ବ୍ରହ୍ମପୁର( ଦ କୁଇଭର ):- ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ସ୍ଥିତ ପିଏସ୍ଆର୍ ସିନେମା ମାଲିକ ରାଉରକେଲାର ରାଜେଶ ଶର୍ମାଙ୍କୁ ଟାଉନ୍ ଥାନା ପୁଲିସ ଶନିବାର ଗିରଫ କରିଛି। ସୂଚନା ପ୍ରକାରେ,ଗତ ୨୦୨୨ରେ ମୁମ୍ବାଇର ରିୟଲ୍ ଫିଲ୍ମସ୍ର ସରଜୁ ରମେଶ ଚନ୍ଦ୍ର ସାହାଙ୍କ ସହ ରାଜେଶ ସ୍ଥାନୀୟ ପୁରୁଣା ବସ୍ଷ୍ଟାଣ୍ଡ ନିକଟସ୍ଥ ପିଏସ୍ଆର୍ ସିନେମାର ତିନିଟି ସ୍କ୍ରିନ୍ରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇବା ପାଇଁ ଚୁକ୍ତିନାମା କରିଥିଲେ । ଚୁକ୍ତିନାମା ଅନୁଯାୟୀ ରମେଶ ୩୯ଲକ୍ଷ ଟଙ୍କା ବ୍ୟୟରେ ୩-ଡି ସାଉଣ୍ଡ ସିଷ୍ଟମ୍ ଲଗାଇଥିଲେ ।ପରବର୍ତ୍ତୀ ସମୟରେ ରାଜେଶ ଉକ୍ତ ଟଙ୍କା ପୈଠ କରିନଥିଲେ ଏବଂ ଦେଇଥିବା ଚେକ୍ ଗୁଡ଼ିକ ସବୁ ବାଉନ୍ସ ହୋଇଯାଇଥିଲା। ଏଥିନେଇ ରମେଶ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାଜେଶ ୭ଟି ଚେକ୍ ବାଉନ୍ସ ମାମଲାରେ ଜଡ଼ିତ ଥିବା ବ୍ରହ୍ମପୁର ଏସ୍.ପି ଡା. ଶ୍ରବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି ।