ଦ କୁଇଭର ବ୍ୟୁରୋ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ''
ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
No comments yet.
National
ଦ କୁଇଭର ବ୍ୟୁରୋ :- ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ଏହି ଅଗ୍ନିକାଣ୍ଡ ଯୋଗୁଁ କୁମ୍ଭ ଆଖପାଖରେ ଥିବା ତମ୍ବୁ ମଧ୍ୟ କ୍ଷତିଗ୍ରସ୍ତ ହେବା ସହ ଟେଣ୍ଟରେ ରଖାଯାଇଥିବା ସିଲିଣ୍ଡର ଗୁଡ଼ିକ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି। ସୂଚନା ଅନୁସାରେ ୨୦ରୁ ୨୫ଟି ତମ୍ବୁ ଜଳିଯାଇଛି । ଆଖଡ଼ାଗୁଡ଼ିକର ନିକଟ ରାସ୍ତାରେ ଥିବା ଲୁହା ପୋଲ ତଳେ ଏହି ଅଗ୍ନିକାଣ୍ଡ ଘଟିଛି। ରିଲିଫ ଉଦ୍ଧାର ପାଇଁ ପ୍ରଶାସନ ତରଫରୁ କାମକୁ ତ୍ୱରାନ୍ୱିତ କରାଯିବା ସହ ସେଠାରେ ଯେପରି କେହି ଫସି ନ ରହିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।
ସର୍ବଶେଷ ସୂଚନା ଅନୁସାରେ ମହାକୁମ୍ଭରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଅଗ୍ନିଶମ ବାହିନୀର ଅଧା ଡଜନ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ସେକ୍ଟର ୧୯ ଓ ସେକ୍ଟର ୫ ସୀମାରେ ଥିବା ପୁରୁଣା ଜିଟି ରୋଡ୍ ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ବିବେକାନନ୍ଦ ଶିବିରରେ ପ୍ରଥମେ ନିଆଁ ଲାଗିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
Shree Jagannath
ପୁରୀ( ଦ କୁଇଭର ):- ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍ ଘଟଣା ପରେ ଶ୍ରୀମନ୍ଦିରରେ ମୋବାଇଲ୍ କଟକଣା ଉପରେ ସଚେତନତା ସୃଷ୍ଟି କରାଯାଇଛି। ଚାରିଦ୍ବାରରେ ସୂଚନା ଫଳକ ଓ ପୋଷ୍ଟର୍ ଲଗାଯାଇଛି। ମୋବାଇଲ୍ ଜଗିବାକୁ ଚାରିଦ୍ବାରରେ ୪ଟି ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଅପରପକ୍ଷେ ଗତକାଲି ପଶ୍ଚିମଦ୍ବାରରେ ଡ୍ରୋନ୍ ଉଡ଼ାଇ ପୁରୀର ଜଣେ ଯୁବକ ଧରାପଡ଼ିଛନ୍ତି ଓ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଡ୍ରୋନ୍ ମାଲିକ ପେଣ୍ଠକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁଇଦିନ ତଳେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ହୋଇଥିଲା। ଶ୍ରୀମନ୍ଦିର ଜଣେ ଜଣାଶୁଣା ସେବକ ବାହାର ରାଜ୍ୟର ଭକ୍ତଙ୍କୁ ନେଇ ଏହି ଭିଡିଓ ଉତ୍ତୋଳନ କରାଇଥିଲେ। ଏହି ଭିଡିଓ ବାଙ୍କେ ବିହାରୀ ନାଥ ନାମକ ବ୍ୟକ୍ତିଙ୍କ ଇନ୍ଷ୍ଟାଗ୍ରାମ୍ରେ ଛଡ଼ାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ପୁରୀ ପୁଲିସ ଭକ୍ତଙ୍କ ସୂଚନା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର, ଉତ୍ତରଦ୍ବାର, ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ପ୍ରବେଶ ପଥରେ ‘ଶ୍ରୀମନ୍ଦିରରେ ମୋବାଇଲ୍ ନିଷେଧାଦେଶ’ ସମ୍ପର୍କରେ ସୂଚନା ଲଗାଇଛି। ଚାରିଦ୍ବାରରେ ଭକ୍ତଙ୍କ ଧାଡ଼ି ପାଖରେ ସାଇନ୍ଏଜ୍ ଲଗାଇଛି।
ଏସ୍ପି ବିନୀତ ଅଗ୍ରୱାଲ୍ କହିଛନ୍ତି, ଭକ୍ତ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛୁ, ମୋବାଇଲ୍ ନେଇ କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଯେ କେହି ଏହାର ଉଲ୍ଲଂଘନ କରିବେ, ତାଙ୍କ ବିରୋଧରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ। ସଚେତନତା ଉଦ୍ଦେଶ୍ୟରେ ଆମେ ଚାରିଦ୍ବାରରେ ସୂଚନା ଫଳକ ମାରିଛୁ। ପୁଲିସର ସୁପର୍ଭାଇଜିଂ ଅଫିସରଙ୍କୁ ଛାଡ଼ି ଅନ୍ୟ କେହି ମୋବାଇଲ୍ ନ ନେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଡ୍ରୋନ୍ ସମ୍ପର୍କରେ ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ଗର୍ଭଗୃହ ଭିଡିଓ ଭାଇରାଲ୍ ଘଟଣାରେ ପୁଲିସ ସିଂହଦ୍ବାର ଥାନାରେ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଭିଡିଓ ଉତ୍ତୋଳନ ଓ ଭାଇରାଲ୍ ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି, ତାଙ୍କୁ ଧରିବାକୁ ବିଭିନ୍ନ ଟିମ୍ ଲାଗିଛନ୍ତି। ଗତକାଲି ଶ୍ରୀମନ୍ଦିର ପାଖରେ ଏକ ଡ୍ରୋନ୍ ଉଡ଼ୁଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଓ ଡ୍ରୋନ୍ ଜବତ କରାଯାଇଛି। ଯୁବକ ଓ ଡ୍ରୋନ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ସିଟି ଡିଏସ୍ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ମୋବାଇଲ୍ ଜଗିବାକୁ ପୂର୍ବ ବ୍ୟବସ୍ଥା ଜାରି ରହିଛି। ଏଥିସହ ଚାରିଦ୍ବାରରେ ୪ଟି ଟିମ୍ ନିୟମିତ ଯାଞ୍ଚ ପାଇଁ ରହିବେ।
State
କୋଣାର୍କ( ଦ କୁଇଭର ):- କୋଣାର୍କରେ ଆରମ୍ଭ ହୋଇଯାଇଛି ୨ ଦିନିଆ ‘ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ’ । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ କୋଣାର୍କ ଇକୋ ରି-ଟ୍ରିଟରେ ଜାନୁଆରୀ ୨୦ ଓ ୨୧ ତାରିଖରେ ଏହି ୨ ଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣିବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ୨ ଦିନିଆ କାର୍ଯ୍ୟକ୍ରମ "ବିକଶିତ ଭାରତ ୨୦୪୭" ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଏଥିରେ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ୧୬ରୁ ଅଧିକ ରାଜ୍ୟ ଖଣି ମନ୍ତ୍ରୀଙ୍କୁ ଏକତ୍ରିତ କରାଯାଇଛି ।
ସୋମବାର ଉଦଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି ଏବଂ ଅଭିଭାଷଣରେ କହିଛନ୍ତି ଯେ, କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜି.କିଶନ ରେଡ୍ଡୀ, ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା, ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାଟି ବିକ୍ରମାର୍କ ମଲ୍ଲୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପ ନେତାଙ୍କ ସହିତ ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନରେ ଯୋଗଦେବା ଓ ଏହାକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେଉଛି । ଓଡ଼ିଶା ବିପୁଳ ଖଣିଜ ସମ୍ପଦ ପାଇଁ ପ୍ରସିଦ୍ଧ, ଯାହା ଭାରତର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, 'ବିକଶିତ ଭାରତ'ର ମିଶନକୁ ଅଭିନବ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଖଣି ସମେତ ପ୍ରମୁଖ ଶିଳ୍ପଗୁଡ଼ିକୁ ସଶକ୍ତ କରି ସାକାର କରାଯିବ । ଖଣିଜ ସମ୍ପଦରେ ଏକ ଅଗ୍ରଣୀ ରାଜ୍ୟ ଭାବରେ, ଓଡ଼ିଶା ଏହି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।
State
ଭିତରକନିକା ( ଦ କୁଇଭର ):- ରବିବାରଠାରୁ କୁମ୍ଭୀର ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭିତର କନିକାରେ ଆରମ୍ଭ ହୋଇଯାଇଛି କୁମ୍ଭୀର ଗଣନା । ଏନେଇ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟ ଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-୨୦୨୫ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଚାଲିବ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ । ଅନ୍ୟପଟେ ଏହି ଗଣନା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଭିତରକନିକା ବନ୍ଦ ରହିଛି ।
ତେବେ ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି," କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍ ଗଠନ କରାଯାଇଛି । କୁମ୍ଭୀର ବିଶେଷଜ୍ଞମାନେ ଏହି ଟିମରେ ରହିଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ମେମ୍ବର ରହିଛନ୍ତି । କେନ୍ଦ୍ରାପଡାରେ ବଉଳା କୁମ୍ଭୀର ୪ଟି ରେଞ୍ଜରେ ମିଳନ୍ତି । ବିଭିନ୍ନ ଟେକ୍ନୋଲୋଜି, ଜିପିଏସ ଟ୍ରାକ୍ କରି ଏହି ଗଣନା କରାଯିବ ।
State
ଦ କୁଇଭର ବ୍ୟୁରୋ :- ୧୨ ନୁହେଁ ୧୮ ମାଓବାଦୀ ନିହତ ହୋଇଛନ୍ତି । ଗତ ଗୁରୁବାର ଛତିଶଗଡ଼ ବିଜାପୁର ଓ ସୁକମା ଜିଲ୍ଲାର ପୂଜାରୀ କାଙ୍କେର ଠାରେ ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଯାହାକି ପୋଲିସକୁ ୧୨ ମାଓବାଦୀଙ୍କ ଶବ ମିଳିଥିଲା। କିନ୍ତୁ ଶନିବାର ଦିନ ମାଓ ସଂଗଠନ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଏନକାଉଣ୍ଟରରେ ୧୨ ନୁହେଁ ୧୮ ମାଓବାଦୀ ନିହତ ହୋଇଛନ୍ତି ।
ଏହି ଏନକାଉଣ୍ଟରରେ, ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ କମାଣ୍ଡର, ରାଜ୍ୟ କମିଟି ସଦସ୍ୟ ଏବଂ ତେଲେଙ୍ଗାନା ରାଜ୍ୟ କମିଟି ମୁଖ୍ୟ ଦାମୋଦର ଓରଫ ଚୋଖା ରାଓ ମଧ୍ୟ ନିହତ ହୋଇଛନ୍ତି। ଏହା ବ୍ୟତୀତ, ପିପିସିଏମ୍ ହୁଙ୍ଗି, ଦେବେ, ଜୋଗା ଏବଂ ନରସିଂହ ରାଓଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏନକାଉଣ୍ଟର ସମୟରେ ନକ୍ସଲମାନଙ୍କ ଦ୍ୱାରା ନିହତ ୬ ଜଣ ନକ୍ସଲ ସାଥୀଙ୍କ ମୃତଦେହକୁ ନେଇଯିବାରେ ସଫଳ ହୋଇଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ନକ୍ସଲ ସଂଗଠନର ଦକ୍ଷିଣ ବସ୍ତର ଡିଭିଜନାଲ କମିଟିର ସଚିବ ।
ବିଜାପୁର ଜିଲ୍ଲାର ପୂଜାରୀ କାଙ୍କେର ଗାଁରେ ଜାନୁଆରୀ ୧୬ ତାରିଖରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବାହିନୀ ୧୨ ଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲେ । ଯାହାଙ୍କ ମୃତଦେହ ବିଜାପୁରକୁ ଅଣାଯାଇ ଚିହ୍ନଟ ମଧ୍ୟ କରାଯାଇଛି । କିନ୍ତୁ ମାଓବାଦୀଙ୍କ ଦ୍ୱାରା ଜାରି ପ୍ରେସ୍ ରିଲିଜ୍ରେ ୧୮ ଜଣ ସାଥୀଙ୍କୁ ହରାଇବା କଥା ଉଲ୍ଲେଖ କରିଛନ୍ତି । ଏଥିସହିତ ଚିଠିରେ ସରକାର ଆଦିବାସୀଙ୍କ ଜମି ହଡ଼ପ କରିବା ଏବଂ ପ୍ରାକୃତିକ ସମ୍ପଦ ଲୁଟୁଥିବା ଅଭିଯୋଗ କରିଛନ୍ତି ମାଓ ସଂଗଠନ । ଯେଉଁଥିପାଇଁ ସୁରକ୍ଷା ବାହିନୀ ସରକାରଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ କ୍ଷତି ସହିଥିବା ଉଲ୍ଲେଖ କରିଛନ୍ତି । ନିରୀହ ଗ୍ରାମବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କରିଛନ୍ତି ମାଓ ସଂଗଠନ ଏବଂ ଏହି ଅତ୍ୟାଚାରର ପର୍ଦ୍ଦାଫାସ କରିବାକୁ ବୁଦ୍ଧିଜୀବୀମାନଙ୍କୁ ନିବେଦନ କରିଛନ୍ତି ମାଓବାଦୀ ।
State
ଭୁବନେଶ୍ୱର( ଦ କୁଇଭର ):- ଆସନ୍ତାମାସ ଅର୍ଥାତ ଫେବୃଆରୀ ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ହେବାକୁ ଯାଉଛି । ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଏହି ଅଧିବେଶନ ଶେଷ ହେବ l ୨୦୨୫ର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ ଆହୁତ କରିବେ । ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିବ । ବିଧାନସଭା ସଚିବାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବଜେଟ୍ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।
ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହ ସମ୍ମୁଖରେ ଉପସ୍ଥାପିତ କରାଯିବ। ବିରୋଧୀ ଦଳ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଧାନ ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ନବ ଦାସ ହତ୍ୟା ମାମଲା ପ୍ରସଙ୍ଗକୁ ସରକାର ବିରୋଧରେ ମୁଦ୍ଦା କରିପାରନ୍ତି ବିରୋଧୀ । ସେହିପରି ସରକାର ମଧ୍ୟ ବିରୋଧୀଙ୍କୁ ଉତ୍ତର ଦେବାକୁ ରଣନୀତି ପ୍ରସ୍ତୁତ କରିବେ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଆହୁତ କରିବେ । ସମସ୍ତ ଦଳର ସହଯୋଗରେ ଗୃହକାର୍ଯ୍ଯ ଓ ଶୃଙ୍ଖଳିତ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ ।
National
ଦ କୁଇଭର ବ୍ୟୁରୋ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ''
ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
National,State
ଦ କୁଇଭର ବ୍ୟୁରୋ :-:ଓଡ଼ିଶା ବାହାରର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ରାଜ୍ୟ ବାହାରେ ଥିବା ମହିଳାମାନେ ବି ସୁଭଦ୍ରା ଯୋଜନାରେ ସାମିଲ ହେବେ । ଅନେକ ଓଡ଼ିଆ ମହିଳା ରାଜ୍ୟ ବାହାରେ ଅଛନ୍ତି । ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିନାହାନ୍ତି । ଜିଲ୍ଲା ସ୍ଥରୀୟ ସମୀକ୍ଷାରେ ଏଭଳି ତଥ୍ୟ ଆସିଛି । ଓଡ଼ିଶା ବାହାରେ ଯେତିକି ମହିଳା ଅଛନ୍ତି ବା ସୁଭଦ୍ରା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆବେଦନ ସେତିକି କରିନାହାନ୍ତି । ତଥ୍ୟର ଅନୁସରଣ ପରେ ଜଣା ପଡୁଛି ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳା ମାନେ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ଏହି ଯୋଜନାରେ ଆବେଦନ କରନ୍ତୁ । ଆଉ ସୁଭଦ୍ରା ଯୋଜନାର ସହାୟତା ନିଅନ୍ତୁ । ରାଜ୍ୟ ବାହାରେ ଯାଇ ମୂଲ ମଜୁରୀ ଲାଗିବା ପରିବର୍ତ୍ତେ ସୁଭଦ୍ରା ଅର୍ଥରେ ଯଦି ଉଦ୍ୟୋଗୀକ ବିକାଶ କରିପାରିବେ ତାହା ରାଜ୍ୟ ଏବଂ ମହିଳାମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିପାରିବ । ସେଥି ପାଇଁ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବା ଓଡ଼ିଆ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ରବିବାର ଅପରାହ୍ନ ଚାରିଟା ବେଳେ 'ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ,ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ 'ଉତ୍କଳ ଆଶ୍ରମ' ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି, ଗାଳ୍ପିକ, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଇଂ. ଆଶୁତୋଷ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରକୁ ସଂସଦର ସାଧାରଣ ସଂପାଦକ ଆଡଭୋକେଟ (ଇଂ) ବିଜୟ ଚନ୍ଦ୍ର ମିଶ୍ର ସଞ୍ଚାଳନ କରିଥିଲେ। ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୩୦ ଜଣ କବି ଓ ଗାଳ୍ପିକ ଏହି ସାହିତ୍ଯ ଆସରରେ ସ୍ୱରଚିତ ମନଛୁଁଆ ସାହିତ୍ୟ କୃତି ପଠନ କରିଥିଲେ । ସଭାପତି ଇଂ. ଆଶୁତୋଷ ପାତ୍ର ଓ ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ନିଜର ନିଜର ମୂଲ୍ୟବାନ ବକ୍ତବ୍ଯ ରଖିଥିଲେ । ବରିଷ୍ଠ କବି, ଗାଳ୍ପିକା ତଥା ପ୍ରାବନ୍ଧିକା ଶ୍ରୀମତୀ ଅମିତା ମିଶ୍ର( ଦାଶ) ଓ ନବାଗତା ଯୁବା କବୟତ୍ରୀ ସୁଶ୍ରୀ ନନ୍ଦିନୀ ମହାରଣା ଅତି ସୁନ୍ଦର ଭାବେ କବିତା ସଂଯୋଜନା କରିଥିଲେ । ଏହି ଆସରରେ ବରିଷ୍ଠ କବି ଶ୍ରୀଯୁକ୍ତ ବି. ସତ୍ୟମ୍ ଆଚାରୀ ନିଜର ସୁଲଳିତ ପ୍ରାରମ୍ଭିକ ଭଜନ ପରିବେଷଣ କରି ସମସ୍ତଙ୍କୁ ଆହ୍ଲାଦିତ କରିଥିଲେ। ବରିଷ୍ଠ କବୟତ୍ରୀ ଶ୍ରୀମତୀ ରଞ୍ଜିତା ରାଣୀ ଦାଶ, ଭଞ୍ଜ ସଂଗୀତ, ଶ୍ରୀମତୀ ଲକ୍ଷ୍ମୀଆମ୍ମା ନନ୍ଦଡା, ବଳରାମ ଦାଶଙ୍କ ଭଜନ ଏବଂ ଶ୍ରୀମତୀ ଅମିତ ମିଶ୍ର ଅତି ମଧୁର ଓ ସୁଲଳିତ ସଂଗୀତ ପରିବେଷଣ କରି ଏହି ଆସରକୁ ସଙ୍ଗୀତମୁଖର ଓ ଉଲ୍ଲାସମୟ କରିଥିଲେ ।
State
କୋରାପୁଟ( ଦ କୁଇଭର ):- କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ। ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।
କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ବ୍ରାହ୍ମଣୀସିଲଡ୍ର (ଚକୁଆ) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଥିବା କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂ। କୋରାପୁଟବନାଞ୍ଚଳ ପକ୍ଷୀ ଗଣନାରେ ଏସିଏଫ୍ ନଳିନୀକାନ୍ତ ବେହେରା, ରେଞ୍ଜର ପାହାଡସିଂ, ଫରେଷ୍ଟର ଗୌତମ ବେନିୟା, ଏଫଇଏସ୍ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପକ୍ଷୀ ଗଣନାରେ ଭାଗ ନେଇଥିଲେ।
State
ଦ କୁଇଭର ବ୍ୟୁରୋ :- ଆଜିଠୁ ରାତିର ତାପମାତ୍ରା ବୃଦ୍ଧି ପାଇବାକୁ ଥିବାବେଳେ ଏହା ପ୍ରଭାବରେ କମିବ ଶୀତ। କିନ୍ତୁ କଲବଲ କରିବ ଘନ କୁହୁଡ଼ି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ। ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ତେବେ ରାଜ୍ୟରେ ଶୀତ କମିବାକୁ ଥିବାବେଳେ କୁହୁଡି ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସକାଳ ଓ ରାତି ସମୟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଥିପାଇଁ ଗାଡ଼ି ମଟର ଧୀରେ ଚଳାଚଳ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ କାରଯାଇଛି।
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ଜଳ ଭଣ୍ଡାରରେ ପ୍ରଥମ କରି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି l ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଉରେସିଆନ କୁଟ ବା ଜୁଇ କଇମ,ରେଡ କ୍ରିଏଷ୍ଟାଡ ପୋଚାର୍ଡ ବା ରଙ୍ଗା ଗେଣ୍ଡି,ଗଡ଼ ୱାଲ ବା ମାଟିଆ ଗେଣ୍ଡି ଥିବା ଚିହ୍ନଟ ହୋଇଛି l ସାଇବେରିଆ ବିଦେଶାଗତ ପକ୍ଷୀ ମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଜଳ ଭଣ୍ଡାରରେ ବୁଲୁଛନ୍ତି l
ପୂର୍ବରୁ ଦକ୍ଷିଣପୁର ଜଳ ଭଣ୍ଡାରରେ ବ୍ରହ୍ମପୁରକୁ ଜଳ ଯୋଗାଣ ନିମନ୍ତେ ବର୍ଷ ସାରା ଜଳ ପରିପୂର୍ଣ୍ଣ ରହୁଥିଲା କିନ୍ତୁ କିଛି ବର୍ଷ ହେବ ଯାନିବିଲରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବାରୁ ଅପେକ୍ଷାକୃତ ଜଳ ସ୍ତର କମ ରହୁଛି ତେଣୁ ଶୈବାଳ ଓ ଜଳଜ କୀଟ ବୃଦ୍ଧିରେ ସହାୟକ ହେଉଛି ଯାହାକି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ବୋଲି ପରିବେଶପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି l
ପୂର୍ବରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗ୍ଲୋସି ଆଇବିଶ ଓ ବ୍ଲାକ ହେଡେଡ ଆଇବିଶ ଦେଖିବାକୁ ମଧ୍ୟ ମିଳିଛି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର l ତେବେ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନତା କଲେ ଆସନ୍ତା ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ନଳିନୀ କାନ୍ତ ପରିଡା କହିଛନ୍ତି l
State
କରଞ୍ଜିଆ( ଦ କୁଇଭର ):- କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ହେମକାନ୍ତ ସୋୟ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀଙ୍କ ଅଧ୍ୟକ୍ଷତା ରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ , ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାସ ଦାସ୍ , ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଚିକିତ୍ସାଧିକାରୀ ଅନିତା ସିଂ, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ , ସମସ୍ତ ୫ ଟି ବ୍ଲକ ବିଡ଼ିଓ, ତହସିଲଦାର, ପୋଲିସ୍ ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣ ଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଶିବିରରେ ମୋଟ ୮୮ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା ।ସେଗୁଡିକ ମଧ୍ୟରୁ ୬୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୨୪ଟି ଗ୍ରାମବାସୀଙ୍କ ସମସ୍ୟା ଅଭିଯୋଗ ରହିଥିବା ଜଣାପଡିଛି । ସମସ୍ତ ଅଭିଯୋଗ ଶୁଣିବା ପରେ ଅଭିଯୋଗ ଗୁଡ଼ିକର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶିବିରକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
International
ଦ କୁଇଭର ବ୍ୟୁରୋ :- ଆଜି ସର୍ବ-ଶକ୍ତିଶାଳୀ ଦେଶ ଆମେରିକା ଉପରେ ସମଗ୍ର ବିଶ୍ବର ନଜର ରହିବ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସରେ ପ୍ରବେଶ କରିବେ ଟ୍ରମ୍ପ । ଏନେଇ ବିଶାଳ ଆୟୋଜନ କରାଯାଇଛି । ସାରା ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୪୦ ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ ।
ସୂଚନା ପ୍ରକାରେ,ଭାରତୀୟ ସମୟ ପ୍ରାୟ ରାତି ୧୦. ୩୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ବାଇବେଲ’ ଛୁଇଁ ଟ୍ରମ୍ପ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ଗଣମାଧ୍ୟମ ଜରିଆରେ ପ୍ରସାରିତ କରାଯିବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ରଦୂତ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଉପସ୍ଥିତ ରହିବେ । ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି ପୂର୍ବରୁ ବାଇଡେନ ସ୍ପଷ୍ଟ କରିସାରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ଟ୍ରମ୍ପଙ୍କ କାରକେଡ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପ୍ରବେଶ କରିବ ।
International
ଦ କୁଇଭର ବ୍ୟୁରୋ :- ଜଳୁଛି ଲସ୍ ଆଞ୍ଜେଲେସ । ଏହା ପ୍ରକୃତିର କୋପ ନା ପ୍ରକୃତି ରୂପରେ ଭଗବାନଙ୍କର ରୋଷ? ଏହା ଭଗବାନଙ୍କର ତାଣ୍ଡବ ନୁହେଁ ତ? କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା? ହଲିଉଡ଼ ପାଇଁ ତ ସାରା ବିଶ୍ୱ ଲସ୍ ଆଞ୍ଜେଲେସକୁ ଆଦରୁଥିଲା କିନ୍ତୁ ଏବେ? ଦେଶର ସବୁଠାରୁ ବଡ଼ ଜଙ୍ଗଲ ଜଳୁଛି ହେଲେ ନିଆଁକୁ ଆୟତ୍ତ କରିପାରୁନି ବିଶ୍ୱର ଧନୀ ଦେଶ ଆମେରିକା । ହେଲେ କାହିଁକି? କ’ଣ ପ୍ରକୃତି ଆଗରେ ବିଜ୍ଞାନ ଫେଲ ମାରିଗଲା ନା ଭଗବାନଙ୍କ ଇଛା ଆଗରେ ଆମେରିକାର କଳାକୈାଶଳ ଚପିଗଲା ।
ଘଟଣା ହେଉଛି କାଲିଫର୍ନିଆର । କାଲିଫର୍ନିଆର ଲସ୍ ଆଞ୍ଜେଲେସ ସହରର ପାସିଫିକ ପଲିସେଡ୍ରୁ ହିଁ ଆରମ୍ଭ ହୋଇଥିଲା ନିଆଁ । ଜାନୁଆରି ୭ ତାରିଖ ମଙ୍ଗଳବାର ସକାଳ ୧୦.୩୦ରେ ମାଲିବୁର ପୂର୍ବରେ ଥିବା ଲସ୍ ଆଞ୍ଜେଲେସ ପଡ଼ିଆର ପାସିଫିକ ପଲିସେଡ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପରବର୍ତ୍ତୀ ସମୟରେ ଏହା ଧିରେ ଧିରେ ସହରର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା । ଯାହା ଏ ଯାଏଁ ବି ଜଳୁଛିି । ଦିନକୁ ଦିନ ନିଆଁର ପ୍ରଭାବ ବଢ଼ିବାରେ ଲାଗିଛି । ନିଆଁ ଯେତିକି ବଢ଼ୁଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢ଼ୁଛି । ଯେଉଁଆଡ଼େ ଦେଖିଲେ ଖାଲି ପୁଳା ପୁଳା ପାଉଁଶ ଆଉ ପଶୁପକ୍ଷୀଙ୍କ ଦରପୋଡ଼ା ଶରୀର । ହଲିଉଡ଼ ହିଲ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ହଲିଉଡ଼ ହିଲ ଚାରିପଟେ ଥିବା ବଡ଼ ବଡ଼ ସେଲିବ୍ରିଟିଙ୍କ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପ୍ରକୃତିର ଏହି ତାଣ୍ଡବ ଆଗରେ ଅସହାୟ ସାଜିଛି ମଡର୍ନ ଟେକ୍ନୋଲୋଜି ଓ ମଣିଷ । ଜଙ୍ଗଲ ନିଆଁର ପ୍ରକୋପ ଆଗରେ ଆମେରିକାର କଳାକୈାଶଳ ବି ତା’ର ଚମତ୍କାର ଦେଖାଇ ପାରିଲାନି । ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ । ବୁଦ୍ଧିମାନ ମଣିଷ ପାଖରେ ନିଆଁକୁ ଆୟତ୍ତ କରିବାର ସବୁ ବାଟ ଯେମିତି ବନ୍ଦ ହେଇଯାଇଛି । ପ୍ରକୃତିର ନିଷ୍ଠୁରତା ଆଗରେ ଆମେରିକା ଭଳି ଏକ ଉନ୍ନତ ଦେଶ ମଧ୍ୟ ହାର ମାନିଯାଇଛି । ପାଗ ଶୁଷ୍କ ଥିବାରୁ ପବନ ପ୍ରବାହିତ ହୋଇ ନିଆଁ ଏପରି ବ୍ୟାପୁଛି ନା ଭଗବାନଙ୍କୁ ନିନ୍ଦା କରିବାର ପରିଣାମ ଇଏ । ଭଗବାନଙ୍କୁ ଏ କି ପ୍ରକାର ପରିହାସ? ଏଠି ଦୋଷୀ ସହ ନିର୍ଦ୍ଦୋଷ ବି ଦଣ୍ଡ ପାଉଛି ।ଯଦି ଏବେଠୁ ନିଆଁକୁ ଆୟତ୍ତ କରା ନଯିବ ତେବେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ।
State
ଦ କୁଇଭର ବ୍ୟୁରୋ :-:ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ। ଜିଲ୍ଲା ମୁଖ୍ୟାଳୟରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।
ସେହିପରି ସୁନ୍ଦରଗଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କୋରାପୁୁଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାୟଗଡ଼ାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଲେଶ୍ବରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁୁଣ୍ଟିଆ, ନୂଆପଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମାଲକାନଗିରିରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ନୟାଗଡ଼ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ। କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲରେ ଆରଡିସି ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳ, ବାରିପଦା, ବରଗଡ଼, ଗଦ୍ରକ, ବଲାଙ୍ଗୀର,, ବୌଦ୍ଧ, ଦେବଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ଫୁଲବାଣୀରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।
State
ନୂଆପଡା( ଦ କୁଇଭର ):- ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୪ ମାଓବାଦୀ ମୃତ । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଏନ୍କାଉଣ୍ଟର। ଗତକାଲି ଏନ୍କାଉଣ୍ଟରରେ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଅପରେସନରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ସହ ସିଆରପିଏଫ୍ ସାମିଲ ।
ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ । ଏହାପରେ ଗତକାଲି ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ମହିଳା ମାଓବାଦୀ ନିହତ ହୋଇଥିଲେ। ତଥାପି ଥମି ନଥିଲା ଅପରେସନ ।ଅପରେସନ ଜାରି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଆଜି ପୁଣି ସକାଳେ ଆଉ ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ବିପୁଳ ପରିମାଣର ଇଆଇଡି ଜବତ ହୋଇଛି।
Politics,State
ଦ କୁଇଭର ବ୍ୟୁରୋ :- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ଝିଅ ଦୀପାଳି ଦାସ । ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଆକାରରେ ଜଣାଇବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି । ଏବେ ଲିଖିତ ଆକାରରେ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।ଏନେଇ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଦୀପାଳି ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରାଜନୈତିକ ଫାଇଦା ପାଇଁ ସେମାନେ ମୋ ବାପା ଓ ମୋ ପରିବାରକୁ ଟାର୍ଗେଟ କରୁଛନ୍ତି । ପ୍ରଥମେ କହୁଥିଲେ ସିବିଆଇ ତଦନ୍ତ ପାଇଁ ଦୀପାଳି କହୁ ନାହାନ୍ତି । ଏବେ ମୁଁ ସିବିଆଇ ତଦନ୍ତ ପାଇଁ କହିବା ପରେ ଏବେ ସେମାନେ କହୁଛନ୍ତି ଲିଖିତ ଆକାରରେ ଜଣାନ୍ତୁ । ଆମେ ସାଧାରଣ ଲୋକ । ଯେଉଁ ସରକାର ମୋ ଭାଇଙ୍କୁ ୧୩ ଘଣ୍ଟା ଅଟକ ରଖିପାରୁଛନ୍ତି ସେ ସରକାରଙ୍କୁ ମୋତେ ଡର ଲାଗୁଛି । ନିଶ୍ଚିତ ଭାବେ ଆମେ ଲିଖିତ ଆକାରରେ ଦେବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଲା ସେ ଯାହା ନିଷ୍ପତ୍ତି ନେବେ ।
ସୂଚନା ପ୍ରକାରେ ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାର ୨ବର୍ଷ ପୂରିବାକୁ ଥିବା ବେଳେ ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । ଏ ପ୍ରସଙ୍ଗରେ ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା । ଏ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିଥିଲା । ଏବେ ହତ୍ୟାର ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ଲୋକେ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି ।
Politics
ଝାରସୁଗୁଡ଼ା(ଦ କୁଇଭର): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ଲୁଚିଛି ଅନେକ ଗୁମର । ସେଥିରୁ ବହୁ ସମ୍ବେଦନଶୀଳ ତଥ୍ୟକୁ କ୍ରାଇମବ୍ରାଞ୍ଚ ଗିଳି ଦେଇଛି । କିଛି ତଥ୍ୟକୁ ଲୁଚାଇଛି ତ ଆଉ କିଛିକୁ ନଷ୍ଟ କରିଥିବା କୁହାଯାଉଛି । ଯଦି ଏସବୁ ସତ୍ୟ, ତେବେ ଏତେ ଜଘନ୍ୟ କାରନାମା କ୍ରାଇମବ୍ରାଞ୍ଚ କାହା ନିଦେ୍ର୍ଦଶରେ କରିଛି? କାହାକୁ ସୁରକ୍ଷା ଦେବାକୁ ଏସବୁ କରାଯାଇଛି । କାହିଁକି ନବଦାସ ହତ୍ୟା କାଣ୍ଡ ତଦନ୍ତରେ ଏତେ ବଡ଼ ବଡ଼ ପ୍ରଶ୍ନ ଛାଡ଼ି ଯାଇଛି କ୍ରାଇମବ୍ରାଞ୍ଚର ପୂର୍ବତନ ନିଦେ୍ର୍ଦଶକ ଅରୁଣ ବୋଥ୍ରା? ଗୋଟିଏ ଗୋଟିଏ ତଥ୍ୟରୁ ପରଦା ହଟିବା ବେଳକୁ ଏହା ପଛରେ ନବୀନ ସରକାରର କାରସାଦି ଥିବା ଅଭିଯୋଗ ବଢ଼ୁଛି । ଏବେ ସେହି ସବୁ ଗୁମର ପଦାକୁ ଆସୁଥିବାରୁ ବିଜେଡି ଛନ୍ଦି ହୋଇ ପଡ଼ିବ ବୋଲି କୁହାଯାଉଛି ।
ନବଙ୍କ ହତ୍ୟାକାଣ୍ଡ ତଦନ୍ତ ପୋଲିସ କରୁଥିଲା । ହଠାତ ନବୀନ ସରକାର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦେଲେ । ବୋଥ୍ରା ପାତାଳରୁ ପ୍ରମାଣ ଖୋଳିବା ଭଳି ପାଇଖାନା ଟାଙ୍କି ଭିତରୁ ଅଭିଯୁକ୍ତ ଗୋପାଳଙ୍କ ଲେଖା ଧରି ଆଣିଲେ । କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ନବ ଦାସ ବୋଲି ଲେଖିଥିଲେ । ଏହାବ୍ୟତୀତ ନବଙ୍କ ଗୁଳିବିଧ ସାର୍ଟ ମିଳୁନାହିଁ । ତାଙ୍କ ଟାୱେଲକୁ କାଳେ ତଦନ୍ତକାରୀ ବାବୁମାନେ ନଷ୍ଟ କରିଛନ୍ତି । ନବଙ୍କ ଦେହରେ ବାଜିଥିବା ଗୁଳିର ପତ୍ତା ନାହିଁ । ଏବେ କଥା ଆସିଲାଣି ନବଙ୍କ ଗାଡ଼ି ପଛରେ ଥିବା ଗାଡ଼ିକୁ ୫ ରାଉଣ୍ଡ ଗୁଳି ବାଜିଛି ।
ଥରେ ଏସବୁକୁ ସମୀକ୍ଷା କଲେ କାର୍ପଟଦାର ବା ପୁରୁଖା ଆଇପିଏସ ଅରୁଣ ବୋଥ୍ରାଙ୍କ ତଦନ୍ତରେ ଗୋପାଳ ଦାସ ନିଦେ୍ର୍ଦାଷରେ ଖଲାସ ହେବା ନିଶ୍ଚିତ । କେବଳ ସେତିକି ନୁହେଁ, ବୋଥ୍ରା କିପରି ଜାଣି ପାରିଲେ ନାହିଁ ନବ ଦାସଙ୍କୁ ପ୍ରଥମ ସାକ୍ଷୀ କରାଯାଇଛି । ମୃତ ବ୍ୟକ୍ତି କେବେ ସାକ୍ଷୀ ହୁଅନ୍ତି କି? ପୋଲିସ ମାମଲା କରିବା ବେଳକୁ ନବଙ୍କର ଦେହାନ୍ତ ହୋଇ ସାରିଥିଲା । ତଥାପୀ ଏତେବଡ଼ ଭୁଲ କିପରି କଲେ । ସେତିକି ନୁହେଁ, ଏହି ଘଟଣାରେ ଗୋପାଳଙ୍କୁ ଗିରଫ କରି ରହିଗଲା କ୍ରାଇମବ୍ରାଞ୍ଚ । ଏବେ ୫ ଗୁଳି ମାଡ଼ ହୋଇଥିବା ଖବର ଆସିଲାଣି । ଯଦି ଏହା ସତ । ତେବେ ସେତେବେଳେ ସରକାରୀ ଗାଡ଼ିର ଚାଳକ ବା ସେଥିରେ ବସିଥିବା ପିଏସଓମାନେ କାହିଁକି ଏତଲା ଦେଲେ ନାହିଁ?
ଏତିକିରେ ସରୁନାହିଁ । ଗୋପାଳଙ୍କ ପିସ୍ତଲରେ ୬ରାଉଣ୍ଡ ଗୁଳିଥିଲା । ଜବତ ବେଳକୁ ୩ ରାଉଣ୍ଡ ଗୁଳି ମିଳିଲା । ସେ ଯଦି ୩ଟି ଗୁଳି ଚଳାଇଥିଲେ, ତେବେ ଆଉ ୩ଟି ଗୁଳି କିଏ ଚଳାଇଲା । ଏହାର ଅର୍ଥ ଏଥିରେ ଏକାଧିକ ଅଭିଯୁକ୍ତ ଥିବା ସ୍ପଷ୍ଟ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସବୁକୁ ଧ୍ୟାନ ଦେଲା ନାହିଁ କାହିଁକି? ଏସବୁକୁ ଧ୍ୟାନ ନଦେଇ ତଦନ୍ତକୁ ତରବରିଆ ଭାବେ କରି ମାମଲା ଚାପି ଦେବାକୁ ଯୋଜନା ଥିଲା କି? ଯଦି ତଦନ୍ତରେ ବାଟବଣା କରାଯାଇଛି, ତେବେ ଏଥିପାଇଁ କାହାର ଚାପ ଥିଲା? କାହିଁକି ଚାପ ପଡ଼ୁଥିଲା? ନବଙ୍କ ହତ୍ୟାକାଣ୍ଡର ଫାଇଦା କାହାକୁ ହେଉଛି । ଏସବୁ ଯଦି ସିବିଆଇ ଖୋଳତାଡ଼ କରିବ, ତେବେ ଅନେକ ଗୁମର ଖୋଲିଯିବ । ହୁଏତ ବିଜେଡି ଓ ବିଜେପିର ବଡ଼ ମୁଣ୍ଡିମାନେ ଫସିଯାଇ ପାରନ୍ତି ବୋଲି କୁହାଯାଉଛି । ଦେଖାଯାଉ ଏପରି ସମ୍ବେଦନଶୀଳ ମାମଲାକୁ ତଦନ୍ତ ପାଇଁ ମୋହନ ସରକାର ସିବିଆଇକୁ ଦେଉଛନ୍ତି ନା ଚୁପ ରହିଯାଉଛନ୍ତି?