ଦ କୁଇଭର ବ୍ୟୁରୋ :- ଆଜି (ଗୁରୁବାର) ବିହାର ବିଧାନସଭା ନିର୍ବାଚନ 2025ର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଯେଉଁଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନର ପୂର୍ବ ସନ୍ଧ୍ୟାରେ, ସମସ୍ତ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରକୁ ଇଭିଏମ୍, ଭିଭିପ୍ୟାଟ୍, କାଳି, ବାଲଟ୍ ବାକ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଯାଇଛି । ଏସବୁ ସାମଗ୍ରୀ ନେଇ ସୁରକ୍ଷାକର୍ମୀଙ୍କ ସହିତ ପୋଲିଂ କର୍ମଚାରୀମାନେ ମୋଟ୍ 45,341 ମତଦାନ କେନ୍ଦ୍ରକୁ ପ୍ରସ୍ଥାନ କରିସାରିଛନ୍ତି। ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ମଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ୍, ସାରଣ, ବୈଶାଳୀ, ସାମସ୍ତିପୁର, ବେଗୁସରାଇ, ଖାଗରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଲନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର।115 ବିଧାନସଭା ନିର୍ବାଚନମଣ୍ଡଳୀର 43,206ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ । ମାତ୍ର 6ଟି ବିଧାନସଭା ନିର୍ବାଚନମଣ୍ଡଳୀର 2,135ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ ।






