Banner Ad

ନବୀନ ମାଗିଲେ ଜବାବ

ନବୀନ ମାଗିଲେ ଜବାବ
Published by : Jyotshna Kumari
#Politics
Jul 13, 2025, 9:58 PM

ଭୁବନେଶ୍ୱର(ଦ କୁଇଭର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ନେଇ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୈଫିୟତ ମାଗିଛନ୍ତି । ରାଜ୍ୟବାସୀଙ୍କ ଆଗରେ ଜବାବ ଦିଅ ବୋଲି କହିଛନ୍ତି । ଏପରି ଏକ ଜଘନ୍ୟ କାରନାମାକୁ ଚାପି ରଖିଥିବା ସରକାରଙ୍କୁ ନିନ୍ଦା କରିଛନ୍ତି ନବୀନ । ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଏବିଭିପି ମେଳିରେ ଦମ ଦେଖାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯ୍ୟାତନା ଦେବା ଘଟଣା ନେଇ ଛାତ୍ରୀ ଜଣକ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷ ତାଙ୍କୁ ନ୍ୟାୟ ଦେଇ ନଥିଲେ, ସ୍ଥାନୀୟ ବିଧାୟକ, ଏମପି, ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ୍ସ ଜରିଆରେ ଲେଖି ଜଣାଇଥିଲେ । ଏପରିକି ସେ ଏବିଭିପିର ସଦସ୍ୟା ହୋଇଥିବାରୁ ଏବିଭିପି ପ୍ୟାଡରେ ମଧ୍ୟ ଅଭିଯୋଗ ଲେଖି ସମସ୍ତଙ୍କୁ ଜଣାଇ ନ୍ୟାୟ ମାଗିଥିଲେ । ଜୁଲାଇ ୧ ତାରିଖରୁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନାନା ପ୍ରକାର ସାମାଜିକ ନିର୍ଯାତନା ଦିଆଯାଉଥିଲା ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରର ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀ ୧୦ଦିନ କାଳ ମାନସିକ ଓ ସାମାଜିକ ନିର୍ଯାତନା ପାଇ ଶେଷରେ ଆତ୍ମାହୂତି ଭଳି ପନ୍ଥା ଆପଣେଇଲେ । ଏହାକୁ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି ନବୀନ । ଜବାବ ରଖିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଛାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦନ କରିବାସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ନାରୀ ଅସୁରକ୍ଷିତ ଦର୍ଶାଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦାବି କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏବିଭିପି ମେଳିରେ ତାଙ୍କ ଦମ ଦେଖାଇଛନ୍ତି । ବାଲେଶ୍ୱର ଜିଲ୍ଲାର ବିଧାୟକ ଭାବେ ସେ ଏମ୍ସ ଯାଇ ଛାତ୍ରୀଙ୍କ ପରିବାର ସହ ଭେଟିଥିଲେ । ଯେଉଁ ଏବିଭିପି ତାର ସଦସ୍ୟାଙ୍କୁ ନ୍ୟାୟ ଦେଇ ପାରିନଥିଲା, ଏବେ ସରକାରଙ୍କ ଠିକାଦାର ହୋଇ ବିରୋଧୀଙ୍କୁ ପ୍ରତିରୋଧ କରୁଛି । ଗୌତମଙ୍କୁ ଏବିଭିପିର ସଦସ୍ୟମାନେ ଘେରିଯାଇଥିଲେ । ତାଙ୍କରି ମେଳିରେ ଗୌତମ ତାଙ୍କୁ ଜବାବ ଦେଇ ଫେରିଥିଲେ । ଏହି ଘଟଣାକୁ ନେଇ ବିଜେପି ପୂରା ଫର୍ମକୁ ଆସିଛି ।

ଗୋଟେ ପଟେ ନବୀନ ସୁସ୍ଥ ହୋଇ ଫେରିଥିବାରୁ ବିଜେଡି ଉତ୍ସାହୀ ହୋଇ ପଡ଼ିଛି । ଏପରି ସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଓ ସେଥିରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଧରି ବିଜେଡି ଏଥର ବିଜେପିକୁ ମାଡ଼ କରିବାକୁ ବସିଛି । ଏହି ଘଟଣାକୁ ବିଜେଡି ବିଧାନସଭା ପର୍ଯ୍ୟନ୍ତ ଜାରି ରଖିବ ବୋଲି କୁହାଯାଉଛି । ଦେଖାଯାଉ ବିଜେଡି ଏହି ପ୍ରସଙ୍ଗରେ ତାର ଆଭିମୁଖ୍ୟକୁ ଆଉ କେତେ ପ୍ରଭାବୀ କରୁଛି?


Leave a Comment

Comments

No comments yet.

Best Biofloc Fish Farming

ad
Read more

Politics,State

ଫେରିଲେ ନବୀନ : ଶୁଭେଚ୍ଛା ଜଣାଇବାକୁ କର୍ମୀଙ୍କ ଭିଡ଼

Blog Thumbnail

ଦ କୁଇଭର ବ୍ୟୁରୋ :- ଦୀର୍ଘ ୨୨ ଦିନ ପରେ ଓଡ଼ିଶା ଫେରିଛନ୍ତି ମହାନ ଜନ ନାୟକ, ସଭିଙ୍କ ପ୍ରିୟ ନବୀନ ପଟ୍ଟନାୟକ l ଅସୁସ୍ଥ ଥିବା ବେଳେ ଅର୍ଥାତ ଜୁନ୍ ୨୦ରେ ନବୀନ ମୁମ୍ବାଇ ଗଲାବେଳେ ଯେମିତି ବିମାନବନ୍ଦର ଲୋକାରଣ୍ୟ ଥିଲା ଠିକ୍ ସେହିଭଳି ସୁସ୍ଥ ହୋଇ ଶନିବାର ମୁମ୍ବାଇରୁ ଫେରିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜନଗହଳି ସେମିତି ଦେଖିବାକୁ ମିଳିଥିଲା । ଦୀର୍ଘ ୨୨ ଦିନ ପରେ ଦଳର ମୁଖିଆ ମୁମ୍ବାଇରୁ ଫେରୁଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଜେଡି ଶିବିର । ହଜାର ହଜାର ବିଜେଡି କର୍ମୀ ଓ ନେତା ଉତ୍ସାହର ସହ ଦଳର ସୁପ୍ରିମୋଙ୍କୁ ଅପେକ୍ଷା କରିଥିଲେ । ନବୀନ ନିବାସରେ ମଧ୍ୟ ପ୍ରିୟ ନେତାଙ୍କୁ ଶଙ୍ଖୋଳି ନେବାକୁ ଏକାଠି ହୋଇଥିଲେ ବିଜେଡିର ମହିଳା ୱିଙ୍ଗ୍ । ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସହ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି ସଭାପତିଙ୍କୁ କର୍ଡନ କରି ନେଇଥିଲେ ଦଳର ଛାମୁଆ ନେତା ଓ କର୍ମୀ । ତେବେ ଦୀର୍ଘ ୨୨ ଦିନ ଧରି ନବୀନଙ୍କ ବିନା ଖାଁ ଖାଁ ଲାଗୁଥିଲା ବିଜେଡି କ୍ୟାମ୍ପ ଏବଂ ରାଜନୀତି କ୍ୟାରିଅର ଭିତରେ ନବୀନ ମଧ୍ୟ ପ୍ରଥମ ଥର ପାଇଁ ଏତେ ଦିନ ଓଡିଶା ବାହାରେ ରହିଥିଲେ l



