କେନ୍ଦୁଝର ( ଦ କୁଇଭର ):- ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ l
ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ବାସଭବନରେ ପହଂଚି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l
No comments yet.
National
ରାଜନଗର(ଦ କୁଇଭର): ଓଡ଼ିଶା ଭିତରେ ପଶି ଗୁଣ୍ଡାରାଜ କରିଛନ୍ତି ବଙ୍ଗାଳୀ । ବଙ୍ଗାଳୀ କି ବାଂଲାଦେଶୀ ତାହା ତ ସ୍ପଷ୍ଟ ହୋଇନାହିଁ, ତଥାପି ବଙ୍ଗାଳୀଙ୍କ ଗୁଣ୍ଡାଗିରି ଏବେ ସୀମା ପାର ହୋଇଛି । କେବଳ ଗୁଣ୍ଡାଗିରି କରିନାହାନ୍ତି, ବନ ବିଭାଗ ହେପାଜତରୁ ୯ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ପଳାଇଛନ୍ତି । ଆତ୍ମରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ଗୁଳି ଚଳାଇ ନଥିଲେ, ପାଟ୍ରୋଲିଂ ଟ୍ରଲରକୁ ବୁଡ଼ାଇ ଦେଇଥାନ୍ତେ ବୋଲି ଜଣାପଡ଼ିଛି । ଏପରି ଗୁଣ୍ଡାଗର୍ଦ୍ଦି ଓଡ଼ିଶା ସୀମା ପ୍ରତି ସାଂଘାତିକ ବିପଦର ଆଶଙ୍କାକୁ ବଢ଼ାଇଛି ।
ଅଲିଭ ରିଡଲେ କଇଁଚଙ୍କ ପ୍ରଜନନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟାରଣ୍ୟରେ କଟକଣା ରହିଛି । ଏହି ଅଭୟାରଣ୍ୟରେ ମାଛ ନଧରିବାକୁ କଡ଼ା ନିଦେ୍ର୍ଦଶ ରହିଛି । ଆନ୍ତର୍ଜାତିକ ପରିବେଶ ସୁରକ୍ଷା ପାଇଁ ଏହାକୁ ସୁରକ୍ଷା ଦେଉଛି ବନ ବିଭାଗ । ହେଲେ ଏହି ଅଭୟାରଣ୍ୟରେ ଭଦ୍ରକ, ବାଲେଶ୍ୱର, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ବାଂଲାଦେଶର ଟ୍ରଲର ମାନେ ଆସି ମାଛ ଧରୁଛନ୍ତି । ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ ଟ୍ରଲରରେ ବାଂଲାଦେଶୀମାନେ ଆସି ମାଛ ଧରୁଛନ୍ତି । ମାଛ ଧରିବା ବେଳେ ଶହଶହ କଇଁଚଙ୍କୁ ମାରି ଫିଙ୍ଗି ଦେଉଛନ୍ତି । ଅଭୟାରଣ୍ୟରେ ମାଛ ଧରାଯିବା ସମ୍ପର୍କରେ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ କାଳରେ ଗୋଟିଏ ବାଲେଶ୍ୱରର ଟ୍ରଲର ସମେତ ପ୍ରାୟ ୯ଟି ଟ୍ରଲର ମାଛ ଧରୁଥିବା ଦେଖାଯାଇଥିଲା ।
ଇନ ବିଭାଗ ପକ୍ଷରୁ ଗୋଟିଏ ଟ୍ରଲରକୁ ଜବତ କରାଯାଇଥିଲା । ସେହି ଟ୍ରଲରର ଚାଳକ ଓ ଅନ୍ୟ ମାନଙ୍କୁ ଅଟକ ରଖିଥିଲା । ସେମାନଙ୍କ ଠାରୁ ଖବର ପାଇ ଅନ୍ୟ ଟ୍ରଲର ଗୁଡ଼ିକ ବନ ବିଭାଗର ପାଟ୍ରୋଲିଂ ବୋଟକୁ ଘେରିଗଲେ । ସେଥିରେ ଥିବା ବାଂଲାଦେଶୀ, ବଙ୍ଗାଳୀ ଓ ବାଲେଶ୍ୱର ଏବଂ ଭଦ୍ରକ ଚୁଡ଼ାମଣିର ମାଛଧରାଳିମାନେ ପାଟ୍ରୋଲିଂ ବୋଟକୁ ବୁଡ଼ାଇ ଦେବାକୁ ଉଦ୍ୟମ କଲେ । ଚାରିପଟୁ ଘେରିଯାଇ ସମୁଦ୍ର ଭିତରେ ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ବନ ବିଭାଗର ସହାୟତା ପାଇଁ ମେରାଇନ ଥାନା ପୋଲିସ ବି ପହଞ୍ଚି ପାରିନଥିଲା । ମେରାଇନ ଥାନାର ବୋଟ ଅଚଳ ଥିବାରୁ ସେମାନେ ଯାଇ ପାରିନଥିଲେ । ସମୁଦ୍ର ଭିତରେ ଏପରି ଆତଙ୍କରାଜରୁ ବଞ୍ଚିବା ପାଇଁ ବନ ବିଭାଗ ଅଧିକାରୀ ଫାଙ୍କ ଗୁଳି ଚାଳନା କରିଥିଲେ ।
ଏଥିରେ ମାଛ ମାଫିଆମାନେ ଭୟଭୀତ ହୋଇଥିଲେ ମଧ୍ୟ ବାଂଲାଦେଶୀମାନେ ବନ ବିଭାଗର ଟ୍ରଲରରେ ଅଟକ ଥିବା ୯ଜଣ ମାଛ ଧରାଳୀଙ୍କୁ ଉଠାଇ ନେଇ ପଳାଇଥିଲେ । ତେବେ ବନ ବିଭାଗ କେବଳ ଗୋଟିଏ ଟ୍ରଲର ଓ ଦୁଇଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବାଂଲାଦେଶୀମାନେ ଓଡ଼ିଶା ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗର ବାବୁମାନେ ଟଙ୍କା ନେଇ ମାଛ ମାଫିଆ ମାନଙ୍କୁ ସୁଯୋଗ ଦେଉଥିବାରୁ ସେଠାରେ ଏପରି ରିତିମତ ଚାଲିଛି । ଏହା ଏକ ପରିକଳ୍ପିତ ନାଟକ ବୋଲି କୁହାଯାଉଛି । ଦେଖାଯାଉ ବନ ବିଭାଗ ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷା ଦେଇ ପାରୁଛି ନା ବାଂଲାଦେଶୀମାନେ ଏଠାରେ ଆତଙ୍କ ଚଳାଉଛନ୍ତି?
