିଭାଗ ପ୍ରାଧ୍ୟାପକ ଡା. ହରିହର ପଟ୍ଟନାୟକଙ୍କ ପରଲୋକ ହୋଇଛି।ଶନିବାର ଭୋର ୫ଟା ସମୟରେ ସିଦ୍ଧାର୍ଥ ନଗର ତୃତୀୟ ଲାଇନ୍ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଡ଼ାକ୍ତର ପଟ୍ଟନାୟକଙ୍କୁ ମୃତ ବେଳକୁ ୮୮ ବର୍ଷ ହୋଇଥିବା ବେଳେ ଦୀର୍ଘ ୩୦ , ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି।ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲର ନିଶ୍ଚେତକ ବିଭାଗରେ ପ୍ରାଧ୍ୟାପକ ରହିଥିଲେ। ଡ଼ା ପଟ୍ଟନାୟକ ବହୁ ଗରିବ ରୋଗୀଙ୍କ ପାଇଁ ସୁବିଧାରେ ଅସ୍ତ୍ରୋପଚାର ଓ ଚିକିତ୍ସା ବ୍ୟବସ୍ଥା କରିବା ସହ ଅତ୍ୟନ୍ତ ପରୋପକାରୀ ଏବଂ ମିଷ୍ଟଭାଷୀ ଡାକ୍ତର ଭାବେ ପରିଚିତ ଥିଲେ।ଅବସର ନେବା ପରେ ମଧ୍ୟ ବହୁ ସଂଗଠନ ସହ ଜଡ଼ିତ ରହି ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରୁଥିଲେ। ମୃତଶଯ୍ୟାରେ ଦୁଇପୁଅ ଓ ଦୁଇଝିଅ ରଞ୍ଜନ କୁମାର ପଟ୍ଟନାୟକ, ରଞ୍ଜିତ କୁମାର ପଟ୍ଟନାୟକ, ରଶ୍ମୀ ରେଖା କାନୁନଗୋ, ସସ୍ମିତା ରାୟ, ଜ୍ବାଇଁ,ନାତିନାତୁଣୀଙ୍କ ସମେତ ବହୁ ଆତ୍ମୀୟ ସୃଜନ ଉପସ୍ଥିତ ରହିଥିଲେ।ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର,ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,ବରିଷ୍ଠ ବିଜେଡ଼ି ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,କର୍ପୋରେଟର ସମୀର ମିଶ୍ର,ତିରୁପତି ପାତ୍ର,ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଡାକ୍ତର,ରାଜନେତା ,ବୁଦ୍ଧିଜୀବିଏବଂ ଏମ କେ ସି ଜି ମେଡ଼ିକାଲ୍ କଲେଜ ନିକଟରେ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ।

ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି।

Entertainment

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌; ବଲିଉଡ୍‌ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍‌କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପ‌ଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍‌ର ମଉଡ଼ମଣି। ସେ ଆଜି ଅସୁସ୍ଥ ‌ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

State

୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୂରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡ଼ର ୫୬ଟି, ନୂଆପଡ଼ାର ୧୦ଟି, ପୁରୀର ୬୮ଟି, ରାୟଗଡ଼ାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।

Crime,City

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ କଲେ ଦୁର୍ବୁତ୍ତ

Blog Thumbnail

ଦ କୁଇଭର ବ୍ୟୁରୋ :- ଗୁରୁବାର ରାତିରେ ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ନିବାସୀ ତଥା ୯ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ୩ଜଣ ଦୁର୍ବୁତ୍ତ ଗୋଟିଏ ବୁଲେଟ ଗାଡ଼ିରେ ଆସି ଏହି ବୋମାମାଡ଼ କରିଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତା ଓ ବ୍ୟବସାୟକ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏହି ଘଟଣାରେ ବହୁ ପୁରୁଣା ଅପରାଧୀଙ୍କ ହାତ ରହିଛି । ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରଫ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ।

State

ସରିଲା ସର୍ବଦଳୀୟ ବୈଠକ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ। ‌ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିବା, ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଏଥର ମାଳମାଳ ପ୍ରସଙ୍ଗ ଧରିକି ବସିଛନ୍ତି। ହେଲେ ବିଧାନସଭା ଯେପରି ସୁରୁଖୁରରେ ଚାଲିବ, ଗୃହ କାର୍ଯ୍ୟ ପରିଚାଳନାରେ ସବୁ ଦଳ ସହଯୋଗ କରିବାକୁ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ଏହି ଅଧିବେଶନର ଅବଧି ମାତ୍ର ୭ଦିନ ଥିବାରୁ କେଉଁ ଦିନ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେନେଇ ବାଚସ୍ପତି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Health & lifestyle,Entertainment

ଭେଣ୍ଟିଲେଟର୍‌ରୁ ବାହାରିଲେ ମେଲୋଡି କିଙ୍ଗ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ପାର୍ବଣ ପୂର୍ବରୁ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସିର ଖବର । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ । ଭେଣ୍ଟିଲେଟର୍‌ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍‌ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା । ପୂର୍ବରୁ ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । ଏବେ ଡାକ୍ତରୀ ଚିକିତ୍ସାଠାରୁ ବି ଯଦି କିଛି ବେଶି ଜରୁରି ହୋଇପଡ଼ିଛି ତାହା ହେଉଛି ଶୁଭେଚ୍ଛୁଙ୍କ ‌ସ୍ନେହ ଓ ଭଲପାଇବା । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି ।

Shree Jagannath

୧୯ରୁ ଆରମ୍ଭ ହବିଷିଆଳିଙ୍କ ପଞ୍ଜୀକରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି କାର୍ତ୍ତିକ l ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ l ଧର୍ମର ମାସ ମହା କାର୍ତିକରେ ମାସ ସାରା ହବିଶିଆଳିଙ୍କ ପୂଜା ଭଜନ ଜଣାଣ ଜପ ତପ ବିଭିନ୍ନ ଜାଗାରେ ଦେଖିବାକୁ ମିଳିବ l ପୂର୍ବରୁ ଅନେକ ହବିଶିଆଳି ମା ମାନେ ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପାଖରେ ହବିଷ କରୁଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଏହି ବ୍ୟବସ୍ଥାକୁ ପ୍ରଶାସନ ନିଜ ହାତକୁ ନେଇଛି l ତେଣୁ ବଡ଼ ଜୋର ସୋର ରେ ଚଳିତ ବର୍ଷ ମଧ୍ୟ ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଥର ୨୫ ଶହ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ୪ଟି ସ୍ଥାନରେ ହେବ ହବିଷିଆଳି କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଥମ କରି ଆବେଦନ କରିଥିବା ମାଆ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯିବ । ହବିଷିଆଳିଙ୍କ ରହଣି, ପ୍ରସାଦ ସେବନ ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ, ଶୁକ୍ରବାର ପୂର୍ବାହ୍ନ ୧୦ ଠାରୁ ହବିଷିଆଳିଙ୍କ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। https://edistrict.odisha.gov.inରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା'ମାନେ ହିଁ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।


ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା , ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା’ ମାନଙ୍କର ରହଣିର ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ଦେଇଛନ୍ତି l

State,Politics

ଆଜିଠୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ

Blog Thumbnail

ଭୂବନେଶ୍ୱର ( ଦ କୁଇଭର ):-ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବୀ କରାଯିବ।ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ୍ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି, ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି।


ସେହିପରି କଂଗ୍ରେସ ନାରୀ ନିର୍ଯାତନା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି। ଦେଢ଼ ବର୍ଷର ମୋହନ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ଦର୍ଶାଇ ଗୃହରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି। ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଶାସକ ବିଜେପିର ବିଧାୟକ ଦଳ ବୈଠକରେ ରଣନୀତି ଚୁଡାନ୍ତ ହେବ। ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି।

ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି।