ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ବୁଧବାର ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ସାରା ରାଜ୍ୟରେ ଆଇନଜୀବୀ ମାନେ ଗୋଟିଏ ଦିନ କଲମ ଛାଡ ଆନ୍ଦୋଳନ କରିଥିବା ବେଳେ ବ୍ରହ୍ମପୁରରେ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଏନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ ସହିତ ସନ୍ଧ୍ୟା ସମୟରେ ସହରର ଗାନ୍ଧିନଗର ଛକରେ କ୍ୟାଣ୍ଡେଲ ଜାଳି ନୀରବ ପ୍ରତିବାଦ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଏହାସହିତ ମୃତକ ପୀତବାସ ପଣ୍ଡାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀଙ୍କୁ ଯଥାଶୀଘ୍ର ଧରିବାକୁ ମଧ୍ୟ ଦାବି କରାଯାଇଥିଲା । ସେପଟେ ଘଟଣାରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ନେଇ ଆଇନଜୀବୀଙ୍କୁ ଆଲୋଚନା ସମୟରେ କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।
ବ୍ରହ୍ମପୁର ସହରରେ ଯେଉଁପରି ଭାବରେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଅତି ନିକଟରୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କଲେ ସେହି ଘଟଣାରେ ସଂପୃକ୍ତ ରହିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବୁଧବାର ସାରା ରାଜ୍ୟରେ ଗୋଟିଏ ଦିନ କଲମ ଛାଡ ଆନ୍ଦୋଳନକୁ ଓଲ୍ଲାଇଥିଲେ ଆଇନଜୀବୀମାନେ । ଏଭଳି ସମୟରେ ବ୍ରହ୍ମପୁର ସହରରେ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରି ଏକ ଶୋକସଭା କରାଯିବା ପରେ ସମସ୍ତ ଆଇନଜୀବୀ ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଇଜି ନିତି ଶେଖରଙ୍କୁ ସାକ୍ଷାତ କରିବା ସହିତ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଅନ୍ୟପଟେ ବୁଧବାର ସନ୍ଧ୍ୟାରେ ଆଇନଜୀବୀମାନେ ସହରର ଗାନ୍ଧୀନଗର ଛକ ଠାରେ ସ୍ୱର୍ଗତ ବରିଷ୍ଠ ଆଇନଜୀବୀଙ୍କ ବିୟୋଗର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଆତ୍ମର ସଦଗତି ପାଇଁ କାମନା କରିବା ସହିତ ଏହି ଘଟଣାରେ ଦୋଷୀଙ୍କୁ ଗିରଫ କରି ଦଣ୍ଡିତ କରିବା ସହିତ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କରିଥିଲେ । ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଥିଲା ।