ବ୍ରହ୍ମପୁର( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଲବ । ଆଜି କ୍ଲବ ପକ୍ଷରୁ ସମସ୍ତ ବ୍ରହ୍ମପୁର ସାମ୍ବାଦିକ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି କରି ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜଣେ ଗଣମାଧ୍ୟମର କାର୍ଯ୍ୟରେ ରୋକ ଲଗାଉଛନ୍ତି ବିଡ଼ିଓ । ବ୍ଲକ କାର୍ଯ୍ୟାଳୟରେ ଲୋକେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହୁଛି ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାମ କରୁଥିବା ବେଳେ ବିଡ଼ିଓ ନିଜର ଦୋଷ ଲୁଚାଇବାକୁ ଏଭଳି ପୋଷ୍ଟର ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନେ । ତୁରନ୍ତ ପୋଷ୍ଟର ହଟାଇବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ପ୍ରେସ କ୍ଲବ।
No comments yet.
International
ଦ କୁଇଭର ବ୍ୟୁରୋ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।
ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ୧୦. ୩୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।
State
ଭୁବନେଶ୍ୱର( ଦ କୁଇଭର ):- ଆସନ୍ତାମାସ ଅର୍ଥାତ ଫେବୃଆରୀ ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ହେବାକୁ ଯାଉଛି । ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଏହି ଅଧିବେଶନ ଶେଷ ହେବ l ୨୦୨୫ର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ ଆହୁତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିବ । ବିଧାନସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବଜେଟ୍ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।
ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହ ସମ୍ମୁଖରେ ଉପସ୍ଥାପିତ କରାଯିବ। ବିରୋଧୀ ଦଳ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଧାନ ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ନବ ଦାସ ହତ୍ୟା ମାମଲା ପ୍ରସଙ୍ଗକୁ ସରକାର ବିରୋଧରେ ମୁଦ୍ଦା କରିପାରନ୍ତି ବିରୋଧୀ । ସେହିପରି ସରକାର ମଧ୍ୟ ବିରୋଧୀଙ୍କୁ ଉତ୍ତର ଦେବାକୁ ରଣନୀତି ପ୍ରସ୍ତୁତ କରିବେ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଆହୁତ କରିବେ । ସମସ୍ତ ଦଳର ସହଯୋଗରେ ଗୃହକାର୍ଯ୍ଯ ଓ ଶୃଙ୍ଖଳିତ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ ।
State,Education
ଦ କୁଇଭର ବ୍ୟୁରୋ :- ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି।
National
ଦ କୁଇଭର ବ୍ୟୁରୋ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ''
ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
International
ଦ କୁଇଭର ବ୍ୟୁରୋ :- ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପଙ୍କ ଦ୍ବାରା ଦସ୍ତଖତ ହୋଇଥିବା ନିର୍ଦ୍ଦେଶରେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର, ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଛାଡ, କ୍ୟାପିଟାଲ୍ ହିଲ୍ ମାମଲାରେ କ୍ଷମା ପ୍ରାର୍ଥନା ଏବଂ ଫେଡେରାଲ୍ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ କାମକୁ ଫେରିବା ଆବଶ୍ୟକତା ଆଦି ରହିଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଟ୍ରମ୍ପ ବହୁ ସଂଖ୍ୟକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି।
ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଆମେରିକା ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ବିଷୟରେ ଆମେରିକା ମିଳିତ ଜାତିସଂଘକୁ ସୂଚନା ଦେଇଛି। ୬ ଜାନୁଆରି ୨୦୨୧ରେ ଆମେରିକାର କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୧୫୦୦ ଲୋକଙ୍କୁ ଡୋନାଲ୍ଡ ଟ୍ରମ୍ପ କ୍ଷମା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ମୁକ୍ତ ବକ୍ତବ୍ୟକୁ ପୁନଃସ୍ଥାପିତ କରିବା' ଏବଂ 'ସରକାରୀ ସେନ୍ସରସିପ୍' ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟିକ୍ଟକ୍କୁ ୯୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାରେ ଟିକ୍ଟକ୍କୁ ଶନିବାର ବନ୍ଦ କରାଯାଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଟ୍ରମ୍ପ ଆମେରିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାର କରିଛନ୍ତି। ଆମେରିକା ଏହାର ଏକ ଅଂଶ ହେବ ନାହିଁ । ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ୭୮ଟି ନିର୍ଦ୍ଦେଶକୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ବାତିଲ କରିଛନ୍ତି। ବାଇଡେନ ୨୦୨୦ରେ ରାଷ୍ଟ୍ରପତି ହୋଇଥିଲେ। ଡୋନାଲ୍ଡ ଟ୍ରମ୍ପ କୌଣସି ନୂତନ ନିୟମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ୟତୀତ ଫେଡେରାଲ୍ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଟ୍ରମ୍ପଙ୍କ ନୂତନ ଆଦେଶରେ ଫେଡେରାଲ କର୍ମଚାରୀମାନେ ଘରୁ କାମ କରିବା ପରିବର୍ତ୍ତେ ଅଫିସକୁ ସମ୍ପୂର୍ଣ୍ଣ ଫେରିବାର ଆବଶ୍ୟକତା ରହିଥିବେ କୁହାଯାଇଛି। ପୂର୍ବ ପ୍ରଶାସନର ରାଜନୈତିକ ବିରୋଧୀଙ୍କ ବିରୋଧରେ ସରକାରଙ୍କୁ ଅସ୍ତ୍ରଶସ୍ତ୍ର ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି।ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ବ୍ୟାଚ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ପ୍ରମୁଖ ନୀତି ଏଜେଣ୍ଡା ସ୍ଥିର କରିବାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। କ୍ୟାବିନେଟର ଅନୁମୋଦନ ବିନା ଆମେରିକାର ରାଷ୍ଟ୍ରପତିଙ୍କ ଦ୍ବାରା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରାଯାଇପାରିବ, ଯଦିଓ ରାଷ୍ଟ୍ରପତି ବିନା ଆଦେଶରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିପାରିବେ ନାହିଁ।
State
ଦ କୁଇଭର ବ୍ୟୁରୋ :- ଆଜିଠୁ ରାତିର ତାପମାତ୍ରା ବୃଦ୍ଧି ପାଇବାକୁ ଥିବାବେଳେ ଏହା ପ୍ରଭାବରେ କମିବ ଶୀତ। କିନ୍ତୁ କଲବଲ କରିବ ଘନ କୁହୁଡ଼ି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ। ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ତେବେ ରାଜ୍ୟରେ ଶୀତ କମିବାକୁ ଥିବାବେଳେ କୁହୁଡି ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସକାଳ ଓ ରାତି ସମୟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଥିପାଇଁ ଗାଡ଼ି ମଟର ଧୀରେ ଚଳାଚଳ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ କାରଯାଇଛି।
State
କୋରାପୁଟ( ଦ କୁଇଭର ):- କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ। ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।
କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ବ୍ରାହ୍ମଣୀସିଲଡ୍ର (ଚକୁଆ) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଥିବା କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂ। କୋରାପୁଟବନାଞ୍ଚଳ ପକ୍ଷୀ ଗଣନାରେ ଏସିଏଫ୍ ନଳିନୀକାନ୍ତ ବେହେରା, ରେଞ୍ଜର ପାହାଡସିଂ, ଫରେଷ୍ଟର ଗୌତମ ବେନିୟା, ଏଫଇଏସ୍ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପକ୍ଷୀ ଗଣନାରେ ଭାଗ ନେଇଥିଲେ।
Shree Jagannath
ପୁରୀ( ଦ କୁଇଭର ):- ଗତକାଲି ମାଳତୀପାଟପୁର ମେରାଇନ ଡ୍ରାଇଭ ରାସ୍ତାରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । କାରଣ ସେହି ରାସ୍ତା ଦେଇ ଆସୁଥୁଲେ VIP । ପ୍ରାୟ ସେହି ରାସ୍ତାରେ ୧୦ ହଜାରରୁ ଉର୍ଦ୍ଧ ଜନତା ୧ ଘଣ୍ଟା ଧରି ଖରାରେ ସିଝୁଥୁଲେ । ସେମାନଙ୍କ କଷ୍ଟ କେଉଁ ନେତା ମନ୍ତ୍ରୀଙ୍କୁ ଦେଖାଯାଉନି । ସେମାନେତ ଖାଲି ନିଜ ସୁବିଧାରେ ରହିଲେ । କ୍ଷମତାକୁ ଆସିବା ପରେ ସତେ ଯେମିତି ଲଗାମ ଛଡ଼ା ହୋଇଯାଇଛନ୍ତି ନେତା ଓ ମନ୍ତ୍ରୀ ।
ଦିନକୁ ପ୍ରାୟ ୧୦ ରୁ ୧୫ ନେତା ଓ ମନ୍ତ୍ରୀ ଜଗା ଦର୍ଶନ ପାଇଁ ଆସୁଛନ୍ତି । ଆଉ ସବୁବେଳେ ଜନତା ଏମିତି ଖରାରେ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଜନତାଙ୍କ କଥା କିଏ ଶୁଣୁଛି । ସେମାନେ ମଲେ କେତେ ଗଲେ କେତେ । ନେତାମନ୍ତ୍ରୀ ମନ୍ଦିର ଆସିଲେ ଗଲା । ଠାକୁର ଦର୍ଶନ କରି ଫେରିଲେ ଗଲା । ଶ୍ରୀମନ୍ଦିରର ଅନେକ ପ୍ରସଙ୍ଗକୁ ଭୁଲିଯାଇ ଏବେ ନେତା ମାନେ ଲାଗି ପଡିଛନ୍ତି ନିଜ ପରିବାର ବର୍ଗଙ୍କୁ ଆଣି ଦର୍ଶନ କରାଇବାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କଣ ସରକାରୀ କଳ କେବଳ ନିଜ ପ୍ରିୟଜନଙ୍କୁ ଭିଆଇପି ସୁରକ୍ଷା ବଳୟରେ ଆଣି ଜନତାଙ୍କୁ ହଇରାଣ କରିବା । ଦେଖାଯାଉ ସରକାର ସାଧାରଣ ଜନତାଙ୍କ ଉପରେ ଦୃଷ୍ଟି ପକାଉଛନ୍ତି ନା ଏହି ଭଳି ହିନସ୍ଥା ଅବସ୍ଥାରେ ଛାଡିଦେଉଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି l ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଉରେସିଆନ କୁଟ ବା ଜୁଇ କଇମ,ରେଡ କ୍ରିଏଷ୍ଟାଡ ପୋଚାର୍ଡ ବା ରଙ୍ଗା ଗେଣ୍ଡି,ଗଡ଼ ୱାଲ ବା ମାଟିଆ ଗେଣ୍ଡି ଥିବା ଚିହ୍ନଟ ହୋଇଛି l ସାଇବେରିଆ ବିଦେଶାଗତ ପକ୍ଷୀ ମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଜଳ ଭଣ୍ଡାରରେ ବୁଲୁଛନ୍ତି l
ପୂର୍ବରୁ ଦକ୍ଷିଣପୁର ଜଳ ଭଣ୍ଡାରରେ ବ୍ରହ୍ମପୁରକୁ ଜଳ ଯୋଗାଣ ନିମନ୍ତେ ବର୍ଷ ସାରା ଜଳ ପରିପୂର୍ଣ୍ଣ ରହୁଥିଲା କିନ୍ତୁ କିଛି ବର୍ଷ ହେବ ଯାନିବିଲରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବାରୁ ଅପେକ୍ଷାକୃତ ଜଳ ସ୍ତର କମ ରହୁଛି ତେଣୁ ଶୈବାଳ ଓ ଜଳଜ କୀଟ ବୃଦ୍ଧିରେ ସହାୟକ ହେଉଛି ଯାହାକି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ବୋଲି ପରିବେଶପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି l
ପୂର୍ବରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗ୍ଲୋସି ଆଇବିଶ ଓ ବ୍ଲାକ ହେଡେଡ ଆଇବିଶ ଦେଖିବାକୁ ମଧ୍ୟ ମିଳିଛି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର l ତେବେ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନତା କଲେ ଆସନ୍ତା ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ନଳିନୀ କାନ୍ତ ପରିଡା କହିଛନ୍ତି l
State
ଦ କୁଇଭର ବ୍ୟୁରୋ :- ସୁଭଦ୍ରାକୁ ନେଇ ଆସିଲା ବଡ଼ଅପଡେଟ l ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା l ବେଳେବେଳେ ପୁଅ ନାମ ଓ ଝିଅଙ୍କ ନାମ ଏକା ଭଳି ଥାଏ । ସେମାନେ ଭୁଲବଶତଃ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି l
State
ମୟୁରଭଞ୍ଜ( ଦ କୁଇଭର ):- ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ନିଜ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ଗଙ୍ଗା ରେ ଅସ୍ତି ବିସର୍ଜନ କରୁଥିବା ବେଳେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ର ଲୋକମାନେ ଓଡିଶାର ଗଙ୍ଗା କୁହା ଯାଉଥିବା ବୈତରଣୀ ନଦୀରେ ହଜାର ହଜାର ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ନିଜ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ଅସ୍ତି ବିସର୍ଜନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡର ସ୍ୱାତି ଘାଟରେ ,ତେବେ ଏଥିରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ରାଜ୍ଯ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଯାଇଛି। ପରିବାରର କେହି ମୃତ୍ୟୁ ହେଲେ ତାଙ୍କ ଅସ୍ଥି ଗଙ୍ଗା ରେ ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୁଏ। ତେବେ ସମସ୍ତଙ୍କ କ୍ଷେତ୍ରରେ ତାହା ସମ୍ଭବ ନୁହେଁ। କାରଣ ଗଙ୍ଗା ଯିବା ଏବଂ ଅସ୍ଥି ବିସର୍ଜନ କରିବା ବ୍ୟୟ ବହୁଳ ସେଥିପାଇଁ ଗୋଟିଏ ଗରିବ ସମ୍ଭବପର ହୋଇନ ଥାଏ। ଏଣୁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ଲୋକେ ପ୍ରତେକ ବର୍ଷ ପୁଣ୍ୟ ତୟା ବୈତରଣୀ ନଦୀ ର ସ୍ଵାତୀ ଘାଟରେ ରାଜ୍ଯ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରି ମୋକ୍ଷ ପ୍ରାପ୍ତି ପାଇଁ ପୂଜା ଅର୍ଚ୍ଚନା କରି ତିଳ ତର୍ପଣ ଅର୍ପଣ ମାରାଙ୍ଗ ବୁରୁ ମନ୍ଦିର ଦର୍ଶନ କରି ପରିବାରର ମଙ୍ଗଳ ମନାସି ଥାନ୍ତି। ତେବେ ଚଳିତ ବର୍ଷ ସ୍ବାତୀଘାଟରେ ୧୭୩୨ ରୁ ଉର୍ଦ୍ଧ୍ବ ଅସ୍ଥି ବିସର୍ଜନ ହୋଇଥିବା ନେଇ ଦାମୋଦର ମେଳା ଆୟୋଜକ ମାରାଂ ବୁରୁ କମିଟି ପକ୍ଷରୁ ଜଣାପଡ଼ିଥିବା ବେଳେ ମେଳା କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ , ଠାକୁରମୁଣ୍ଡା ଓ ଆଇ ସି ସାବିତ୍ରୀ ଦଳେଇ ଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇଥିଲା ଏବଂ ଅଗ୍ନିଶମ ବିଭାଗ ଓ ପ୍ରଶାସନ ପକ୍ଷରୁ ମଧ୍ଯ ବ୍ୟାପକ ବନ୍ଦୋବସ୍ତ କରାଯାଇ ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଥିଲା ।
Sports
ଦ କୁଇଭର ବ୍ୟୁରୋ :- ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା ।ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ମଧ୍ୟ ଖୋ ଖୋ ଫାଇନାଲ ମ୍ୟାଚରେ ନେପାଳକୁ ହରାଇ ବିଶ୍ୱ ବିଜେତା ଟାଇଟଲ ହାସଲ କରିଛନ୍ତି । ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଛି ଭାରତୀୟ ପୁରୁଷ ଟିମ୍ । ପ୍ରତୀକ ଓ୍ବାଇକରଙ୍କ ଉଚ୍ଚକୋଟୀର କ୍ୟାପଟେନ୍ସି ଓ ରାମଜୀ କଶ୍ୟପଙ୍କ ଦକ୍ଷତାପୂର୍ଣ୍ଣ ଖେଳ, ଟିମକୁ ବିଜୟର ବାଟ ଦେଖାଇଥିଲା । ପୁରୁଷ ଓ ମହିଳା ଖୋ ଖୋ ଟିମର ଏହି ସ୍ୱର୍ଣ୍ଣିମ ସଫଳତାରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
Education
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ପିଲାଙ୍କୁ ଅତିକମରେ ୬ ବର୍ଷ ହେବା ଜରୁରୀ । ଚଳିତ ଶିକ୍ଷାବର୍ଷ (୨୦୨୪-୨୫) ଠାରୁ ଏହି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ଏନେଇ ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ବୟସ ସୀମା । ୬ ବର୍ଷରୁ ଅଧିକ ନ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ନାହିଁ । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁହେବ । ସେହି ଶିକ୍ଷା ବର୍ଷର ସେପ୍ଟେମ୍ବର ୧ରେ ଯେଉଁ ପିଲାଙ୍କର ବୟସ ୬ ବର୍ଷରୁ ଉର୍ଦ୍ଧ ହୋଇଥିବ ସେହି ମାନେ ହିଁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ଏଭିଳି ନିଷ୍ପତି ଜାତୀୟ ଶିକ୍ଷା ପଲିସୀକୁ ନଜରରେ ରଖି ସରକାର କରିଛନ୍ତି ।
କେବଳ ସେତିକି ନୁହେଁ ପ୍ରତେକ ପ୍ରାଥମିକ ବିଦ୍ୟାଳୟରେ ସରକାର ପ୍ରି ସ୍କୁଲ ଖୋଲିବେ, ଯାହାର ନାମ ହେବ ଶିଶୁ ବାଟିକା । ଏଠାରେ ୫ରୁ ୬ ବର୍ଷର ପିଲାମାନଙ୍କ ନାମ ଲେଖା ହେବ ଏବଂ ସେମାନେ ସେହିଠାରେ ହିଁ ପାଠ ପଢ଼ିବେ । ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ବିଜ୍ଞପ୍ତି ଅନୁଯାଇ ଏବେ ପ୍ରଥମ ଶ୍ରେଣୀ ପିଲାମାନଙ୍କ ନାମ ଲେଖା ବୟସ ୬ ବର୍ଷରୁ ଅଧିକ ରହିବ ।
State
ବ୍ରହ୍ମପୁର( ଦ କୁଇଭର ):- ରବିବାର ଅପରାହ୍ନ ଚାରିଟା ବେଳେ 'ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ 'ଉତ୍କଳ ଆଶ୍ରମ' ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି, ଗାଳ୍ପିକ, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଇଂ. ଆଶୁତୋଷ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରକୁ ସଂସଦର ସାଧାରଣ ସଂପାଦକ ଆଡଭୋକେଟ (ଇଂ) ବିଜୟ ଚନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲେ। ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୩୦ ଜଣ କବି ଓ ଗାଳ୍ପିକ ଏହି ସାହିତ୍ଯ ଆସରରେ ସ୍ୱରଚିତ ମନଛୁଁଆ ସାହିତ୍ୟ କୃତି ପଠନ କରିଥିଲେ । ସଭାପତି ଇଂ. ଆଶୁତୋଷ ପାତ୍ର ଓ ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ନିଜର ନିଜର ମୂଲ୍ୟବାନ ବକ୍ତବ୍ଯ ରଖିଥିଲେ । ବରିଷ୍ଠ କବି, ଗାଳ୍ପିକା ତଥା ପ୍ରାବନ୍ଧିକା ଶ୍ରୀମତୀ ଅମିତା ମିଶ୍ର( ଦାଶ) ଓ ନବାଗତା ଯୁବା କବୟତ୍ରୀ ସୁଶ୍ରୀ ନନ୍ଦିନୀ ମହାରଣା ଅତି ସୁନ୍ଦର ଭାବେ କବିତା ସଂଯୋଜନା କରିଥିଲେ । ଏହି ଆସରରେ ବରିଷ୍ଠ କବି ଶ୍ରୀଯୁକ୍ତ ବି. ସତ୍ୟମ୍ ଆଚାରୀ ନିଜର ସୁଲଳିତ ପ୍ରାରମ୍ଭିକ ଭଜନ ପରିବେଷଣ କରି ସମସ୍ତଙ୍କୁ ଆହ୍ଲାଦିତ କରିଥିଲେ। ବରିଷ୍ଠ କବୟତ୍ରୀ ଶ୍ରୀମତୀ ରଞ୍ଜିତା ରାଣୀ ଦାଶ, ଭଞ୍ଜ ସଂଗୀତ, ଶ୍ରୀମତୀ ଲକ୍ଷ୍ମୀଆମ୍ମା ନନ୍ଦଡା, ବଳରାମ ଦାଶଙ୍କ ଭଜନ ଏବଂ ଶ୍ରୀମତୀ ଅମିତ ମିଶ୍ର ଅତି ମଧୁର ଓ ସୁଲଳିତ ସଂଗୀତ ପରିବେଷଣ କରି ଏହି ଆସରକୁ ସଙ୍ଗୀତମୁଖର ଓ ଉଲ୍ଲାସମୟ କରିଥିଲେ ।
Health & lifestyle,State
