Banner Ad

ଏଫ୍‌ଏମ୍‌ କଲେଜରେ କଳଙ୍କ: ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଜଳିଗଲେ ଛାତ୍ରୀ

ଏଫ୍‌ଏମ୍‌ କଲେଜରେ କଳଙ୍କ: ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଜଳିଗଲେ ଛାତ୍ରୀ
Published by : Jyotshna Kumari
#Education
Jul 13, 2025, 10:28 AM

ବାଲେଶ୍ୱର ( ଦ କୁଇଭର ):- ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି। ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର। ‌‌ସେ ଏଫ୍‌ଏମ୍‌ କଲେଜରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ କର୍ମକର୍ତ୍ତା। ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ। ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ। ପ୍ରାୟ ୩ ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ତେବେ, ଏଥିରେ ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି। ଶନିବାରଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଛାତ୍ରୀଜଣକ କମିଟିର ରିପୋର୍ଟ ସମ୍ପର୍କରେ ପଚାରିବାକୁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ଅଧ୍ୟକ୍ଷ ତାଙ୍କୁ ସମାଧାନ କରିବାକୁ ଚାପ ପକାଇବା ସହ ବଦନାମର ଭୟ ଦେଖାଇଥିଲେ ବୋଲି କୁହାଯାଉଛି। ଏହାପରେ ଛାତ୍ରୀଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଶରୀରରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁକ୍ତ ୩ର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ବିଦ୍ୟୁତ୍‌ ବେଗରେ ପ୍ରଚାରିତ ହେବାପରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଏସ୍‌ପି ରାଜପ୍ରସାଦ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଅପରାହ୍‌ଣ ସାଢ଼େ ୬ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରୀଙ୍କ ଅଭିଭାବକ, ଏସ୍‌ପି, ସାଂସଦ ପ୍ରମୁଖଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି କ’ଣ ରିପୋର୍ଟ ଦେଇଥିଲା, ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି ରାଜପ୍ରସାଦ କହିଛନ୍ତି, ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଯଦି କିଛି ତ୍ରୁଟି ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମହାବିଦ୍ୟାଳୟରେ ଗଠିତ ହୋଇଥିବା ଆଇସିସି କମିଟି ସମ୍ପର୍କରେ ପୁଲିସ ଅବଗତ ଥିଲା; ଏହାସତ୍ତ୍ବେ ପୁଲିସ ତତ୍ପରତା ଦେଖାଇ ନଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି, ପୀଡ଼ିତା ଏ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ ମଧ୍ୟ କାହିଁକି ନ୍ୟାୟ ପାଇଲେନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ପରେ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆସିଛି। କଲେଜର ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ସହକାରୀ ପ୍ରଫେସର ବ୍ୟାକ୍‌ ଲଗାଇ ଦେବା, ଫେଲ୍‌ କରିଦେବା ଆଦି ଭୟ ଦେଖାଇ ବିଭିନ୍ନ ଉପାୟରେ ହଇରାଣ କରି ଆସୁଥିଲେ। ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଗତ ୧ ତାରିଖରେ ଏ ନେଇ ଅଭିଯୋଗ କରିବା ପରେ ୨ ତାରିଖରେ ୩ ଜଣ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ମହାବିଦ୍ୟାଳୟରେ ପୁଲିସର ତଦନ୍ତ ବେଳେ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।


ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇପଡ଼ିଥିବା ଛାତ୍ରୀଙ୍କୁ ଶନିବାର ଅପରାହ୍ନରେ ଏମ୍‌ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଏ ନେଇ ଏମ୍‌ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି। ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି। ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି। ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ। ଚେତା ଫେରିବା ପରେ ଯାହା କିଛି କହିହେବ। ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ଏମ୍‌ସ ନିକଟସ୍ଥ ଧର୍ମଶାଳାରେ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ଏମ୍‌ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଘଟଣା ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ‘ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ତ୍ବରିତ୍‌ ପଦକ୍ଷେପ ସ୍ବରୂପ ଏଚ୍‌ଓଡିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଏକ ଟିମ୍‌ ସହିତ ଆଲୋଚନା କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରୢାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ଘଟଣା ଘଟିବା ତ ଦୂର କଥା, ଏ ନେଇ କେହି ଚିନ୍ତା ମଧ୍ୟ କରିବେ ନାହିଁ।’ ଛାତ୍ରୀଜଣକ ରିପୋର୍ଟ କରିବା ସମୟରେ ସରକାରଙ୍କୁ କାହିଁକି କଲେଜ କର୍ତ୍ତୃପକ୍ଷ ଅବଗତ କଲେ ନାହିଁ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଏହି ଘଟଣାରେ ଓଡ଼ିଶା ଅଭିଭାବକ ମହାସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ତ୍ୱରିତ୍‌, ତୁରନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ଏଥିରେ ସମ୍ପୃକ୍ତ ଓ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତୁରନ୍ତ ଗିରଫ ପାଇଁ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଦାବି କରିଛନ୍ତି। ଏଥି ସହିତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିସନଙ୍କୁ ମହାସଂଘ ଉପଦେଷ୍ଟା ମନୋଜ ଜେନା ଅନୁରୋଧ କରିଛନ୍ତି l

Leave a Comment

Comments

No comments yet.

Best Biofloc Fish Farming

ad
Read more

State,National,Politics

ରାହୁଲ ଓ ମୋଦୀଙ୍କ ଉପରେ ବର୍ଷିଲେ ସୁର

Blog Thumbnail

ଦ କୁଇଭର ବ୍ୟୁରୋ - ଆଃ ଥୁ.... କି ଲଜ୍ଜା.... ବେକାର କଥା.... ଏପରି କହୁଥିବା ସଭିଙ୍କ ପ୍ରିୟର ମଣିଷ ଟିଏ ହେଉଛନ୍ତି ନିଜକୁ ରାଜନୀତି ପ୍ରତି ସମର୍ପଣ ଦେଇଥିବା ସୁର ରାଉତରାୟ l ସର୍ବଦା ସତ୍ୟ କହି ଚର୍ଚ୍ଚାରେ ରୁହନ୍ତି, ଆଉ ସମସ୍ତଙ୍କ ଭୁଲ କୁ ରୋକ ଠୋକ କହିଦିଅନ୍ତି l କୁହାଯାଏ, ରାଜନୀତିର ABCD ସବୁ ସେ ଜାଣନ୍ତି, ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିଧାନସଭା ର ସେ ଜଣେ ବରିଷ୍ଠ ସଦସ୍ୟ ଯିଏ କଂଗ୍ରେସ ପ୍ରତି ନିଜକୁ ପୂର୍ଣ୍ଣ ସମର୍ପଣ ଦେଇଛନ୍ତି, ସୁର ରାଉତରାୟ l


ଗତ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ କଥା କଥାକେ କହିଥିଲେ ଯେ, ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ଓଡିଶା ମାଟିକୁ ଭଲ ପା'ନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କୁ ଭଲପାନ୍ତି ବୋଲି ଆମେରିକା ନ ଯାଇ ଓଡିଶା ଆସିଲେ l ଏକଥାକୁ କଟାକ୍ଷ କରିଛନ୍ତି ସୁର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଲାଯୁଗ ବୋଲି କହିଛନ୍ତି l


ସେହିପରି ଜୁଲାଇ ୧୧ ତାରିଖଦିନ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ l ଆଉ ସେ ମଧ୍ୟ ଶ୍ରୀ ଜଗନ୍ନାଥ ବିରୋଧୀ କଥା କହିଥିବା ସୁର ରାଉତରାୟ କହିଛନ୍ତି ଯାହାକୁ ସେ ତିବ୍ର ନିନ୍ଦା କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି l

National,State

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।

State

ପିଉସୀକୁ ପ୍ରେମବିବାହ କରି କଙ୍ଗାରୁ କୋର୍ଟରେ ପାଇଲେ ଦଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।


କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

State

ଗଞ୍ଜାମ ଓକିଲ ସଂଘର ନୂତନ କୋଠା ଭିତ୍ତିପ୍ରସ୍ତର ସକାଶେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓକିଲ ସଂଘର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅବ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଳ ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଆଇନଜୀବୀଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟାକୁ କିଭଳି ଭାବେ କାର୍ଯ୍ୟକାରି କରାଯିବ ସେଥି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା l ବୈଠକର ଆରମ୍ଭ ରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୂର୍ଣ୍ଣସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ

ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି.ଏଲ.ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l

State,Politics

ବିଜେପିର ଚାଲ ନା ବିଜେଡ଼ିର ଭୁଲ ?

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଅର୍ଚ୍ଚନା ନାଗଙ୍କ କଥାକୁ ନେଇ ବିଜେଡ଼ିରେ କମ୍ପନ ଦେଖାଦେଇଛି । ନବୀନ ସୁସ୍ଥ ହୋଇ ଫେରିବା ଖୁସି ପାଳନ କରିବେ କଣ ଏବେ ବିଜେଡ଼ି ଭିତରେ ଅର୍ଚ୍ଚନାଙ୍କ ଚର୍ଚ୍ଚା । ଅର୍ଚ୍ଚନା ନାଗ ତାଙ୍କ ଦ୍ଵିତୀୟ ପାଳି ଆକ୍ରମଣରେ ବିଜେଡିକୁ କ୍ଷତାକ୍ତ କରିବା ପାଇଁ ପ୍ଲାନ କରିଛନ୍ତି । ବିଜେଡ଼ି ବି କିଲବିଲ ହେଉଛି । ସିଧା ଟାର୍ଗେଟ ବବି ଆଉ ମାନସ । ବବି ଓରଫ ପ୍ରଣବ ପ୍ରକାଶ ଦାଶ ଏବଂ ଏମପି ମାନସ ମଙ୍ଗରାଜ, ତା ଛଡ଼ା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ସବୁବେଳେ ସ୍ୱର ଉଠାଉଥୁବା ଅମରେଶ ଜେନାଙ୍କ ପାଞ୍ଜି ଖୋଲିଛନ୍ତି । ଗୋଟିଏ ଗୋଷ୍ଠିରେ ଥିବା ଏହି ତିନି ଜଣଙ୍କୁ ଏକାଥରେ ଟାଣି ପଦାରେ ପକାଇଦେଇଛନ୍ତି ଅର୍ଚ୍ଚନା ।


ନବୀନ ପଟନାୟକଙ୍କ ଫେରିବା ଖୁସି ନେଇ ବିଜେଡିର ସମସ୍ତେ ଉତ୍ସାହୀ ଥିଲେ । ବିଜେଡ଼ି ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ଲାଗିଥିଲା । ଏଇଠୁ ହିଁ ବାର୍ତ୍ତା ଦେଇଥାନ୍ତା ନବୀନ ଫେରିଲେଣି ପୁଣି ବିଜେଡ଼ି ଉଠିବ । ଠିକ ସମୟରେ ବିଜେଡ଼ିକୁ ଶକ୍ତ ଧକା ଦେଇଛନ୍ତି ଅର୍ଚ୍ଚନା ନାଗ । ଏହା ହୁଏତ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଥାଇପାରେ କିନ୍ତୁ ଅର୍ଚ୍ଚନାଙ୍କ ଝଟକା ବିଜେଡ଼ିକୁ ଲାଗିଛି । ଭିତରେ ଭିତରେ ସମସ୍ତେ ଘୁଣି ହେଉଛନ୍ତି । ହେଲା ତ ହେଲା ବବି ଓ ମାନସଙ୍କ ଉପରେ ବାଜିଲା । ଅମରେଶ ଓରଫ ବାଇଁଆଙ୍କ ଉପରେ କହିଥିଲେ କିଛି ସେମିତି ଫରକ ପଡ଼ିନଥାନ୍ତା । କିନ୍ତୁ ବବି ଓ ମାନସଙ୍କ ବିରୁଦ୍ଧରେ ଯେଉଁ ସତ ବାହାରିଛି, ତାହା ବର୍ତ୍ତମାନ ବିଜେଡ଼ିରେ ହଲଚଲ କରୁଛି । ସତରେ ଯଦି ଏହା ଉପରେ ତଦନ୍ତ ଆରମ୍ଭ ହେବ, ତାହେଲେ ବିଜେଡ଼ି ଟା ନାରୀ କେଳେଙ୍କାରୀରେ ଫସିଯିବ । ଯେମିତି କଂଗ୍ରେସ ଛବିରାଣୀ ଓ ଅଞ୍ଜନାଙ୍କ ଭଳି ନାରୀ କେଳେଙ୍କାରୀରେ ଫସି କ୍ଷମତାରୁ ପଳେଇଛି, ବିଜେଡ଼ି ସେହିଭଳି ସ୍ଥିତିକୁ ଆସିଯାଇପାରେ ।


ଛବିରାଣୀ ଓ ଅଞ୍ଜନାଙ୍କ ମାମଲାରେ କଂଗ୍ରେସ ଏବେ ପର୍ଯ୍ୟନ୍ତ ସଢ଼ିଗଲାଣି । ଲୋକେ ଆଉ ଭରସା କରୁନାହାନ୍ତି । ଅର୍ଚ୍ଚନା ନାଗଙ୍କ କଥା ଯଦି ସାମ୍ନାକୁ ପ୍ରମାଣିତ ହୋଇ ବାହାରି ଆସିଲା, ତାହେଲେ ବିଜେଡିର କାଳେ ଖେଳ ଖତମ । ଏହି ଭୟ ସମସ୍ତଙ୍କୁ ଘାରିଲାଣି ବୋଲି ପ୍ରମିଳା ଏକଦମ ବିଳିବିଳି ହୋଇ ପଡିଛନ୍ତି । ଅର୍ଚ୍ଚନା ନାଗଙ୍କ କଥା କହିଲା ବେଳେ ସେ ଅର୍ଚ୍ଚନା ନାୟକଙ୍କ କଥା ପଚାରୁଛନ୍ତି । କିନ୍ତୁ ଶେଷରେ ମାନିଛନ୍ତି ଯେ ଏଭଳି ସମୟରେ କଣ ଏଭଳି କଥା ପଚାରିବା କଥା ? ଗଣମାଧ୍ୟମର ମାଲିକ ମାନେ କଣ କହିଛନ୍ତି ଏକଥା ପଚାରିବାକୁ ? ଏତେ ବିଭ୍ରାନ୍ତ ହେଇଯାଇଛି ଯେ ବିଜେଡି, ଗଣମାଧ୍ୟମ କଣ ପ୍ରଶ୍ନ ପଚାରେ, କେଉଁ ଆଧାରରେ ପଚାରେ ତାହା ବି ସେ ପରାମର୍ଶ ଦେବା ପାଇଁ ପଛାଉନାହାନ୍ତି । ବିଜେଡି ଭିତରେ ଥିବା କାଦୁଅ ଏବେ ବିଜେଡ଼ିକୁ ଗୋଳେଇଲାଣି । ଦେଖାଯାଉ ବିଜେଡି ଏ କାଦୁଅରୁ କେମିତି ବାହାରୁଛି ନା ନବୀନଙ୍କ ସୁସ୍ଥତାର ଖୁସି ଏହି କାଦୁଅରେ ମିଶି ଯାଉଛି ?



State,Health & lifestyle,Politics,National

ଆଜି ଫେରିବେ ନବୀନ : ସ୍ବାଗତ କରିବେ ବହୁ କର୍ମୀ ଓ ଶୁଭେଚ୍ଛୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।


ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।

State

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କୁ ରବିବାର ପ୍ରେସ କ୍ଲବ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଦୀର୍ଘ ବର୍ଷ ଧରି ଶ୍ରୀ ବେହେରା ଜିଲ୍ଲାରେ ରହି ଅନେକ ସମସ୍ୟାର ସମାଧାନ କରିଛନ୍ତି l କରୋନା ରେ ମୃତ୍ୟୁବରଣ କରିଥିବା ୭ଜଣ ସାମ୍ବାଦିକଙ୍କୁ ସହାୟତା ରାଶି ପ୍ରଦାନ କରିବା ହେଉ କିମ୍ବା ଯେ କୌଣସି ଜନ ହୀତ କର କାର୍ଯ୍ୟ, ସବୁଥିରେ ସେ ଅଙ୍ଗାଅଙ୍ଗୀ ଭାବେ ଜଡିତ ରହି ସମସ୍ୟାର ସମାଧାନ କରନ୍ତି l ଆଜି ତାଙ୍କୁ ଅବସର ପ୍ରଦାନ କରାଯାଉଛି, ଭାବବିହ୍ୱଳ ହୋଇଉଠିଥିଲା ସମଗ୍ର କ୍ଲବ,ଚାକିରୀ ଜୀବନ ବିଷୟରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ପରେ ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଶ୍ରୀ ରବିନାରାୟଣ ବେହେରାଙ୍କୁ ଉପଢୌକନ ଓ ସ୍ମୃତି ସ୍ମାରକୀ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଛି l


ପରସ୍ପର ମଧ୍ୟରେ ଏକତା ରଖି ଲୋକଙ୍କ ଗୁହାରିଙ୍କୁ ସରକାରଙ୍କ ଦୃଷ୍ଟି ଗୋଚର କରିବା ସହ ଜନ ହୀତ ପାଇଁ ସମାଜର ହୀତ ପାଇଁ କାର୍ଯ୍ୟ କରିବା ସହ yellow journalism କୁ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ ଶ୍ରୀ ବେହେରା l ତେବେ ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ କ୍ଲବ ର ଉପ ସଭାପତି ଅଭୟ ପାଢ଼ୀଙ୍କ ପରିଚାଳନାରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସମ୍ପାଦକ ପ୍ରହଲ୍ଲାଦ ସାହୁ,ଯୁଗ୍ମ ସମ୍ପାଦକ ଗୋପାଳ ରେଡ୍ଡୀ,କୋଷାଧକ୍ଷ ଶିବ ନାରାୟଣ ପଣ୍ଡା, ସମସ୍ତ ସଦସ୍ୟ ଯଥା ଶକ୍ତିଧର ରାଜଗୁରୁ, ସୁନୀଲ କୁମାର ସାହୁ, ବିଘ୍ନ ରାଜ ମହାପାତ୍ର, ନିର୍ମଳ ସାହୁ, ବି କେ ବିଶାରଦ, ଲଲାଟେନ୍ଦୁ ଚୌଧୁରୀ, ଲିକୁ ଡାକୁଆ, ରାଜେଶ ସାହୁ, ଅଭିଜିତ କର, ପିଣ୍ଟୁ ବେହେରା, କ୍ଷୀରସିନ୍ଧୁ ବେହେରା, ଦିନେଶ ପଟ୍ଟନାୟକ, ନରସିଂହ ଡାକୁଆ,ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶେଷରେ ଯୁବ ସାମ୍ବାଦିକ ପିଣ୍ଟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Politics,State

ନବୀନ ମାଗିଲେ ଜବାବ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ନେଇ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୈଫିୟତ ମାଗିଛନ୍ତି । ରାଜ୍ୟବାସୀଙ୍କ ଆଗରେ ଜବାବ ଦିଅ ବୋଲି କହିଛନ୍ତି । ଏପରି ଏକ ଜଘନ୍ୟ କାରନାମାକୁ ଚାପି ରଖିଥିବା ସରକାରଙ୍କୁ ନିନ୍ଦା କରିଛନ୍ତି ନବୀନ । ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଏବିଭିପି ମେଳିରେ ଦମ ଦେଖାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯ୍ୟାତନା ଦେବା ଘଟଣା ନେଇ ଛାତ୍ରୀ ଜଣକ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷ ତାଙ୍କୁ ନ୍ୟାୟ ଦେଇ ନଥିଲେ, ସ୍ଥାନୀୟ ବିଧାୟକ, ଏମପି, ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ୍ସ ଜରିଆରେ ଲେଖି ଜଣାଇଥିଲେ । ଏପରିକି ସେ ଏବିଭିପିର ସଦସ୍ୟା ହୋଇଥିବାରୁ ଏବିଭିପି ପ୍ୟାଡରେ ମଧ୍ୟ ଅଭିଯୋଗ ଲେଖି ସମସ୍ତଙ୍କୁ ଜଣାଇ ନ୍ୟାୟ ମାଗିଥିଲେ । ଜୁଲାଇ ୧ ତାରିଖରୁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନାନା ପ୍ରକାର ସାମାଜିକ ନିର୍ଯାତନା ଦିଆଯାଉଥିଲା ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରର ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀ ୧୦ଦିନ କାଳ ମାନସିକ ଓ ସାମାଜିକ ନିର୍ଯାତନା ପାଇ ଶେଷରେ ଆତ୍ମାହୂତି ଭଳି ପନ୍ଥା ଆପଣେଇଲେ । ଏହାକୁ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି ନବୀନ । ଜବାବ ରଖିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଛାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦନ କରିବାସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ନାରୀ ଅସୁରକ୍ଷିତ ଦର୍ଶାଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦାବି କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏବିଭିପି ମେଳିରେ ତାଙ୍କ ଦମ ଦେଖାଇଛନ୍ତି । ବାଲେଶ୍ୱର ଜିଲ୍ଲାର ବିଧାୟକ ଭାବେ ସେ ଏମ୍ସ ଯାଇ ଛାତ୍ରୀଙ୍କ ପରିବାର ସହ ଭେଟିଥିଲେ । ଯେଉଁ ଏବିଭିପି ତାର ସଦସ୍ୟାଙ୍କୁ ନ୍ୟାୟ ଦେଇ ପାରିନଥିଲା, ଏବେ ସରକାରଙ୍କ ଠିକାଦାର ହୋଇ ବିରୋଧୀଙ୍କୁ ପ୍ରତିରୋଧ କରୁଛି । ଗୌତମଙ୍କୁ ଏବିଭିପିର ସଦସ୍ୟମାନେ ଘେରିଯାଇଥିଲେ । ତାଙ୍କରି ମେଳିରେ ଗୌତମ ତାଙ୍କୁ ଜବାବ ଦେଇ ଫେରିଥିଲେ । ଏହି ଘଟଣାକୁ ନେଇ ବିଜେପି ପୂରା ଫର୍ମକୁ ଆସିଛି ।

ଗୋଟେ ପଟେ ନବୀନ ସୁସ୍ଥ ହୋଇ ଫେରିଥିବାରୁ ବିଜେଡି ଉତ୍ସାହୀ ହୋଇ ପଡ଼ିଛି । ଏପରି ସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଓ ସେଥିରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଧରି ବିଜେଡି ଏଥର ବିଜେପିକୁ ମାଡ଼ କରିବାକୁ ବସିଛି । ଏହି ଘଟଣାକୁ ବିଜେଡି ବିଧାନସଭା ପର୍ଯ୍ୟନ୍ତ ଜାରି ରଖିବ ବୋଲି କୁହାଯାଉଛି । ଦେଖାଯାଉ ବିଜେଡି ଏହି ପ୍ରସଙ୍ଗରେ ତାର ଆଭିମୁଖ୍ୟକୁ ଆଉ କେତେ ପ୍ରଭାବୀ କରୁଛି?


Politics,State

ଫେରିଲେ ନବୀନ : ଶୁଭେଚ୍ଛା ଜଣାଇବାକୁ କର୍ମୀଙ୍କ ଭିଡ଼

Blog Thumbnail

ଦ କୁଇଭର ବ୍ୟୁରୋ :- ଦୀର୍ଘ ୨୨ ଦିନ ପରେ ଓଡ଼ିଶା ଫେରିଛନ୍ତି ମହାନ ଜନ ନାୟକ, ସଭିଙ୍କ ପ୍ରିୟ ନବୀନ ପଟ୍ଟନାୟକ l ଅସୁସ୍ଥ ଥିବା ବେଳେ ଅର୍ଥାତ ଜୁନ୍ ୨୦ରେ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା ଠିକ୍ ସେହିଭଳି ସୁସ୍ଥ ହୋଇ ଶନିବାର ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ସେମିତି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ । ତେବେ ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ ଏବଂ ରାଜନୀତି କ୍ୟାରିଅର ଭିତରେ ନବୀନ ମଧ୍ୟ ପ୍ରଥମ ଥର ପାଇଁ ଏତେ ଦିନ ଓଡିଶା ବାହାରେ ରହିଥିଲେ l



ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ ? ଏଭିତରେ ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ । ତେବେ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲାପରେ ଏବେ ମଧ୍ୟ ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି। ତେବେ ଦେଖାଯାଉ, ନବୀନ ସୁସ୍ଥ ହେଲା ପରେ ମଇଦାନ କୁ ଓଲ୍ହାଉଛନ୍ତି ନା ନୂଆ କିଛି ପଇଁତରା ଆପଣାଉଛନ୍ତି l

State,National

ୟୁଟ୍ୟୁବ କ୍ରିଏଟରଙ୍କ ପାଇଁ ବଡ଼ ଖବର

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିଛି କିଛି ନୂଆ ନିୟମବଳୀ l ୟୁଟ୍ୟୁବ୍ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ଏବଂ ଏପରି ଚ୍ୟାନେଲଗୁଡ଼ିକୁ ମଧ୍ୟ ଡିମନିଟାଇଜ୍ କରାଯାଇପାରେ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ଲାଟଫର୍ମରେ ମୌଳିକ ଏବଂ ସୃଜନଶୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ।ଏହା ସହିତ, ୟୁଟ୍ୟୁବ୍ "ଥମ୍ବନେଲ୍" ଏବଂ "ଟାଇଟଲ୍"କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ । ଦର୍ଶକଙ୍କୁ ଭ୍ରମିତ କରୁଥିବା ଏଭଳି କ୍ଲିକ୍‌ବେଟ୍ କଣ୍ଟେଣ୍ଟ ଉପରେ ୟୁଟ୍ୟୁବ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାହାଦ୍ୱାରା ଦର୍ଶକମାନେ ସଠିକ୍ ସୂଚନା ପାଇପାରିବେ ।


ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟକୁ ନେଇ । ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ "ଲେବଲ୍" ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଇବ ଯେ ସେମାନେ ଦେଖୁଥିବା କଣ୍ଟେଣ୍ଟ ବାସ୍ତବ ନୁହେଁ, ବରଂ ଏଆଇ ଦ୍ୱାରା ନିର୍ମିତ । ଏହି ନିୟମର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ ଏବଂ ଗୁଜବକୁ ରୋକିବା ।ଏହିସବୁ ପରିବର୍ତ୍ତନ ବ୍ୟତୀତ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।

National,State

ଡେଲାଙ୍ଗରେ ବାର୍ଡ଼ ଫ୍ଲୁ : ୬୫୦୦ କୁକୁଡ଼ା ମାରିବ ପ୍ରଶାସନ

Blog Thumbnail

ଦ କୁଇଭର ବ୍ୟୁରୋ :- ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି। ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।

State

ବଡବିଲ ପୋଲିସ ପଞ୍ଝାରେ ୩ ଗହଣା ଲୁଟେରା ଓ ୨ କ୍ରେତା

Blog Thumbnail

କେନ୍ଦୁଝର( ଦ କୁଇଭର ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ପଞ୍ଝାରେ ପଡିଛନ୍ତି ସୁନାଚେନ ଲୁଟିଆ ଗ୍ୟାଙ୍ଗର ୩ ଜଣ ଲୁଟେରାଙ୍କ ସହ ୨ ଜଣ ଚୋରାମାଲ୍ କ୍ରେତା । ବଡବିଲ, ଯୋଡା ତଥା ଚମ୍ପୁଆ ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିବା ସହ ଲୁଟ କରି ଆତଙ୍କ ଖେଳାଇଥିବା ଏହି ଆନ୍ତରାଜ୍ୟ ଲୁଟିଆ ଗ୍ୟାଙ୍ଗ ପର୍ଯ୍ୟନ୍ତ ପହଞ୍ଚିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିବା ବେଳେ ଏମାନଙ୍କୁ ଧରିବା ପାଇଁ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସକୁ ଏକ ସ୍ପେସାଲ୍ ଟିମ୍ ଗଠନ କରିବାକୁ ପଡିଥିଲା। ପଡୋଶୀ ଝାଡଖଣ୍ଡ ରାଜ୍ୟ ମଝଗାଁ ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ, ଦୀପକ ଗୋପ ଓ ଜଗନ୍ନାଥପୁର ଅଞ୍ଚଳର ସରୋଜ କେଶରୀ ୩ଜଣ ଯୁବକ ଏହି ସମସ୍ତ ଘଟଣାରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ପୋଲିସ ସ୍ପେସାଲ୍ ଟିମ୍ ଏହି ୩ ସନ୍ଦିଗ୍ଧଙ୍କ ସନ୍ଧାନରେ ଲାଗିଥିଲା । ସେହି କ୍ରମରେ ଏହି ଅଭିଯୁକ୍ତ ମାନେ ପୁଣି ବଡବିଲ ଗାଡାହାଟିଂରେ ଅନ୍ୟ ଏକ ଲୁଟ ପାଇଁ ପ୍ରସ୍ତୁତ ହେଉଥିଲେ। ବିଶ୍ଵସ୍ଥ ସୂତ୍ରରୁ ଜାଣିବାକୁ ପାଇ ପୋଲିସ ସେଠାରେ ଚଢାଉ କରି ୩ ଜଣଙ୍କୁ ଗିରଫ ସହ ଏକ ବାଇକ ଜବତ କରିଥିଲା। ପୋଲିସ ତାଙ୍କ ସହ ପଚରା ଉଚରା କରିବା ପରେ ସେମାନେ ବଡବିଲରେ ୫, ଯୋଡାରେ ୩ ଓ ଚମ୍ପୁଆରେ ଗୋଟିଏ ଲୁଟ ଘଟଣା ଘଟାଇଥିବା ସ୍ବୀକାର କରିଛନ୍ତି। ଲୁଟିଆ ମାନେ ଲୁଟମାଲକୁ ଝାଡଖଣ୍ଡ ରାଜ୍ୟ ବାଗବେଡା ଅଞ୍ଚଳରେ ଥିବା ଶିବଶକ୍ତି ଜ୍ୱେଲର୍ସକୁ ବିକ୍ରି କରୁଥିବା ବେଳେ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ସେହି ଦୋକାନରେ ଚଢାଉ କରି ପ୍ରାୟ ୩୦ ଗ୍ରାମ ସୁନା ସହ ୩ କେଜି ରୂପା ଅଳଂକାର ମଧ୍ୟ ଜବତ କରିଛି। ଏଥି ସହ ୨ଜଣ ଚୋରା ମାଲ୍ କ୍ରେତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୩ ଜଣ ଲୁଟେରାଙ୍କ ନାମରେ ଝାଡଖଣ୍ଡ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।


State

ୟୁନିୟନ କ୍ଲବ ନବ ନିର୍ବାଚିତ ବିଜୟୀ ପ୍ରାର୍ଥୀମାନଙ୍କୁ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ କେ. ଅନିଲ କୁମାରଙ୍କ ଦ୍ଵାରା ୟୁନିୟନ କ୍ଲବର ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଏକ ସମାରୋହ ର ଆୟୋଜନ କରାଯାଇଥିଲା l ତେବେ ୟୁନିଅନ କ୍ଲବ ର ସଭାପତି ଭାବେ ବାରଣାସୀ ସନ୍ତୋଷ କୁମାର ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ବିଦ୍ୟୁତ ଭୂଷଣ ପଟ୍ଟନାୟକ @ ଗମ୍ପୁ, ସମ୍ପାଦକ ଭାବେ ସନ୍ତୋଷ କୁମାର ପାଢ଼ୀ @ପାର୍ଥ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଲାଭେଟି ଶ୍ରୀନିବାସ ରାଓ, ସେହିପରି କୋଷାଧକ୍ଷ ଭାବେ ଜିତେନ୍ଦ୍ର କୁମାର ଗୌଡ଼ ନିର୍ବାଚିତ ହୋଇଥିବା ବେଳେ ଇସି ସଦସ୍ୟ ଭାବେ ସୁଧୀର କୁମାର ସାହୁ @ମୁନା, ଅଶୋକ ସାହୁ, ପ୍ରଦ୍ୟୁମ୍ନ କୁମାର ବିଶୋଇ @ପିଲା, ଶ୍ରୀନିବାସ ପୃଷ୍ଟି, k ଗୌରୀ ଶଙ୍କର ସୁବୁଦ୍ଧି, ସୁରେଶ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ମୋହନ ପଟ୍ଟନାୟକ ଏବଂ ଉମା ଶଙ୍କର ପାଢ଼ୀ ନିର୍ବାଚିତ ହୋଇଛନ୍ତି l ତେବେ ବିଧାୟକ କେ ଅନିଲ କୁମାର ସମସ୍ତ ବିଜୟୀ ପ୍ରାର୍ଥୀମାନଙ୍କୁ ହାର୍ଦ୍ଧିକ ସୂବେସ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି l

State,National

କାଲି ଆସୁଛନ୍ତି ରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । କାରକେଡ୍ ରିହରସାଲ କରିଛି କମିଶନରେଟ୍ ପୋଲିସ । ଆସନ୍ତାକାଲି ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ବାୟୁସେନା ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସଂଧ୍ୟାରେ ଭୁବନେଶ୍ବର AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ସେହିପରି ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ବିଲ୍ଡିଂର ଶିଳାନ୍ୟାସ କରିବେ । ଏହା ବ୍ୟତୀତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ ।

State

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।

State

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର

Blog Thumbnail

ଦ କୁଇଭର ବ୍ୟୁରୋ :- ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ଶ୍ରାବଣ ମାସକୁ ଅନ୍ୟତମ ପବିତ୍ର ମାସ ଭାବେ ଗଣନା କରାଯାଏ । ଏହି ମାସକୁ ଶିବଭକ୍ତମାନେ ଅନେଇ ବସିଥାନ୍ତି । କେହି କେହି ଶ୍ରାବଣ ମାସର ପ୍ରଥମ ସୋମବାର ମହାଦେବଙ୍କୁ ଜଳଲାଗି କରୁଥିବା ବେଳେ କେହି ପ୍ରତି ଶ୍ରାବଣ ସୋମବାରରେ ପାଣି ଢାଳିଥାନ୍ତି । ସେଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ, ଭାସ୍କରେଶ୍ୱର ମନ୍ଦିର, ବିଶ୍ୱେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଗଣ୍ଡମୁଣ୍ଡା ମହାକାଳେଶ୍ୱର ମନ୍ଦିର, ଧର୍ମବିହାରସ୍ଥିତ ଧର୍ମେଶ୍ୱର ମନ୍ଦିର, ସିର୍ଦ୍ଦେଶ୍ୱର ମହାଦେବ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ସମସ୍ତ ଶୈବପୀଠରେ ସୋମବାର ଭକ୍ତଙ୍କର ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶୈବପୀଠଗୁଡ଼ିକରେ ମଧ୍ୟ ଆରମ୍ଭ ହୋଇଗଲାଣି ସମସ୍ତ ପ୍ରସ୍ତୁତି । ସୋମବାର ସକାଳୁ ମହାଦେବଙ୍କର ଦୈନନ୍ଦିନ ନୀତିକାନ୍ତି ସରିଲା ପରେ ଭକ୍ତମାନେ ଦର୍ଶନ ଓ ପାଣି ଲାଗି କରିବେ ।

Education,State

ଏଫ୍‌ଏମ୍‌ କଲେଜରେ କଳଙ୍କ: ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଜଳିଗଲେ ଛାତ୍ରୀ

Blog Thumbnail

ବାଲେଶ୍ୱର ( ଦ କୁଇଭର ):- ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍‌ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି। ପୀଡ଼ିତା ଛାତ୍ରୀ ଭୋଗରାଇ ଅଞ୍ଚଳର। ‌‌ସେ ଏଫ୍‌ଏମ୍‌ କଲେଜରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ କର୍ମକର୍ତ୍ତା। ଗତ କିଛିମାସ ହେବ ତାଙ୍କୁ ବିଏଡ୍‌ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ହଇରାଣ କରିଆସୁଥିଲେ। ତାଙ୍କୁ ଅସଦାଚରଣ ସହ ପରୋକ୍ଷରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ନେଇ ସେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଜୁଲାଇ ୧ରେ ଅଭିଯୋଗ କରିଥିଲେ। ପ୍ରାୟ ୩ ଦିନ ତଳେ କମିଟି ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ତେବେ, ଏଥିରେ ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ ସହ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଯାଇଥିଲା ବୋଲି କୁହାଯାଉଛି। ଶନିବାରଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଛାତ୍ରୀଜଣକ କମିଟିର ରିପୋର୍ଟ ସମ୍ପର୍କରେ ପଚାରିବାକୁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ଅଧ୍ୟକ୍ଷ ତାଙ୍କୁ ସମାଧାନ କରିବାକୁ ଚାପ ପକାଇବା ସହ ବଦନାମର ଭୟ ଦେଖାଇଥିଲେ ବୋଲି କୁହାଯାଉଛି। ଏହାପରେ ଛାତ୍ରୀଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଶରୀରରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁକ୍ତ ୩ର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ବିଦ୍ୟୁତ୍‌ ବେଗରେ ପ୍ରଚାରିତ ହେବାପରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଏସ୍‌ପି ରାଜପ୍ରସାଦ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଅପରାହ୍‌ଣ ସାଢ଼େ ୬ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରୀଙ୍କ ଅଭିଭାବକ, ଏସ୍‌ପି, ସାଂସଦ ପ୍ରମୁଖଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି କ’ଣ ରିପୋର୍ଟ ଦେଇଥିଲା, ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି ରାଜପ୍ରସାଦ କହିଛନ୍ତି, ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଯଦି କିଛି ତ୍ରୁଟି ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମହାବିଦ୍ୟାଳୟରେ ଗଠିତ ହୋଇଥିବା ଆଇସିସି କମିଟି ସମ୍ପର୍କରେ ପୁଲିସ ଅବଗତ ଥିଲା; ଏହାସତ୍ତ୍ବେ ପୁଲିସ ତତ୍ପରତା ଦେଖାଇ ନଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି, ପୀଡ଼ିତା ଏ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ ମଧ୍ୟ କାହିଁକି ନ୍ୟାୟ ପାଇଲେନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ପରେ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆସିଛି। କଲେଜର ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ସହକାରୀ ପ୍ରଫେସର ବ୍ୟାକ୍‌ ଲଗାଇ ଦେବା, ଫେଲ୍‌ କରିଦେବା ଆଦି ଭୟ ଦେଖାଇ ବିଭିନ୍ନ ଉପାୟରେ ହଇରାଣ କରି ଆସୁଥିଲେ। ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଗତ ୧ ତାରିଖରେ ଏ ନେଇ ଅଭିଯୋଗ କରିବା ପରେ ୨ ତାରିଖରେ ୩ ଜଣ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ମହାବିଦ୍ୟାଳୟରେ ପୁଲିସର ତଦନ୍ତ ବେଳେ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।


ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇପଡ଼ିଥିବା ଛାତ୍ରୀଙ୍କୁ ଶନିବାର ଅପରାହ୍ନରେ ଏମ୍‌ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଏ ନେଇ ଏମ୍‌ସ ଚିକିତ୍ସାଧିକାରୀ କହିଛନ୍ତି, ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି। ୧୨ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି। ଶରୀରର ୯୦ ପ୍ରତିଶତରୁ ଅଧିକ ଜଳିଯାଇଛି। ତାଙ୍କୁ ୭୨ଘଣ୍ଟା ନିରୀକ୍ଷଣରେ ରଖାଯିବ। ଚେତା ଫେରିବା ପରେ ଯାହା କିଛି କହିହେବ। ଅପରପକ୍ଷେ ରାଜ୍ୟ ସରକାର ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ଏମ୍‌ସ ନିକଟସ୍ଥ ଧର୍ମଶାଳାରେ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ଏମ୍‌ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଘଟଣା ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ‘ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ତ୍ବରିତ୍‌ ପଦକ୍ଷେପ ସ୍ବରୂପ ଏଚ୍‌ଓଡିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଏକ ଟିମ୍‌ ସହିତ ଆଲୋଚନା କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରୢାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ଘଟଣା ଘଟିବା ତ ଦୂର କଥା, ଏ ନେଇ କେହି ଚିନ୍ତା ମଧ୍ୟ କରିବେ ନାହିଁ।’ ଛାତ୍ରୀଜଣକ ରିପୋର୍ଟ କରିବା ସମୟରେ ସରକାରଙ୍କୁ କାହିଁକି କଲେଜ କର୍ତ୍ତୃପକ୍ଷ ଅବଗତ କଲେ ନାହିଁ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଏହି ଘଟଣାରେ ଓଡ଼ିଶା ଅଭିଭାବକ ମହାସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ତ୍ୱରିତ୍‌, ତୁରନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ଏଥିରେ ସମ୍ପୃକ୍ତ ଓ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତୁରନ୍ତ ଗିରଫ ପାଇଁ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଦାବି କରିଛନ୍ତି। ଏଥି ସହିତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିସନଙ୍କୁ ମହାସଂଘ ଉପଦେଷ୍ଟା ମନୋଜ ଜେନା ଅନୁରୋଧ କରିଛନ୍ତି l

Politics,Education,State

ସବୁ ଦୋଷ ସୂର୍ଯ୍ୟବଂଶୀଙ୍କର

Blog Thumbnail

ଦ କୁଇଭର ବ୍ୟୁରୋ :- ସବୁ ଦୋଷ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର । ସବୁ ସୂଚନା ତାଙ୍କ ବିଭାଗକୁ ଆସିଲା, ହେଲେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଶେଷରେ ଛାତ୍ରୀଜଣକ ଆତ୍ମାହୂତି ଦେଲେ । ମୃତ୍ୟୁ ଶଯ୍ୟାରେ ଥିବା ଏହି ଛାତ୍ରୀଙ୍କୁ ମରଣ ମୁହଁକୁ ଠେଲି ଦେଇ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ପ୍ୟାଚ ପକାଉଛନ୍ତି । ପିଡ଼ୀତାଙ୍କୁ ଭେଟିବା, ତାଙ୍କ ପରିବାର ସହ ଆଲୋଚନା ନାମରେ ଅନୁକମ୍ପା ଗୋଟାଇବାକୁ ଲାଗିଛନ୍ତି । ହେଲେ ଦୋଷ ହେଉଛି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କର ।


ସୂର୍ଯ୍ୟବଂଶୀଙ୍କ ବିଭାଗକୁ ଛାତ୍ରୀ ଜଣକ ଏକ୍ସ ଜରିଆରେ ଜଣାଇଥିଲେ । ଏବିଭିପି ସ୍ଥାନୀୟ ସଂଗଠନ ବି ଜାଣିଥିଲା । ସ୍ଥାନୀୟ ଏମପି, ବିଧାୟକ ବି ଜାଣିଥିଲେ, ହେଲେ ଏମାନେ ନୀରବ ରହିଲେ । ଏହାକୁ ଏକ ମାମୁଲି କଥା ଭାବି ଚପି ଗଲେ । ହେଲେ ତାହା ଏବେ ବୋମା ଭଳି ଫାଟିଲାଣି । ବିଜେପି ବିଧାୟକ, ଏମପି, ବିଭାଗୀୟ ମନ୍ତ୍ରୀ ଓ ପୂରା ଏବିଭିପି ସଂଗଠନ ଜାଣି ବି ନୀରବ ରହିବା ପଛରେ ରହସ୍ୟ କ’ଣ ?


