ଦ କୁଇଭର ବ୍ୟୁରୋ :-:ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା । ଦିନକୁ ଦିନ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି । ଆତ୍ମହତ୍ୟାରେ ଯେତିକି ଜୀବନ ଯାଉନି ତାଠୁ ବେଶୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଯନ୍ତ୍ରଣା ଭୋଗୁଛନ୍ତି । ଯାହା ଆମ ସମାଜ ଉପରେ ସାମାଜିକ, ଭାବନାତ୍ମକ ଓ ଅର୍ଥନୈତିକ ପ୍ରଭାବ ପକାଉଛି । ବୟସ୍କଙ୍କ ତୁଳନାରେ କିଶୋର କିଶୋରୀଙ୍କ ଆତ୍ମହତ୍ୟା ହାର ବେଶୀ । ଅଧିକାଂଶ ଟିନ ଏଜ୍ ବା ୧୩ ରୁ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ମଧ୍ୟରେ ପୁଅଙ୍କ ଠାରୁ ଝିଅଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ।
ଆତ୍ମହତ୍ୟା ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କିଏ ବେକରେ ରଶି ଦେଇ ? କିଏ ଅସ୍ତ୍ରଶସ୍ତ୍ର ଦ୍ୱାରା ନିଜକୁ ଆଘାତ ଦଉଛି ତ ଆଉ କିଏ ଛାତରୁ ଡେଇଁ ପଡ଼ି କିମ୍ବା ରେଳଧାରଣାରେ ଶୋଇ ନିଜ ଜୀବନ ହାରୁଛି । ଏହାର କାରଣକୁ ନେଇ ଭିନ୍ନ ମତ ଆସୁଛି କିନ୍ତୁ ସାମାଜିକ, ପାରିବାରିକ ସମସ୍ୟା ଅଧିକ ।
ଏକାକୀପଣ ଏହାର ପ୍ରଥମ ସମସ୍ୟା । ଆଗରୁ ସମସ୍ତେ ଯୌଥ ପରିବାରରେ ମିଳିମିଶି ରହୁଥିଲେ ତେଣୁ ପିଲାମାନେ ସମସ୍ତଙ୍କ ଠାରୁ ସ୍ନେହ ଆଦର ପାଇ ପାରୁଥିଲେ କିନ୍ତୁ ଆଜିକାଲି ଏକକ ପରିବାରକୁ ସମସ୍ତେ ଆପଣେଇ ନେଲେଣି ଯେଉଁଥିରେ କେବଳ ବାପା,ମାଆ ଓ ଛୁଆ ରହୁଛନ୍ତି । ବାପା ମାଆ ମଧ୍ୟ ନିଜ ବୃତ୍ତିକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ଛୁଆ ପାଇଁ ବି ସେମାନଙ୍କ ପାଖେ ସମୟ ନାହିଁ । ପିଲାର ସବୁ ଆବଶ୍ୟକତାକୁ ପୂରଣ ତ କରିଦେଉଛନ୍ତି କିନ୍ତୁ ବାପା ମାଆଙ୍କ ସ୍ନେହ ପିଲାମାନେ ପାଇପାରୁ ନାହାଁନ୍ତି । କାହାର ସ୍ନେହ ନପାଇ ସେମାନେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଯେଉଁଥିପାଇଁ ସେମାନଙ୍କ ମନରେ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ଆସୁଛି ଆଉ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ।
