ଦ କୁଇଭର ବ୍ୟୁରୋ :- ରାଜସ୍ଥାନ ଜୈସଲମେର ଜିଲ୍ଲାର ଜୈସଲମେର-ଜୋଧପୁର ରାସ୍ତାରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଯାଇଛି । ଭରପୂର ଯାତ୍ରୀ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୧୯ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିଲେ । ଅନ୍ୟଜଣେ ଯାତ୍ରୀଙ୍କର ଗୁରୁତର ଅବସ୍ଥାରେ ଜୋଧପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅନ୍ୟ ୧୫ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ପୋକରଣ ବିଧାୟକ ମହନ୍ତ ପ୍ରତାପପୁରୀ । ଏକ ଘରୋଇ ବସ ଯାତ୍ରୀଙ୍କୁ ନେଇ ମଙ୍ଗଳବାର ଦ୍ୱିପହର ପ୍ରାୟ 3ଟାରେ ଜୈସଲମୈରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସରେ ପ୍ରାୟ 57 ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ଜୋଧପୁର ଯାଉଥିଲେ । ପ୍ରାୟ ୨୦ କିମି ଯିବା ପରେ ଥଇୟାତ ଗାଁ ନିକଟରେ ଥିବା ସେନାର ୱାର ମ୍ୟୁଜିୟମ ନିକଟରେ ହଠାତ ବସର ପଛ ଭାଗରୁ ଧୁଆଁ ଉଠିଥିଲା । ଦେଖୁ ଦେଖୁ ପୂରା ବସରେ ନିଆଁ ଲାଗି ଯାଇଥିଲା ।ଅନେକ ଯାତ୍ରୀ ଝରକା ଏବଂ ଡୋର ଦେଇ ବାହାରି ଆସିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାରକାରୀ ଟିମ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଜଳୁଥିବା ବସରେ ପାଣି ଏବଂ ବାଲି ପକାଇ ଲିଭାଇ ଦେଇଥିଲେ ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ୧୯ଜଣ ଯାତ୍ରୀ ନିଆଁରେ ଜଳି ଯାଇଥିଲେ । ପରେ ପରେ ଆଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜୈସଲମେର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଗୁରୁତର ଥିବା ରୋଗୀଙ୍କୁ ସେଠାରୁ ଜୋଧପୁର ସ୍ଥାନାନ୍ତର କରାଯାଇଥିଲା ।