ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?
ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।
ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?