No comments yet.
State,Shree Jagannath
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନେରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳ କାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ସବୁଠାରୁ ବଡ ଇଞ୍ଜିନିୟର ଭାବେ ବିଶ୍ୱକର୍ମା ଖ୍ୟାତ । ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।
ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।
National,Weather
ଦ କୁଇଭର ବ୍ୟୁରୋ :- ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁ ଟୋନ୍ସ ଓ ତମସା ନଦୀ ଫୁଲିବା ଫଳରେ ତପୋବନରେ ଅନେକ ଘର ବୁଡ଼ି ଯାଇଛି ଏବଂ ବ୍ୟାପକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିଛି। ଅନେକ ଘର, ଦୋକାନ ବଜାର ଏବଂ ଗାଡ଼ି ମୋଟର ଭାସିଯାଇଛି। ଏକ ପ୍ରମୁଖ ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଛି। ଟୋନ୍ସ ନଦୀରେ ଅନେକ ଶ୍ରମିକ ଭାସି ଯାଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲାପାଳ, ଏସ୍ଡିଏମ୍ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଟିମ୍ ସହିତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଡେରାଡୁନର ମାଳଦେବତା ଓ କେଶରୱାଲା ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଟି ଅଞ୍ଚଳ ବନ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ‘ଏକ୍ସ’ରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଡେରାଡୁନରେ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ ସହ ଧାମୀ ଯୋଗାଯୋଗରେ ଥିବା ଏବଂ ବ୍ୟକ୍ତିଗତ ଭାବେ ସ୍ଥିତି ସମୀକ୍ଷା କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। କଥାବାର୍ତ୍ତା ସମୟରେ ଧାମୀ ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଧାମୀଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଡେରାଡୁନରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଡେରାଡୁନର ପୌଣ୍ଡା ଅଞ୍ଚଳରେ ଦେବଭୂମି ଶିକ୍ଷାନୁଷ୍ଠାନ ପରିସର ଜଳବନ୍ଦି ହୋଇଯାଇଥିବା ବେଳେ ସେଠାରୁ ପ୍ରାୟ ୨୦୦ ଛାତ୍ରଙ୍କୁ ଏସ୍ଡିଆର୍ଏଫ୍ ଦ୍ବାରା ଉଦ୍ଧାର କରାଯାଇଛି।
State
ଦ କୁଇଭର ବ୍ୟୁରୋ :- ରାଜଧାନୀରେ ଗଡୁନି ଆମ ବସ୍। ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ବିଳମ୍ବ ନେଇ କାର୍ଯ୍ୟବନନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ କର୍ମଚାରୀ। ପୋଖରୀପୁଟ ଡିପୋରୁ ଗୋଟେ ବି ବସ୍ ବାହାରିନି । ଠିକ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।
National,International
ଦ କୁଇଭର ବ୍ୟୁରୋ :- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ । ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ । ଉକ୍ତ ଘଟଣାଟି ସାମନାକୁ ଆସିବାର ୫ ଘଣ୍ଟା ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି । ୨୩ ଜଣ ଓଡ଼ିଆ ଯାତ୍ରୀ ହେଲେ- ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ କୁମାର ଧଳ, ଭରତ କୁମାର ସ୍ୱାଇଁ, କାମିନୀ ସ୍ୱାଇଁ, ଶାରଦା ପ୍ରସନ୍ନ କର, ରିମା କର, ମନୋଜ କୁମାର ମିଶ୍ର, ସୁରେନ ଦଳାଇ, ବିରେନ ଦଳାଇ, ପର୍ଶୁରାମ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ପ୍ରସନ୍ନଜିତ ଦଳାଇ, ବ୍ରଜକିଶୋର ମିଶ୍ର, ଲୋପାମୁଦ୍ରା ମିଶ୍ର, ଶ୍ରେୟାନ ସୌରଭ ମିଶ୍ର, ସନ୍ତୋଷ କୁମାର ପାଣି, ସସ୍ମିତା ପାଣି, ବାଗ୍ମୀପ୍ରିୟା ପାଣି, ପ୍ରମୋଦ କୁମାର ମିଶ୍ର, ରାଜଶ୍ରୀ ମିଶ୍ର, ବୈଷ୍ଣବ ସାହୁ ଓ ସୁରେଶ ଚନ୍ଦ୍ର ସାହୁ । ସମସ୍ତ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଭାବରେ ଭାରତକୁ ଫେରିଥିବାର ସୂଚନା ମିଳିଛି ।
State
ଦ କୁଇଭର ବ୍ୟୁରୋ :- ଆଉ ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିବା, ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଏଥର ମାଳମାଳ ପ୍ରସଙ୍ଗ ଧରିକି ବସିଛନ୍ତି। ହେଲେ ବିଧାନସଭା ଯେପରି ସୁରୁଖୁରରେ ଚାଲିବ, ଗୃହ କାର୍ଯ୍ୟ ପରିଚାଳନାରେ ସବୁ ଦଳ ସହଯୋଗ କରିବାକୁ ବାଚସ୍ପତି ସୁରମା ପାଢ଼ୀ ସବୁ ଦଳର ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ଏହି ଅଧିବେଶନର ଅବଧି ମାତ୍ର ୭ଦିନ ଥିବାରୁ କେଉଁ ଦିନ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେନେଇ ବାଚସ୍ପତି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Politics,City
ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଦିନକୁ ଦିନ ମହିଳାମାନଙ୍କ ବିରୋଧରେ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ବୁଧବାର ବ୍ରହ୍ମପୁର ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମହିଳା ବିଜେଡି ଦଳ ।
ବାଲେଶ୍ବରରେ ଛାତ୍ରୀ ଆତ୍ମାହୂତୀ ଦେବା ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି l ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୧୫ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି l ଏଣୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ତରଫରୁ ତୀବ୍ର ବିରୋଧ ସହ ଦାବି କରାଯାଇଛି। ତେବେ ଆଇଜି କିମ୍ବା ବ୍ରହ୍ମପୁର ଏସ୍.ପି. ଉପସ୍ଥିତ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ପରେ ଆଇଜି ନୀତି ଶେଖର ପହଞ୍ଚିବା ପରେ ସ୍ମାରକପତ୍ର ଗ୍ରହଣ କରିଥିଲେ l
ଏହି କାର୍ଯ୍ୟକ୍ରମର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ମେୟର ସଂଘମିତ୍ରା ଦଳେଇ ନେତୃତ୍ବ ନେଇଥିବା ବେଳେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ଅଞ୍ଜଳି ସ୍ବାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାସ ବେହେରା, ରଞ୍ଜିତା ସାହୁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମମତା କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ ।
Weather
ଦ କୁଇଭର ବ୍ୟୁରୋ :- ଗୋଟେ ଲଘୁଚାପ ଯିବାର ଦିନ କେଇଟା ବିତିନି,ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଉଚ୍ଚତା ସହିତ ଦକ୍ଷିଣ ଦିଗ ଆଡକୁ ଢଳି ରହିଛି ।ଏହା ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ 15 ତାରିଖ ଯାଏଁ ବର୍ଷା ଥିବା ବେଳେ ଆଗାମୀ 48 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ଝଟକା ପବନ 30-40 କିମି ବେଗରେ ବହିବ ।ଆଜି ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 14 ତାରିଖରେ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 30-40 କିମି ବେଗରେ ଝଟକା ପବନ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
District
ବ୍ରହ୍ମପୁର ( ଦ କୁଇଭର ):- ଶନିବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଓ ଜିଲ୍ଲାର ସମସ୍ତ କୋର୍ଟରେ ୨୦୨୫ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧ ହଜାର ୩୪୬ଟି ମାମଲାର ସମାଧାନ ହୋଇଥିବାବେଳେ ୧୨ କୋଟି ୮୫ ଲକ୍ଷ ୭୧ ହଜାର ୯୭୯ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଜାରି କରାଯାଇଛି। ଗଞ୍ଜାମ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ତୃତୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଡ. ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ୭୫ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ସମାଧନ କରାଯାଇ ବୀମା କମ୍ପାନି ଗୁଡ଼ିକୁ ମୋଟ ୫ କୋଟି ୯୮ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା,୯୭ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୧ କୋଟି ୫୧ ଲକ୍ଷ ୭୧ ହଜାର ୮୫୯ ଟଙ୍କା ପୁନରୁଦ୍ଧାର ହୋଇଥିଲା, ମୋଟ ୮୫ଟି ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା, ମୋଟ ୨୨୦ଟି ବ୍ୟାଙ୍କ ସଂପର୍କିତ ମାମଲାର ସମାଧାନ କରାଯାଇ ୨ କୋଟି ୩୩ ଲକ୍ଷ ୧୧ ହଜାର ୧୩ ଟଙ୍କା ଆଦାୟ କରାଯାଇଥିଲା,ଅନ୍ୟାନ୍ୟ ଦେୱାନି ମାମଲା ୧୦୧ଟି ସମାଧାନ କରାଯାଇ ୨ କୋଟି ୧୪ ଲକ୍ଷ ୪୦ ହଜାର୧୫୧ ଟଙ୍କା ଆଦାୟ କରାଯାଇଥିଲା, ସେହିପରି ମୋଟ ୯୫୬୮ଟି ରେଭେନ୍ୟୁ ମାମଲାର ସମାଧାନ କରାଯାଇ ୭୨ ହଜାର ୭୨୬ ଟଙ୍କା ଆଦାୟ କରାଯାଇଥିଲା, ୫୦ଟି ଅପରାଧିକ ମାମଲାର ସମାଧାନ କରାଯାଇଥିବାବେଳେ ୨୩୨ଟି ଟିପିଏସଓଡ଼ିଏଲ୍ ମାମଲାର ସମାଧାନ ହୋଇ ୩୦ ଲକ୍ଷ ୪୨ ହଜାର ୪୦୨ ଟଙ୍କା ଆଦାୟ କରାଯାଇଥିଲା, ମୋଟ ୧୭ଟି ପିୟୁଏସ୍ ମାମଲାରେ ୫୯ ଲକ୍ଷ ୫୮ ହଜାର ୮୩୦ ଟଙ୍କା ଆଦାୟ କରାଯାଇଥିଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ କରାଯାଇଥିଲା। ଏଥିରେ ଦ୍ବିତୀୟ ଏମଏସିଟି ବିଶ୍ବଜିତ୍ ଦାଶ, ପ୍ରଥମ ଏଡିଜେ ନରେଶ ମହାନ୍ତି, ଦ୍ଵିତୀୟ ଏଡିଜେ ଆୟୁଷମାନ ମହାନ୍ତ, ତୃତୀୟ ଏଡିଜେ ବିବଶ୍ବତ ଗୌତମ ପ୍ରମୁଖ ଦୁର୍ଘଟଣା ସଂପର୍କିତ ମାମଲାରେ ଅଂଶ ଗ୍ରହଣ କରିଥିଲେ । ରେଜିଷ୍ଟ୍ରର ସୌଦାମିନୀ ସିଂ ନୋଡାଲ ଅଫିସର ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
District,City
ଦ କୁଇଭର ବ୍ୟୁରୋ :- ଆସନ୍ତା ୧୯ତାରିଖରେ ଅଯୋଧ୍ୟା ଓ ବାରଣାସୀକୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଗଡ଼ିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନମ୍ବର ପ୍ଲାଟଫର୍ମ ପହଞ୍ଚି ସେଠାରେ ଜିଲ୍ଲାର ବରିଷ୍ଟ ଅଧିକାରୀ, ରେଳବାଇ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ। ଏହାପରେ ଦିନକୁ ପୂର୍ବରୁ ବରିଷ୍ଠ ନାଗରିକମାନେ ରହିବା ପାଇଁ ଆୟୋଜିତ ହୋଇଥିବା ସ୍ଥାନ ବୁଲି ଦେଖୁଥିଲେ। ବରିଷ୍ଠ ନାଗରିକ କିପରି ହାତପାହାନ୍ତାରେ ସମସ୍ତ ସୁବିଧା ପାଇବେ ଏବଂ ସୁଚାରୁ ରୂପେ ଯାତ୍ରା କରି ଫେରିବେ। ସେ ନେଇ ସମସ୍ତ ଅଧିକାରୀମାନେ ଧ୍ୟାନ ଦେବାକୁ ବିଭାଗୀୟ ଅଧୁକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦଶେ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବିଏମ୍ସି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଓ ଆଶୀର୍ବ।ଦ ପରିଡ଼ା, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହଂସଦା, ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗ। ପ୍ରସାଦ ବ୍ରହ୍ମା, ଆର୍ପିଏଫ୍ ଥାନା ଅଧିକାରୀ ସି. ଭେଙ୍କଟ ରମଣା ଓ ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।
International
ଦ କୁଇଭର ବ୍ୟୁରୋ :- ନେପାଳ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ । ସଂସଦ ଭାଙ୍ଗିବା ସହ ନୂଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୬ ମାର୍ଚ୍ଚ ୫ ତାରିଖରେ ହେବ ନିର୍ବାଚନ । ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ପ୍ରତିବାଦ । ଏଭଳି ପ୍ରତିବାଦ ପରେ ମାତ୍ର ୪ ଦିନରେ ବଦଳିଗଲା ନେପାଳ ସରକାର । ଅଶାନ୍ତ ନେପାଳର ମଙ୍ଗ ଧରିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ କରାଇଛନ୍ତି ଶପଥ ପାଠ । ଜେନ-ଜିଙ୍କ ଆନ୍ଦୋଳନ ପରେ ଓଲି ସରକାରର ପତନ ଘଟିଥିଲା । ପରେ ସେନା ନିୟନ୍ତ୍ରଣରେ ଶାସନ ଭାର ରହିଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁଶୀଲା କାର୍କି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କ ପ୍ରଥମ ପସନ୍ଦ ନଥିଲେ ସୁଶୀଳା । କାଠମାଣ୍ଡୁର ମେୟର ବାଲେନ୍ ଶାହ ଥିଲେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ, ଯିଏ ଏହି ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ବାଲେନ୍ ଦାୟିତ୍ବ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ପରେ ସୁଶୀଳାଙ୍କ ନାଁ ସାମ୍ବାକୁ ଆସିଥିଲା । ତା’ପରେ ବାଲେନ୍ ମଧ୍ୟ ସୁଶୀଳାଙ୍କୁ ନିଜର ସମର୍ଥନ ଦେଲେ । ଆଉ ଏଥିସହ ନେପାଳରେ ରାଜନୈତିକ ସଂକଟରେ ବିରାମ ଲାଗିଛି ।
Entertainment
ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଫୁସ୍ଫୁସ୍ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍ ନୁହେଁ; ବଲିଉଡ୍ରେ ବି ଏକ ଚିହ୍ନା ନାମ। ପ୍ରଥମେ ହିନ୍ଦୀ ଧାରାବାହିକରେ ଅବତୀର୍ଣ୍ଣ ହୋଇ ସମୟକ୍ରମେ ଓଲଉଡ୍କୁ ଆସିଥିଲେ ସେ। ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ପାରିଛନ୍ତି ଏହି କଳାକାର। ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ପ୍ରେମ ରୋଗୀ’, ‘ପଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଓଲିଉଡ୍ର ମଉଡ଼ମଣି। ସେ ଆଜି ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।