ଅସ୍ତ୍ରୋପଚାର ପରେ ଏବେ ବିଜେଡି ମୁଖିଆ ଓଡ଼ିଶା ଫେରିଛନ୍ତି। କର୍ମୀଙ୍କୁ ବଳ ଦେଇଛି ନବୀନଙ୍କ ଆଗମନ । ହେଲେ ସଙ୍ଗଠନକୁ କେମିତି ଇନ୍ଧନ ଦେବେ ନବୀନ ତାହା ସବୁଠୁ ବଡ ପ୍ରଶ୍ନ ? ଏଭିତରେ ଛୋଟମୋଟ ପ୍ରତିବାଦ ଓ ଆନ୍ଦୋଳନକୁ ଛାଡିଦେଲେ ବିଜେଡିର ଉପସ୍ଥିତି ଶଙ୍ଖଭବନରେ ସୀମିତ ଥିଲା । ନବୀନ ନଥିବାରୁ ଦଳର କର୍ମୀଙ୍କ ଭିତରେ ଜୋଶ ଦେଖିବାକୁ ମିଳୁନଥିଲା । ନବୀନ ମୁମ୍ବାଇରୁ ଫେରିବା ପରେ ପୁଣିଥରେ ବିଜେଡି ରାଜନୀତି କଡ ଲେଉଟାଇବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ସାଙ୍ଗଠନିକ ଶକ୍ତି ବଢାଉଥିବା ବେଳେ ବିଜେଡି ପାଇଁ ସଙ୍ଗଠନକୁ ବଞ୍ଚାଇବା ଏବେ ବଡ ଚ୍ୟାଲେଞ୍ଜ । କାରଣ ନବୀନ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ କି ନାହିଁ ତାହାକୁ ନେଇ ସନ୍ଦେହ । ତେବେ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜୁଲାଇ ୧୧ରେ ରାହୁଲ ଗାନ୍ଧୀ ଆସି କର୍ମୀଙ୍କ ମନରେ ଜୋଶ ଭରିଲାପରେ ଏବେ ମଧ୍ୟ ନିର୍ବାଚନ ପରାଜୟର ୧୩ ମାସ ପରେ ନବୀନଙ୍କ ଜିଲ୍ଲାଗସ୍ତ ଆରମ୍ଭ ହୋଇନି। ଯାହା ବିଜେଡି ସଙ୍ଗଠନକୁ ଭିତରେ ଭିତରେ ଦୁର୍ବଳ କରୁଛି। ତେବେ ଦେଖାଯାଉ, ନବୀନ ସୁସ୍ଥ ହେଲା ପରେ ମଇଦାନ କୁ ଓଲ୍ହାଉଛନ୍ତି ନା ନୂଆ କିଛି ପଇଁତରା ଆପଣାଉଛନ୍ତି l

Health & lifestyle,Education,State

ଏଫ୍‌ଏମ୍‌ କଲେଜ୍‌ ଛାତ୍ରୀ ଆତ୍ମହୃତି ମାମଲା: ତିନିଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଶନିବାର ଦିନ ଆତ୍ମାହୁତି ଉଦ୍ୟମ ମାମଲାରେ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ନିଜ ଆଡ଼ୁ ମାମଲା ରୁଜୁ କରି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ତଦନ୍ତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ସେନେଇ ରିପୋର୍ଟ ୩ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏନ୍‌ସିଡବ୍ଲ୍ୟୁ କହିଛନ୍ତି, ଛାତ୍ରୀ ଜଣଙ୍କ ଯୌନ ନିର୍ଯାତନା ଓ ଡିଗ୍ରି ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି। ବିଭାଗୀୟ ମୁଖ୍ୟଙ୍କ ଏପରି କାର୍ଯ୍ୟ ପାଇଁ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କର ଶରୀର ୯୦% ଶରୀର ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ବର ଏଫ୍‌ଏମ୍‌ କଲେଜ ମାମଲାରେ ଆଜି କ୍ରାଇମ୍‌ବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲୁର ୨ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ଡିଏସ୍‌ପି ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାମିଲ ଅଛନ୍ତି। କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିବୁ ବୋଲି ଡିଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।

State,National

କାଲି ଆସୁଛନ୍ତି ରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । କାରକେଡ୍ ରିହରସାଲ କରିଛି କମିଶନରେଟ୍ ପୋଲିସ । ଆସନ୍ତାକାଲି ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ବାୟୁସେନା ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସଂଧ୍ୟାରେ ଭୁବନେଶ୍ବର AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ସେହିପରି ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ବିଲ୍ଡିଂର ଶିଳାନ୍ୟାସ କରିବେ । ଏହା ବ୍ୟତୀତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ ।

State,Politics,National

କାହାକୁ ଡରନି, ଲଢ଼େଇ କର, ସରକାର ବଦଳାଅ : ରାହୁଲ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା। ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି। ଆପଣଙ୍କର କ’ଣ ହେଲା, କ’ଣ ନାହିଁ; ସେମାନଙ୍କର କିଛି ଯାଏ ଆସେ ନାହିଁ। ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର। ଆପଣମାନେ ଗୋଟିଏ ଗୋଟିଏ ବାଘ। କାହାକୁ ଡରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ। ଆପଣଙ୍କ ରକ୍ତରେ, ଡିଏନ୍‌ଏରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି। ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଅ। ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ସେମାନଙ୍କ ଜଙ୍ଗଲ, ଜମି ଓ ଜଳକୁ ଛଡ଼ାଇ ନେଇ ଆଦାନୀ, ଅମ୍ବାନି ସମେତ କେତେକ ପୁଞ୍ଜିପତିଙ୍କର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣି ରାହୁଲ କହିଛନ୍ତି, ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ। କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି। ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ହେଲେ ଫସଲ ବୀମା ମିଳୁନି। ରଥଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସନ୍ତି। କିନ୍ତୁ ଆଦାନୀ ପରିବାର ପାଇଁ ରଥ ଅଟକିଗଲା। ଏଥିରୁ ଓଡ଼ିଶା ସରକାର ବିଷୟରେ ଜାଣି ପାରୁଥିବେ। ଓଡ଼ିଶାରେ ଆଦାନୀର ସରକାର ଚାଲିଛି। ଆଦାନୀ ବି ମୋଦୀଙ୍କୁ ଚଳାଉଛି। ରାହୁଲ କହିଥିଲେ, ଓଡ଼ିଶା‌ରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। କେଉଁଠି ଅଛନ୍ତି କିଛି ଜଣାପଡ଼ୁନି। ଓଡ଼ିଶାରେ ପ୍ରତି ଦିନ ୧୫ ଜଣ ମହିଳାଙ୍କର ବଳାତ୍କାର ହେଉଛି। ମହିଳାଙ୍କୁ ନ୍ୟାୟ ମିଳିବା ଦରକାର। ଓଡ଼ିଶାରେ ଜାତି ଜନଗଣନା ହେଲେ ‌ହିଁ ଓଡ଼ିଶାର ବିକାଶ ହେବ। ଲେଙ୍ଗାନାରେ ଆମେ ଜାତି ଜନଗଣନା କରିଛୁ। ସେଠାରେ ଜଣାପଡ଼ିଲା କେଉଁ ବର୍ଗର କେତେ ଲୋକଙ୍କ ପାଖରେ କେତେ ସମ୍ପତ୍ତି ଅଛି, କାହାର ସ୍ଥିତି କ’ଣ। ଓଡ଼ିଶାରେ ଜାତି ଜନଗଣନା ହେଲେ ଜଣାପଡ଼ିବ ଓଡ଼ିଶାର ଅବହେଳିତ ବର୍ଗର ସ୍ଥିତି କ’ଣ? ଆମେ ଚାହୁଛୁ ଗରିବଙ୍କୁ ସେମାନଙ୍କ ଅଧିକାର ମିଳୁ। ଓଡ଼ିଶାରେ କିପରି ଜାତି ଜନଗଣନା ହେବ, ସେଥିପାଇଁ ମୁଁ ଭକ୍ତ ଦାସ, ଲଲ୍ଲୁଜୀଙ୍କୁ ପୂରା ଦମ୍ ଲଗାଇବାକୁ କହିଛି।ସେହିପରି ସମ୍ବିଧାନ ବଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଗଲା। ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ମଧ୍ୟରେ ୧କୋଟି ମତଦାତା ବଢ଼ିଗଲେ। ନିର୍ବାଚନ କମିସନଙ୍କୁ ଭୋଟର ତାଲିକା, ମତଦାନର ଭିଡିଓ ଫୁଟେଜ୍ ମାଗିଥିଲେ ବି ଆମକୁ ଦିଆଯାଉନି। ଏବେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ହେଲେ ଆମେ ଏହାକୁ କରିବାକୁ ଦେବୁନି। ନିର୍ବାଚନ କମିସନ ଏବେ ନିଜ କାମ ନକରି ବିଜେପି କାମ କରୁଛନ୍ତି। ଏହା ସମ୍ବିଧାନ ପାଇଁ ବଡ଼ ବିପଦ।



ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରି ରାହୁଲ କହିଥିଲେ, ବିଜେପି ସରକାର ଡ୍ରାଇଭର ସଂଘ ଉପରେ ଚାପ ପକାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଡ୍ରାଇଭର ସଂଘର ସମସ୍ତ ଦାବି ପୂରଣ ହେବା ଉଚିତ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ, ମୋଦୀ ସରକାର ବିରୋଧରେ ଯିଏ ସ୍ବର ଉଠାଉଛି ତାକୁ ଇଡି, ସିବିଆଇ, ଆଇଟି ରେଡ୍‌ ଧମକ ଦିଆଯାଉଛି। ଆପଣମାନେ ଡରନ୍ତୁନି, ସ୍ବର ଉତ୍ତୋଳନ କରନ୍ତୁ। ଏ ଲଢ଼େଇ ଜାରି ରହିବା ଦରକାର। ଶୋଇଥିବା ସରକାରକୁ ଉଠାଇବାକୁ ପଡ଼ିବ। ଏହାସହ ସେ କହିଥିଲେ ରାଜ୍ୟରେ ସରକାର ବାଲି, ଜଙ୍ଗଲ ବିକି କମିସନ ଖାଉଛନ୍ତି। ବିଜେପି ସରକାର ଏବେ ସବୁଥିରେ କମିସନ ଖାଉଛି। ଧନୀ ଲୋକଙ୍କ ପାଇଁ ରଥ ଅଟକି ଯାଉଛି। ଭଗବାନ କ’ଣ କେବଳ ଧନୀଙ୍କ ପାଇଁ? ଆପଣମାନେ ଲଢ଼ନ୍ତୁ। ଆପଣମାନେ ଲଢ଼ିଲେ ଜେଲ୍‌ରେ ପୂରାଇ ଦେବେ ତ, ପୂରାନ୍ତୁ। ଲଢ଼ିବା ମାନେ ମରାମରି ନୁହେଁ, ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପନ୍ଥାକୁ ଆପଣାନ୍ତୁ। ସବୁ ଦୁର୍ନୀତିର ପର୍ଦ୍ଦାଫାସ କରନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି କଂଗ୍ରେସକୁ ସଶକ୍ତ କରିବା, ଦେଶରୁ ବିଜେପି ସରକାରକୁ ହଟାଇବା। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଯେତେ ପ୍ରକାରର ହଇରାଣ କରିବା କଥା କରିଛନ୍ତି। କିନ୍ତୁ ସେ ଶକ୍ତିମାନ ହୋଇ ଏଥିରୁ ବାହାରିଛନ୍ତି। ଆଜି ଯେଉଁ ଲଢ଼େଇ ଆରମ୍ଭ ହୋଇଛି, ତାହା ଆରମ୍ଭ ମାତ୍ର। ଆସନ୍ତା ୧ବର୍ଷରେ ରାଜ୍ୟରେ ଏହିଭଳି ୧୦ଟି ବଡ଼ ସମାବେଶ ହେବ।କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାରେ କଂଗ୍ରେସ ଆଜି ବିପ୍ଲବ ସୃଷ୍ଟି କରିଛି। ବିଧାନସଭା ଭିତରେ ଓ ବାହାରେ ଆଦିବାସୀ, ମହିଳା ଓ ଝିଅଙ୍କ ଉପରେ ନିର୍ଯାତନାକୁ ନେଇ ଲଢ଼େଇ ଜାରି ରହିବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେବା ବେଳେ କହିଥିଲେ, କେବଳ ମହାରାଷ୍ଟ୍ର, ହରିୟାଣାରେ ନିର୍ବାଚନ ଚୋରି ହୋଇନି, ଓଡ଼ିଶାରେ ବି ନିର୍ବାଚନ ଚୋରି ହୋଇଛି। ଏହାର ଉଦାହରଣ ହେଉଛି ମୁଖ୍ୟମନ୍ତ୍ରୀ ଯେଉଁଠିକୁ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେଠାରେ ୫ହଜାର ଲୋକ ବି ହେଉନାହାନ୍ତି। ପୂର୍ବରୁ ଜଣେ ସରକାରୀ ଅଧିକାରୀ ସରକାର ଚଳାଉଥିଲେ, କିନ୍ତୁ ଏବେ କିଏ ଗୁଜରାଟରେ ବସି ସରକାର ଚଳାଉଛି, ତାହା କେହି ଜାଣୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବଦଳି କରିବାର କ୍ଷମତା ନାହିଁ। ଏହି ସଭାକୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ମଞ୍ଚରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ସମସ୍ତ ବିଧାୟକ, ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

State

ଆଜିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ୪ ଦିନ ପରେ ଗଡ଼ିଲା ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ନେଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି ।ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ଧରି ଯାତ୍ରୀ ପରିବହନ ଠପ ହୋଇ ଯାଇଥିଲା । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।ଅନ୍ୟପଟେ ସମ୍ବଲପୁର ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସବୁ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ଜାରି ରହିଛି । ବସ୍ କିଏ ଚଲାଇବ ? ସେପଟେ ଘରୋଇ ବସ୍ ମାଲିକ ସଂଘର ଘୋଷଣା ପରେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

State,Politics

ବବିଙ୍କ କଥାରେ ଯାଉଥିଲେ ବାଇଁଆ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ବିଜେଡି ଅପରାଧ ଓ ନାରୀ କେଳେଙ୍କାରୀର ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ଦୁଇବର୍ଷ ପରେ ବିସ୍ଫୋରଣ କରି ଅନେକ ସତ ଓଗାଳିଛନ୍ତି । ପୂରା ବିଜେଡିକୁ କାଠଗଡ଼ାକୁ ଟାଣି ଦେଇଛନ୍ତି । ତାଙ୍କ ଅଭିଯୋଗର ତଦନ୍ତ ହେଲେ ବିଜେଡିର ଅନେକ ନେତା ଫସିବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ଟିକେ ନଜର ପକାଇ ନେବା ତାଙ୍କ ଅଭିଯୋଗ ଉପରେ । ସେ କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେଲ ଯାଇ ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବସୁଥିଲେ । ସେଠାକୁ ଅର୍ଚ୍ଚନାଙ୍କୁ ଡକାଇ କଥା ହେଉଥିଲେ । ତାଙ୍କୁ ଚା’ ଦିଆଯାଉଥିଲା । ଅର୍ଚ୍ଚନା ଚେୟାରରେ ବସି ଚା ପିଉଥିଲେ ।

ଏହା ମିଥ୍ୟା ନୁହେଁ ବୋଲି ବି ଜେଲର ଅନେକ କର୍ମଚାରୀ କହିଲେଣି । ଜେଲ ସୁପରିଟେଣ୍ଡାଣ୍ଟଙ୍କର ବାଇଁଆ ପାରିବାରିକ ସମ୍ପର୍କୀୟ ନଥିଲେ କି? ବାଇଁଆଙ୍କ ସହ ଜେଲ ସୁପରିଟେଣ୍ଡାଣ୍ଟଙ୍କ କି ସମ୍ପର୍କ ରହିଛି । ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବିଚାରାଧିନ କୈଦୀ ଅର୍ଚ୍ଚନାଙ୍କୁ ବସାଇ ଚା’ କାହିଁକି ଦିଆଯାଉଥିଲା? ତାହା ପୁଣି ବାଇଁଆଙ୍କୁ ବସାଇ । କେବଳ ସେତିକି ନୁହେଁ, ପୋଲିସ ଏସିପି ହିମାଂଶୁ ସ୍ୱାଇଁ ମଧ୍ୟ ସମାନ କାମ କରୁଥିଲେ କାହିଁକି? ତାହା କ’ଣ ଜେଲ କ୍ୟାଣ୍ଟିନ କି? ଜଣେ ବିଚାରାଧିନ କୈଦୀଙ୍କୁ ବସାଇ ଚା ପିଆଇବା ଓ ଚା’ ପିଇ ଯିବା ପରେ ଅର୍ଚ୍ଚନା ଶୋଇ ରହିବା ପଛରେ ବଡ଼ ଷଡ଼ଯନ୍ତ୍ର ସ୍ପଷ୍ଟ ହେଉ ନାହିଁ କି?

କେବଳ ସେତିକି ନୁହେଁ ତାଙ୍କୁ ଟଙ୍କା ଦିଆଯାଉଥିଲ କାହିଁକି? ଟଙ୍କାକୁ ତକ୍ରାଳୀନ ଜେଲର ଜବତ ବି କରିଥିଲେ । ଜେଲରଙ୍କୁ ସେ ଜବତ ଟଙ୍କା ଫେରାଇ ଦେବାକୁ ଜେଲ ସୁପରିଟେଣ୍ଡାଣ୍ଟ ଚାପ ପକାଇଥିଲେ କାହିଁକି? ଅର୍ଚ୍ଚନାକୁ ମାନସିକ ଭାରସାମ୍ୟ ହରାଇଥିବା କଥା ଲେଖି କୋର୍ଟଙ୍କୁ ଜଣାଇବାକୁ ବାଇଁଆ ଓ ବିବାଦୀୟ ଅଫିସରମାନେ କାହିଁକି ଚାପ ପକାଉଥିଲେ? ଏଥିରେ ଜେଲର ସହଯୋଗ ନକରିବାରୁ ତାଙ୍କୁ କାହିଁକି ହଟାଗଲା? ଏସବୁ ପଛରେ କାହାର ହାତ ଥିଲା । କାହା ଇଙ୍ଗିତରେ ଜେଲ ଭିତରେ ଏତେ ସବୁ କେଳେଙ୍କାରୀ ଚାଲିଥିଲା । ଅର୍ଚ୍ଚନାଙ୍କ ମୁହଁ ବନ୍ଦ କରିବାକୁ ଏତେ କାରସାଦୀ କାହିଁକି କରାଯାଉଥିଲା । ଏହାର ଜବାବ ବିଜେଡି ନେତା ଓ ସମ୍ପୃକ୍ତ ଅଫିସରମାନେ ଦେଇ ପାରିବେ ତ?