National
ଦ କୁଇଭର ବ୍ୟୁରୋ :- ହିନ୍ଦୁ ଧର୍ମ ଓ ପରମ୍ପରାର ମହାନ ପର୍ବ ହେଉଛି ମକର ସଂକ୍ରାନ୍ତି। ଉତ୍ତର ଓଡ଼ିଶାରେ ଗଣପର୍ବ ଭାବରେ ପାଳନ କରାଯାଇଥାଏ। ଏହିଦିନ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହେବା ସହିତ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ଆଜି ବା କାଲିର ନୁହେଁ। କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ହେଲେ ଏହି ଦିନ କଣପାଇଁ ଗୁଡି ଉଡାଯାଇଥାଏ ଆସନ୍ତୁ ଜାଣିବା ଏହା ପଛର ପୌରାଣିକ ରହସ୍ୟ।
ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳେଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୋଇ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହି ଭୋଗକୁ ‘ମକର ଚାଉଳ’ ବୋଲି କୁହାଯାଏ। ଏହି ଭୋଗ ପରସ୍ପରଙ୍କୁ ଖୁଆଇ ଲୋକେ ‘ମକର’ ବସନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଦ୍ବାରା ମନ ଉତଫୁଲିତ ରହିବା ସହ ଶରୀରକୁ ଅନେକ ଲାଭ ମିଳିଥାଏ। ସକାଳର ସୂର୍ଯ୍ୟକିରଣରେ ଗୁଡି ଉଡାଇବା ଦ୍ବାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଏହା ସହ ଶରୀରକୁ ଭିଟାମିନ ଡି ମଧ୍ୟ ମିଳିଥାଏ। ସୂର୍ଯ୍ୟକିରଣ ଶରୀରରେ ପଡିବା ଦ୍ବାରା ଚର୍ମ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଗୁଡିକୁ ମୁକ୍ତ, ଖୁସୀ ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି କୁହାଯାଏ। କେତେକ ସ୍ଥାନରେ ଲୋକ ଏହି ଅବସରରେ ତ୍ରିରଙ୍ଗା ଗୁଡି ଉଡାଇଥାନ୍ତି। କୁହାଯାଏ ଯେ, ଗୁଡି ଉଡାଇବା ଦ୍ବାରା ମସ୍ତିଷ୍କ ସନ୍ତୁଳିତ ରହିବା ଦ୍ବାରା ହୃଦୟ ଉତଫୁଲିତ ରହିଥାଏ।
ଏହା ସହ ଗୁଡିକୁ ପ୍ରେମର ବାର୍ତ୍ତା ବୋଲି ମଧ୍ୟ କୁହାଯାଏ। ମକର ସଂକ୍ରାନ୍ତି ଦିନ ପିଲାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ମେଳାର ଆୟୋଜନ କରାଯାଏ। ଏହି ଅବସରରେ ଲୋକେ ନାଚଗୀତ ମଧ୍ୟ କରିଥାନ୍ତି। ଏହି ଦିନ ପବିତ୍ର ନଦୀରେ ସ୍ନାନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି।
State
ଛତ୍ରପୁର( ଦ କୁଇଭର ):- ୟୁଥମାସ ସେବା ସଂଘର ୧୫ତମ ବାର୍ଷିକ ଉତ୍ସଵ ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥମାସ୍ ସେବା ସଂଘର ୧୫ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଚଣ୍ଡିଛକରେ ସଭାପତି ବନମାଳୀ ନେପାକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂଘର ଉପସଭାପତି କେ.ରମେଶ, ଉପଦେଷ୍ଟା ବି.ଶ୍ରୀନିବାସ, ସେଣ୍ଟ୍ ଜାଭିୟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ସ୍ମୃତିରେଖା ବେହେରା, ତ୍ରିଲୋଚନ ବେହେରା ଓ ଏମ.ରାଜେଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ପାଦକ ସୟଦ ମୁକ୍ତାର ବାର୍ଷିକ ବିବରଣୀ ପାଠ ସହ ସଂଯୋଜନା କରିଥିଲେ। ବିଶିଷ୍ଟ କଳାକାର, ସାମାଜିକକର୍ମୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବିଭିନ୍ନ ନୃତ୍ୟ ସଂଗଠନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଗତ ସପ୍ତାହରେ ଅନୁଷ୍ଠିତ ଭଲିବଲ୍ ଟୁର୍ନାମେଣ୍ଟ୍ର ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା ।
Sports
କଟକ( ଦ କୁଇଭର ):- ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ୭୧ ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ ୨୦ ରୁ ୨୩ ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ l
ତେବେ ୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା । ଏହାକୁ ଦୃଷ୍ଟିରେ ରଖି କବାଡି ଫେଡେରେସନ୍ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର୍ ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି । ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
State,National
ଦ କୁଇଭର ବ୍ୟୁରୋ :- ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍ । ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ଆଜିଠୁ ଓଡ଼ିଶାରୁ ଗଡ଼ିଛି ୮ଟି ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିଛି ବସ୍ । ବ୍ରହ୍ମପୁରରୁ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ଓଏସଆରଟିସି କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବସରେ ୪୨ ଜଣ ଯାତ୍ରୀ ବସି ଅଯୋଧ୍ୟାକୁ ଯାଇପାରିବେ । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍ଆରଟିସି ।
State
କେନ୍ଦୁଝର ( ଦ କୁଇଭର ):- ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ସମୟରେ ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ। ବୁଡ଼ ପକାଇବା ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ବୁଡ ପକାଇବା ବେଳେ ନଦୀ କୂଳରେ ଜଗି ରହିଥିଲେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ କର୍ମଚାରୀ l
ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦୁଝର ରାଇକଳା ସ୍ଥିତ ନିଜ ବାସଭବନରେ ପହଂଚି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l
State,Education
ଦ କୁଇଭର ବ୍ୟୁରୋ :-:ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା । ଦିନକୁ ଦିନ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ଆତ୍ମହତ୍ୟାରେ ଯେତିକି ଜୀବନ ଯାଉନି ତାଠୁ ବେଶୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଆମ ସମାଜ ଉପରେ ସାମାଜିକ, ଭାବନାତ୍ମକ ଓ ଅର୍ଥନୈତିକ ପ୍ରଭାବ ପକାଉଛି । ବୟସ୍କଙ୍କ ତୁଳନାରେ କିଶୋର କିଶୋରୀଙ୍କ ଆତ୍ମହତ୍ୟା ହାର ବେଶୀ । ଅଧିକାଂଶ ଟିନ ଏଜ୍ ବା ୧୩ ରୁ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ମଧ୍ୟରେ ପୁଅଙ୍କ ଠାରୁ ଝିଅଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ।
ଆତ୍ମହତ୍ୟା ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କିଏ ବେକରେ ରଶି ଦେଇ ? କିଏ ଅସ୍ତ୍ରଶସ୍ତ୍ର ଦ୍ୱାରା ନିଜକୁ ଆଘାତ ଦଉଛି ତ ଆଉ କିଏ ଛାତରୁ ଡେଇଁ ପଡ଼ି କିମ୍ବା ରେଳଧାରଣାରେ ଶୋଇ ନିଜ ଜୀବନ ହାରୁଛି । ଏହାର କାରଣକୁ ନେଇ ଭିନ୍ନ ମତ ଆସୁଛି କିନ୍ତୁ ସାମାଜିକ, ପାରିବାରିକ ସମସ୍ୟା ଅଧିକ ।
ଏକାକୀପଣ ଏହାର ପ୍ରଥମ ସମସ୍ୟା । ଆଗରୁ ସମସ୍ତେ ଯୌଥ ପରିବାରରେ ମିଳିମିଶି ରହୁଥିଲେ ତେଣୁ ପିଲାମାନେ ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇ ପାରୁଥିଲେ କିନ୍ତୁ ଆଜିକାଲି ଏକକ ପରିବାରକୁ ସମସ୍ତେ ଆପଣେଇ ନେଲେଣି ଯେଉଁଥିରେ କେବଳ ବାପା,ମାଆ ଓ ଛୁଆ ରହୁଛନ୍ତି । ବାପା ମାଆ ମଧ୍ୟ ନିଜ ବୃତ୍ତିକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ଛୁଆ ପାଇଁ ବି ସେମାନଙ୍କ ପାଖେ ସମୟ ନାହିଁ । ପିଲାର ସବୁ ଆବଶ୍ୟକତାକୁ ପୂରଣ ତ କରିଦେଉଛନ୍ତି କିନ୍ତୁ ବାପା ମାଆଙ୍କ ସ୍ନେହ ପିଲାମାନେ ପାଇପାରୁ ନାହାଁନ୍ତି । କାହାର ସ୍ନେହ ନପାଇ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଯେଉଁଥିପାଇଁ ସେମାନଙ୍କ ମନରେ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ଆସୁଛି ଆଉ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।
ଦ୍ୱିତୀୟତଃ ଏକାଡେମିକ ବିଫଳତା । ଆଜିକାଲି ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଅନଲାଇନ କ୍ଲାସ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀ ଠିକ ଭାବେ ପାଠ ବୁଝିପାରୁ ନାହାଁନ୍ତି କି କ୍ଲାସ ବି ଠିକ ସେ କରୁ ନାହାଁନ୍ତି ଯେଉଁଥିପାଇଁ ସେମାନଙ୍କର ପାଠ ପ୍ରତି ଆଗ୍ରହ ଧିରେ ଧିରେ କମିଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ କରିବା ବାହାନାରେ ଗେମ୍ ଖେଳୁଛନ୍ତି, ମୁଭି ଦେଖୁଛନ୍ତି ଏବଂ ସୋସିଆଲ ମିଡିଆରେ ଲିପ୍ତ ରହି ସମୟ ନଷ୍ଟ କରୁଛନ୍ତି । ପାଠପଢ଼ାରେ ଅନିୟମିତତା ଯୋଗୁଁ ପରୀକ୍ଷାରେ କମ ନମ୍ବର ଆଣୁଛନ୍ତି ଆଉ ସେଥିପାଇଁ ଉଦାସରେ ରହି ମାନସିକ ଚାପ ପାଇ ଶେଷରେ ଆତ୍ମହତ୍ୟା କରୁଛନ୍ତି ।
ତୃତୀୟତଃ ଅପବ୍ୟବହାର । ପିତାମାତାଙ୍କ ନକରାତ୍ମକ ବ୍ୟବହାର ଏବଂ ଅସଦାଚରଣ ପାଇଁ ପିଲାଙ୍କ ସହିତ ସେମାନଙ୍କର ଉଚ୍ଚ ବିବାଦ, ନିମ୍ନ ଘନିଷ୍ଠତା ସୃଷ୍ଟି ହେଉଛି । ସାଙ୍ଗସାଥୀ କିମ୍ବା ଅନ୍ୟ କୈାଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ଅପବ୍ୟବହାର ପାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଦୁରେଇ ରହୁଛନ୍ତି । ଫଳରେ ମାନସିକ ଆଘାତ ପାଇ ନିଜକୁ ଏକାକୀ ରଖୁଛନ୍ତି । ଏକାକୀପଣ କାରଣରୁ ସେମାନଙ୍କ ମନକୁ ଅନେକ ଭୁଲ ଚିନ୍ତାଧାରା ଆସିଥାଏ ଏବଂ ଶେଷରେ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି ।
ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ । ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଖରାପ ସାଙ୍ଗମାନଙ୍କ ସହ ମିଶି ନିଶାସକ୍ତ ଅବସ୍ଥାରେ ଅନେକ ଅସାମାଜିକ, ଅପରାଧମୂଳକ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଲୋକନିନ୍ଦା ଓ ସାମାଜିକ ଗଣମାଧ୍ୟମରୁ ନିଜକୁ ବଞ୍ଚାଇବା ପାଇଁ ଅନେକେ ଆତ୍ମହତ୍ୟା କରୁଛନ୍ତି ।
ଯେତେବେଳେ କୈାଣସି ସମସ୍ୟା ପାଇଁ ସେମାନେ ଚାରିଆଡ଼ୁ ନିରାଶ ହୋଇଯାନ୍ତି ମାନସିକ ଚାପରେ ରହି ଆତ୍ମହତ୍ୟାକୁ ହିଁ ଶେଷ ସମାଧାନ ଭାବେ ବାଛି ନିଅନ୍ତି ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି, ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ କାହାର ଜୀବନ ଚାଲିଯାଏ । ତେବେ କାହିଁକି ଏଭଳି ଚିନ୍ତାଧାରା ପିଲାଙ୍କ ମନକୁ ଆସୁଛି ? ପାଠ ପଢ଼ି ନିଜ କ୍ୟାରିଅର ଗଢ଼ିବା ବୟସରେ ସେମାନେ ନିଜ ଜୀବନ ହିଁ ହାରି ଦେଉଛନ୍ତି । ଅତ୍ୟଧିକ ବାହ୍ୟଜ୍ଞାନ ଉପରେ ଧ୍ୟାନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉନି ତ ? ନା ବାପାମାଆଙ୍କ ଅବହେଳା ପାଇଁ ଏପରି ହେଉଛି ।
State
କେନ୍ଦୁଝର( ଦ କୁଇଭର ):- ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହେବ । ଏଥିପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଏକ ଚୁକ୍ତିନାମା (MoU) ସ୍ବାକ୍ଷରିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।"
ଝୁମ୍ପୁରାଠାରେ ଉଦଘାଟିତ ଏହି ନବନିର୍ମିତ ସେତୁଟି ଯୋଗାଯୋଗ ପାଇଁ ସହାୟକ ହେବ । ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହାଦ୍ବାରା ଝୁମ୍ପୁରା ଓ ଶ୍ରୀରାମପୁର ଗ୍ରାମ ଯୋଡ଼ି ହୋଇପାରିଛି । ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାରରୁ ୧୦ ହଜାର ଲୋକ ଉପକୃତ ହେବେ । ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ୍ ୧୭୫ ମିଟର । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ରାଇକଳା ସ୍ଥିତ ବାସଭବନ ଯାଇ କିଛି ସମୟ କଟାଇଥିଲେ । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
National
ଦ କୁଇଭର ବ୍ୟୁରୋ :- ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ଆଜି ଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍ଦାର୍ ସ୍ବାଗତ କରିଛନ୍ତି। ଏହି ବିଶାଳ ଧାର୍ମିକ ସମାଗମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ମହାକୁମ୍ଭ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବିଶ୍ୱାସର ପ୍ରତୀକ । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ ।
ବିଶ୍ୱାସ ରହିଛି ଯେ ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ । ପବିତ୍ର ମହାକୁମ୍ଭ ଅବସରରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ। ହଜାର ହଜାର ନାଗା ସାଧୁଙ୍କ ଆଗମନ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ସଂସାରର ସମସ୍ତ ଜିନିଷ ତ୍ୟାଗ କରି ପବିତ୍ରତା ଓ ସାଧନାର ଉଦାହରଣ ସୃଷ୍ଟି କରିଥିବା ଏହି ସାଧୁମାନଙ୍କୁ ନେଇ ବିଶ୍ବବ୍ୟାପୀ ଉତ୍ସୁକତା ଦେଖିବାକୁ ମିଳିଛି। ଚଳିତ ମହାକୁମ୍ଭରେ ୪୦ରୁ ୪୫ କୋଟି ଲୋକଙ୍କ ସମାଗମ ସମ୍ଭାବନା ରହିଥିବାରୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଂଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ମେଗା କାର୍ଯ୍ୟକ୍ରମ ପାଇଁ ୧୨ ହଜାର ୬୭୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।
National
ଦ କୁଇଭର ବ୍ୟୁରୋ :- ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍ସନ୍ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି ବୋଲି ସୋମବାର ଗୃହ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟ ସରକାର, ବିଚାର କରିବା ପରେ, ଏମଆଇଏସଏ ଅଧୀନରେ ଥିବା ଓଡ଼ିଶା ରାଜ୍ୟରେ ଜେଲ୍ରେ ବନ୍ଦୀ ଥିବା ସଂଗ୍ରାମୀଙ୍କୁ ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଡିଆଇଆର (ଡିଫେନ୍ସ ଅଫ୍ ଇଣ୍ଡିଆ ନିୟମ) କିମ୍ବା ଡିଆଇଏସଆଇଆର୍(ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅଫ୍ ଇଣ୍ଡିଆ ନିୟମ) ଅନ୍ତର୍ଗତ ୧୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ରେ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳିବ।
ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ରେ ଥିବା ସଂଗ୍ରାମୀଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କା ପେନସନ୍ ମଞ୍ଜୁର କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରେଜୋଲୁସନ ନମ୍ବର ୨୪୭୮୬/ଏଚ୍ ର ୨୧ ଅକ୍ଟୋବର ୨୦୦୯ ଏବଂ ୨୪ ଏପ୍ରିଲ୍ ୨୦୧୦ ତାରିଖର ଚିଠି ନଂ ୯୯୯୦/ ଏଚ୍ ରେ ଥିବା ବ୍ୟବସ୍ଥା ଅନୁଯାୟୀ ମାଗଣା ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଏହି ସୁବିଧା ୧ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହେବ।
Politics
ଭୁବନେଶ୍ୱର(ଦ କୁଇଭର): ନକହି ନକହି ମରମ କଥା କହିଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏମିତି ମାରିଛନ୍ତି ଯେ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ମଞ୍ଜକୁ ବାଜିଛି । ମନ୍ତ୍ରୀ ଦେଖାଇ ଦେଇଛନ୍ତି କ୍ଷମତା ଆଗରେ ଦୀପାଳୀଙ୍କ ପାଇଁ ବାପାଙ୍କ ହତ୍ୟା ବି କିଛି ନୁହେଁ । କ୍ଷମତା ଲୋଭ ତାଙ୍କୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବ କରିଦେଇଥିଲା । ଏବେ କ୍ଷମତା ଯିବାରୁ ସେ ବିଳବିଳେଇ ହେଉଛନ୍ତି । ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ତତ୍ପର ରହିଛନ୍ତି । ଯାହା ଭଲ ହେବ, ସେହି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥାକୁ ନେଇ ତାତିଥିଲେ ପୂର୍ବତନ ବିଧାୟିକା ଦୀପାଳୀ ଦାସ । କେବଳ ସେ ନୁହନ୍ତି, ତାଙ୍କ ଭାଇ ବିଶାଲ ଦାସ ବି ତାତିଲେ । ପୋଲିସର ପଦକ୍ଷେପକୁ ନିନ୍ଦା କରିବା ସହ ତାଙ୍କ ବାପାଙ୍କୁ ୨୦୨୩ ଡିସେମ୍ବରରେ ପୋଲିସ ହତ୍ୟା କରିଥିବାରୁ ତାଙ୍କର ପୋଲିସ ଉଭରେ ଭରସା ନଥିବା କହିଥିଲେ । ଏହା କହି ରାଜ୍ୟ ପୋଲିସ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଏହାର କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
ମନ୍ତ୍ରୀ ବାଇଟ--- ଯେତିକି ଆବଶ୍ୟକ
ପୃଥିରାଜ ନକହି ନକହି ମରମ କହିଦେଲେ । ସେ କହିଲେ, ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିଲା । ସେତେବେଳେ ସରକାର ତାଙ୍କର ଥିଲା, ଶାସନ ତାଙ୍କର ଥିଲା, ପୋଲିସ ବି ତାଙ୍କର ଥିଲେ । ତେଣୁ ସେ ସେତେବେଳେ କହିଲେ ନାହିଁ? ତାଙ୍କ ବାପାଙ୍କୁ ପୋଲିସ ହତ୍ୟା କରିଥିବାରୁ ପୋଲିସ ଉପରେ ଭରସା ନଥିବା ସେତେବେଳେ କହିଲେ ନାହିଁ କାହିଁକି? ସେତେବେଳେ ବାପାଙ୍କ ପରେ ତାଙ୍କୁ କ୍ଷମତା ମିଳିବାର ଥିଲା । କ୍ଷମତା ଲୋଭରୁ ସେ ନୀରବ ଥିଲେ । ଏବେ କହୁଛନ୍ତି । ଏବେ କହିଲେ କ’ଣ ହେବ? ଆମ ସରକାର ଏଦିଗରେ ଆଇନକୁ ତର୍ଜମା କରି ସମସ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଲେ । ମନ୍ତ୍ରୀଙ୍କ କଥାରେ ଦୀପାଳୀ ବି କିଛି କହିନାହାନ୍ତି । ପୂର୍ବରୁ ବିଜେପି ବିଧାୟକ ବାବୁ ସିଂ କହିଥିଲେ, ଦୀପାଳୀ ଅଭିଯୋଗ ଦାଖଲ କରନ୍ତୁ, ମୋହନ ସରକାର କଠୋର ପଦକ୍ଷେପ ନେବେ । ହେଲେ କ୍ଷମତା ପାଇଁ ବାପାଙ୍କ ହତ୍ୟାକାଣ୍ଡରେ ନୀରବ ରହିଥିବା କହି ମନ୍ତ୍ରୀ ଦୀପାଳୀଙ୍କ ସ୍ଥିତିକୁ ପ୍ରଶ୍ନ କରି ଦେଇଛନ୍ତି । ଦୀପାଳୀ ଏହା ଉପରେ ତାଙ୍କର ମତ ସ୍ପଷ୍ଟ ନକଲେ, ମନ୍ତ୍ରୀଙ୍କ କଥା ସତ ଓ ଦୀପାଳୀ କ୍ଷମତା ଲୋଭରେ ବାପାଙ୍କ ହତ୍ୟାକୁ ବି ଆଡ଼େଇ ଦେଇଥିବା ସ୍ପଷ୍ଟ ହୋଇଯିବ । ଦେଖାଯାଉ ଦୀପାଳୀ ମନ୍ତ୍ରୀଙ୍କୁ ଜବାବ ଦେଉଛନ୍ତି ନା ମନ୍ତ୍ରୀଙ୍କ କଥା ସତ ବୋଲି ସ୍ୱୀକାର କରୁଛନ୍ତି?
