ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବୁଧବାର ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ପରମ୍ପରା ଅନୁଯାୟୀ ବୁଧବାର ସକାଳୁ ବାଜିଥିଲା ଡେଙ୍ଗୁରା । ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରାଯାଇଥିଲା ମା'ଙ୍କ ଯାତ୍ରା ବିଷୟରେ । ବୁଧବାର ସକାଳୁ ବାପା ଦେଶିବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ। ଏହା ପରେ ଦେଶିବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇବା କାର୍ଯ୍ୟକ୍ରମ ଆରମ୍ଭ କରି ସହରବାସୀଙ୍କୁ ଅବଗତ କରାଯାଇଛି। ଦେଶୀ ବେହେରାଙ୍କ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଯାତ୍ରାର ଦିନ ଧାର୍ଯ୍ୟ କରିଛନ୍ତି l
ଅସ୍ଥାୟୀ ମଣ୍ଡପ ଯାତ୍ରା ତାରିଖ ଘୋଷଣା କରିଛନ୍ତି ବାପା ଦେଶୀବେହେରା l ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୩ ତାରିଖ ଠାରୁ ଆରମ୍ଭ ହେବ ମା'ଙ୍କ ଯାତ୍ରା,୨୬ ଦିନ ବାପା ଘରେ ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା'ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା'ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।
ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା' ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା'ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା'ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।
No comments yet.
State
ଦ କୁଇଭର ବ୍ୟୁରୋ :- ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ। ୧୧ ତାରିଖରେ ଏହି ସହରଗୁଡ଼ିକର ତାପମାତ୍ରା ଆଉ ଟିକିଏ ବୃଦ୍ଧି ପାଇ ୪୧ ଡିଗ୍ରିରେ ପହଞ୍ଚିବ। ଏଥିସହ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ହେବାକୁ ଥିବା ବେଳେ ଅନୁଗୁଳ ଢେଙ୍କାନାଳ, ରାଉରକେଲା, ପାରଳାଖେମୁଣ୍ଡିରେ ୩୯ ଡିଗ୍ରି ହେବ। ୧୨ ତାରିଖ ବେଳକୁ ଅଧା ଓଡ଼ିଶା ୪୦ ଡିଗ୍ରି ଉପରକୁ ଡେଇଁଯିବ। ଅର୍ଥାତ୍ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସମେତ ଭୁବନେଶ୍ବର, ଖୋର୍ଦ୍ଧା, ବାରିପଦା, କଟକ, ମାଲକାନଗିରି ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିବ। ୧୩ ତାରିଖ ବେଳରେ ସମ୍ପୂର୍ଣ୍ଣ ଓଡ଼ିଶା ତତଲା ତାଉଆରେ ଭାଜି ହେବ। ଅର୍ଥାତ୍ ବରଗଡ଼, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ନୂଆପଡ଼ାଠାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି।ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ରୁ ୭ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେତିକି ତାପମାତ୍ରା ରହିବ ତାହା ସାଧାରଣ ଲୋକଙ୍କ ପାଇଁ ସହନଶୀଳ। ମାତ୍ର ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ଏହି ଗ୍ରୀଷ୍ମ ପ୍ରବାହ କ୍ଷତିକାରକ ହୋଇପାରେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଯେତେଦୂର ସମ୍ଭବ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
Politics,State
ଦ କୁଇଭର ବ୍ୟୁରୋ :- ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗରେ ବିକ୍ଷୋଭ କରିବ ଦଳ । ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ବିଧାନସଭାରେ ଦୁଇ ଦିନ କଂଗ୍ରେସ ହଙ୍ଗାମା କରିବା ପରେ ଶନିବାର ମହିଳା ଦିବସରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା । ଆଜି ଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ । ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରିବା ସହ ମହିଳାଙ୍କ ପାଇଁ ନ୍ୟାୟ ମାଗିବାକୁ କଂଗ୍ରେସ ବିକ୍ଷୋଭ କରିବ । ଏନେଇ ପିସିସି ସଭାପତି କହିଛନ୍ତି, ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି ସଭାପତି । କଂଗ୍ରେସ କହିଛି ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଦାବି କରୁଥିବା ଦଳ ମହିଳା ନିର୍ଯାତନାକୁ ରୋକିବାରେ ବିଫଳ। ବିଗତ ୮ ମାସରେ ୧୬୦୦ ଜଣ ମହିଳା ନିର୍ଯାତିତା ହୋଇଥିବା ଦଳ ପକ୍ଷରୁ ଅଭିଯୋଗ ଆସିଛି l ଏହି ଅଭିଯୋଗକୁ ଭିତ୍ତି କରି ଦଳ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ l
Sports,International
ଦ କୁଇଭର ବ୍ୟୁରୋ :-:ଦୀର୍ଘ ୧୨ବର୍ଷ ପରେ ଇତିହାସ ରଚିଲା ଭାରତ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଲା ରୋହିତ ବାହିନୀ । ତୃତୀୟ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ । ରୋହିତ୍ ଶର୍ମା ଏବଂ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂରେ ଧରାସାୟୀ ହେଲେ ନ୍ୟୁଜିଲାଣ୍ଡ ବୋଲର । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତର ବୃହତ ବିଜୟ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିବା ବେଳେ ଏହାର କଡ଼ା ଜବାବ ଦେଇଛି ଟିମ ଇଣ୍ଡିଆ । ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୪ ରନ କରି ନ୍ୟୁଜିଲାଣ୍ଡ ଠାରୁ ବଦଲା ନେଇଛି । ୨୫୧ ରନକୁ ପିଛା କରି ଭାରତ ପକ୍ଷରୁ ହିଟମ୍ୟାନ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍, ଶୁଭମନ ଗିଲ୍ ୫୦ ବଲରେ ୩୧, କୋହଲି ୦୧, ଶ୍ରେୟାସ ଆୟର ୪୮, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିବା ବେଳେ କେ.ଏଲ୍ ରାହୁଲ ୩୪ ଏବଂ ରବିନ୍ଦ୍ର ଜାଡେଜା ୯ ରନ କରି ଅପରାଜିତ ରହିଥିଲେ । ୧୨ବର୍ଷ ପରେ ପୁଣି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅଧିକାରୀ ହୋଇଛି ଭାରତ ।
ତେବେ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସମେତ ଦେଶର ସମସ୍ତ ମନ୍ତ୍ରୀଗଣ ଏବଂ ବିଶେଷ କରି କ୍ରିକେଟ ପ୍ରେମୀ ଙ୍କ ସହ ଜନସାଧାରଣ l ଦେଶର କୋଣ ଅନୁକୋଣରେ ବିଜୟୀ ର ଉଲ୍ଲାସ ପାଳନ କରାଯାଉଛି l
State
ବ୍ରହ୍ମପୁର ( ଦ କୁଇଭର ):- ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଉଭୟ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
State
ମୋହନା( ଦ କୁଇଭର ):- ଶୁଦ୍ଧ ଶବର ଜାତି ର ଲୋକଙ୍କୁ ମିଳୁନି ଜନଜାତି ପ୍ରମାଣପତ୍ର l ଏଥିପାଇଁ ଆଜି ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ l ସ୍ଥାନୀୟ ଶିବ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିବା ପରେ ମୋହନା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ପୂର୍ବରୁ ସେମାନଙ୍କୁ ଜନଜାତି ପ୍ରମାଣପତ୍ର ଦିଆଯାଉଥିଲା l କିନ୍ତୁ ଗତ କିଛି ବର୍ଷ ହେଲା ମୋହନା ତହସିଲ କାର୍ଯ୍ୟlଳୟ ରେ ଜନଜାତି ପ୍ରମାଣ ପତ୍ର ମିଳୁନାହିଁ l ଏଥିପାଇଁ ଆବେଦନ କଲେ ଜନଜାତି ତାଲିକାରେ ଶୁଦ୍ଧ ଶବର ନଥିବା କହି ଆବେଦନ ପତ୍ରକୁ ଆଗ୍ରlହ୍ୟ କରିଦେଉଛନ୍ତି l ଫଳରେ ସେମାନଙ୍କ ପିଲାମାନେ ଜନଜାତି ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି l ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l
Politics
ଭୁବନେଶ୍ୱର( ଦ କୁଇଭର ):- ଆଜି ବି ସରଗରମ ରହିବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ । ସେପଟେ ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼ । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।
ଅନ୍ୟପଟେ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିରୋଧୀ ବିଜେଡି ପ୍ରଶ୍ନ କରିଛି ।
State
ଦ କୁଇଭର ବ୍ୟୁରୋ :- ଆଗକୁ ବଢିବ ତାତି, କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ।ରାଜ୍ୟରେ ଆଗାମୀ ୫ ଦିନ ଲାଗି ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର l ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିବ ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ପଗଡି ଭିଡିବା, ଛତା ଧରି ଯିବା, ସୂତା କପଡା ପିନ୍ଧିବା, ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରିବା ନାହିଁ... ଆଦି ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
State,Politics
ଦ କୁଇଭର ବ୍ୟୁରୋ :- ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ଆସିଲା ବଡ଼ ଖବର । ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଏମିତିକି ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘନ ଘନ ରେଡ୍ କରିଥିଲା EOW। ଦୁଇ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି ।
ଅନ୍ୟପକ୍ଷରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ ହୋଇପାରିନଥାନ୍ତେ l
State
ଭଞ୍ଜନଗର(ଦ କୁଇଭର ):- ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଓ ଭଂଜନଗର ଥାନା ଅଞ୍ଚଳର ଭିନ୍ନଭିନ୍ନ ତିନୋଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ତାରାସିଙ୍ଗି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗାଁ ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରରେ ୨ ବଖରା ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି,ଏଠାରେ ଦୀପାଳୀ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି l ସେହିଭଳି ଭଂଜନଗର ଥାନା ଅନ୍ତର୍ଗତ ତୁରୁମୁ ନିକଟ କନ୍ଧବଞ୍ଜର ଗାଁ ରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର, ଦୁଇ ବଖରା ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇ ଯାଇଥିଲା । ପରେ ପରେ ଭଂଜନଗର ସହରକୁ ଲାଗିରହିଥିବା ସାଇ ମନ୍ଦିର ନିକଟ ରାସ୍ତା କଡ଼ରେ କୈାଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ, ଅଗ୍ନିକାଣ୍ଡ ଘଟି ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ସବୁ ଜଳି ଯାଇଥିଲା l ସମସ୍ତ ସ୍ଥାନରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
State
ଗଜପତି ( ଦ କୁଇଭର ):- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ତେବେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି l ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡ଼ା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସ ଖବର ପାଇଥିଲା l ରା.ଉଦୟଗିରି ଭାରପ୍ରାପ୍ତ ଏସଡିପିଓ ଅମିତାଭ ପଣ୍ଡାଙ୍କ ତତ୍ୱାବଧାନରେ ଓ ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି l ଗଞ୍ଜେଇ କୁ ମାଫିଆ ମାନେ ଅତି ଚତୁରତାର ସହ ବଡ଼ ବଡ଼ ପ୍ଲାଷ୍ଟିକ ଯାର ରେ ଭର୍ତି କରି ରଖିଥିଲେ l ଏହି ପ୍ଲାଷ୍ଟିକ ଯାର ରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ ମାଫିଆ l ହେଲେ ପୋଲିସ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଏସପି ସୂଚନା ଦେଇଛନ୍ତି
State
ଦ କୁଇଭର ବ୍ୟୁରୋ :-:ଆସୁଛି ରଙ୍ଗର ପର୍ବ ହୋଲି । ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସପି, ଡିଆଇଜି ଓ ଆଇଜିଙ୍କ ସହ ଡିସିପି ଓ ସିପିଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ଆଡଭାଇଜାରି ଜାରି ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନେ ପ୍ରସ୍ତୁତି ରହିଛନ୍ତି । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ତେବେ ଅସାମାଜିକ ଓ ଅପରାଧିକ ତତ୍ତ୍ବ ଗତିବିଧି ଉପରେ ନଜର ରଖିବ ପୋଲିସ ,ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି,,ପକେଟମାର, ମହିଳାଙ୍କ ପ୍ରତି ଅସଦାଚରଣ ବା କମେଣ୍ଟ ପାସ ଭଳି ପରିସ୍ଥିତି ନ ଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି,ମେଳଣ ସମୟରେ ଯେପରି ଲାଠି, ବାଣ ପ୍ରଦର୍ଶନ ବା ଅନ୍ୟାନ୍ୟ ଅଶୋଭନୀୟ ପ୍ରଦର୍ଶନ ନ କରାଯିବ ତା ଉପରେ ନଜର ରଖିବ ପୋଲିସ,,ଦୋଳ ମେଳଣ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବ,,ଜଳାଶୟ, ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ଆଲର୍ଟ ସହ ଫୋର୍ସ ମୁତୟନ କରାଯିବ,,ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ରେସ୍କ୍ୟୁ ଟିମ୍ ଆଲର୍ଟ ରହିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, "ହୋଲି ପାଇଁ ଆମର ଯେଉଁ ଆଡଭାଇଜରି ଦିଆଯିବା କଥା ତାହା ପଠା ସରିଛି । ସେଥି ପାଇଁ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯିବା କଥା ସେ ସବୁ କରାଯାଉଛି ।
ଅନ୍ୟପକ୍ଷରେ ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ। ମଦ୍ୟପାନ କରି କୌଣସି ବ୍ୟକ୍ତି ନଦୀ କିମ୍ବା ପୂଲ୍କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ପିସିଆର l ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।
State
ପାରଳାଖେମୁଣ୍ଡି( ଦ କୁଇଭର ):- ପାରଳାଖେମୁଣ୍ଡି ସହରର ନଗରମପଲ୍ଲୀ ସାହିର ଏକ ଭଡ଼ା ଘରେ ସ୍ବାମୀର ତଣ୍ଟି କାଟି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ତ୍ରୀ ହାରୀ ରଇତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଜତିନ୍ଦ୍ର କୁମାର ପଣ୍ଡା। ସୂଚନା ପ୍ରକାରେ ଗୁଣୁପୁର ଥାନା ଅନ୍ତର୍ଗତ ମାଛଖୁଣ୍ଟି ଗାଁ ଠାରୁ ଆସି ସ୍ବାମୀ ସ୍ତ୍ରୀ ଦୁହେଁ ଦୁଇ ମାସ ହେଲା ନଗରମପଲ୍ଲି ସାହିରେ ଭଡ଼ାଘରେ ରହୁଥିଲେ । ପାରଳାଖେମୁଣ୍ଡି ସହରରେ ଚାକିରି ମିଳିବ କହି ସ୍ତ୍ରୀ ହାରୀ ରଇତ ସ୍ବାମୀ ମେଦେଲା ଜଗଦିଶକୁ ସାଥିରେ ନେଇ ଚାଲି ଆସିଥିଲେ। ଅନେକ ସମୟରେ ସ୍ବାମୀ ସ୍ତ୍ରୀ ପରସ୍ପରଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ହାର ରଇତ ଉକ୍ଷିପ୍ତ ହୋଇ ଏକ ଛୁରା ସାହାଯ୍ୟରେ ସ୍ବାମୀଙ୍କୁ ଆକ୍ରମଣ କରି ହତ୍ୟା କରି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଅଭିଯୁକ୍ତ ସ୍ବୀକାର କରିଛି। ପୋଲିସ ଆଗରେ ହତ୍ୟାର ଡେମୋ ଦେଖାଇବା ସହ ହତ୍ୟାରେ ବ୍ୟବହୃତ ଛୁରା ସହ ପର୍ଯ୍ୟାପ୍ତ ପ୍ରମାଣ ପାଇଥିବା କହିଛନ୍ତି ଏସପି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।
Politics
ଦ କୁଇଭର ବ୍ୟୁରୋ :- ଏବେ ମଧ୍ୟ ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜୁ ଜନତା ଦଳ l ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ ରହି ଭେଟୁଛନ୍ତି ନେତା ଓ ବିଧାୟକ ମାନଙ୍କୁ । ଭୁବନେଶ୍ୱର ସାଂସଦ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିବାହ ପରେ ନବୀନ ନିବାସରେ ଉଠାଯାଇଥିବା ଫଟୋ, ଯେଉଁଥିରେ ପାଣ୍ଡିଆନଙ୍କ ସହ ସ୍ପଷ୍ଟ ଭାବେ ଉଠାଯାଇଛି, ତାକୁ ନେଇ ଏବେ ଜୋର ଚର୍ଚ୍ଚା l ଦ୍ବିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ବ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ । ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା ।
ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପର୍ଯ୍ୟନ୍ତ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ ।
ତେବେ ଦେଖାଯାଉ ଆଗକୁ ପାଣ୍ଡିଆନ କେଉଁ ଭୂମିକାରେ ସାମ୍ନାକୁ ଆସୁଛନ୍ତି l
Politics,State
ଭୁବନେଶ୍ୱର( ଦ କୁଇଭର ):- ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖାଦେଇଛି । ଆଜି ସାମ୍ବାଦିକ ମାନଙ୍କର ମୋବାଇଲକୁ ବାରଣ କରାଯାଇଛି । ବିଧାନସଭାର ସାମ୍ବାଦିକ ଗ୍ୟାଲେରୀ କୁ ଯିବା ବାଟରୁ ସିକ୍ୟୁରୀଟି ଚେକ ନାମରେ ମୋବାଇଲକୁ ରଖି ଦିଆଯାଇଛି । ଏହାକୁ ନେଇ ତାତିଛନ୍ତି ସାମ୍ବାଦିକ ମାନେ । ଗାନ୍ଧୀମୂର୍ତ୍ତି ପାଖରେ ଧାରଣା ବି ଦେଇଛନ୍ତି । ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା ବି କରିଛନ୍ତି ।
ପ୍ରସଙ୍ଗ ହେଉଛି, ଆମ ଜନପ୍ରତିନିଧି ମାନଙ୍କର ଇଜତକୁ ଲାଗିବା । ଗତକାଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ମାନେ ଧସ୍ତାଧସ୍ତି ହୋଇଥିଲେ, ମାଡ଼ପିଟ ବି ହୋଇଥିଲା, ବିରୋଧୀଙ୍କ ଆଡ଼ୁ ସରକାରଙ୍କ ଟ୍ରେଜେରୀ ବେଞ୍ଚ ଉପରକୁ ଫାଇଲ ଫିଙ୍ଗାଫୋପଡ଼ା ବି ହୋଇଥିଲା । ପୁରା ରଣକ୍ଷେତ୍ର ପାଲଟି ଯାଇଥିଲା ବିଧାନସଭା । କେହି କାହାକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏଭଳି ସ୍ଥିତିରେ ମୋବାଇଲରେ ରେକର୍ଡ କରିନେଇଥିଲେ ସାମ୍ବାଦିକ ମାନେ । ସାମ୍ବାଦିକ ଗ୍ୟାଲେରୀରୁ ସବୁ ରେକର୍ଡ ହୋଇ ଖବର ବାଜିଲା । ଏହାକାଳେ ଆମ ଜନପ୍ରତିନିଧିମାନଙ୍କର ଇଜତକୁ ଲାଗିଯାଇଛି ।
ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ପବିତ୍ର ଗୃହରେ ବା ଆଇନର ମନ୍ଦିରରେ ମାଡ଼ପିଟ ହବା, ଔଦ୍ଧତ୍ୟାମୀ ଦେଖାଇବା, ଅଭାଦ୍ରାମୀ କରିବା । ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କ ମାଡ଼ପିଟ, ତାଙ୍କ ମୂର୍ଖାମୀ, ତାଙ୍କ ଔଦ୍ଧତ୍ୟତା ଜନସାଧାରଣଙ୍କ ପାଖରେ ପହଞ୍ଚିଯିବା । ସେଥି ପାଇଁ ସମସ୍ତେ ଉତକ୍ଷିପ୍ତ ।ଏହାପରେ ନିଜ କାରନାମା ଲୁଚାଇବା ପାଇଁ ସରକାରୀ ଭାବେ ନିର୍ଦେଶ ଦେଇ ମୋବାଇଲ ବନ୍ଦ କରିଦିଆଯାଇଛି । ତେଣୁ ଏ ଜନ ପ୍ରତିନିଧିମାନେ ବିଧାନସଭା ଭିତରେ ମାଡ଼ପିଟ ଲାଗନ୍ତୁ ବା ଗଡ଼ାତଡ଼ା ଲାଗନ୍ତୁ ଆଉ କିଛି ପଦାକୁ ଯିବନି । ନା ମୋବାଇଲ ଥିବ ନା ପଦାକୁ ଯିବ ।
ଏଠି ଆମେ ଆଇନ କଥା କହୁଛୁ । ବିଧାନସଭାର ପ୍ରତେ୳କଟି କାର୍ଯ୍ୟକୁ ସାମ୍ବାଦିକ ମାନେ ଯଦି ରେକର୍ଡ କରିବା ପାଇଁ ଅନୁମତି ଅଛି । କିନ୍ତୁ ଏ ଅନୁମତି ସତ୍ୱେ, ଯଦି ସାମ୍ବାଦିକମାନେ ରେକର୍ଡ କଲେ ତାହେଲେ ଅସୁବିଧା କେଉଁଠି ରହିଲା । ବିଧାସଭା ଭିତରେ ଏମାନଙ୍କ ଅପକର୍ମ, କୁକର୍ମକୁ ଯଦି ସାମ୍ବାଦିକ ମାନେ ଲୋକଙ୍କ ସାମ୍ନାକୁ ଆଣିଲେ, ଏହା କଣ ସାମ୍ବାଦିକ ମାନଙ୍କର ଅପରାଧ । ଏମାନେ ଜନସାଧାରଣଙ୍କ ସମସ୍ୟାକୁ ଛାଡ଼ି ମାଡ଼ପିଟ ଲାଗିଯାଉଛନ୍ତି ରାଜନୀତି କରିବା ପାଇଁ ।
ସରକାର ଏହାକରି ଗଣତନ୍ତ୍ରର କେବଳ କଣ୍ଠରୋଧ କରିନାହାନ୍ତି, ମୌଳିକ ଅଧିକାର କହିବାର ସ୍ୱାଧୀନତା ଉପରେ ବି ହସ୍ତକ୍ଷେପ କରିଛନ୍ତି । ବାକ ସ୍ୱାଧୀନତାକୁ ତାଲା ପକାଇବା ପାଇଁ ଆରମ୍ଭ କରିଛନ୍ତି ମୋହନ ସରକାର । ମୋହନସରକାରଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତତ୍କାଳ ବିଧାସଭାର ପ୍ରତେକଟି କାର୍ଯ୍ୟକୁ ଲାଇଭ କରାଯାଉ ଏବଂ ବିଧାନସଭାରେ ତାଙ୍କ ଲୋକମାନଙ୍କର ପ୍ରତିନିଧିମାନେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସାମ୍ନାକୁ ଅଣାଯାଉ । ଅନ୍ୟଥା ମୋହନସରକାର, କଳଙ୍କିତ ଅଧ୍ୟାୟ ଲେଖିବାର ପ୍ରଥମ ଲେଖକ ହିଁ ହେବେ ।
State
ଦ କୁଇଭର ବ୍ୟୁରୋ :- ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଆନନ୍ଦପୁର ମହାବିଦ୍ୟାଳୟ ୬୧ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିବା ପାଇଁ ହେଲିକପ୍ଟର ଯୋଗେ ଆନନ୍ଦପୁର ଟିଭିଷ୍ଟାଡିୟମ ଠାରେ ଅପରାହ୍ନ ୧୨ ଘଣ୍ଟିକା ସମୟରେ ପହଞ୍ଚିବା ଥଲେ। ଆନନ୍ଦପୁର ଷ୍ଟାଡିୟମ ଠାରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ, ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ବିଜେପି ବରିଷ୍ଠ ନେତା ଶ୍ରୀ ରାମଚନ୍ଦ୍ର ସାହୁ, ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ଓକିଲ ସଂଘ ସଭାପତି ଚିତ୍ତରଂଜନ ଦାଶ, କ୍ରୀଡା ସଂସଦ ସଂପାଦକ ନବରଞ୍ଜନ ପଟ୍ଟନାୟକ, ନିରାକାର ଦଳେଇ, ଦୀପକ କୁମାର ଜେନା, ଶ୍ରୀଧର ସାହୁ, ଆନନ୍ଦପୁର ମୁନିସିପାଲିଟି ନଗରପାଳ ସୁଶ୍ରୀ ରଜନୀରାନୀ ଖଟୁଆ,ଉପନଗରପାଳ ଦୁର୍ଗା ଦଲେଇ,ଶ୍ରୀମତୀ ଅସିମା ମିଶ୍ର, ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ଦୀପ୍ତି ଖୁଣ୍ଟିଆ, ବବିତା ଶତପଥୀ, ପ୍ରଶାନ୍ତ କୁମାର ମହାପାତ୍ର, ସରୋଜ କୁମାର ସାହୁ, ବିନୋଦ କୁମାର ମିଶ୍ର, ମୁରଲୀଧର ମିଶ୍ର, ଗଗନ ସିଂ, ରମେଶ ସିଂ, ସନଦ କର, ବନମାଳୀ ସେଠୀ, ସୁରେଶ ସାହୁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଡିଆର ଚାରିକଡରେ ବୁଲି ଉପସ୍ଥିତ ହଜାର ହଜାର ଜନସାଧାରଣ କୁଂ ଅଭିବାଦନ ଜଣାଇଥିଲେ। ହଜାର ହଜାର ନରନାରୀ ହୁଲହୁଲି ଓ ମୋହନ ଚରଣ ମାଝି ଜିନ୍ଦାବାଦ ରେ ପ୍ରକମ୍ପିତ ହେଇଥିଲା। ପରେ ଏକ ସୁସଜ୍ଜିତ ଜିପ୍ ରେ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ କୁଂ ଆନନ୍ଦପୁର ମହାବିଦ୍ୟାଳୟ ପଯ୍ୟନ୍ତ ନିଆଯାଇଥିଲା।
National,Health & lifestyle
ଦ କୁଇଭର ବ୍ୟୁରୋ :- ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ । ବୁଧବାର ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବ । ବୈଠକର ତଥ୍ୟ ଅନୁଯାୟୀ ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୦୩ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ । ଏହି ଦୁଇଟି ଯୋଜନା ଯଥା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ ।
ଏହାଦ୍ୱାରା ରାଜ୍ୟର ସମୁଦାୟ ୩.୫୨ କୋଟି ଲୋକ ଉପକୃତ ହେବେ। ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ । ଏଥିରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ ।
State
ମୟୁରଭଞ୍ଜ( ଦ କୁଇଭର ):- ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି,ଯଡିବିଲ ଗ୍ରାମରେ ଥିବା ଆୟୁଷମାନ ଆରୋଗ୍ୟ କେନ୍ଦ୍ରରୁ ଜଣେ କାର୍ଯ୍ୟରତ ମହିଳା କମୁନିଟି ହେଲଥ ଅଫିସରଙ୍କୁ ଜଣେ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ବେକରେ ପିନ୍ଧିଥିବା ସୁନା ଚେନକୁ ଲୁଟି ଫେରାର ହୋଈ ଯାଇଥିବା ଜଣା ପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଜିଆଣି ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ମହିଳା ସିଏଚଓ କାର୍ଯ୍ୟରତ ଥିବା ବେଳେ ଦିନ ପ୍ରାୟ ୧୧ ଘଟିକା ୩୦ ମିନିଟ୍ ସମୟରେ ଜଣେ ଯୁବକ ବାଇକ ଯୋଗେ ରୋଗି ହୋଇ ଆସି ତାଙ୍କୁ ପେନ କ୍ଲିୟର ଇଂଜେକସନ ମାଗିଥିଲେ। ଉଭୟଙ୍କ ମଧ୍ୟରେ ଆଲେଚନା ଚାଲିଥିବା ବେଳେ ସେହି ସମୟର ଭିତରେ ଦୁର୍ବୁତ୍ତ ଜଣକ ଟେବୁଲରେ ଥିବା ସିଏଚଓ ଙ୍କ ମୋବାଇଲକୁ ନେଇ ଯାଇ ତାଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଧମକାଇ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ଦେବାକୁ କହିଥିଲା।ଭୟଭୀତ ହୋଈ ମହିଳା ସିଏଚଓ ଟ୍ୱିଙ୍କିଲ ବେହେରା ପିନ୍ଧିଥିବା ସୁନା ଚେନକୁ ଦୁର୍ବୁତ୍ତ ଜଣକୁ ଦେଇ ଦେଇଥିଲେ।ସୁନା ଚେନକୁ ନେବା ପରେ ଦୁର୍ବୁତ୍ତ ଜଣକ ନେଇଥିବା ତାଙ୍କ ମୋବାଇଲ କୁ ବାହାରେ ଫୋପାଡ଼ି ଦେଇ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ।ପରେ ସିଏଚଓ ଜଣକ ଲୁଟ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କୁ ଆଧାର କରି ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୨୨/୨୫ ଅନୁଯାୟୀ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କରଞ୍ଜିଆ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହେବା ସହିତ ଅଭିଯୁକ୍ତ ମାନଙ୍କ କୌଣସି ଟେର ପାଉନି ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜର ଧରିଛି।ଅନ୍ୟ ପକ୍ଷରେ ଏହି ଘଟଣା ପରେ ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳି ଯାଇଛି।
State
ନୂଆପଡା( ଦ କୁଇଭର ):-- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଉପାନ୍ତ ଇଲାକା ଶରଧାପୁର ଠାରେରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ସରକାର ଙ୍କ ୱାଟରସେଡ ଯାତ୍ରା ୨୦୨୫ l ଏଥିରେ ସାମିଲ ହେଲେ ହଜାର ଶହଶହ ହିତାଧିକାରୀ ଙ୍କ ସହ ଅଞ୍ଚଳବାସି l ଜଳ, ଜମି, ଜଙ୍ଗଲ ର ସରଂକ୍ଷଣ ଉପରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ର କାର୍ଯ୍ୟକାରିତା ନେଇ ହେଲେ ସଚେତନ l ବିଭିନ୍ନ ବିଭାଗ ର ଷ୍ଟଲ ବୁଲିବା ସହ ଅନେକ ଚାଷ ଏବଂ ତାର ଲାଭବନ ଉପରେ ଜାଣିଲେ ଉପାନ୍ତ ବାସି l ଖଡ଼ିଆଳ ଜଳବିଭାଜିକା ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧି ଆୟୋଜନ କୁ କଲେ ଭୂରିଭୂରି ପ୍ରଶଂସା ।