ଏବେ ଏହି ସବୁ ଘଟଣାର ତଦନ୍ତ କରିବାକୁ ଅର୍ଚ୍ଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତାଙ୍କୁ ପ୍ରତିଶୃତି ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀ ଦମ ଦେଖାଇବେ ତ? ବିବାଦୀୟ ଅଫିସରମାନେ ଏବେ ବିଜେପି ବିଧାୟକ ଓ ନେତା ମାନଙ୍କ ଖାସ ଲୋକ ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ଗୃହ ବିଭାଗ ପଦକ୍ଷେପ ନେଇ ପାରିବ ନା ଲାଙ୍ଗୁଡ଼ ଜାକିବ? ଉାମଲା ପଛର ରହସ୍ୟ ପଦାକୁ ଆସିବ ତ? ମୋହନ ଖୋଲି ପାରିବେ କି ବିଜେଡି ଦ୍ୱାରା ରଚାଯାଇଥିଲା ନାରୀ କେଳେଙ୍କାରୀର ଗୁମର? ନା ମୋହନ ବି ବାଆଁରେଇବେ?


State

ଗଞ୍ଜାମ ଓକିଲ ସଂଘର ନୂତନ କୋଠା ଭିତ୍ତିପ୍ରସ୍ତର ସକାଶେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓକିଲ ସଂଘର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅବ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଳ ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଆଇନଜୀବୀଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟାକୁ କିଭଳି ଭାବେ କାର୍ଯ୍ୟକାରି କରାଯିବ ସେଥି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା l ବୈଠକର ଆରମ୍ଭ ରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୂର୍ଣ୍ଣସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ

ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି.ଏଲ.ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l

State,Politics

ବିଜେପିର ଚାଲ ନା ବିଜେଡ଼ିର ଭୁଲ ?

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଅର୍ଚ୍ଚନା ନାଗଙ୍କ କଥାକୁ ନେଇ ବିଜେଡ଼ିରେ କମ୍ପନ ଦେଖାଦେଇଛି । ନବୀନ ସୁସ୍ଥ ହୋଇ ଫେରିବା ଖୁସି ପାଳନ କରିବେ କଣ ଏବେ ବିଜେଡ଼ି ଭିତରେ ଅର୍ଚ୍ଚନାଙ୍କ ଚର୍ଚ୍ଚା । ଅର୍ଚ୍ଚନା ନାଗ ତାଙ୍କ ଦ୍ଵିତୀୟ ପାଳି ଆକ୍ରମଣରେ ବିଜେଡିକୁ କ୍ଷତାକ୍ତ କରିବା ପାଇଁ ପ୍ଲାନ କରିଛନ୍ତି । ବିଜେଡ଼ି ବି କିଲବିଲ ହେଉଛି । ସିଧା ଟାର୍ଗେଟ ବବି ଆଉ ମାନସ । ବବି ଓରଫ ପ୍ରଣବ ପ୍ରକାଶ ଦାଶ ଏବଂ ଏମପି ମାନସ ମଙ୍ଗରାଜ, ତା ଛଡ଼ା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ସବୁବେଳେ ସ୍ୱର ଉଠାଉଥୁବା ଅମରେଶ ଜେନାଙ୍କ ପାଞ୍ଜି ଖୋଲିଛନ୍ତି । ଗୋଟିଏ ଗୋଷ୍ଠିରେ ଥିବା ଏହି ତିନି ଜଣଙ୍କୁ ଏକାଥରେ ଟାଣି ପଦାରେ ପକାଇଦେଇଛନ୍ତି ଅର୍ଚ୍ଚନା ।


ନବୀନ ପଟନାୟକଙ୍କ ଫେରିବା ଖୁସି ନେଇ ବିଜେଡିର ସମସ୍ତେ ଉତ୍ସାହୀ ଥିଲେ । ବିଜେଡ଼ି ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ଲାଗିଥିଲା । ଏଇଠୁ ହିଁ ବାର୍ତ୍ତା ଦେଇଥାନ୍ତା ନବୀନ ଫେରିଲେଣି ପୁଣି ବିଜେଡ଼ି ଉଠିବ । ଠିକ ସମୟରେ ବିଜେଡ଼ିକୁ ଶକ୍ତ ଧକା ଦେଇଛନ୍ତି ଅର୍ଚ୍ଚନା ନାଗ । ଏହା ହୁଏତ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଥାଇପାରେ କିନ୍ତୁ ଅର୍ଚ୍ଚନାଙ୍କ ଝଟକା ବିଜେଡ଼ିକୁ ଲାଗିଛି । ଭିତରେ ଭିତରେ ସମସ୍ତେ ଘୁଣି ହେଉଛନ୍ତି । ହେଲା ତ ହେଲା ବବି ଓ ମାନସଙ୍କ ଉପରେ ବାଜିଲା । ଅମରେଶ ଓରଫ ବାଇଁଆଙ୍କ ଉପରେ କହିଥିଲେ କିଛି ସେମିତି ଫରକ ପଡ଼ିନଥାନ୍ତା । କିନ୍ତୁ ବବି ଓ ମାନସଙ୍କ ବିରୁଦ୍ଧରେ ଯେଉଁ ସତ ବାହାରିଛି, ତାହା ବର୍ତ୍ତମାନ ବିଜେଡ଼ିରେ ହଲଚଲ କରୁଛି । ସତରେ ଯଦି ଏହା ଉପରେ ତଦନ୍ତ ଆରମ୍ଭ ହେବ, ତାହେଲେ ବିଜେଡ଼ି ଟା ନାରୀ କେଳେଙ୍କାରୀରେ ଫସିଯିବ । ଯେମିତି କଂଗ୍ରେସ ଛବିରାଣୀ ଓ ଅଞ୍ଜନାଙ୍କ ଭଳି ନାରୀ କେଳେଙ୍କାରୀରେ ଫସି କ୍ଷମତାରୁ ପଳେଇଛି, ବିଜେଡ଼ି ସେହିଭଳି ସ୍ଥିତିକୁ ଆସିଯାଇପାରେ ।


ଛବିରାଣୀ ଓ ଅଞ୍ଜନାଙ୍କ ମାମଲାରେ କଂଗ୍ରେସ ଏବେ ପର୍ଯ୍ୟନ୍ତ ସଢ଼ିଗଲାଣି । ଲୋକେ ଆଉ ଭରସା କରୁନାହାନ୍ତି । ଅର୍ଚ୍ଚନା ନାଗଙ୍କ କଥା ଯଦି ସାମ୍ନାକୁ ପ୍ରମାଣିତ ହୋଇ ବାହାରି ଆସିଲା, ତାହେଲେ ବିଜେଡିର କାଳେ ଖେଳ ଖତମ । ଏହି ଭୟ ସମସ୍ତଙ୍କୁ ଘାରିଲାଣି ବୋଲି ପ୍ରମିଳା ଏକଦମ ବିଳିବିଳି ହୋଇ ପଡିଛନ୍ତି । ଅର୍ଚ୍ଚନା ନାଗଙ୍କ କଥା କହିଲା ବେଳେ ସେ ଅର୍ଚ୍ଚନା ନାୟକଙ୍କ କଥା ପଚାରୁଛନ୍ତି । କିନ୍ତୁ ଶେଷରେ ମାନିଛନ୍ତି ଯେ ଏଭଳି ସମୟରେ କଣ ଏଭଳି କଥା ପଚାରିବା କଥା ? ଗଣମାଧ୍ୟମର ମାଲିକ ମାନେ କଣ କହିଛନ୍ତି ଏକଥା ପଚାରିବାକୁ ? ଏତେ ବିଭ୍ରାନ୍ତ ହେଇଯାଇଛି ଯେ ବିଜେଡି, ଗଣମାଧ୍ୟମ କଣ ପ୍ରଶ୍ନ ପଚାରେ, କେଉଁ ଆଧାରରେ ପଚାରେ ତାହା ବି ସେ ପରାମର୍ଶ ଦେବା ପାଇଁ ପଛାଉନାହାନ୍ତି । ବିଜେଡି ଭିତରେ ଥିବା କାଦୁଅ ଏବେ ବିଜେଡ଼ିକୁ ଗୋଳେଇଲାଣି । ଦେଖାଯାଉ ବିଜେଡି ଏ କାଦୁଅରୁ କେମିତି ବାହାରୁଛି ନା ନବୀନଙ୍କ ସୁସ୍ଥତାର ଖୁସି ଏହି କାଦୁଅରେ ମିଶି ଯାଉଛି ?



State,National,Politics

ରାହୁଲ ଓ ମୋଦୀଙ୍କ ଉପରେ ବର୍ଷିଲେ ସୁର

Blog Thumbnail

ଦ କୁଇଭର ବ୍ୟୁରୋ - ଆଃ ଥୁ.... କି ଲଜ୍ଜା.... ବେକାର କଥା.... ଏପରି କହୁଥିବା ସଭିଙ୍କ ପ୍ରିୟର ମଣିଷ ଟିଏ ହେଉଛନ୍ତି ନିଜକୁ ରାଜନୀତି ପ୍ରତି ସମର୍ପଣ ଦେଇଥିବା ସୁର ରାଉତରାୟ l ସର୍ବଦା ସତ୍ୟ କହି ଚର୍ଚ୍ଚାରେ ରୁହନ୍ତି, ଆଉ ସମସ୍ତଙ୍କ ଭୁଲ କୁ ରୋକ ଠୋକ କହିଦିଅନ୍ତି l କୁହାଯାଏ, ରାଜନୀତିର ABCD ସବୁ ସେ ଜାଣନ୍ତି, ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିଧାନସଭା ର ସେ ଜଣେ ବରିଷ୍ଠ ସଦସ୍ୟ ଯିଏ କଂଗ୍ରେସ ପ୍ରତି ନିଜକୁ ପୂର୍ଣ୍ଣ ସମର୍ପଣ ଦେଇଛନ୍ତି, ସୁର ରାଉତରାୟ l


ଗତ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ କଥା କଥାକେ କହିଥିଲେ ଯେ, ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ଓଡିଶା ମାଟିକୁ ଭଲ ପା'ନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କୁ ଭଲପାନ୍ତି ବୋଲି ଆମେରିକା ନ ଯାଇ ଓଡିଶା ଆସିଲେ l ଏକଥାକୁ କଟାକ୍ଷ କରିଛନ୍ତି ସୁର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଲାଯୁଗ ବୋଲି କହିଛନ୍ତି l


ସେହିପରି ଜୁଲାଇ ୧୧ ତାରିଖଦିନ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ l ଆଉ ସେ ମଧ୍ୟ ଶ୍ରୀ ଜଗନ୍ନାଥ ବିରୋଧୀ କଥା କହିଥିବା ସୁର ରାଉତରାୟ କହିଛନ୍ତି ଯାହାକୁ ସେ ତିବ୍ର ନିନ୍ଦା କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି l