ଦ୍ୱିତୀୟତଃ ଏକାଡେମିକ ବିଫଳତା । ଆଜିକାଲି ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପାଠ ନ ପଢ଼ାଇ ଅନଲାଇନ କ୍ଲାସ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀ ଠିକ ଭାବେ ପାଠ ବୁଝିପାରୁ ନାହାଁନ୍ତି କି କ୍ଲାସ ବି ଠିକ ସେ କରୁ ନାହାଁନ୍ତି ଯେଉଁଥିପାଇଁ ସେମାନଙ୍କର ପାଠ ପ୍ରତି ଆଗ୍ରହ ଧିରେ ଧିରେ କମିଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସ କରିବା ବାହାନାରେ ଗେମ୍ ଖେଳୁଛନ୍ତି, ମୁଭି ଦେଖୁଛନ୍ତି ଏବଂ ସୋସିଆଲ ମିଡିଆରେ ଲିପ୍ତ ରହି ସମୟ ନଷ୍ଟ କରୁଛନ୍ତି । ପାଠପଢ଼ାରେ ଅନିୟମିତତା ଯୋଗୁଁ ପରୀକ୍ଷାରେ କମ ନମ୍ବର ଆଣୁଛନ୍ତି ଆଉ ସେଥିପାଇଁ ଉଦାସରେ ରହି ମାନସିକ ଚାପ ପାଇ ଶେଷରେ ଆତ୍ମହତ୍ୟା କରୁଛନ୍ତି ।
ତୃତୀୟତଃ ଅପବ୍ୟବହାର । ପିତାମାତାଙ୍କ ନକରାତ୍ମକ ବ୍ୟବହାର ଏବଂ ଅସଦାଚରଣ ପାଇଁ ପିଲାଙ୍କ ସହିତ ସେମାନଙ୍କର ଉଚ୍ଚ ବିବାଦ, ନିମ୍ନ ଘନିଷ୍ଠତା ସୃଷ୍ଟି ହେଉଛି । ସାଙ୍ଗସାଥୀ କିମ୍ବା ଅନ୍ୟ କୈାଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ଅପବ୍ୟବହାର ପାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଦୁରେଇ ରହୁଛନ୍ତି । ଫଳରେ ମାନସିକ ଆଘାତ ପାଇ ନିଜକୁ ଏକାକୀ ରଖୁଛନ୍ତି । ଏକାକୀପଣ କାରଣରୁ ସେମାନଙ୍କ ମନକୁ ଅନେକ ଭୁଲ ଚିନ୍ତାଧାରା ଆସିଥାଏ ଏବଂ ଶେଷରେ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି ।
ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ । ସାଧାରଣତଃ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଖରାପ ସାଙ୍ଗମାନଙ୍କ ସହ ମିଶି ନିଶାସକ୍ତ ଅବସ୍ଥାରେ ଅନେକ ଅସାମାଜିକ, ଅପରାଧମୂଳକ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଆଇନଗତ ସମସ୍ୟା ସୃଷ୍ଟି ହେଉଛି । ଲୋକନିନ୍ଦା ଓ ସାମାଜିକ ଗଣମାଧ୍ୟମରୁ ନିଜକୁ ବଞ୍ଚାଇବା ପାଇଁ ଅନେକେ ଆତ୍ମହତ୍ୟା କରୁଛନ୍ତି ।
ଯେତେବେଳେ କୈାଣସି ସମସ୍ୟା ପାଇଁ ସେମାନେ ଚାରିଆଡ଼ୁ ନିରାଶ ହୋଇଯାନ୍ତି ମାନସିକ ଚାପରେ ରହି ଆତ୍ମହତ୍ୟାକୁ ହିଁ ଶେଷ ସମାଧାନ ଭାବେ ବାଛି ନିଅନ୍ତି ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି, ସୌଭାଗ୍ୟବଶତଃ କିଏ ବଞ୍ଚିଯାଏ ତ କାହାର ଜୀବନ ଚାଲିଯାଏ । ତେବେ କାହିଁକି ଏଭଳି ଚିନ୍ତାଧାରା ପିଲାଙ୍କ ମନକୁ ଆସୁଛି ? ପାଠ ପଢ଼ି ନିଜ କ୍ୟାରିଅର ଗଢ଼ିବା ବୟସରେ ସେମାନେ ନିଜ ଜୀବନ ହିଁ ହାରି ଦେଉଛନ୍ତି । ଅତ୍ୟଧିକ ବାହ୍ୟଜ୍ଞାନ ଉପରେ ଧ୍ୟାନ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉନି ତ ? ନା ବାପାମାଆଙ୍କ ଅବହେଳା ପାଇଁ ଏପରି ହେଉଛି ।
No comments yet.
State
ଭୁବନେଶ୍ୱର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ। କନ୍ୟା ସନ୍ତାନକୁ ପ୍ରୋତ୍ସାହନ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ମିଳିବ। ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହା ଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ।
State
ଦ କୁଇଭର ବ୍ୟୁରୋ :- ଫେବୃଆରୀରେ ଟାଇଁ ଟାଇଁ ଖରା l ଆସନ୍ତା ୩ ଦିନ ପରେ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିବା ବେଳେ ଦିନରେ ଡହ ଡହ ଖରାରେ ସିଝୁଛନ୍ତି ଲୋକେ । ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ନୂଆପଡା, ଗଜପତି ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ସମେତ ଅନୁଗୋଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି । ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି । ଗୁରୁବାର ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
National
ଦ କୁଇଭର ବ୍ୟୁରୋ :- ଆଜି ହେଉଛି ମାଘ ମାସର ପୂର୍ଣ୍ଣିମା ବା ମାଘ ପୂର୍ଣ୍ଣିମା l ସେଥିପାଇଁ ପ୍ରୟାଗରାଜ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ମହାକୁମ୍ଭରେ ଏଯାଏଁ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି ଆସ୍ଥାର ବୁଡ ପକାଇବାକୁ। ଜନସମୁଦ୍ର ପାଲଟିଛି ପ୍ରୟାଗରାଜ। ଅନ୍ୟପକ୍ଷରେ ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍। ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ହସପିଟାଲ ଗୁଡିକୁ ହାଇଆଲର୍ଟରେ ରଖାଯାଇଛି।ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା୭ଟି ଆମ୍ବୁଲାନ୍ସ ଏବଂ ଗୋଟିଏ ଏୟାର ଆମ୍ବୁଲାନ୍ସ ସମେତ ମୋଟ ୧୩୩ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ପ୍ରୟାଗରାଜ ସଙ୍ଗମ ଷ୍ଟେସନ ଏବଂ ଦାରାଗଞ୍ଜ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି।
State
ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାରଙ୍କ ଦୃଷ୍ଟି ଆଡୁଆଳରେ ବାରୁସିଂ ଗ୍ରାମ। ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ ତେଣୁ ଶବକୁ ୯ କି.ମି କାନ୍ଧରେ ବୋହି ନେଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ଅଧିନସ୍ଥ ବାରୁସିଂ ଗ୍ରାମର ରାଜେଶ ରଈତ (୨୫)ଙ୍କ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ରବିବାର ରାଜେଶଙ୍କ ଅକାଳ ମୃତ୍ୟୁ ହୋଇଥିଲା, ତାଙ୍କ ପରିବାର କହିଲେ ସ୍ତ୍ରୀ ସେବତୀ ରଈତ ଏବଂ ୮ମାସର ଛୁଆ ଥିବା ଜଣାପଡ଼ିଛି। ରାଜେଶଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ହାଇଦ୍ରାବାଦ ଠାରୁ ଗାଁକୁ ଅଣାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।ଯାହା ଫଳରେ ୯କିମି ଦୂରରେ ଅଟକି ରହିଲା ଶବ। ଶେଷରେ ଗ୍ରାମବାସୀ କାନ୍ଧରେ ଭାର କରି ମୃତଦେହକୁ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ଦୀର୍ଘ ୯ କିମି ରାସ୍ତା ଅତିକ୍ରମ କରି ଗାଁକୁ ନେଇଥିଲେ। ପକ୍କା ରାସ୍ତା ଖଣ୍ଡେ ପାଇଁ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଭିନ୍ନ ଜନ ଅଭିଯୋଗ ଶୁଣାଣୀରେ ବାରୁସିଂ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ କର୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଦିସ ରଈତ,ଏବି ରଈତ,ଏଜିକେଲ ରଈତ,ବିଶ୍ୱନାଥ ରଈତ,ପ୍ରେମାନନ୍ଦ ରଈତ,ଏସକିନ ରଈତ ଓ ସମିତି ସଭ୍ୟ ବୁଲୁ ରଈତ। ତେବେ ଖବର ଜାଣିବା ପରେ ପାରଳା ବିଧାୟକ ଈ.ରୂପେଶ କୁମାର ପାଣିଗ୍ରାହୀ ଦୁଃଖ ପ୍ରକାଶ କରିବା ସହ ବାରୁସିଂ ଗ୍ରାମର ରାସ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି l
State
ଦ କୁଇଭର ବ୍ୟୁରୋ :- ବଢୁଥିବା ବିବାହ ବିଚ୍ଛେଦ ସଂଖ୍ୟାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍ରେ କରାଯିବ କେଉନସେଲିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ଖୋଲାଯିବ ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ । ମାନସିକ ସ୍ଵାସ୍ଥ୍ୟ କୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହ କୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ।' ମଦରସ କୋର୍ଟ' କିମ୍ବା 'ମା ର ଛାଟ' ନାମରେ ଏହାକୁ ନାମିତ କରାଯିବ । ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
State
ଶିମିଳିପାଳ( ଦ କୁଇଭର ):- ଶିମିଳିପାଳ ସୀମା ଡେଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ, ଏବେ ସ୍ୱତନ୍ତ୍ର ଏନକ୍ଲୋଜର୍ରେ ରହିଛି। ଜିନ୍ନତ ଦେହରେ ଲାଗିଥିବା କଲାର ଡିଭାଇସ୍ ଓ ଏନକ୍ଲୋଜର୍ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ତା ଗତିବିଧି ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ବନ ବିଭାଗ। ଏନକ୍ଲୋଜର ପରିସୀମାକୁ ବଢ଼ାଇ ଶିମିଳିପାଳର ଜଳବାୟୁ ସହିତ ଜିନ୍ନତକୁ ଖାପ ଖୁଆଇବା ପାଇଁ ଉଦ୍ୟମ କରାଯାଇଛି। ୧ ଏକର ବିଶିଷ୍ଟ ଏନ୍କ୍ଲୋଜର ପରିସୀମା ୮ ଏକର କରାଯିବ। ଜୀନ୍ନତକୁ କେବେ ଏନକ୍ଲୋଜର୍ ବାହାରକୁ ଛଡ଼ାଯିବ ତାହା ଏନ୍ଟିସିଏ ଏବଂ ମନିଟରିଂ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଶିମିଳପାଳରେ ମହାବଳଙ୍କ ବଂଶ ବୃଦ୍ଧି ଏବଂ ଜେନେଟିକ୍ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ରରୁ ଜିନ୍ନତ ଓ ଯମୁନାକୁ ଅଣାଯାଇଥିଲା।
Education,State
ଦ କୁଇଭର ବ୍ୟୁରୋ :- କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର ଶିକ୍ଷକମାନଙ୍କ ମାସିକ ଦରମାରେ ୪,୯୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୧୨ ତାରିଖରେ ଏକ ପ୍ରସ୍ତାବରେ, ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସେମାନଙ୍କର ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି, ସରକାର ସତର୍କତାର ସହିତ ବିଚାର କରିବା ପରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି।ଏନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ)ଙ୍କ ଦରମା ୧୧,୦୦୦ ରୁ ୧୬,୦୦୦କୁ ବୃଦ୍ଧି କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ।
Education
ପାରଳାଖେମୁଣ୍ଡି( ଦ କୁଇଭର ):-:ଅନ୍ୱେଷା ଛାତ୍ରୀ ନିବାସର ଛାତ୍ରୀ ଙ୍କୁ ନିର୍ଯାତନା କେଳେଙ୍କାରି ଘଟଣାରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ। ହଷ୍ଟେଲ ପରିଚାଳନା ଗତ ତୃଟି ସାଙ୍ଗକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ତାକୁ ଭିତ୍ତିକରି ନିଲମ୍ବନ ଆଦେଶ ଦିଆଯାଇଛି।ସୁଚନା ଥାଉକି ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ୱେସା ଛାତ୍ରଛାତ୍ରୀ ଓ ସେଠାକାର କର୍ମଚାରିଙ୍କ ଉପରେ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗକୁ ଭିତ୍ତିକରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ତ୍ୱର ହୋଇ ଉଠିଛି ପ୍ରଶାସନ ।ପ୍ରଥମେ ରାଜେନ୍ଦ୍ର ସାହୁଙ୍କୁ ଅନ୍ୱେସା ଦାୟିତ୍ବରୁ ହଟାଯାଇ ବଦଳି କରାଯାଇଥିଲା । ଏହାପରେ ଜନ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଦୁଇ ଟି ଟିମ ଗଠନ କରି ପୃଥକ ପୃଥକ ଭାବେ ବିଭିନ୍ନ ଦିଗକୁ ନେଇ ରାଜେନ୍ଦ୍ରଙ୍କ ବିରୁଦ୍ଧରେ ତଦନ୍ତ କରିଥିଲେ । ଗତକାଲି ତଦନ୍ତ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା ।
State
ବ୍ରହ୍ମପୁର( ଦ କୁଇଭର ):- ଗତ ୭ ତାରିଖ ସନ୍ଧ୍ୟାାରେ ହଳଦିଆପଦରଠାରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ୨ ବିଜେଡ଼ି ନେତାଙ୍କୁ ବାନ୍ଧିଲା ପୁଲିସ । ଗତ ଶୁକ୍ରବାର ସନ୍ଧ୍ୟାରେ ୪ଜଣ ଯୁବକ ୨ଟି ମୋଟର ସାଇକେଲରେ ଆସି ବିଜେପି ନେତା ସନତ ନାୟକ ଓ ସଲିପ ପାତ୍ରଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ନିକଟରେ ଥିବା ଫାଷ୍ଟଫୁଡ଼ ଦୋକାନୀ ଏବଂ ପରେ ଆଉ ଦୁଇଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ । ଗୁରୁତରମାନଙ୍କୁ ଆହତମାନଙ୍କୁ ଏମ୍କେସିଜି ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଏନେଇ ୫ଟି ମାମଲା ରୁଜୁ ହୋଇଥିଲା ଗୋଳନ୍ଥରା ଥାନାରେ । ପୁଲିସ ମାମଲା ରୁଜୁ କରି ଏହି ସଂକ୍ରାନ୍ତରେ ହଳଦିଆପଦର ହରିଜନ ସାହିର ସୁବାଷ ଦାସ,କିନିଷି ଗ୍ରାମ ଭଗବତି ନଗରର ଆଶିଷ ଦଳେଇ ଏବଂ ହଳଦିଆପଦରର ସଦାନନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିଜେଡ଼ି ନେତା ଅଜିତ ରାଉଳ ଓ ସୁବାଶିଷ ସାହୁ(ବଂଟି)କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା ବିବେକ ଏମ୍ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ଘଟଣାରେ ଘଟିଥିବା ବେଳେ ଦୁଇ ବିଜେଡ଼ି ନେତା ଏହାର ମାଷ୍ଟର ମାଇଣ୍ଡ ଥିଲେ ବୋଲି ଏସ୍ପି କହିଛନ୍ତି । ଏଭଳି ଅପରାଧିକ ଏବଂ ଆତଙ୍କରାଜ ଘଟଣା ଘଟାଇବା ପଛରେ ସୁବାଶିଷ ସାହୁ ଏବଂ ଅଜିତ ରାଉଳଙ୍କ ବିଶେଷ ଭୂମିକା ରହିଥିଲା ବୋଲି ଏସ୍ପି କହିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ରହିଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ବିବେକ ଏମ୍ ସୂଚନା ଦେଇଛନ୍ତି ।
State,Education
ଦ କୁଇଭର ବ୍ୟୁରୋ :- ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।ଏଥର ପୁରୁଣା ଢାଞ୍ଚା ନୁହେଁ, ବରଂ CBSE ପାର୍ଟନରେ ହେବ ପରୀକ୍ଷା। ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦେଇଛି CHSE। ଏପରିକି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ସାମ୍ପୁଲ୍ ପ୍ରଶ୍ନପତ୍ର ପ୍ରକାଶ ପାଇବ ବୋଲି କହିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହେଲେ ଏଯାଏ କିନ୍ତୁ ସାମ୍ପୁଲ ପ୍ରଶ୍ନପତ୍ର ପ୍ରକାଶ ପାଇପାରିଲା ନାହିଁ। ଯାହାକୁ ନେଇ ଅଡୁଆରେ ପରୀକ୍ଷା ହଲରେ ବସିବାକୁ ଯାଉଥିବା ଯୁକ୍ତ ଦୁଇର ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ। ତେବେ ଏହି ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ, ସେନେଇ ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଲାଗି CHSE ସାଂପୁଲ ପ୍ରଶ୍ନପତ୍ର ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରୀକ୍ଷାକୁ ମଝିରେ ଆଉ ମାତ୍ର ୪ ଦିନ ଥିବା ବେଳେ ଏଯାଏ ସାମ୍ପୁଲ ପ୍ରଶ୍ନପତ୍ର ବାହାର କରିପାରିନି CHE। ଯାହାକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ। ସେପଟେ ଶିକ୍ଷକ କହିଛନ୍ତି, ବୋର୍ଡ ପକ୍ଷରୁ ଆଗୁଆ ଯେଉଁ ବିଜ୍ଞପ୍ତି ଆସିଥିଲା ସେହି ଆଧାରରେ ପିଲାଙ୍କୁ ପଢାଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ପହଞ୍ଚି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ ହୋଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ବୋଧନରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।ସେପଟେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ଆରମ୍ଭ ହୋଇଛି । ଶାସକ-ବିରୋଧୀ ଦଳର ନେତାମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶୃଙ୍ଖଳିତ ଗୃହକାର୍ଯ୍ୟ ସହ ଫଳପ୍ରଦ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅନୁମତି ଦେବାକୁ ଦାବି କରିବେ ବିରୋଧୀ ।
State
ନୂଆପଡା( ଦ କୁଇଭର ):- ଓଡିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦିନିକିଆ ଗସ୍ତରେ ଆସି ଗୁରୁକୂଳ ଆଶ୍ରମ ଆମସେନା ର ୫୮ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିଛନ୍ତି। ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ପ୍ଲେନ ରେ ଗୌତମା ଏୟାର ଷ୍ଟ୍ରୀପ ରେ ଅବତରଣ କରି ସଡ଼କ ପଥରେ ସେ ଆମସେନା ଠାରେ ଯୋଗ ଦେଇଥିଲେ। ଗତ ତିନିଦିନ ବ୍ୟାପୀ ଅନୁଷ୍ଠିତ ୨୦୧ କୁଣ୍ଡିଅ ଯଜ୍ଞ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ଦ୍ଵାରା ଏହି ଯଜ୍ଞ ଓ ସମ୍ମିଳନୀ ର ପୂର୍ଣ୍ଣାହୁତି ହୋଇଥିଲା l ଏହି ଉପଲକ୍ଷେ ଏକ ଛାତ୍ରା ବାସ ଭୂମିପୂଜନ ହୋଇଅଛି। ସ୍ବାମୀ ଧର୍ମାନନ୍ଦ ସରସ୍ବତୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଙ୍କ ୨୦୧ ତମ ଜନ୍ମ ବାର୍ଷିକୀ, ବିଦ୍ୱାନ ସମ୍ମିଳନୀ ମହିଳା ଆଚାର୍ଯ୍ୟ ସମ୍ମିଳନୀ ଓ ଧର୍ମ ସଂସ୍କୃତିର ଉତଥାନ ପାଇଁ ୨୦୧ କୁଣ୍ଡିୟ ସମାବେଶ ରେ ଉପସ୍ଥିତ ଅତିଥି ମାନେ ଗୁରୁକୁଳ ଆଶ୍ରମ ହେଉଛି