ଉପାନ୍ତ ବଣ ପାହାଡ଼ ଘେରା ସରଧାପୁର ଗାଁରେ ୱାଟରସେଡ ଯାତ୍ରା ୨୦୨୫ l ଏଥିରେ ସାମିଲ ହେଲେ ଶହଶହ ହିତାଧିକାରୀ ଙ୍କ ସହ ସ୍ଥାନୀୟ ଜନସାଧାରଣ l ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ହେଲେ ଅବଗତ ତାର ଲାଭ ନେବା ପାଇଁ କଲେ ଶପଥ l ଏ ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ର ବଣ ପାହାଡ଼ ଘେରା ଉପାନ୍ତ ସରଧାପୁର ଗାଁ l ଏଠାରେ ଓଡିଶା ସରକାର ଙ୍କ ଖଡ଼ିଆଳ ଜଳ ବିଭାଜିକା ମୃତିକା ସରଂକ୍ଷଣ ପ୍ରକଳ୍ପ ଦ୍ୱାରା ଆୟୋଜନ ହୋଇଛି ୱାଟରସେଡ ଯାତ୍ରା ୨୦୨୫ l ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଶୁ ସମ୍ପଦ, କୃଷି ସମ୍ପଦ, ଉଦ୍ୟାନ ବିଭାଗ, ମୃତିକା ସରଂକ୍ଷଣ, ମତ୍ସ୍ୟ ସମ୍ପଦ ଷ୍ଟଲ ଲାଗିଥିଲା ଏବଂ ଷ୍ଟଲ ବୁଲି ଲୋକେ ବିଭିନ୍ନ ବିଷୟ ରେ ଅବଗତ ହୋଇଥିଲେ l ମାଟି, ଜଳ କୁ କେମିତି ସରଂକ୍ଷଣ କରି ତାର ସୁରକ୍ଷା ଦେବା ଏବଂ ତାକୁ କେମିତି ସଦଉପଯୋଗୀ କରିବା ସେ ନେଇ କାର୍ଯ୍ୟକ୍ରମ ରେ ବାର୍ତ୍ତା ଦେଇ ସଚେତନ କରାଯାଇଥିଲା ଏଥିରେ ନିଶ୍ଚୟ ଆମେ ଉପକୃତ ହେବୁ ବୋଲି ବିଭାଗ କୁ ଧନ୍ୟବାଦ୍ ଦେଲେ ହିତାଧିକାରୀ l
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ରେ ଅଧିକାଂଶ ଚାଷୀ କେମିତି ଲାଭନ୍ୱିତ ହେବେ l ସେ ଉପରେ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ବିଭିନ୍ନ ସହାୟତା ଉପରେ ଉପାନ୍ତ ବାସି ସଚେତନ କରିବା ଉଦ୍ଦେଶ୍ୟ ନେଇ ୱାଟର ସେଡ ଯାତ୍ରା ୨୦୨୫ କୁ ଆୟୋଜନ କରି ଏକ ସଚେତନତା ରଥ ଶୁଭରମ୍ଭ କରାଯାଇ ୱାଟରସେଡ ଯାତ୍ରା ମାଧ୍ୟମ ରେ ଲୋକଙ୍କୁ ସଚେତନ କରାଯାଇଥିଲା l ଏହି ଅବସରରେ ୱାଟର ସେଡ ଯୋଦ୍ଧା ଏବଂ ମହିଳା ମାନଙ୍କୁ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଥିଲା l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକଙ୍କୁ ସଚେତନ କରାଯାଇ ଲୋକଙ୍କୁ ଦିନ ତମାମ ବାନ୍ଧି ରଖା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଯୋଗଦେଇ ଲୋକେ ସଚେତନ ହେଲେ ହିଁ ସରକାର ଙ୍କ ଯୋଜନା ର ସଫଳ ରୂପାୟନ ହୋଇ ଲୋକେ ଲାଭାନ୍ଵିତ ହୋଇପାରିବେ ବୋଲି ଉଭୟ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହ ଜିଲ୍ଲାପାଳ କହିଛନ୍ତି ।
ସରକାର ଙ୍କ ଜଳ ବିଭାଜିକା ପ୍ରକଳ୍ପ ର ୱାଟର ସେଡ ଯାତ୍ରା ୨୦୨୫ କାର୍ଯ୍ୟକ୍ରମ କୁ ଉପାନ୍ତ ବାସି ବେଶ ପ୍ରଶଂସା କରିଥିବା ବେଲେ ବିଭିନ୍ନ ବିଷୟ ରେ ଅବଗତ ହୋଇଛନ୍ତି l ଆଗାମୀ ଦିନରେ ଏହାର ଲାଭ ସ୍ଥାନୀୟ ଅଞ୍ଚଳ ବାସୀ ଉଠାଇ ସରକାର ଙ୍କ ଯୋଜନା କୁ ସଫଳ କରିବେ ଏଥିରେ ସନ୍ଦେହ ନାହିଁ ।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପୃଥ୍ବୀରାଜ ମଣ୍ଡଳ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ।ପରିଡ଼ା ଗ୍ରାମ ପଞ୍ଚାୟତ ସମେତ ଗାଇବା,ବୃଷଭ ଓ ବାଇଝାଲ ପଞ୍ଚାୟତର ସମୁଦାୟ ମୋଟ ୭୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୭ଟି ଓ ଗ୍ରାମ ଭିତ୍ତିକ ସମସ୍ୟା- ୪୪ଟି ଅଭିଯୋଗ ରହିଥିବା ବେଳେ ସେଥିମଧ୍ୟରୁ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ,ରାସନ୍ କାର୍ଡ,ଶିକ୍ଷା,ଜଳ ସେଚନ,ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ନେଇ ଅଭିଯୋଗ ଆସିଥିଲା।ସେହିପରି ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲାରାମ ମାରାଣ୍ଡି,ତହସିଲଦାର ଦେବୀ ପ୍ରସନ୍ନ ସ୍ୱରସ୍ୱତ,ଜିଲ୍ଲା ମୁଖ୍ୟ ଚିକିତ୍ସା,ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।