Politics,State

ନବୀନ ମାଗିଲେ ଜବାବ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ନେଇ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୈଫିୟତ ମାଗିଛନ୍ତି । ରାଜ୍ୟବାସୀଙ୍କ ଆଗରେ ଜବାବ ଦିଅ ବୋଲି କହିଛନ୍ତି । ଏପରି ଏକ ଜଘନ୍ୟ କାରନାମାକୁ ଚାପି ରଖିଥିବା ସରକାରଙ୍କୁ ନିନ୍ଦା କରିଛନ୍ତି ନବୀନ । ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଏବିଭିପି ମେଳିରେ ଦମ ଦେଖାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯ୍ୟାତନା ଦେବା ଘଟଣା ନେଇ ଛାତ୍ରୀ ଜଣକ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷ ତାଙ୍କୁ ନ୍ୟାୟ ଦେଇ ନଥିଲେ, ସ୍ଥାନୀୟ ବିଧାୟକ, ଏମପି, ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ୍ସ ଜରିଆରେ ଲେଖି ଜଣାଇଥିଲେ । ଏପରିକି ସେ ଏବିଭିପିର ସଦସ୍ୟା ହୋଇଥିବାରୁ ଏବିଭିପି ପ୍ୟାଡରେ ମଧ୍ୟ ଅଭିଯୋଗ ଲେଖି ସମସ୍ତଙ୍କୁ ଜଣାଇ ନ୍ୟାୟ ମାଗିଥିଲେ । ଜୁଲାଇ ୧ ତାରିଖରୁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନାନା ପ୍ରକାର ସାମାଜିକ ନିର୍ଯାତନା ଦିଆଯାଉଥିଲା ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରର ଦାୟିତ୍ୱହୀନତା ଯୋଗୁ ଜଣେ ଛାତ୍ରୀ ୧୦ଦିନ କାଳ ମାନସିକ ଓ ସାମାଜିକ ନିର୍ଯାତନା ପାଇ ଶେଷରେ ଆତ୍ମାହୂତି ଭଳି ପନ୍ଥା ଆପଣେଇଲେ । ଏହାକୁ ସରକାରଙ୍କ ଅପାରଗତା ବୋଲି ଦର୍ଶାଇଛନ୍ତି ନବୀନ । ଜବାବ ରଖିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଛାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦନ କରିବାସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ନାରୀ ଅସୁରକ୍ଷିତ ଦର୍ଶାଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦାବି କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏବିଭିପି ମେଳିରେ ତାଙ୍କ ଦମ ଦେଖାଇଛନ୍ତି । ବାଲେଶ୍ୱର ଜିଲ୍ଲାର ବିଧାୟକ ଭାବେ ସେ ଏମ୍ସ ଯାଇ ଛାତ୍ରୀଙ୍କ ପରିବାର ସହ ଭେଟିଥିଲେ । ଯେଉଁ ଏବିଭିପି ତାର ସଦସ୍ୟାଙ୍କୁ ନ୍ୟାୟ ଦେଇ ପାରିନଥିଲା, ଏବେ ସରକାରଙ୍କ ଠିକାଦାର ହୋଇ ବିରୋଧୀଙ୍କୁ ପ୍ରତିରୋଧ କରୁଛି । ଗୌତମଙ୍କୁ ଏବିଭିପିର ସଦସ୍ୟମାନେ ଘେରିଯାଇଥିଲେ । ତାଙ୍କରି ମେଳିରେ ଗୌତମ ତାଙ୍କୁ ଜବାବ ଦେଇ ଫେରିଥିଲେ । ଏହି ଘଟଣାକୁ ନେଇ ବିଜେପି ପୂରା ଫର୍ମକୁ ଆସିଛି ।

ଗୋଟେ ପଟେ ନବୀନ ସୁସ୍ଥ ହୋଇ ଫେରିଥିବାରୁ ବିଜେଡି ଉତ୍ସାହୀ ହୋଇ ପଡ଼ିଛି । ଏପରି ସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଓ ସେଥିରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଧରି ବିଜେଡି ଏଥର ବିଜେପିକୁ ମାଡ଼ କରିବାକୁ ବସିଛି । ଏହି ଘଟଣାକୁ ବିଜେଡି ବିଧାନସଭା ପର୍ଯ୍ୟନ୍ତ ଜାରି ରଖିବ ବୋଲି କୁହାଯାଉଛି । ଦେଖାଯାଉ ବିଜେଡି ଏହି ପ୍ରସଙ୍ଗରେ ତାର ଆଭିମୁଖ୍ୟକୁ ଆଉ କେତେ ପ୍ରଭାବୀ କରୁଛି?


National

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।


AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Politics,National

ଯମୁନା ପୁଣି ପ୍ରଦୂଷିତ

Blog Thumbnail

ଦ କୁଇଭର ବ୍ୟୁରୋ :- ପବିତ୍ର ଯମୁନା ନଦୀକୁ ନେଇ ବହୁତ କିଛି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠୁ ଲାଗିପଡ଼ିଥିଲେ । କହିଲେ ଯମୁନା ହେବ ପ୍ରଦୂଷଣ ମୁକ୍ତ । ସ୍ୱଚ୍ଛ ହେବ ପାଣି, ଫେରିବ ପବିତ୍ରତା । ଲୋକଙ୍କର ସବୁଠୁ ବଡ଼ ସମସ୍ୟାକୁ ଦୂର କରିଦେବେ । ହେଲେ ୬ ମାସ ଯାଇନି ଫସର ଫାଟିଲାଣି । ଯମୁନା ପ୍ରଦୂଷଣ ମୁକ୍ତ ହେବ କଣ ? ଅଧିକ ପ୍ରଦୂଷିତ ହେଲାଣି । ଦେଖନ୍ତୁ ଏହି ସ୍ଥିତି ।


ଅସମ୍ଭାଳ ହେଲାଣି ଯମୁନା ସ୍ଥିତି । ପ୍ରଦୂଷଣ ଭୟଙ୍କର ରୂପ ନେଲାଣି । ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏ ସବୁ ଦିଶୁନି । ବିଜେପିକୁ ବି ଦିଶୁନି । ସବୁଠୁ ବଡ଼ କଥା ହେଲା ବିରୋଧୀ ଆପ ବି ଚୁପ ହୋଇ ବସିଛି । ପ୍ରଦୂଷଣ ଦିଲ୍ଲୀରେ ଭୟଙ୍କର ରୂପ ନେଇ ଚାଲିଛି । ବାୟୁ ବା ଧୂଳି ପ୍ରଦୂଷଣକୁ କୃତ୍ରିମ ବର୍ଷା ଦ୍ୱାରା ରୋକି ପାରିବେ, ହେଲେ ଯମୁନା ପ୍ରଦୂଷଣ ଏବେ ବଡ଼ ଚିନ୍ତା । ଲମ୍ବା ଲମ୍ବା କଥା ଫିକା ପଡ଼ିଗଲାଣି । ରେଖା ଗୁପ୍ତାଙ୍କ ସରକାର ଆଣ୍ଠେଇ ପଡ଼ିଲାଣି । ଯମୁନା ଦେଖାଉଛି ରେଖା ଗୁପ୍ତାଙ୍କ ଫେଲ ମଡ଼େଲ ।


ଯମୁନାର ପ୍ରଦୂଷଣ ଆଗରେ ସମସ୍ତେ ହାରୁଛନ୍ତି, ହେଲେ ମାନୁନାହାନ୍ତି । ପ୍ରଦୂଷଣ ଏତେ ଗମ୍ଭୀର ଯେ, କିଛି କରିବା କଷ୍ଟକର ହେଲାଣି । ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ମାନଙ୍କ ବିରୁଦ୍ଧରେ ପଦକ୍ଷେପ ବୋଲି ଶୂନ । ରାଜନୈତିକ ଚାନ୍ଦା ଦେଇ ଦେଇ ଶିଳ୍ପପତି ପ୍ରକୃତିକୁ ଖିନଭିନ କରୁଛନ୍ତି । ଆଉ ଚାନ୍ଦା ପାଇ କେବଳ ଲୋକଙ୍କ ଆଖିରେ ପରଦା ପକାଇବା ପାଇଁ ହୋହାଲ୍ଲା କରି ନିରବ ବସୁଛନ୍ତି ନେତାମାନେ । ଯାହା ଫଳରେ ପ୍ରଦୂଷଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡୁଛି । ଦେଖାଯାଉ ରେଖା ଗୁପ୍ତାଙ୍କ ସରକାର ଯମୁନାକୁ ବାସ୍ତବରେ ପ୍ରଦୂଷଣ ମୁକ୍ତ କରୁଛନ୍ତି ନା କର୍ଦମୁକ୍ତ କରୁଛନ୍ତି ?



State

ପିଉସୀକୁ ପ୍ରେମବିବାହ କରି କଙ୍ଗାରୁ କୋର୍ଟରେ ପାଇଲେ ଦଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।


କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

State

ରାଜ୍ୟରେ ଆଉ ୪ ଦିନ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l

State,National

ୟୁଟ୍ୟୁବ କ୍ରିଏଟରଙ୍କ ପାଇଁ ବଡ଼ ଖବର

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିଛି କିଛି ନୂଆ ନିୟମବଳୀ l ୟୁଟ୍ୟୁବ୍ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ଏବଂ ଏପରି ଚ୍ୟାନେଲଗୁଡ଼ିକୁ ମଧ୍ୟ ଡିମନିଟାଇଜ୍ କରାଯାଇପାରେ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ଲାଟଫର୍ମରେ ମୌଳିକ ଏବଂ ସୃଜନଶୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ।ଏହା ସହିତ, ୟୁଟ୍ୟୁବ୍ "ଥମ୍ବନେଲ୍" ଏବଂ "ଟାଇଟଲ୍"କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ । ଦର୍ଶକଙ୍କୁ ଭ୍ରମିତ କରୁଥିବା ଏଭଳି କ୍ଲିକ୍‌ବେଟ୍ କଣ୍ଟେଣ୍ଟ ଉପରେ ୟୁଟ୍ୟୁବ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାହାଦ୍ୱାରା ଦର୍ଶକମାନେ ସଠିକ୍ ସୂଚନା ପାଇପାରିବେ ।


ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟକୁ ନେଇ । ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ "ଲେବଲ୍" ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଇବ ଯେ ସେମାନେ ଦେଖୁଥିବା କଣ୍ଟେଣ୍ଟ ବାସ୍ତବ ନୁହେଁ, ବରଂ ଏଆଇ ଦ୍ୱାରା ନିର୍ମିତ । ଏହି ନିୟମର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ ଏବଂ ଗୁଜବକୁ ରୋକିବା ।ଏହିସବୁ ପରିବର୍ତ୍ତନ ବ୍ୟତୀତ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।

State

ୟୁନିୟନ କ୍ଲବ ନବ ନିର୍ବାଚିତ ବିଜୟୀ ପ୍ରାର୍ଥୀମାନଙ୍କୁ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧନା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ କେ. ଅନିଲ କୁମାରଙ୍କ ଦ୍ଵାରା ୟୁନିୟନ କ୍ଲବର ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଏକ ସମାରୋହ ର ଆୟୋଜନ କରାଯାଇଥିଲା l ତେବେ ୟୁନିଅନ କ୍ଲବ ର ସଭାପତି ଭାବେ ବାରଣାସୀ ସନ୍ତୋଷ କୁମାର ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ବିଦ୍ୟୁତ ଭୂଷଣ ପଟ୍ଟନାୟକ @ ଗମ୍ପୁ, ସମ୍ପାଦକ ଭାବେ ସନ୍ତୋଷ କୁମାର ପାଢ଼ୀ @ପାର୍ଥ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଲାଭେଟି ଶ୍ରୀନିବାସ ରାଓ, ସେହିପରି କୋଷାଧକ୍ଷ ଭାବେ ଜିତେନ୍ଦ୍ର କୁମାର ଗୌଡ଼ ନିର୍ବାଚିତ ହୋଇଥିବା ବେଳେ ଇସି ସଦସ୍ୟ ଭାବେ ସୁଧୀର କୁମାର ସାହୁ @ମୁନା, ଅଶୋକ ସାହୁ, ପ୍ରଦ୍ୟୁମ୍ନ କୁମାର ବିଶୋଇ @ପିଲା, ଶ୍ରୀନିବାସ ପୃଷ୍ଟି, k ଗୌରୀ ଶଙ୍କର ସୁବୁଦ୍ଧି, ସୁରେଶ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ମୋହନ ପଟ୍ଟନାୟକ ଏବଂ ଉମା ଶଙ୍କର ପାଢ଼ୀ ନିର୍ବାଚିତ ହୋଇଛନ୍ତି l ତେବେ ବିଧାୟକ କେ ଅନିଲ କୁମାର ସମସ୍ତ ବିଜୟୀ ପ୍ରାର୍ଥୀମାନଙ୍କୁ ହାର୍ଦ୍ଧିକ ସୂବେସ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି l

State

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।

National,State

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।

State,Health & lifestyle,Education

AIIMSରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଏଫ୍ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରି ପୀଡିତା ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । AIIMSରେ ଚିକିତ୍ସାଧୀନ ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା, "ଦିଲ୍ଲୀ AIIMS ଭଳି ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଆଗାମୀ 24 ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିଲେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇପାରେ ।"ଏପଟେ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଓଡ଼ିଶା ଡିଜିପିଙ୍କୁ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ । ୩ ଦିନ ଭିତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ଜଣାଇବାକୁ ନିର୍ଦ୍ଦେଶ ।


ବାଲେଶ୍ବର ଏଫ୍ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଘଟଣାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ NCW । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ DGPଙ୍କୁ ଦେଲେ ନିର୍ଦ୍ଦେଶ । ଘଟଣାକୁ ତୀବ୍ର ନିନ୍ଦା ସହ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ।ଏଫ୍ ଏମ୍ କଲେଜ ଘଟଣାରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।