Education
ଦ କୁଇଭର ବ୍ୟୁରୋ,:- ଏଣିକି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ "ଗିଫ୍ଟ ମିଲ୍କ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲାଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ । ଏହା ସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି ।
Politics
ଭୁବନେଶ୍ୱର(ଦ କୁଇଭର): ବିଜେପିରେ ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦବଦବା ବେଶ ଅଧିକ । ଆରଏସଏସ ସହମତି ବା ସମ୍ପୃକ୍ତି ବିନା ବିଜେପିରେ ତିଷ୍ଠିବା କିମ୍ବା ଆଗକୁ ବଢ଼ିବା ସମ୍ଭବ ନୁହେଁ । ଏକଥା ପ୍ରାୟ ସମସ୍ତେ ଜାଣନ୍ତି । ଆରଏସଏସ ବାହାରୁ ଆସି ବିଜେପିରେ ପାଦ ଦେଇଥିବା ଅନେକ ନେତା ଏହି ସମୀକରଣ ବୁଝିବା ବେଳକୁ ଡେରି ହୋଇଯାଏ ଓ ସେମାନେ ଏକଘରିଆ ହୋଇ ରହିଯାଆନ୍ତି । ଏକଥାକୁ ବୁଝି ଗଲେଣି ଅପରାଜିତା । ଅପରାଜିତା ଏବେ ରାଜ୍ୟର ଅନେକ ପୁରୁଖାଙ୍କୁ ଟକ୍କର ଦେବାକୁ ବସିଛନ୍ତି । ରାଜ୍ୟରେ ବିଜେପିର ପ୍ରଭାବ ଓ ପତିଆରା କିପରି ସକରାତ୍ମକ ଦିଗରେ ଚାଲିବ ସେଥିପାଇଁ ଲାଗିଛନ୍ତି । ହେଲେ ତାଙ୍କୁ ବାଟ ଓଗାଳୁଛି ଆରଏସଏସ ବ୍ୟାଜ । ତାଙ୍କ ପାଖରେ ସେହି ବ୍ୟାଜ ନଥିବାରୁ ସେ ଏବେ ଆରଏସଏସର ନିକଟତର ହେବା ଆରମ୍ଭ କରିଛନ୍ତି । ଆରଏସଏସ ପୁରୁଖାଙ୍କ ସହ ବନ୍ଧୁତ୍ୱ ବଢ଼ାଇବା ସହ ଆରଏସଏସ ପ୍ରଭାତ ଶାଖାରେ ସାମିଲ ହେଲେଣି । ଆରଏସଏସର ଶୁଭ ନଜର ଅପରାଜିତାଙ୍କ ଉପରେ ପଡ଼ିଲେ, ସେ ଅନେକ ପୁରୁଖାଙ୍କୁ ଧୂଳି ଚଟାଇ ଦେବେ ବୋଲି କୁହାଯାଉଛି ।
ବିଜେପିରେ ଆରଏସଏସର ପ୍ରାଧାନ୍ୟ କିଏ ନଜାଣେ? ଆରଏସଏସ ଶୁଭ ଦୃଷ୍ଟି ବିନା ବିଜେପିରେ ନିଜର ପରିଚୟ ସୃଷ୍ଟି କରିବା ଏକପ୍ରକାର ଅସମ୍ଭବ । ଯେତେ ଦକ୍ଷତା ଥାଉ ପଛେ, ଆରଏସଏସ ବ୍ୟାଜ ବିନା ବିଜେପିରେ ଆଗକୁ ଯିବା ସମ୍ଭବ ହୋଇ ନଥାଏ । ଏକଥା ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ଜାଣିଗଲେଣି । ଅପରାଜିତା ବିଜେପିର ପ୍ରଭାବ ଓ ପତିଆରାକୁ ସକରାତ୍ମକ ଦିଗରେ ନେବାକୁ ଲାଗିଛନ୍ତି । ହେଲେ ତାଙ୍କ ବାଟ କାଳେ ରୋକୁଛନ୍ତି ଆରଏସଏସର ପୁରୁଣା ବ୍ୟାଜ ଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାଜିତାଙ୍କ ପ୍ରତିଟି କାମକୁ ତାଙ୍କ ଗୋଷ୍ଠୀ ପେଙ୍ଗା କରିଦେଉଛନ୍ତି । ଏପରିକି ରାଜ୍ୟରେ ମୋହନ ସରକାରଙ୍କୁ ଧର୍ମେନ୍ଦ୍ର ରିମୋର୍ଟରେ ଚଳାଉଥିବାର ଦୁର୍ନାମ ଏବେ ବିଜେପିକୁ ଭାରି ପଡ଼ିଲାଣି । ଏକଥା କେନ୍ଦ୍ରୀୟ ନେତୃତ୍ୱ ଶୁଣିଲେ ମଧ୍ୟ ଆରଏସଏସ ସମ୍ପୃକ୍ତି ନେଇ ଚୁପ ରହୁଥିବା କୁହାଯାଉଛି ।
ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଏମପି ଅପରାଜିତା ଷଢ଼ଙ୍ଗୀ ଓ ତାଙ୍କ ସମର୍ଥକ ତଥା ଅନେକ ମନ୍ତ୍ରୀ, ଏମପି ଓ ବିଧାୟକ ମାନଙ୍କୁ ଠିକର କାମ କରାଇ ଦେଉନଥିବା ଚର୍ଚ୍ଚା ହେଉଛି । ସବୁ କିଛି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ନିୟନ୍ତ୍ରଣ କରୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ସରକାର ଠପ ହୋଇଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ସୋ କରୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ଼ ସୋ କରି ନିଜର ପତିଆରା ମୁଖ୍ୟମନ୍ତ୍ରୀଙ୍କ ଠୁ ବି ଅଧିକ ବୋଲି ଦେଖାଉଥିବା କୁହାଯାଉଛି । ହଁ ସେହି ରୋଡ଼ ସୋରେ ମାଡ଼ପିଟ ହେଲେ ପଛେ ହେଉ ସେଥିରୁ ଯାଏ ଆସେ ନାହିଁ । ତାଙ୍କ ଗୋଷ୍ଠୀ ଏବେ କର୍ମୀ ଓ ସୁରକ୍ଷା କର୍ମୀଙ୍କୁ ବି ମାଡ଼ପିଟ କଲେଣି । ଦଳ ଭିତରେ ଭିନ୍ନ ବାତାବରଣ କାଳେ ସୃଷ୍ଟି କରୁଛନ୍ତି । ଯାହା ଦଳକୁ ପ୍ରଭାବିତ କରୁଛି ।
ଆରଏସଏସ ବାହାରୁ ଆସି ବିଜେପିରେ ପ୍ରଭାବ ବିସ୍ତାର କରୁଥିବା ଅପରାଜିତାଙ୍କୁ ଆରଏସଏସ ବ୍ୟାଜ ହିଁ ଆଗକୁ ନେଇ ପାରିବ । ତେଣୁ ସେ ଆରଏସଏସ କ୍ୟାମ୍ପରେ ନିଜକୁ ସାମିଲ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଅପରାଜିତା ଆରଏସଏସ ମୁଖ୍ୟ ମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଯାଇ ଭେଟିବା ସହ ଏବେ ଆଞ୍ଚଳିକ ଶାଖାରେ ବି ସେ ପ୍ରବେଶ କଲେଣି । ଶାଖାର ଅନେକ ପୁରୁଖାଙ୍କ ସହ ମିଶିବା ସହ ପ୍ରଭାତ ଶାଖାରେ ବି ଯୋଗଦେଲେଣି । ମକର ସଂକ୍ରାନ୍ତି ଅବସରରେ ଆରଏସଏସର ପ୍ରଭାତ ଶାଖାରେ ସାମିଲ ହୋଇଛନ୍ତି ଅପରାଜିତା । ଆଗକୁ ଆରଏସଏସର ପ୍ରଭାତ ଶାଖାରେ ସେ ସାମିଲ ହୋଇ ଆରଏସଏସ ଭିତରକୁ ପଶିବାକୁ ତାଙ୍କ ଅଭିଯାନ ଜାରି ରଖିବେ ବୋଲି କୁହାଯାଉଛି । ଆରଏସଏସ ଅପରାଜିତାଙ୍କୁ ଆପଣେଇ ନେଲେ, ଅପରାଜିତାଙ୍କ ରାସ୍ତା ରୋକୁଥିବା ଅନେକ ପୁରୁଖା ଶୂନ ହୋଇଯିବେ ବୋଲି କୁହାଯାଉଛି । ଦେଖାଯାଉ ଅପରାଜିତା ଆରଏସଏସକୁ ପଶି ପାରୁଛନ୍ତି ନା ବାହାରେ ରହିଯାଉଛନ୍ତି?
Politics
ଭୁବନେଶ୍ୱର(ଦ କୁଇଭର): ରାଜ୍ୟ ସରକାରଙ୍କ ବେଙ୍ଗଳାପକା ରାଜନୀତି ଏବେ ଚର୍ଚ୍ଚାରେ ରହିଛି । କେଉଁ ବିଭାଗର କଥାକୁ କେଉଁ ମନ୍ତ୍ରୀ କହୁଛନ୍ତି ତାହା କେହି ବୁଝି ପାରୁ ନାହାନ୍ତି । ଯାହା ହେଉ, ପୂର୍ବର ନବୀନ ସରକାରରେ ତ ମନ୍ତ୍ରୀ ମାନେ କଥା ହିଁ କହୁନଥିଲେ । ସଚିବଙ୍କ ଚିରକୁଟ ପାଇବା ପରେ କଥା ବାହାରୁଥିଲା । ତାହା ପୁଣି ମାପଚୁପରେ । ବିଜେପି ସରକାର ଆସିବା ପରେ ଏମାନେ ବାଡ଼ ବତା ମାନୁ ନାହାନ୍ତି । ମନଇଚ୍ଛା କହି ଚାଲୁଛନ୍ତି । ଏଇ ଯେମିତି ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ସ୍ୱାସ୍ଥ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଲେ, ବିଏସକେୱାଇ ଦୁର୍ନୀତିର ତଦନ୍ତ କରାଯିବ । ଉପଯୁକ୍ତ ପଦକ୍ଷେପ ହେବ । ଏହା ସ୍ୱାଗତ ଯୋଗ୍ୟ ନିଶ୍ଚିତ । ଆଇନମନ୍ତ୍ରୀଙ୍କ ଏହି କଥା ପରେ ଜାଲିଆ ଡାକ୍ତରଖାନା ମାଲିକମାନେ ଛାନିଆ ହେଲେଣି । ହେଲେ ଏହି ଘୋଷଣା ଦ୍ୱାରା ବାସ୍ତବରେ ଦୁର୍ନୀତିକୁ ଏ ସରକାର ଧରିବେ ନା ଜାଲିଆ ଡାକ୍ତରଖାନା ମାଲିକ ମାନଙ୍କ ସହ ଡିଲ କରି କମିଶନ ପକ୍କା କରିବେ?
ବିଏସକେୱାଇ ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇଥିଲା ବ୍ୟାପକ ଦୁର୍ନୀତି । ସାମାନ୍ୟ ଥଣ୍ଡା ପାଇଁ ଲକ୍ଷଲକ୍ଷ ଟଙ୍କା ବିଲ ନିଆଯାଉଥିଲା । ନାନା ଟେଷ୍ଟ କରି ରୋଗୀଙ୍କ କାର୍ଡକୁ ଖାଲି କରିଦେଉଥିଲେ । ଅଧିକାଂଶ ଡାକ୍ତରଖାନା ଗୁଡ଼ିକ ବିଏସକେୱାଇ କାର୍ଡରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ରୋଗୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରିଛନ୍ତି । ସାଥ ଦେଇଛନ୍ତି ବଡ଼ ବଡ଼ ଅଫିସର ଓ ରାଜନେତାମାନେ । କମିଶନ ନେଇ ସେମାନେ ବି ଲୁଟେଇଛନ୍ତି ସରକାରୀ ଧନ । କୋଭିଡ ଅନୁଦାନ ତ ହରିଲୁଟ ହୋଇଛି । ରାଉରକେଲାର ଏକ ଘରୋଇ ହସ୍ପିଟାଲ ୮୦କୋଟି ଗିଳିଥିବା କୁହାଯାଉଛି । ସେହିପରି ରାଜଧାନୀର ଦୁଇ ବଡ଼ ବଡ଼ିଆଙ୍କ ବଡ଼ ହସ୍ପିଟାଲ ଓ ଜଣେ ଅଣଓଡ଼ିଆଙ୍କ ବଡ଼ ହସ୍ପିଟାଲ ତ ଶହଶହ କୋଟି ଗିଳି ଦେଇଛନ୍ତି । ବୋପା ସମ୍ପତ୍ତି ଭଳି ସରକାରୀ ଟଙ୍କାକୁ ଲୁଟେଇଥିଲେ ପୂର୍ବ ସରକାରର ବାବୁମାନେ । ସେମାନଙ୍କ ଦେହରେ ହାତ ମାରିବାର ଦମ ଏ ସରକାରରବି ନାହିଁ ବୋଲି କୁହାଯାଉଛି । କାରଣ ସେହି ହସ୍ପିଟାଲ ମାଲିକମାନେ ବିଜେପିର କେନ୍ଦ୍ର ଠୁ ରାଜ୍ୟ ପର୍ଯ୍ୟନ୍ତ ମନ୍ତ୍ରୀ ମାନଙ୍କୁ ପାଳୁତ କରି ରଖିଛନ୍ତି ।
ବିଏସକେୱାଇର ସ୍ଥିତି ବି ସେମିତି । ଯାହାର ତଦନ୍ତ ଜରୁରୀ । ଏଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କିଛି କହିନଥିବା ବେଳେ ଆଜି ଆଇନମନ୍ତ୍ରୀ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘୋଷଣା ପରେ ଜାଲିଆତି କରିଥିବା ଡାକ୍ତରଖାନା ମାଲିକମାନେ ଭୟ ନିଶ୍ଚିତ କରିବେ । ହେଲେ ଏ ସରକାର ଦୁର୍ନୀତିର ତଦନ୍ତ କରି ସରକାରୀ ତହବିଲକୁ କିଛି ଫେରାଇବ ନା, ତଦନ୍ତ ନାମରେ କମିଶନ ଫିକ୍ସ କରି ତଦନ୍ତକୁ ବାଟବଣା କରିବ? ଏମିତି ପ୍ରଶ୍ନ ଏବେ ଜୋର ଧରିଲାଣି । କାରଣ ଏ ସରକାର ଯେତିକି ଘଟଣା ଉପରେ ତଦନ୍ତ କରିବାକୁ ଘୋଷଣା କଲାଣି, ବିଶେଷ କରି ଆଇନମନ୍ତ୍ରୀଙ୍କ ତଦନ୍ତ ଘୋଷଣାର ତାଲିକା ଦେଖିଲେ ସରକାର କେବଳ ଏକ ତଦନ୍ତ ବିଭାଗ ଖୋଲି ଜଣକୁ ସଚିବ କରିବେ । ଅନ୍ୟଥା ଏହା କେବଳ କମିଶନ କାରବାର ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ ହେବ । ଦେଖାଯାଉ ସ୍ୱାସ୍ଥ୍ୟ ଦୁର୍ନୀତିର ତଦନ୍ତ ହେଉଛି ନା କମିଶନ ନେଇ ସରକାର ଚୁପ ବସୁଛନ୍ତି?
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଛି । ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞରେ ବାଗେଶ୍ୱର ଧାମ ର ପୂଜ୍ୟ ଗୁରୁଜୀ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ (ବାଗେଶ୍ୱର ବାବା ) ମୁଖ୍ୟ ଅତିଥି ରୂପେ ଭାଗ ନେଇଥିଲେ ।
ଏହି ଅବସରରେ ପୂଜ୍ୟ ଗୁରୁ ବାଗେଶ୍ୱର ବାବା ଙ୍କୁ ମା'ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ପୁଷ୍ପମାଲ୍ୟ ସହ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ଓ ସଂଯୋଜକ କମଲ ପଣ୍ଡା ଙ୍କ ନେତୃତ୍ୱ ରେ ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଜୋତିର୍ବିଦ ଦୀପକ ଦାଶ, ସହ ସଂଯୋଜକ-ତୁଷାର ଶତପଥୀ, ଶିବରାମ ନାୟକ ଙ୍କ ଦ୍ୱାରା ବିଶାଳ ଧରଣର ପୁଷ୍ପ-ମାଲ୍ୟହାର ସହ ମା' ରାମଚଣ୍ଡୀ ଙ୍କ ପଟ୍ଟଚିତ୍ର, ଖଣ୍ଡୁଆ ପାଟ ଦେଇ ଗୁରୁଜୀଙ୍କୁ ସମର୍ପଣ କରିବା ପୂର୍ବକ ସମ୍ବର୍ଦ୍ଧନା କରି ଗୁରୁଜୀଙ୍କ ଠାରୁ ଆଶ୍ରିର୍ବାଦ ଲାଭ କରିଛନ୍ତି । ପୂଜା କମିଟୀ ର ସଭାପତି ଶ୍ରୀ ଅଜୟ କୁମାର ନାୟକ ଓ ଦିବାକର ନାୟକଙ୍କ ନେତୃତ୍ୱ ରେ ୫୧ ଜଣିଆ ପୂଜା କମିଟୀ ସଦଶ୍ୟ ମାନଙ୍କ ଦ୍ୱାରା ହଜାର ହଜାର ଭକ୍ତ ମାନଙ୍କୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ । ଏନେଇ ବିଭିନ୍ନ ମହଲରେ କମିଟୀ ନେତ୍ତୃବର୍ଗ ଙ୍କୁ ସାଧୁବାଦ ଦିଆଯାଇଛି ।
National,Education
ଝାଡଖଣ୍ଡ ( ଦ କୁଇଭର ):- ଝାଡଖଣ୍ଡର ଏକ ଘରୋଇ ସ୍କୁଲରେ ଘଟିଛି ଲଜ୍ଜାଜନକ ଘଟଣା । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ୍ । ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ ୮୦ ଜଣ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ, ଶେଷରେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଫେରିଥିଲେ ଛାତ୍ରଛାତ୍ରୀ । ଗୁରୁବାର ଦିନ ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ଏକ ଜଣାଶୁଣା ଘରୋଇ ସ୍କୁଲରେ ଏପରି ଘଟଣା ଘଟିବା ପରେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ।ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ଆଗକୁ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଗୁରୁବାର ଶେଷ ଦିନ ଥିଲା । ସେହି ଦିନକୁ ସ୍ମରଣୀୟ କରିବାକୁ ଦଶମ ଶ୍ରେଣୀର ଛାତ୍ରୀମାନେ ପେନ ଡେ ପାଳନ କରୁଥିଲେ। ସମସ୍ତ ପରସ୍ପରର ସାର୍ଟରେ ବିଦାୟକାଳୀନ ମେସେଜ ଲେଖୁଥିଲେ । କିନ୍ତୁ ଏହା ସ୍କୁଲର ପ୍ରିନ୍ସିପାଲ୍ ଏମ୍ ଦେବଶ୍ରୀଙ୍କୁ ପସନ୍ଦ ଆସିନଥିଲା। ଏହା ପରେ ପ୍ରଥମେ ସମସ୍ତ ଛାତ୍ରୀଙ୍କୁ ଏକ କ୍ଲାସକୁ ନେଇଥିଲେ । ୮୦ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଥିଲେ । ଖାଲି ଏତିକି ନୁହେଁ, ସାର୍ଟ ଖୋଲିବା ପରେ କୌଣସି ଛାତ୍ରୀଙ୍କୁ ସାର୍ଟ ପିନ୍ଧିବାକୁ ଅନୁମତି ମଧ୍ୟ ଦେଇନଥିଲେ କେବଳ ବ୍ଲେଜର ପିନ୍ଧିବାକୁ ଅନୁମତି ଦିଆଯାଇଥିଲା। ଏନେଇ ସ୍କୁଲ ଆଡମିନିଷ୍ଟ୍ରେସନକୁ ଜଣାଇଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଶେଷରେ ବିନା ସାର୍ଟିରେ କେବଳ ବ୍ଲେଜର ପିନ୍ଧି କାନ୍ଦି କାନ୍ଦି ଘରକୁ ଫେରିଥିଲେ ସମସ୍ତ ଛାତ୍ରୀ । ପିତାମାତାଙ୍କୁ ଘଟଣା ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । ଛାତ୍ରୀ ମାନେ ଏବେ ଏହି ପେନ ଡେକୁ ଦିବସକୁ ଏକ ଆଘାତ ଦିବସ ବୋଲି କହୁଛନ୍ତି l
ଘଟଣା ସମ୍ପର୍କରେ ଛାତ୍ର ମାନଙ୍କ ଅଭିଭାବକ ଜାଣିବା ମାତ୍ରେ କ୍ରୋଧିତ ହୋଇ ଆଜି ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ ମଧ୍ୟ ଅଭିଭାବକଙ୍କ ସହିତ ଡିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଭାବକ ଏବଂ ବିଧାୟକ ରାଗିଣୀ ସିଂହ ଡିସି ମାଧବୀ ମିଶ୍ରଙ୍କ ସହ କଥା ହୋଇଥିଲେ। ଅଭିଭାବକମାନେ କହିଛନ୍ତି ଯେ, ଡିସି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟକ ରାଗିଣୀ ସିଂହ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ।ଜିଲ୍ଲା ପ୍ରଶାସନ ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛି। ଏହି ଘଟଣାର ତଦନ୍ତ ପାଇଁ ଏକକମିଟି ଗଠନ କରାଯାଇଛି। ତଦନ୍ତ କମିଟି ସ୍କୁଲକୁ ଯାଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ। ସେମାନଙ୍କ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
State,National,Health & lifestyle
ଦ କୁଇଭର ବ୍ୟୁରୋ :- ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ। ଏଥିପାଇଁ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ସୂଚନା ଦେଇଛନ୍ତି। ଆଜି ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଆୟୁଷ୍ମାନ ଯୋଜନା ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ ହେବା ଫଳରେ ଏହି କାର୍ଡ ଦ୍ବାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ଫେବ୍ରୁଆରି ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ଲାଗୁ କରିବାକୁ ନେଇଥିବା ପ୍ରତିବନ୍ଧକକୁ ଦୂର କରିବା ପରେ ଆଜି ନୂଆଦିଲ୍ଲୀରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ। ପୁରୁଣା କାର୍ଡର ପରିବର୍ତ୍ତନ ହେବ ଲୋଗୋ।
ତେବେ ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର ଲାଭ ପାଇବେ। ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ରହିବ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
State
ଦ କୁଇଭର ବ୍ୟୁରୋ :- ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ହେବ । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘନ କୁହୁଡ଼ିକୁ ନେଇ ଆଗାମୀ ୪୮ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୪ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଜି ଠାରୁ ଆଗାମୀ ୨ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଯାହାକୁ ନେଇ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Politics
ଝାରସୁଗୁଡ଼ା(ଦ କୁଇଭର): ବାପା ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବେଳେ ଚୁପ ରହିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳୀ ଦାସ । ହେଲେ ଭାଇ ବିଶାଲ ଦାସଙ୍କୁ ପୋଲିସ ଅଟକ ରଖିଦେଲା ବୋଲି ବିଳାପ କଲେ । ଝାରସୁଗୁଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଆସି ତୁହାକୁ ତୁହା ସରକାରଙ୍କୁ ଗାଳି ଦେଲେ । ପୋଲିସକୁ ବି ନିନ୍ଦିଲେ । ବାପାଙ୍କୁ ହତ୍ୟା ବେଳେ ଚୁପ ଆଉ ଭାଇଙ୍କୁ ଅଟକ ବେଳେ ତତ୍ପର କାହିଁକି? ଦୀପାଳୀଙ୍କ ଏପରି ଭୂମିକାକୁ ନେଇ ଏବେ ଝାରସୁଗୁଡ଼ା କେବଳ ନୁହେଁ, ସାରା ରାଜ୍ୟ ପଚାରିଲାଣି ପ୍ରଶ୍ନ । ଦୀପାଳୀଙ୍କ ଏହି ଭୂମିକା ପଛରେ କ’ଣ ରହିଛି ରହସ୍ୟ?
୨୦୨୩ ମସିହା ଜାନୁୟାରୀ ୨୯ ତାରିଖ ପୋଲିସ ଏଏସଆଇ ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଲା । ଏହା ପଛରେ ଯେଉଁ କାରଣ ଦର୍ଶାଗଲା ତାହା କେବଳ ଭେଳିକି ଥିବା ଚର୍ଚ୍ଚା ହେଲା । ନବଙ୍କ ହତ୍ୟା ପଛରେ ବଡ଼ କାରଣ ଥିଲା । ନବଙ୍କ ପ୍ରଭାବରେ କାଳେ ପ୍ରବଳରୁ ଅତି ପ୍ରବଳ ଚାନ୍ଦା କମ୍ପାନୀ ମାନଙ୍କ ଠାରୁ ଆଦାୟ ହେଉଥିଲା । ଟ୍ରାନ୍ସପୋର୍ଟ ବେପାର ଚାଲିଥିଲା । ଫ୍ଲାଏ ଆସ ବେପାର ବି ଥିଲା । ଏଥିସହ ପ୍ରତିଟି କ୍ଷେତ୍ରରୁ ଚାନ୍ଦା ଆଦାୟ ହେଉଥିଲା । ଏପରିକି ବିଜେଡିର ଖାସ ଅଫିସରଙ୍କ ସମ୍ପର୍କୀୟମାନେ କରୁଥିବା ଠିକା ବେପାରରୁ ବି କାଳେ ନବଙ୍କର ଚାନ୍ଦା ଥିଲା । ଯାହା ଅଫିସରଙ୍କର ହଜମ ହେଉନଥିଲା । ବିଜେଡିକୁ ଚଳାଉଥିବା ଅଫିସର କୋଟେରୀ, ଛାମୁଆ ନେତା ଓ ନବୀନଙ୍କ ପାଇଁ ବି ନିରାପଦ ସ୍ଥିତି ରହିଲା ନାହିଁ । ପୂରା ପଶ୍ଚିମ ଓଡ଼ିଶାର ବିଜେଡିକୁ ନିୟନ୍ତ୍ରଣ କରି ସେ ଏକଚାଟିଆ ଶାସନ କରିବେ ବୋଲି ଲାଗିଥିଲେ । ତେଣୁ ପୋଲିସ ଲଗାଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଲା ।
ଏତେସବୁ କାରଣରୁ କାଳେ ନବଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିଲେ ମଧ୍ୟ ନୀରବ ରହିଲେ ଝିଅ ଦୀପାଳୀ ଓ ପୁଅ ବିଶାଲ । ଦୀପାଳୀ ଟିକେଟ ପାଇବା ଏବଂ ବିଶାଲ ଅନୈତିକ ବେପାରର ସୁରକ୍ଷା ପାଇଁ ବାପାଙ୍କ ହତ୍ୟାର ଅସଲ କାରଣ ବି ଖୋଜିବାକୁ କାଳେ ପ୍ରସ୍ତୁତ ହେଲେ ନାହିଁ । ଯାହା ତୃତୀୟ ମହଲାରୁ ନିଦେ୍ର୍ଦଶ ଗଲା ତାହା ହିଁ ସେମାନେ ମାନିଲେ । ପ୍ରଶ୍ନ ଉଠାଇଲେ ବିପଦ ଆସିବ ଓ ଚୁପ ରହିଲେ, ସବୁ ପ୍ରକାର ସହାୟତା ଓ ସୁରକ୍ଷା ମିଳିବ ବୋଲି ବି କୁହାଯାଇଥିବା ଚର୍ଚ୍ଚା ହେଲା । ସେଥିପାଇଁ ଉଭୟ ଦୀପାଳୀ ଓ ତାଙ୍କ ଭାଇ ବିଶାଲ ଚୁପ ରହିଲେ । ଯାହାର ଫଳ ସ୍ୱରୂପ ଦୀପାଳୀ ହେଲେ ବିଧାୟିକା ଆଉ ବିଶାଲଙ୍କ ପାଉଁଶ ଠୁ ଟ୍ରାନ୍ସପୋର୍ଟ ବେପାର ସବୁ ଚାଲିଲା ।
ଏବେ ଲୋକେ ଦୀପାଳୀଙ୍କୁ ହଟାଇ ଦେଲେ । ଫଳରେ ସବୁ କିଛି ଗଣିତ ଓଲଟପାଲଟ ହୋଇଗଲା । ହଜାର ହଜାର କୋଟିର ବେପାର ମାଡ଼ ଖାଇବାକୁ ଯାଉଥିବାରୁ ଦୀପାଳୀ ଓ ଭାଇ ବିଶାଲ କାଳେ ବିବ୍ରତ । ନବୀନ କୋଟେରୀ କାଳେ ସୁରକ୍ଷା ଦେଇ ପାରୁ ନାହାନ୍ତି । ବିଶାଲ ବେପାରକୁ ବଞ୍ଚାଇବା ପାଇଁ ଲାଗିଛନ୍ତି । ବିଶାଲ ଫସିଲେ, ଦୀପାଳୀ ବି ହଇରାଣ ହେବେ ବୋଲି କୁହାଯାଉଛି । ତେଣୁ ଛତିଶଗଡ଼ ପୋଲିସ ବିଶାଲଙ୍କୁ ଅଟକାଇ ଦେବାରୁ ବିଳାପ କଲେ ଦୀପାଳୀ । ଝାରସୁଗୁଡ଼ାରେ ଗଣମାଧ୍ୟମକୁ ଡାକି ନାନା କଥା କହିଲେ । ସେଥିରେ ହେଲା ନାହିଁ, ରାଜଧାନୀ ଆସି ଏଠାରେ ବି ଗଣମାଧ୍ୟମକୁ ମନଇଚ୍ଛା କଥା କହିଲେ । ଏହାକୁ ଦେଖି ଅନେକେ ପ୍ରଶ୍ନ କରୁଛନ୍ତି, ଦୀପାଳୀ ଏବେ ଭାରି ଆକ୍ଟିଭ । ଏହି ତତ୍ପରତା ଯଦି ବାପାଙ୍କ ହତ୍ୟା ବେଳେ ଦେଖାଇଥାନ୍ତେ, ହୁଏତ ଆଜି ହାରିବାକୁ ପଡ଼ି ନଥାନ୍ତା । ସେତେବେଳେ ଚୁପ କାହିଁକି ରହିଲେ ଦୀପାଳୀ? ଏପର୍ଯ୍ୟନ୍ତ ବି ବାପାଙ୍କ ହତ୍ୟାକାଣ୍ଡକୁ ନେଇ ନୀରବ ରହିଛନ୍ତି । ପୋଲିସ ଉପରେ ଦୋଷ ଲଦୁଛନ୍ତି, ସେହି ପୋଲିସର ତଦନ୍ତ ଉପରେ ପ୍ରଶ୍ନ କାହିଁକି ଉଠାଉ ନାହାନ୍ତି ଦୀପାଳୀ? ନବଙ୍କ ହତ୍ୟା ପଛର କୌଣସି କାରଣ ଏବେ ପର୍ଯ୍ୟନ୍ତ ପଦାକୁ ଆସିନାହିଁ? ବାସ୍ତବ କାରଣ ଜାଣିବାକୁ ଚାହୁଁ ନାହାନ୍ତି କି ଦୀପାଳୀ ଓ ବିଶାଲ? ନା ସେକଥା ଉଠାଇ ରାବଣର ଲଙ୍କାରେ ନିଆଁ ଲଗାଇବାକୁ ଡରୁଛନ୍ତି? ଏହାର ଉତ୍ତର ଦେବେ ତ ଦୀପାଳୀ ଓ ବିଶାଲ ନା ଚୁପ ରହିଯିବେ?