Join Us To Make A Difference

The Drops💧

ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ମାଣ କରାଯିବ ଶୌଚାଳୟ

ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ମାଣ କରାଯିବ ଶୌଚାଳୟ
Published by:Jyotshna Kumari
#state

ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ ପରେ ପ୍ରଥମ ସଚିବସ୍ତରୀୟ ବୈଠକ ନେଇଛନ୍ତି ଅନୁ ଗର୍ଗ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟାନ୍ବୟନ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅଭିିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ । ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments

Leave a Comment

Comments

No comments yet.

Shree Jagannath

ଆଜି ମାର୍ଗଶିର ଦ୍ୱିତୀୟ ଗୁରୁବାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ମାର୍ଗଶିର ଦ୍ୱିତୀୟ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ । ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।


ତେଵେ ଜାଣିଛନ୍ତି କି କାହିଁକି ଓଡ଼ିଆ ଘରେ ପାଳନ ହୁଏ ମାଣବସା ଗୁରୁବାର:-

ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାର୍ଗଶିର ମାସ ଗୁରୁବାର । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣିତ ଅଛି ମାଙ୍କ ର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠା ର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡିଥାଏ । ଏହା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।


ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।ରହିଗଲେ । ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା ।ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ତେଵେ ଲକ୍ଷ୍ମୀ ପୂରାଣ ସହ କୋଉଠି ନା କୋଉଠି ଆଜି ଭି ଘରେ ଘରେ ଜଡିତ ସମ୍ପର୍କ ରହିଛି l ଆଉ ପ୍ରତି ଓଡ଼ିଆଙ୍କ ଆରାଧ୍ୟା ଦେବୀ ଦେବତା ଯେହେତୁ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଜଗନ୍ନାଥ ତେଣୁ ଏହି ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାରକୁ ଲୋକେ ଭକ୍ତିର ସହ ପୂଜା ଅର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରନ୍ତି l

State,City

ଏକାମ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସୁଦୀପ ସାହୁ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ,ଗାୟକ,ସମାଜସେବୀ ତଥା ଆଇନଜୀବି ସୁଦୀପ କୁମାର ସାହୁ ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବୋଷ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ପୀତବାସ ମିଶ୍ର, ଡ ମୀନକେତନ ଦାଶ, ଲୋକନାଥ ମିଶ୍ର, କାନନ ବାଳା ନାୟକ, କୁଞ୍ଜବିହାରୀ ରାଉତ, , ସନ୍ଧ୍ୟାରାଣି ପ୍ରଧାନ ଓ ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସ୍ବର୍ଗତ ହ୍ୟୁମାନ ସାଗର , ଶଙ୍କର ପରିଡା, ପଣ୍ତିତ ନୀଳକଣ୍ଠ ରାଉତଙ୍କ ବିୟୋଗ ରେ ସ୍ମୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସାମ୍ବାଦିକ ସୁଦୀପ ହ୍ୟୁମାନ ଙ୍କ ଏକ ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ଏହା ପୂର୍ବରୁ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ, ହାଇଦ୍ରାବାଦ, କଲିକତା, କଟକ,ପୁରୀ, ଭୁବନେଶ୍ଵର, ପାରାଦୀପ ସମେତ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ରୁ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ପୁଣି ଥରେ ଜାତୀୟ ସ୍ତରରେ ସେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୁଦୀପ ଅବସରପ୍ରାପ୍ତ ଭୂତତ୍ବ ବିଭାଗ ପ୍ରଫେସର ଡ ମାୟାଧର ସାହୁ ଓ ପ୍ରେମଲତା ସାହୁ ଙ୍କ କନିଷ୍ଟ ପୁତ୍ର ଅଟନ୍ତି ।ଏହି ସମାରୋହରେ ବ୍ରହ୍ମପୁର ର ବରିଷ୍ଠ ଡ଼ାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ସ୍ଵସ୍ତିକ ଟିଭି ର ମୁଖ୍ୟ ପରିଚାଳିକା ଅନୁଜାନନ୍ଦ ବିଶ୍ଵାଳଙ୍କୁ ଡ .ଅବଦୁଲ କଲାମ ପ୍ରୋଫେସନ୍ୟାଲ ଆଚିଭର୍ସ ସମ୍ମାନ,କିନ୍ନର ସ୍ବିଟି ସାହୁ ଙ୍କୁ ବିବେକାନନ୍ଦ ସ୍ମୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଦେଶ ବିଦେଶ ର ବହୁ ପ୍ରତିଭାଧାରୀ ମାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦୀର୍ଘ ୧୩ବର୍ଷ ଧରି ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ସମାଜସେବା, ସଂସ୍କୃତି, ମାନବତା, ଓ ଏକତାର ମନୋଭାବକୁ ନିରନ୍ତର ଭାବେ ଆଗେଇ ନେଉଥିବା ଏଠାରେ କହିଥିଲେ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା । ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ରାଜ୍ୟ ପ୍ରତିନିଧି ପଦ୍ମ ଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

City

'ସଂସାର' ଅନୁଷ୍ଠାନର ୫୭ତମ ବାର୍ଷିକ ଉତ୍ସବ ପାଳିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ଜଳବାୟୁ ସନ୍ତୁଳନ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ । ଆନ୍ତର୍ଜାତିକ ୟୁନିସେଫ କାଉନସିଲ (ଫ୍ରାନ୍ସ)ର ଚେନାଇ ଚାପ୍ଟେର ମାଧ୍ୟମରେ “ ଗ୍ଲୋବାଲ ବେଷ୍ଟ ସୋସିଆଲ ୱାର୍କର ଆୱାର୍ଡ ୨୦୨୧* ପ୍ରାପ୍ତ ତଥା ଅଗ୍ରଣୀ ‘ସଂସାର’ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ରମେଶ ଚନ୍ଦ୍ର ସାହୁ ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ମତପ୍ରକାଶ କରିବା ସହ ଏହି ଦଶନ୍ଧି ମଧ୍ୟରେ ସାମୁହିକ ପ୍ରୟାସରେ ମହୁରୀଗଡର ରାଜାବନ୍ଧ, ରାଣୀବନ୍ଧ, ପଦ୍ମପୋଖରୀର ପୁନରୁଦ୍ଧାର, ଋଷିକୁଲ୍ୟା ଉତ୍ପତ୍ତିସ୍ଥଳ ଠାରୁ ସମୁଦ୍ର ମୁହାଣ ମଧ୍ୟବର୍ତ୍ତି ଅବବାହିକା ସୁରକ୍ଷା ତଥା ବିକାଶ ଦିଗରେ କାର୍ଯ୍ୟ ସହ ଐତିହାସିକ ପୀଠ ଓ ଐତିହ୍ୟର ସୁରକ୍ଷା ଦିଗରେ ଅଧୂକ ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହିଭଳି କାର୍ଯ୍ୟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ତଥା ବଦାନ୍ୟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ମିଳିଲେ ଏହି ଅନୁଷ୍ଠାନ ଆଞ୍ଚଳିକ ବାସିନ୍ଦାଙ୍କ ଦୈନିନ୍ଦିନ ଜୀବନଶୈଳୀରେ ଉପାର୍ଜନ ବୃଦ୍ଧି ସହ ଇକୋ ଟୁରିଜମ୍ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଭିଭିଭୂମିର ବିକାଶ ହୋଇପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଥିବା ‘ସଂସାର' ପରିବାରର ସମସ୍ତ ସ୍ୱେଚ୍ଛାସେବୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବୁଧବାର ଦିନ ବ୍ରହ୍ମପୁର ସ୍ଥିତ ପ୍ରକାଶମୂହଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସାର ଅନୁଷ୍ଠାନର ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅଧ୍ଯକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ବି.ଜେ.ପି ସଭାପତି ସରୋଜ ସାବତ, ମୂଖ୍ୟବକ୍ତା ରାଜ୍ୟ ବି.ଜେ.ପି ମିଡିଆ ସେଲ ପ୍ରମୂଖ ଟି.ଗୋପି, ସମ୍ମାନିତ ଅତିଥ୍ ଓଡିଶା ନାଟ୍ୟ ସଂଘ ଉପସଭାପତି ଭବାନୀ ଶଙ୍କର ମିଶ୍ର, ସାଂସଦ ପ୍ରତିନିଧୂ ବାଳକୃଷ୍ଣ ସାମନ୍ତରାୟ, ବାଲେଶ୍ଵରର ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ରମୋହନ ପତି ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ଅନୁଷ୍ଠାନ ପକ୍ଷରୁ ପରିବେଶ ଉପରେ ଦୀର୍ଘବର୍ଷ ଧରି କରାଯାଉଥିବା ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ସଂପାଦକ ଶ୍ରୀ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ, ଯୋଗ, ହସ୍ତାକ୍ଷର, ସଂଗୀତ ପ୍ରତିଯୋଗିତା ସହ ଦୁଆନ ପଲ୍ଲୀର କଳାକାରମାନଙ୍କ ଦ୍ଵାରା ଲକ୍ଷ୍ମୀପୁରାଣ ଲୋକନାଟକ ପରିବେଷଣ, ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ସଂଗୀତ କାର୍ଯ୍ୟକ୍ରମ, କୁନି କୁନି କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଆଦି ଅନୁଷ୍ଠିତ ହୋଇଥିଲା । ଏହାପରେ ସଂସାର ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ଏବଂ ବିରଷ୍ଟ କଳାକାରମାନେ ସୁଭେଚ୍ଛା ସ‌ହ ଉପହାରମାନ ଦେଇ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ବରିଷ୍ଟ କଳାକାର ସଂଘର ମହାସଚିବ ସୁବାସଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Entertainment

ଅସୁସ୍ଥ ଗୋବିନ୍ଦା

Blog Thumbnail

ଦ କୁଇଭର ବ୍ୟୁରୋ :- ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି ।ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ନେଇ ଗୋବିନ୍ଦାଙ୍କ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ସୂଚନା ଦେଇଛନ୍ତି ।

State,Weather

ଜାଡରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :-:ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Weather

ଜାଡ଼ରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :- ଜାଡ଼ରେ ଥରୁଛି ଓଡ଼ିଶା,ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି (ବୁଧବାର) ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ (Cold Wave) ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।