ଦ କୁଇଭର ବ୍ୟୁରୋ :- ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଭଣ୍ଡବାବାଙ୍କ କାରନାମା । ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ନାମକ ଜଣେ ବାବା ମେନେଜମେଣ୍ଟ କଲେଜ ଖୋଲି ଚଳାଇଥିଲେ ଏପରି କାଣ୍ଡ । ବାବାଙ୍କ ବିରୋଧରେ ସମ୍ପୃକ୍ତ କଲେଜର ୩୫ଜଣ ଛାତ୍ରୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ସେଥିରୁ ୧୭ଜଣ ଛାତ୍ରୀଙ୍କୁ ବାବା ଅଶ୍ଳୀଳ ଭାଷାରେ ଗାଳି ଦେବା, ଚାର୍ଟ କରିବା ଓ ହଇରାଣ ହରକତ କରିବା ଭଳି ଅଭିଯୋଗ ଦିଲ୍ଲୀ ପୋଲିସକୁ ଦେଇଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରିବା ପରେ ଅନେକ ରହସ୍ୟ ପଦାକୁ ଆସିଛି ।
ବାବା ଚୈତନ୍ୟାନନ୍ଦ ଦୀର୍ଘଦିନ ଧରି ଏକ ମେନେଜମେଣ୍ଟ କଲେଜ ସହ ଜଡ଼ିତ ରହିଛନ୍ତି । ସେ କଲେଜର ଅନେକ କାମରେ ସାମିଲ ରହୁଥିଲେ । ସେ ବାରମ୍ବାର କଲେଜର ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରନ୍ତି । ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ବି କରନ୍ତି ଆଉ ଅଶ୍ଳୀଳ ମେସେଜ ବି ହ୍ୱାଟସ ଆପରେ ଦିଅନ୍ତି । ଏମିତି ସ୍ଥିତି ଚାଲିଥିବା ବେଳେ ଅନେକ ଛାତ୍ରୀ ଏନେଇ ପୋଲିସକୁ ଜଣାଇଥିଲେ । ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଚଳାଇଛି ।
ତଦନ୍ତ କାଳରେ କଲେଜର ୩ଜଣ ମହିଳା କର୍ମଚାରୀଙ୍କୁ ପଚରାଉଚରା କରିଛି । ଏଥିସହ ବାବାଙ୍କର ବହୁ ଦାମୀ କାର ବି ଠାବ ହୋଇଛି । ସେଥିରୁ ଗୋଟିଏ କାରରେ ଜାଲ ନମ୍ବର ପ୍ଲେଟ ଲାଗିଥିବା ପୋଲିସ ଦେଖିଛି । ଆହୁରି ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀମାନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ବାବାଙ୍କୁ ଗିରଫ କରିପାରେ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ବାବା ଖସି ପଳାଇବାକୁ ଯୋଜନା କରିଛନ୍ତି । ମାତ୍ର ପୋଲିସ ଏବେ ତଦନ୍ତକୁ ଅଧିକ ବ୍ୟାପକ କରିଛି । ଏଥିରେ ବହୁ କଳା କାରନାମା ଥିବା ପଦାକୁ ଆସିବାରେ ଲାଗିଛି । ଦେଖାଯାଉ ବାବାଙ୍କର ସବୁ କଳାକାରନାମା ଖୋଲୁଛି ନା କୌଣସି ଚାପରେ ତାହା ଚପି ଯାଉଛି ?