ଗଜପତି( ଦ କୁଇଭର ):- ପୁଣି ଜନନୀ ଯନ୍ତ୍ରଣା,ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ,ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିଲୋମିଟର ଷ୍ଟ୍ରେଚର ରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ପଦେର୍ମା ଗାଁରେ l ଗାଁର ଲକ୍ଷ୍ମୀ ମଲିକ ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ପରିବାର ଲୋକେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ତେବେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୨ କିଲୋମିଟର ପୂର୍ବରୁ ରହିଯାଇଥିଲା l ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ କର୍ମଚାରୀ ଷ୍ଟ୍ରେଚର ଧରି ଚାଲି ଚାଲି ଗାଁ ରେ ପହଞ୍ଚିଥିଲେ l ପରିବାର ଲୋକଙ୍କ ସହାୟତା ରେ ଗର୍ଭବତୀ ମହିଳା ଲକ୍ଷ୍ମୀ ଙ୍କୁ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ l ସେଠାରୁ ଆଣି ଅଡବା ମେଡିକାଲ ରେ ଭର୍ତ୍ତି କରିଥିଲେ l କିଛି ସମୟ ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ ଲକ୍ଷ୍ମୀ l ବର୍ତମାନ ଉଭୟ ମା ଓ ନବଜାତ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି l
Politics
ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ଲୁଚିଛି ଅନେକ ଗୁମର । ସେଥିରୁ ବହୁ ସମ୍ବେଦନଶୀଳ ତଥ୍ୟକୁ କ୍ରାଇମବ୍ରାଞ୍ଚ ଗିଳି ଦେଇଛି । କିଛି ତଥ୍ୟକୁ ଲୁଚାଇଛି ତ ଆଉ କିଛିକୁ ନଷ୍ଟ କରିଥିବା କୁହାଯାଉଛି । ଯଦି ଏସବୁ ସତ୍ୟ, ତେବେ ଏତେ ଜଘନ୍ୟ କାରନାମା କ୍ରାଇମବ୍ରାଞ୍ଚ କାହା ନିଦେ୍ର୍ଦଶରେ କରିଛି? କାହାକୁ ସୁରକ୍ଷା ଦେବାକୁ ଏସବୁ କରାଯାଇଛି । କାହିଁକି ନବଦାସ ହତ୍ୟା କାଣ୍ଡ ତଦନ୍ତରେ ଏତେ ବଡ଼ ବଡ଼ ପ୍ରଶ୍ନ ଛାଡ଼ି ଯାଇଛି କ୍ରାଇମବ୍ରାଞ୍ଚର ପୂର୍ବତନ ନିଦେ୍ର୍ଦଶକ ଅରୁଣ ବୋଥ୍ରା? ଗୋଟିଏ ଗୋଟିଏ ତଥ୍ୟରୁ ପରଦା ହଟିବା ବେଳକୁ ଏହା ପଛରେ ନବୀନ ସରକାରର କାରସାଦି ଥିବା ଅଭିଯୋଗ ବଢ଼ୁଛି । ଏବେ ସେହି ସବୁ ଗୁମର ପଦାକୁ ଆସୁଥିବାରୁ ବିଜେଡି ଛନ୍ଦି ହୋଇ ପଡ଼ିବ ବୋଲି କୁହାଯାଉଛି ।
ନବଙ୍କ ହତ୍ୟାକାଣ୍ଡ ତଦନ୍ତ ପୋଲିସ କରୁଥିଲା । ହଠାତ ନବୀନ ସରକାର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦେଲେ । ବୋଥ୍ରା ପାତାଳରୁ ପ୍ରମାଣ ଖୋଳିବା ଭଳି ପାଇଖାନା ଟାଙ୍କି ଭିତରୁ ଅଭିଯୁକ୍ତ ଗୋପାଳଙ୍କ ଲେଖା ଧରି ଆଣିଲେ । କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ନବ ଦାସ ବୋଲି ଲେଖିଥିଲେ । ଏହାବ୍ୟତୀତ ନବଙ୍କ ଗୁଳିବିଧ ସାର୍ଟ ମିଳୁନାହିଁ । ତାଙ୍କ ଟାୱେଲକୁ କାଳେ ତଦନ୍ତକାରୀ ବାବୁମାନେ ନଷ୍ଟ କରିଛନ୍ତି । ନବଙ୍କ ଦେହରେ ବାଜିଥିବା ଗୁଳିର ପତ୍ତା ନାହିଁ । ଏବେ କଥା ଆସିଲାଣି ନବଙ୍କ ଗାଡ଼ି ପଛରେ ଥିବା ଗାଡ଼ିକୁ ୫ ରାଉଣ୍ଡ ଗୁଳି ବାଜିଛି ।
ଥରେ ଏସବୁକୁ ସମୀକ୍ଷା କଲେ କାର୍ପଟଦାର ବା ପୁରୁଖା ଆଇପିଏସ ଅରୁଣ ବୋଥ୍ରାଙ୍କ ତଦନ୍ତରେ ଗୋପାଳ ଦାସ ନିଦେ୍ର୍ଦାଷରେ ଖଲାସ ହେବା ନିଶ୍ଚିତ । କେବଳ ସେତିକି ନୁହେଁ, ବୋଥ୍ରା କିପରି ଜାଣି ପାରିଲେ ନାହିଁ ନବ ଦାସଙ୍କୁ ପ୍ରଥମ ସାକ୍ଷୀ କରାଯାଇଛି । ମୃତ ବ୍ୟକ୍ତି କେବେ ସାକ୍ଷୀ ହୁଅନ୍ତି କି? ପୋଲିସ ମାମଲା କରିବା ବେଳକୁ ନବଙ୍କର ଦେହାନ୍ତ ହୋଇ ସାରିଥିଲା । ତଥାପୀ ଏତେବଡ଼ ଭୁଲ କିପରି କଲେ । ସେତିକି ନୁହେଁ, ଏହି ଘଟଣାରେ ଗୋପାଳଙ୍କୁ ଗିରଫ କରି ରହିଗଲା କ୍ରାଇମବ୍ରାଞ୍ଚ । ଏବେ ୫ ଗୁଳି ମାଡ଼ ହୋଇଥିବା ଖବର ଆସିଲାଣି । ଯଦି ଏହା ସତ । ତେବେ ସେତେବେଳେ ସରକାରୀ ଗାଡ଼ିର ଚାଳକ ବା ସେଥିରେ ବସିଥିବା ପିଏସଓମାନେ କାହିଁକି ଏତଲା ଦେଲେ ନାହିଁ?
ଏତିକିରେ ସରୁନାହିଁ । ଗୋପାଳଙ୍କ ପିସ୍ତଲରେ ୬ରାଉଣ୍ଡ ଗୁଳିଥିଲା । ଜବତ ବେଳକୁ ୩ ରାଉଣ୍ଡ ଗୁଳି ମିଳିଲା । ସେ ଯଦି ୩ଟି ଗୁଳି ଚଳାଇଥିଲେ, ତେବେ ଆଉ ୩ଟି ଗୁଳି କିଏ ଚଳାଇଲା । ଏହାର ଅର୍ଥ ଏଥିରେ ଏକାଧିକ ଅଭିଯୁକ୍ତ ଥିବା ସ୍ପଷ୍ଟ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସବୁକୁ ଧ୍ୟାନ ଦେଲା ନାହିଁ କାହିଁକି? ଏସବୁକୁ ଧ୍ୟାନ ନଦେଇ ତଦନ୍ତକୁ ତରବରିଆ ଭାବେ କରି ମାମଲା ଚାପି ଦେବାକୁ ଯୋଜନା ଥିଲା କି? ଯଦି ତଦନ୍ତରେ ବାଟବଣା କରାଯାଇଛି, ତେବେ ଏଥିପାଇଁ କାହାର ଚାପ ଥିଲା? କାହିଁକି ଚାପ ପଡ଼ୁଥିଲା? ନବଙ୍କ ହତ୍ୟାକାଣ୍ଡର ଫାଇଦା କାହାକୁ ହେଉଛି । ଏସବୁ ଯଦି ସିବିଆଇ ଖୋଳତାଡ଼ କରିବ, ତେବେ ଅନେକ ଗୁମର ଖୋଲିଯିବ । ହୁଏତ ବିଜେଡି ଓ ବିଜେପିର ବଡ଼ ମୁଣ୍ଡିମାନେ ଫସିଯାଇ ପାରନ୍ତି ବୋଲି କୁହାଯାଉଛି । ଦେଖାଯାଉ ଏପରି ସମ୍ବେଦନଶୀଳ ମାମଲାକୁ ତଦନ୍ତ ପାଇଁ ମୋହନ ସରକାର ସିବିଆଇକୁ ଦେଉଛନ୍ତି ନା ଚୁପ ରହିଯାଉଛନ୍ତି?
International
ଦ କୁଇଭର ବ୍ୟୁରୋ :- ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକାରେ ପୁଣି ଟ୍ରମ୍ପ ଯୁଗ । ୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ ସଂସଦ ଭବନରେ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେଉ ନେଉ ଆଜି ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍ । କହିଲେ ପାନାମା କେନାଲ ଉପରେ ପୁଣି କବ୍ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍ଫ ଅଫ୍ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍ ।
ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେଲା । ଆଜିଠାରୁ ଆମ ଦେଶ ପୁନର୍ବାର ସମୃଦ୍ଧ ହେବ ଏବଂ ଆମକୁ ସାରା ବିଶ୍ୱରେ ସମ୍ମାନ ଦିଆଯିବ। ଆମେ କୌଣସି ଦେଶକୁ ଆଉ ଅଧିକ ଲାଭ କରିବାକୁ ଅନୁମତି ଦେବୁ ନାହିଁ। ଆମର ସାର୍ବଭୌମତ୍ୱ ପୁନଃ ପ୍ରାପ୍ତ ହେବ । ଆମର ସୁରକ୍ଷା ପୁନଃ ସ୍ଥାପିତ ହେବ । ଗର୍ବିତ, ସମୃଦ୍ଧ ଏବଂ ମୁକ୍ତ ଦେଶ ଗଠନ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି ।
ଅନ୍ୟପଟେ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କୁ ସାରା ବିଶ୍ବରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।
State
କରଞ୍ଜିଆ( ଦ କୁଇଭର ):- କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ହେମକାନ୍ତ ସୋୟ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀଙ୍କ ଅଧ୍ୟକ୍ଷତା ରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ , ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାସ ଦାସ୍ , ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଚିକିତ୍ସାଧିକାରୀ ଅନିତା ସିଂ, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ , ସମସ୍ତ ୫ ଟି ବ୍ଲକ ବିଡ଼ିଓ, ତହସିଲଦାର, ପୋଲିସ୍ ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣ ଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଶିବିରରେ ମୋଟ ୮୮ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା ।ସେଗୁଡିକ ମଧ୍ୟରୁ ୬୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୨୪ଟି ଗ୍ରାମବାସୀଙ୍କ ସମସ୍ୟା ଅଭିଯୋଗ ରହିଥିବା ଜଣାପଡିଛି । ସମସ୍ତ ଅଭିଯୋଗ ଶୁଣିବା ପରେ ଅଭିଯୋଗ ଗୁଡ଼ିକର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶିବିରକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
State
ଦ କୁଇଭର ବ୍ୟୁରୋ :- ୧୨ ନୁହେଁ ୧୮ ମାଓବାଦୀ ନିହତ ହୋଇଛନ୍ତି । ଗତ ଗୁରୁବାର ଛତିଶଗଡ଼ ବିଜାପୁର ଓ ସୁକମା ଜିଲ୍ଲାର ପୂଜାରୀ କାଙ୍କେର ଠାରେ ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଯାହାକି ପୋଲିସକୁ ୧୨ ମାଓବାଦୀଙ୍କ ଶବ ମିଳିଥିଲା। କିନ୍ତୁ ଶନିବାର ଦିନ ମାଓ ସଂଗଠନ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଏନକାଉଣ୍ଟରରେ ୧୨ ନୁହେଁ ୧୮ ମାଓବାଦୀ ନିହତ ହୋଇଛନ୍ତି ।
ଏହି ଏନକାଉଣ୍ଟରରେ, ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ କମାଣ୍ଡର, ରାଜ୍ୟ କମିଟି ସଦସ୍ୟ ଏବଂ ତେଲେଙ୍ଗାନା ରାଜ୍ୟ କମିଟି ମୁଖ୍ୟ ଦାମୋଦର ଓରଫ ଚୋଖା ରାଓ ମଧ୍ୟ ନିହତ ହୋଇଛନ୍ତି। ଏହା ବ୍ୟତୀତ, ପିପିସିଏମ୍ ହୁଙ୍ଗି, ଦେବେ, ଜୋଗା ଏବଂ ନରସିଂହ ରାଓଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏନକାଉଣ୍ଟର ସମୟରେ ନକ୍ସଲମାନଙ୍କ ଦ୍ୱାରା ନିହତ ୬ ଜଣ ନକ୍ସଲ ସାଥୀଙ୍କ ମୃତଦେହକୁ ନେଇଯିବାରେ ସଫଳ ହୋଇଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ନକ୍ସଲ ସଂଗଠନର ଦକ୍ଷିଣ ବସ୍ତର ଡିଭିଜନାଲ କମିଟିର ସଚିବ ।
ବିଜାପୁର ଜିଲ୍ଲାର ପୂଜାରୀ କାଙ୍କେର ଗାଁରେ ଜାନୁଆରୀ ୧୬ ତାରିଖରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବାହିନୀ ୧୨ ଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲେ । ଯାହାଙ୍କ ମୃତଦେହ ବିଜାପୁରକୁ ଅଣାଯାଇ ଚିହ୍ନଟ ମଧ୍ୟ କରାଯାଇଛି । କିନ୍ତୁ ମାଓବାଦୀଙ୍କ ଦ୍ୱାରା ଜାରି ପ୍ରେସ୍ ରିଲିଜ୍ରେ ୧୮ ଜଣ ସାଥୀଙ୍କୁ ହରାଇବା କଥା ଉଲ୍ଲେଖ କରିଛନ୍ତି । ଏଥିସହିତ ଚିଠିରେ ସରକାର ଆଦିବାସୀଙ୍କ ଜମି ହଡ଼ପ କରିବା ଏବଂ ପ୍ରାକୃତିକ ସମ୍ପଦ ଲୁଟୁଥିବା ଅଭିଯୋଗ କରିଛନ୍ତି ମାଓ ସଂଗଠନ । ଯେଉଁଥିପାଇଁ ସୁରକ୍ଷା ବାହିନୀ ସରକାରଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ କ୍ଷତି ସହିଥିବା ଉଲ୍ଲେଖ କରିଛନ୍ତି । ନିରୀହ ଗ୍ରାମବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କରିଛନ୍ତି ମାଓ ସଂଗଠନ ଏବଂ ଏହି ଅତ୍ୟାଚାରର ପର୍ଦ୍ଦାଫାସ କରିବାକୁ ବୁଦ୍ଧିଜୀବୀମାନଙ୍କୁ ନିବେଦନ କରିଛନ୍ତି ମାଓବାଦୀ ।