ମଣିଷ ତିଆରି କାରଖାନା, ଏଥିରେ ହିନ୍ଦୁ ସନାତନ ଧର୍ମ ର ନୈତିକ ଶିକ୍ଷା ସହ ଆଧୁନିକ ଶିକ୍ଷା ପ୍ରଦାନ କରି ଏକ ସୁନ୍ଦର ଭାରତ ଗଠନ ର ଉଦ୍ଦେଶ୍ୟ ରଖା ଯାଇଛି । ବିଶେଷ କରି ଆର୍ଯ୍ୟ ସମାଜ ର ନୀତି ଆଦର୍ଶ ରେ ଏହି ଆଶ୍ରମ ରେ ପରିଚାଳିତ ହେଉଥିବା ବେଳେ ଅସହାୟ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର , ମାଁ ବାପା ଛେଉଣ୍ଡ ପିଲା ମାନେ ଭବିଷ୍ୟତ ଗଢ଼ିବା ରେ ଗୁରୁକୁଳ ଆଶ୍ରମ ଏକ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷ ରେ ଆଗାମୀ ଦିନ ରେ ସରକାରୀ ସ୍ତରରେ ସବୁ ପ୍ରକାର ସାମ୍ଭାବ୍ୟ ସୁବିଧା ସୁଯୋଗ ଏହି ଆଶ୍ରମ କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଅତିଥି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।
Education
ଦ କୁଇଭର ବ୍ୟୁରୋ :- ନୋଡାଲ ସେଣ୍ଟରରେ ପହଞ୍ଚିଲାଯୁକ୍ତ ଦୁଇ ପ୍ରଶ୍ନପତ୍ର। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେବେ । ତେବେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ୨୦୫ଟି ପରୀକ୍ଷା ହବର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯାଇଛି । କଡା ସୁରକ୍ଷା ବଳୟ ଭିତରେ ୧୦ଟି ରୁଟ ଦେଇ ପରୀକ୍ଷା ପ୍ରଶ୍ନପତ୍ର ଯାଇଛି l ପରୀକ୍ଷା ସରିବା ପରେ ସଠିକ ସମୟରେ ଫଳାଫଳ ପ୍ରକାଶ କରିବା ପାଇଁ ଯୋଜନା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ୬୮୮ ବର୍ଗ ଶିକ୍ଷକ ସଂଘ । ପେନସନ୍, ଚାକିରୀ ସର୍ତ୍ତାବଳୀ ସାଙ୍ଗକୁ ପ୍ରୋମୋସନ ଦାବିରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବ ସଂଘ । ୧୮ ତାରିଖରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାରେ ସହଯୋଗ କଲେ ବି ମୂଲ୍ୟାୟନ କରିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ ।
State
ଦ କୁଇଭର ବ୍ୟୁରୋ :- ତାତିରୁ ମିଳିବ ଆସ୍ବସ୍ତି । ଗତ କିଛିଦିନ ହେବ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପାରଦ ତଳମୁହାଁ ହୋଇଛି । ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି । ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଗରମ ମଧ୍ୟ କମ ହେବ ।
Education,State
ଦ କୁଇଭର ବ୍ୟୁରୋ :- ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ନେଇ ରାଜ୍ୟ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ଣ ଭୋଜନ କରିବେ। ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମଧ୍ୟାହ୍ଣ ଭୋଜନ କରୁଥିଲେ। କିନ୍ତୁ ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହି ବଡ଼ ଘୋଷଣା କରିଛନ୍ତି।
Shree Jagannath
ପୁରୀ( ଦ କୁଇଭର ):- ଏଣିକି ପର୍ବପର୍ବାଣି, ଯାନିଯାତ ପାଳନରେ ରହିବନି ଦ୍ବନ୍ଦ୍ବ। ପଞ୍ଜିକା ଓ କ୍ୟାଲେଣ୍ଡରରେ ପର୍ବପର୍ବାଣି ପାଇଁ ଉର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ତାରିଖକୁ ନେଇ ବର୍ଷତମାମ ଦେଖାଯାଉଥିବା ଦ୍ବନ୍ଦ୍ବରେ ଲାଗିଛି ବିରାମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ପଞ୍ଜିକାରଙ୍କ ସମେତ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ନେଇ ହୋଇଥିବା ବୈଠକରେ ନିର୍ଭୁଲ ଓ ସଠିକ୍ ପଞ୍ଜିକା ପ୍ରସ୍ତୁତ ନେଇ ସହମତି ହୋଇଛି। ୫ ଜଣ ପଞ୍ଜିକାରଙ୍କୁ ଏଥିପାଇଁ ସ୍ବୀକୃତି ମିଳିଛି ।
ଶ୍ରୀ ରାଧାରମଣ ବିଶୁଦ୍ଧ ଖଡିରତ୍ନ ପଞ୍ଜିକା,ଓଡ଼ିଶା କୋହିନୁର ପ୍ରେସ ପଞ୍ଜିକା, ଅରୁଣଦୋୟ ପ୍ରେସ ଖଡ଼ିରତ୍ନ ପଞ୍ଜିକା,ଜି ଏ ନ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା, ଭାଗ୍ୟଦୀପ ପଞ୍ଜିକା ପାଣ୍ଡୁଲିପି ଦାଖଲ କରିଛନ୍ତି। ତେବେ ପଞ୍ଜିକାରେ କୌଣସି ଭୁଲ ବା ତ୍ରୁଟି ରହିଲେ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପାଳିତ ନୀତିକାନ୍ତି ପାଇଁ ମୁକ୍ତିମଣ୍ଡପ ଅନୁମୋଦିତ ପଞ୍ଜିକାକୁ ଗ୍ରହଣ କରାଯାଏ। ତେଣୁ କ୍ୟାଲେଣ୍ଡର ବଦଳରେ ସ୍ବୀକୃତିପ୍ରାପ୍ତ ପାଞ୍ଜିର ବ୍ୟବହାର ପାଇଁ କହିଛନ୍ତି ପୂଜାପଣ୍ଡା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରସ୍ତୁତ ପାଇଁ ନିଆଯାଇଥିବା ପଦକ୍ଷେପକୁ ସେବାୟତ ଓ ପଞ୍ଜିକାର ସ୍ବାଗତ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ପଞ୍ଜିକା ବା କ୍ୟାଲେଣ୍ଡର ପ୍ରସ୍ତୁତ କରୁଥିଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପଞ୍ଜିକାର।
Sports
ଦ କୁଇଭର ବ୍ୟୁରୋ :- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି। ଏଥି ସହିତ ଭାରତୀୟ ଟମ୍ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି। ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା।
Politics,National
ଦ କୁଇଭର ବ୍ୟୁରୋ :- ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି। ସବୁ ଦାୟିତ୍ବ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।
State
ଗଜପତି( ଦ କୁଇଭର ):- ଶିଶୁଙ୍କୁ ଘରୁ ଆଣିବା ଓ ଛାଡିବା ଦାଇତ୍ୱ ହେଉଛି ଅଙ୍ଗନବାଡି ଦିଦି ଏବଂ ସହାୟିକାଙ୍କର l କିନ୍ତୁ ତାହା ନ କରି ଶିଶୁଙ୍କୁ ମନ ଇଚ୍ଛା କେନ୍ଦ୍ରରୁ ଛାଡିଦେଇଥିବାରୁ ଶିଶୁ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବା ଜଣାପଡିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବ୍ଲକ ନିକଟରେ ଥିବା ମାଣିକେଶ୍ବରୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟା ରେ ପିଲା ମାନେ ଖାଇବା ପରେ ଅଙ୍ଗନବାଡି ଦିଦି ଶିଶୁ ମାନଙ୍କୁ ଛାଡି ଦେଇଥିଲେ, ଯାହା ଦ୍ୱାରା ୩ବର୍ଷ ର ଶିଶୁ କନ୍ୟା ଘରକୁ ଚାଲି ଯିବା ବେଳେ ଅଜଣା ବାଇକ ଧକ୍କା ଦେଇଥିଲା,ସ୍ଥାନୀୟ ଅଗ୍ନିଶମ ବିଭାଗ ଦେଖି ରକ୍ତାକ୍ତ ଶିଶୁ କନ୍ୟାକୁ ମୋହନା ମେଡିକାଲରେ ଭର୍ତ୍ତୀ କରିଛନ୍ତି,ଶିଶୁ କନ୍ୟାଟି କଥା କହିପାରୁନି କି ତାକୁ ଶୁଣା ଯାଉନଥିବା ଡାକ୍ତର ସୂଚନା ଦେଇଛନ୍ତି l ସାମାନ୍ୟ ଅଙ୍ଗନବାଡି ଦିଦିଙ୍କ ଭୁଲ ପାଇଁ ଶିଶୁଟି ଏଭଳି ଦୁର୍ଘଟଣା ର ଶିକାର ହେଲା ବୋଲି ଅଭିଭାବକ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଥାନା ଅଧିକାରୀ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି l