ଦ କୁଇଭର ବ୍ୟୁରୋ :- ଜାଡ଼ରେ ଥରୁଛି ଓଡ଼ିଶା,ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି (ବୁଧବାର) ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ (Cold Wave) ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।