City
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା'ପ୍ରତି ସମ୍ମାନ ଓ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡାଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା,ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇଥିଲା । ସେହିପରି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।
National
ଦକୁଇଭର ବ୍ୟୁରୋ :- ଦିନକୁ ଦିନ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟ୍ରେନ ଯାତ୍ରାକୁ ଆରାମଦାୟକ ଏବଂ ସୁବିଧାଜନକ କରିବା ଦିଗରେ ରେଳବାଇ ନିରନ୍ତର ତାର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଦୂରଗାମୀ ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ତେଣୁ ଯାତ୍ରା କରିବା ପୂର୍ବରୁ ଖାଦ୍ୟକୁ ନେଇ ଯାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। ବର୍ତ୍ତମାନ ଏହି ସମସ୍ୟା ଧୀରେ ଧୀରେ ହ୍ରାସ ପାଇବା ପରି ମନେ ହେଉଛି। ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଏପରି ଏକ ପଦକ୍ଷେପ ନେଇଛି ଯାହାଦ୍ବାରା ଯାତ୍ରାଙ୍କୁ ସହଜ ଏବଂ ସୁବିଧାଜନକ ଭାବେ ମନ ପସନ୍ଦର ଖାଦ୍ୟ ମିଳିପାରିବ।
ଏଣିକି ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଷ୍ଟେସନରେ ଓହ୍ଲାଇବାକୁ ପଡିବ ନାହିଁ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରେଳବାଇର ନୂତନ ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନେ ନିଜ ସିଟରେ ହିଁ ତାଜା ଏବଂ ନିଜର ପସନ୍ଦର ଖାଦ୍ୟ ପାଇପାରିବେ। ଏଥିପାଇଁ ଯାତ୍ରୀମାନଙ୍କ ପାଖରେ ଖାଦ୍ୟ ଅର୍ଡର କରିବା ପାଇଁ ଅନେକ ବିକଳ୍ପ ରହିବ। ଯାତ୍ରୀମାନେ ଯାତ୍ରା ସମୟରେ https://www.ecatering.irctc.co.in/ କୁ ଯାଇ ଇ-କେଟରିଂ ସେବା ବ୍ୟବହାର କରିପାରିବେ କିମ୍ବା ଆପଣ ୧୩୨୩ କୁ କଲ୍ କରି ଖାଦ୍ୟ ଅର୍ଡର କରିପାରିବେ। ୱେବସାଇଟ୍ରୁ ଅର୍ଡର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପିଏନଆର ନମ୍ବର ଆବଶ୍ୟକ ହେବ। ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟ ଆପଣଙ୍କ ସିଟ ନିକଟରେ ଆସି ପହଞ୍ଚିଯିବ।
Sports
ଦ କୁଇଭର ବ୍ୟୁରୋ :- ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିଆ କପର ଦଶମ ମ୍ୟାଚ୍ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି ।ସେପ୍ଟେମ୍ବର ୧୪ ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳିଥିଲେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ୭ ୱିକେଟ୍ରେ ଜିତିଥିଲା ।
State
ଦ କୁଇଭର ବ୍ୟୁରୋ :- ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ବିଳାସପୂର୍ଣ୍ଣ ଘରକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ନୋଟିସ ଆଧାରରେ ଗତକାଲି (ଶୁକ୍ରବାର) ସିଲ୍ ଇଡି । ରାଜଧାନୀ ଭୁବନେଶ୍ବର ସତ୍ୟ ବିହାର ସ୍ଥିତ ଆଲିସାନ ଘରକୁ ଯାଇ ପୋଲିସ ମାଧ୍ଯମରେ ରହୁଥିବା ଘର ଲୋକଙ୍କୁ ଓ ବ୍ୟବହାର କରୁଥିବା ଆସବାବ ପତ୍ରକୁ ବାହାର କରି ସିଲ୍ କରିଛି ଲଟକା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଘର ବାହାରେ ଲଗାଯାଇଥିବା ନୋଟିସ ମୁତାବକ, PMLA act 2002 ମୁତାବକ । ୦୩ ଜୁଲାଇ ୨୦୨୩ର OC 1895 ଆଧାରରେ ସତ୍ୟ ବିହାରରେ ୧୩୩୮/୧୫୧୦୫ରେ ଥିବା ଘରକୁ ସିଲ୍ କରାଯାଇଛି । ଧାରା ୮(୪)ଇଡିର ହେପାଜତରେ ରହିଥିବା ଉଲ୍ଲେଖ କରାଯାଇଛି । ଏନେଇ ଇଡି ଅଧିକାରୀ ଓ ପୋଲିସ ଉପସ୍ଥିତିରେ ସିଲ୍ ସମୟରେ ଅର୍ଚ୍ଚନାଙ୍କ ବାପା ଓ ଭଉଣୀ ବିରୋଧ କରିଥିଲେ । କିନ୍ତୁ ନିର୍ଦ୍ଦେଶ କପି ଆଧାରରେ ଘରକୁ ସିଲ୍ କରିଥିଲେ ଇଡି ଅଧିକାରୀ । ସେପଟେ ଇଡି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନଥିବା ବେଳେ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି," ଦିଦି ଘରେ ନଥିବା ସମୟରେ ଏଭଳି ଘରକୁ ସିଲ୍ କରାଯାଉଛି । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନାହିଁ ।"
ସୂଚନା ପ୍ରକାରେ,ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଏକ ବ୍ଲାକମେଲିଂ ଘଟଣାରେ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଓ ମିଡିଲମ୍ୟାନ ଖଗେଶ୍ବର ଗିରଫ ହୋଇଥିଲେ । ବେଆଇନା ଭାବରେ ଅର୍ଥ ରୋଜଗାର କରିବା ଓ ସେହି ଟଙ୍କାରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ନେଇ ପ୍ରିଭେସନ ଅଫ ମନି ଲଣ୍ଡରି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ଋଜୁ କରି ତାନାଘନା କରିଥିଲା । ତେବେ ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ ଗାଡ଼ି ଜବତ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ସିଲ କରିଛି ଇଡି ।
Shree Jagannath
ଦ କୁଇଭର ବ୍ୟୁରୋ :- ଆସୁଛି କାର୍ତ୍ତିକ l ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ l ଧର୍ମର ମାସ ମହା କାର୍ତିକରେ ମାସ ସାରା ହବିଶିଆଳିଙ୍କ ପୂଜା ଭଜନ ଜଣାଣ ଜପ ତପ ବିଭିନ୍ନ ଜାଗାରେ ଦେଖିବାକୁ ମିଳିବ l ପୂର୍ବରୁ ଅନେକ ହବିଶିଆଳି ମା ମାନେ ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପାଖରେ ହବିଷ କରୁଥିଲେ କିନ୍ତୁ ଗତ କିଛି ବର୍ଷ ଧରି ଏହି ବ୍ୟବସ୍ଥାକୁ ପ୍ରଶାସନ ନିଜ ହାତକୁ ନେଇଛି l ତେଣୁ ବଡ଼ ଜୋର ସୋର ରେ ଚଳିତ ବର୍ଷ ମଧ୍ୟ ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଥର ୨୫ ଶହ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ୪ଟି ସ୍ଥାନରେ ହେବ ହବିଷିଆଳି କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରଥମ କରି ଆବେଦନ କରିଥିବା ମାଆ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯିବ । ହବିଷିଆଳିଙ୍କ ରହଣି, ପ୍ରସାଦ ସେବନ ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ, ଶୁକ୍ରବାର ପୂର୍ବାହ୍ନ ୧୦ ଠାରୁ ହବିଷିଆଳିଙ୍କ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। https://edistrict.odisha.gov.inରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିିତ ମହିଳା ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା'ମାନେ ହିଁ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ । ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।
ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା , ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟ ସ୍ଥଳ ଠାରେ ହବିଷ୍ୟାଳୀ ମା’ ମାନଙ୍କର ରହଣିର ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି ବୋଲି ସୂଚନା ଦେଇଛନ୍ତି l
Crime,State
ମାଲକାନଗିରି,(ଦ କୁଇଭର୍):-ସୀମାନ୍ତ ଛତିଶଗଡ଼ ତେଲାଙ୍ଗାନା ଦଶନ୍ଧି ,ଦଶନ୍ଧି ଧରି ବସ୍ତରର ରକ୍ତାକ୍ତ କାହାଣୀର ମାଷ୍ଟରମାଇଣ୍ଡ ଏବଂ ଦକ୍ଷିଣ ଉପ ଜୋନାଲ ବ୍ୟୁରୋର ଇନଚାର୍ଜ, ମହିଳା ନକ୍ସଲ ସୁଜାତା ଶେଷରେ ତାଙ୍କ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ଫେରିଛନ୍ତି। ୧ କୋଟି ପୁରସ୍କାର ପାଇଥିବା ସୁଜାତାର ଆତ୍ମସମର୍ପଣକୁ ନକ୍ସଲ ସଂଗଠନ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।
ଜାଣନ୍ତୁ ସୁଜାତାଙ୍କ ସମ୍ପର୍କରେ ସୁଜାତା - ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ସୁଜାତା ଅନେକ ବଡ଼ ହିଂସାକାଣ୍ଡ ପାଇ ଆକ୍ରମଣ ର ଷଡ଼ଯନ୍ତ୍ର କରିଥିଲେ। ଦୀର୍ଘ ସମୟ ଧରି ବସ୍ତରର ଜଙ୍ଗଲରୁ ରକ୍ତାକ୍ତ ଖେଳ ଖେଳିଥିବା ସୁଜାତା ଏବେ ଆତ୍ମସମର୍ପଣ କରିଛନ୍ତି।ସୁଜାତା ନିମ୍ନୋକ୍ତ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ୨୦୦୭, ଏରାବୋର (ସୁକମା): CRPF ଏବଂ ଜିଲ୍ଲା ପୋଲିସ ଉପରେ ଆକ୍ରମଣ, ୨୩ ଯବାନ ସହିଦ୍ ।
୨୦୧୦, ତାଡମେଟଲା (ଦାନ୍ତେୱାଡା): ବିସ୍ଫୋରଣ, ୭୬ ଯବାନ ସହିଦ।୨୦୧୦, ଗାଦିରାସ: ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ, ୩୬ ଯବାନ ସହିଦ।୨୦୧୩, ଝିରମ ଉପତ୍ୟକା: କଂଗ୍ରେସ ନେତାଙ୍କ ସମେତ ୩୨ ଯବାନ ସହିଦ।୨୦୧୭, ଚିନ୍ତାଗୁଫା: ଆମ୍ବୁସ୍, ୨୫ ଯବାନ ସହିଦ।୨୦୨୦, କୋରଜାଗୁଡା (ସୁକମା): ଏନକାଉଣ୍ଟର, ୧୭ ଯବାନ ସହିଦ।
୨୦୨୧, ଟେକୁଲଗୁଡେମ (ବିଜାପୁର): ୨୧ ଯବାନ ସହିଦ। ମାଓ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆତ୍ମସମର୍ପଣ ବୋଲି କୁହାଯାଉଛି।ଏପଟେ ମାର୍ଚ୍ଚ ୨୦୨୬ ରେ ସରକାରଙ୍କ ଦ୍ୱାରା ନକ୍ସଲବାଦର ଅନ୍ତ ଘୋଷଣା ପରେ, ସୁରକ୍ଷା ବାହିନୀର ବର୍ଦ୍ଧିତ ଚାପ ଯୋଗୁଁ ଅନେକ ବଡ଼ ନକ୍ସଲ ନେତା ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ଏପରି ପରିସ୍ଥିତିରେ, ନକ୍ସଲ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ନକ୍ସଲ ନେତା ସୁଜାତାଙ୍କ ଆତ୍ମସମର୍ପଣ ନକ୍ସଲ ମୋର୍ଚ୍ଚାରେ ସୁରକ୍ଷା ବାହିନୀର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ବୋଲି ମଧ୍ୟ କୁହାଯାଉଛି।
District,National
ବ୍ରହ୍ମପୁର( ଦ କୁଇଭର ):- ଆସନ୍ତା ୨୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସୁଛନ୍ତି । ୧୭ ତାରିଖରେ ମୋଦୀଙ୍କ ଜନ୍ମଦିନ ଠାରୁ ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଗଞ୍ଜାମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପ୍ରଧାନମନ୍ତ୍ରୀ ୨୭ ତାରିଖ ଦିନ ଆସିବା ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ କେଉଁଠାରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେ ନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଅନେକ ସ୍ଥାନକୁ ବୁଲି ଦେଖିବା ସହ ସେଠାରେ କିଭଳି ରହିଛି ସ୍ଥିତି ସେ ନେଇ ପରଖାଯାଉଛି । ଯେହେତୁ ବର୍ଷା ଦିନ ରହୁଛି ତେଣୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବା ଦ୍ବାରା ସଫଳ ହୋଇପାରିବ ତାହାକୁ ଗୁରୁତ୍ବ ଦିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ରହିଛି । ୩ଲକ୍ଷ ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହେବାର ସୁବିଧା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦେଇ ସ୍ଥାନ ଚିହ୍ନଟ ଚାଲୁ ରହିଛି । ଦୁଇ ଦିନ ମଧ୍ୟରେ ସ୍ଥାନ ଚିହ୍ନଟ ଶେଷ ହେବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।
ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବ । ଏହି ସେବା ପକ୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଗଞ୍ଜାମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସେବା ପକ୍ଷ ପାଳନ ଅବସରରେ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମନ୍ତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ସାରା ରାଜ୍ୟର ସମସ୍ତ ବିଜେପି କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିପଡ଼ିଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
Crime,State
ମାଲକାନଗିରି,(ଦ କୁଇଭର)- ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାର ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ଆଜି ସକାଳରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନ ଗୁଳିରେ ୧୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ, ବାଲକୃଷ୍ଣ ଓରଫ ଭାସ୍କର ଏବଂ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଯେହେତୁ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇନାହିଁ। ସୂତ୍ର ଅନୁସାରେ, ମାଓବାଦୀ ମାନେ ଏବେ ବି ଜଙ୍ଗଲ ଭିତରେ ଉପସ୍ଥିତ ଅଛନ୍ତି ଉଭୟଙ୍କ ମଧ୍ୟ ରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୂଚନା ମିଳିବା ମାତ୍ରେ ଗାରିଆବନ୍ଦରୁ ଇ-30, ଏସଟିଏଫ ଏବଂ କୋବ୍ରାର ମିଳିତ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ରାଜ୍ୟରେ ନକ୍ସଲ ନିପାତ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଏନକାଉଣ୍ଟରକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ରାୟପୁର ଆଇଜି ଅମରେଶ ମିଶ୍ର କହିଛନ୍ତି ଯେ ଜଙ୍ଗଲରେ ଅନେକ ନକ୍ସଲଙ୍କ ମୃତଦେହ ପଡ଼ିଛି। ଅନେକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି, ସର୍ଚ୍ଚିଙ୍ଗ ଅପରେସନ ରାତି ସମୟରେ କଷ୍ଟକର ରହିଛି। ଯେହେତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ଅଗ୍ରିମ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି। ଆଇଇଡି ଯୋଗୁଁ ରାତିରେ ସର୍ଚ୍ଚ ଅପରେସନ୍ କରାଯାଇପାରିବ ନାହିଁ, କିନ୍ତୁ ଏବେ ମଧ୍ୟ ଅପରେସନ ଜାରି ରହିଥିବା କହିଛନ୍ତି।