ଦ କୁଇଭର ବ୍ୟୁରୋ :-: ନୂଆପଡ଼ା ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା l କିଏ ମାରିବ ବାଜି । ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡିଛି l ନିୟମ ଅନୁସାରେ 6 ମାସ ମଧ୍ୟରେ ଉପନିର୍ବାଚନ ହେବ l ଏଥିପାଇଁ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସମନ୍ଥନ l ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ତିନି ଦଳ । ବିଜେପି ଏବଂ କଂଗ୍ରେସ ଏଠାରେ ରାଜନୈତିକ ଗୋଟି ଚାଳନା ଆରମ୍ଭ କରି ଦେଇଥିବାବେଳେ ବିଜେଡିର ରଣନୀତି ସ୍ପଷ୍ଟ ହୋଇନାହିଁ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଆଜିଠୁ ୪ ଦିନିଆ ନୂଆପଡା ଗସ୍ତରେ ଯାଉଛନ୍ତି । ଏହି ଉପନିର୍ବାଚନ ସରକାରରେ ଥିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଅନ୍ୟପକ୍ଷେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପାଇଁ ବି ଏହା ସମ୍ମାନର ପ୍ରଶ୍ନ ହେବ l କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରଖିଥିଲା l ଏବେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି l ସେହିପରି ବିଜେପି 2024 ନିର୍ବାଚନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅକୁ ପ୍ରାର୍ଥୀ କରିଥିଲା l ହେଲେ ସେ ହାରି ଯାଇଥିଲେ l ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ l କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ନିର୍ବାଚନ ମାହୋଲକୁ ସରଗରମ କରିଛି ।
ଉପ ନିର୍ବାଚନରେ ଏହି ଆସନ ହାତେଇବାକୁ ଅଣ୍ଟା ଭିଡିଛି କଂଗ୍ରେସ । କାରଣ ପୂର୍ବରୁ ନୂଆପଡ଼ା କଂଗ୍ରେସ ହାତରେ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ବିଜେପି, ବିଜେଡି ହାତକୁ ଏହା ଚାଲି ଯାଇଥିଲା । ତେଣୁ ପୁଣି ଏହି ଆସନକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ୨୪ ନିର୍ବାଚନ ପରେ କଂଗ୍ରେସ ସମୀକରଣ ମଧ୍ୟ ବଦଳିଛି। ଶରତ ପଟ୍ଟନାୟକଙ୍କ ସ୍ଥାନରେ ଏବେ ଭକ୍ତ ଦାସ ରାଜ୍ୟ କଂଗ୍ରେସ ସଭାପତି। ଗତ ନିର୍ବାଚନରେ ଶରତ ପଟ୍ଟନାୟକ ନିଜେ ପ୍ରାର୍ଥୀ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ରହିଥିଲେ l ହେଲେ ଘାସିରାମ ମାଝି ଟିକେଟ ନ ପାଇ ଏହି ଆସନରୁ ସ୍ୱାଧୀନ ଭାବେ ଲଢି 50 ହଜାରରୁ ଅଧିକ ଭୋଟ ପାଇ ଦ୍ୱୀତିୟ ସ୍ଥାନରେ ରହିଥିଲେ l ତେଣୁ ଦଳ ଏବେ ଘାସିରାମଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବା ଲକ୍ଷ୍ୟ ରଖିଛି ।
ସେପଟେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଟେ ପଟେ ମନମୋହନ ସାମଲ ଦିଲ୍ଲୀରେ ନୂଆପଡ଼ା ଉପନିର୍ବାଚନ ନେଇ ଅଙ୍କ କଷୁଥିବା ବେଳେ ମୋହନଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନୂଆପଡ଼ା ଉପନିର୍ବାଚନ ରାଜନୀତିକୁ ସରଗରମ କରିଛି।ଏନେଇ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ,ବିଜେପି ତାର ସାଙ୍ଗଠନିକ କାର୍ଯ୍ୟକଳାପ ୩୬୫ ଦିନ ଜାରି ରଖିଥାଏ। ଉପ ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ । ତେବେ ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ହେଲେ ରାଜ୍ୟର ନିର୍ବାଚନ କମିଟି ବସିବ। ରାଜ୍ୟର ନିର୍ବାଚନ କମିଟି କେନ୍ଦ୍ରୀୟ ନିର୍ବାଚନ କମିଟିକୁ ତାର ରେକମେଣ୍ଡେସନ ଦେବ। କେନ୍ଦ୍ରୀୟ ପାର୍ଲିଆମେଣ୍ଟ ବୋର୍ଡର ଯେତେବେଳେ ମୋହର ବାଜିବ ସେତେବେଳେ କିଏ ପ୍ରାର୍ଥୀ ହେବ ସ୍ପଷ୍ଟ ହେବ। ଉପ ନିର୍ବାଚନ ଯେବେ ବି ହେଉ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ନେଇ ବିଜେପି ବାଜି ମାରିବ ବୋଲି କହିଛନ୍ତି ବିରଞ୍ଚି ନାରାୟଣ ତ୍ରିପାଠୀ ।