କାହିଁକି ବିଭାଗୀୟ ମନ୍ତ୍ରୀ ଜାଣି ବି ଚୁପ ରହିଲେ ? କାହିଁକି ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଗଲା ? ଏସବୁ କାହିଁକି ? ଏତେ ବ୍ୟତିକ୍ରମ କାହିଁକି କରାଗଲା ? ମନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀର ଜୀବନ ଗଲା । ତେଣୁ ଏଥିପାଇଁ ମନ୍ତ୍ରୀଙ୍କୁ କାହିଁକି ଅଭିଯୁକ୍ତ ତାଲିକାଭୂକ୍ତ କରାନଯିବ ? କାହିଁକି ମନ୍ତ୍ରୀଙ୍କୁ ଗିରଫ କରାନଯିବ ? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟସାରା ଦେଖା ଦେଲାଣି । ମାରିବାକୁ ଠେଲି ଦେଇ ଶିକ୍ଷାମନ୍ତ୍ରୀ ଆସି ପ୍ୟାଚ ପକାଉଛନ୍ତି । ସରକାର ତାଙ୍କର ବଦାନ୍ୟତା ଦେଖାଉଛନ୍ତି । ହେଲେ ସେ ସବୁ ଘଟଣା ଘଟିବା ପରେ । ଘଟଣାଦିନ କାହାର ପାଟି ଖୋଲୁ ନଥିଲା । ପୋଲିସ ତ ଚୁପ ବସିଥିଲା । ସମସ୍ତେ ହାତ ବାନ୍ଧି ଦେଇଥିଲେ । ଏବେ ଦରଦ ଦେଖାଉଛନ୍ତି । ସୂର୍ଯ୍ୟବଂଶୀ ବିଭାଗୀୟ ମନ୍ତ୍ରୀ ହିସାବରେ ଘଟଣାକୁ ଜାଣି ନୀରବ ରହିଥିବାରୁ ସେ ହିଁ ସବୁଠୁ ବଡ଼ ଦୋଷୀ । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯିବ ଉଚିତ୍ । ଦେଖାଯାଉ ମୋହନ ସରକାର ସୂର୍ଯ୍ୟବଂଶୀଙ୍କୁ ହଟାଉଛନ୍ତି ନା ଘଟଣାକୁ ପ୍ୟାଚ ପକାଇ ଚାପି ଦେଉଛନ୍ତି ?



Politics,National

ଯମୁନା ପୁଣି ପ୍ରଦୂଷିତ

Blog Thumbnail

ଦ କୁଇଭର ବ୍ୟୁରୋ :- ପବିତ୍ର ଯମୁନା ନଦୀକୁ ନେଇ ବହୁତ କିଛି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠୁ ଲାଗିପଡ଼ିଥିଲେ । କହିଲେ ଯମୁନା ହେବ ପ୍ରଦୂଷଣ ମୁକ୍ତ । ସ୍ୱଚ୍ଛ ହେବ ପାଣି, ଫେରିବ ପବିତ୍ରତା । ଲୋକଙ୍କର ସବୁଠୁ ବଡ଼ ସମସ୍ୟାକୁ ଦୂର କରିଦେବେ । ହେଲେ ୬ ମାସ ଯାଇନି ଫସର ଫାଟିଲାଣି । ଯମୁନା ପ୍ରଦୂଷଣ ମୁକ୍ତ ହେବ କଣ ? ଅଧିକ ପ୍ରଦୂଷିତ ହେଲାଣି । ଦେଖନ୍ତୁ ଏହି ସ୍ଥିତି ।


ଅସମ୍ଭାଳ ହେଲାଣି ଯମୁନା ସ୍ଥିତି । ପ୍ରଦୂଷଣ ଭୟଙ୍କର ରୂପ ନେଲାଣି । ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏ ସବୁ ଦିଶୁନି । ବିଜେପିକୁ ବି ଦିଶୁନି । ସବୁଠୁ ବଡ଼ କଥା ହେଲା ବିରୋଧୀ ଆପ ବି ଚୁପ ହୋଇ ବସିଛି । ପ୍ରଦୂଷଣ ଦିଲ୍ଲୀରେ ଭୟଙ୍କର ରୂପ ନେଇ ଚାଲିଛି । ବାୟୁ ବା ଧୂଳି ପ୍ରଦୂଷଣକୁ କୃତ୍ରିମ ବର୍ଷା ଦ୍ୱାରା ରୋକି ପାରିବେ, ହେଲେ ଯମୁନା ପ୍ରଦୂଷଣ ଏବେ ବଡ଼ ଚିନ୍ତା । ଲମ୍ବା ଲମ୍ବା କଥା ଫିକା ପଡ଼ିଗଲାଣି । ରେଖା ଗୁପ୍ତାଙ୍କ ସରକାର ଆଣ୍ଠେଇ ପଡ଼ିଲାଣି । ଯମୁନା ଦେଖାଉଛି ରେଖା ଗୁପ୍ତାଙ୍କ ଫେଲ ମଡ଼େଲ ।


ଯମୁନାର ପ୍ରଦୂଷଣ ଆଗରେ ସମସ୍ତେ ହାରୁଛନ୍ତି, ହେଲେ ମାନୁନାହାନ୍ତି । ପ୍ରଦୂଷଣ ଏତେ ଗମ୍ଭୀର ଯେ, କିଛି କରିବା କଷ୍ଟକର ହେଲାଣି । ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ମାନଙ୍କ ବିରୁଦ୍ଧରେ ପଦକ୍ଷେପ ବୋଲି ଶୂନ । ରାଜନୈତିକ ଚାନ୍ଦା ଦେଇ ଦେଇ ଶିଳ୍ପପତି ପ୍ରକୃତିକୁ ଖିନଭିନ କରୁଛନ୍ତି । ଆଉ ଚାନ୍ଦା ପାଇ କେବଳ ଲୋକଙ୍କ ଆଖିରେ ପରଦା ପକାଇବା ପାଇଁ ହୋହାଲ୍ଲା କରି ନିରବ ବସୁଛନ୍ତି ନେତାମାନେ । ଯାହା ଫଳରେ ପ୍ରଦୂଷଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡୁଛି । ଦେଖାଯାଉ ରେଖା ଗୁପ୍ତାଙ୍କ ସରକାର ଯମୁନାକୁ ବାସ୍ତବରେ ପ୍ରଦୂଷଣ ମୁକ୍ତ କରୁଛନ୍ତି ନା କର୍ଦମୁକ୍ତ କରୁଛନ୍ତି ?