ଦ କୁଇଭର ବ୍ୟୁରୋ :- ବାତ୍ୟା 'ମୋନ୍ଥା' ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବିହାର ସଂଲଗ୍ନ ଝାଡ଼ଖଣ୍ଡରୁ ଉତ୍ତର-ଉତ୍ତରପୂର୍ବ ଦେଇ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମ ଏବଂ ଆସାମ ଆଡକୁ ଗତି କରି କିଛି ଘଣ୍ଟା ମଧ୍ୟରେ ଶକ୍ତିହୀନ ହୋଇଯିବ । ଓଡ଼ିଶାରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆହୁରି କିଛି ଦିନ ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉପକୂଳ ଓଡ଼଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ବର୍ତ୍ତମାନ ଥାଇଲାଣ୍ଡର ଗଲ୍ଫ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି କିଛି ଜିଲ୍ଲରେ ବର୍ଷା ସହ ପ୍ରବଳ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହା ସାଙ୍ଗକୁ ଝଟକା ପବନ ବହିବ । ଯାହାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।






