Banner Ad

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
Published by : Jyotshna Kumari
#State
Mar 14, 2025, 1:42 PM

ଗଞ୍ଜାମ( ଦ କୁଇଭର ):- କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଖମ୍ବେଶ୍ୱରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସ୍ ରେ ଥିଲେ, ୧୭ ରୁ ଉର୍ଦ୍ଧ୍ବ ଯାତ୍ରୀ, ୭ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ, ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାଟି ଗଂଜାମ - କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଖବର ପାଇ ଉଭୟ ଭଂଜନଗର ଓ ଜି.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ, ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ରାଜ୍ୟରେ ଆଉ ୪ ଦିନ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l

State

ଚାକିରୀ ଦେବା ନାମରେ ଠକେଇ : ୬୨ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ରେଳ ବିଭାଗ ରେ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ କୁକୁଡାଖଣ୍ଡି ଅଂଚଳର ବିଗ୍ନେଶ୍ୱର ରାଓ ଦୋରାଙ୍କୁ ଗିରଫ କରିବା ସହ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ l


ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ କଂସlମାରି ଗ୍ରାମର ଅଭିଯୋଗକାରୀ ଏସ୍. କୃଷ୍ଣ ଚନ୍ଦ୍ର ଦୋରାଙ୍କ ଲିଖିତ ରିପୋର୍ଟ ଆଧାରରେ,ସେ ତାଙ୍କ ବନ୍ଧୁମାନଙ୍କ ସହିତ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ଏ. ବିଘ୍ନେଶ୍ୱର ରାଓ ଦୋରାଙ୍କୁ ଭେଟି ସେମାନଙ୍କ ବେକାରୀ ବିଷୟରେ ଆଲୋଚନା କରିଥିଲେ ଏବଂ ଅଭିଯୁକ୍ତ ବିଘ୍ନେଶ୍ୱର ସେମାନଙ୍କୁ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଜାଣିଥିବାରୁ ସେମାନଙ୍କୁ ରେଳବାଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସେମାନଙ୍କୁ ଜଣାଇଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କୁ ୧୨ ଲକ୍ଷ ପଚାଶ ହଜାର ଦେବାକୁ ପଡିବ। କିଛି ଦିନ ପରେ ଅଭିଯୁକ୍ତ ଏ. ବିଘ୍ନେଶ୍ୱର ରାଓ ଦୋରା ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ଭୁବନେଶ୍ୱର ନେଇଗଲେ ଏବଂ ସମରଜିତ ରାଉତ @ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀ ରାଉତଙ୍କ ସହିତ ପରିଚୟ କରାଇଲେ।ବସନ୍ତ ସିଂ ନିଜକୁ ରେଳବାଇର ସ୍କାଉଟ୍ ଏବଂ ଗାଇଡ୍‌ରେ ଟିଟିଇ ଭାବରେ ପରିଚୟ ଦେଇଥିଲେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଯୋଗଦାନ ପତ୍ର ଏବଂ ପୋଷ୍ଟିଂ ପତ୍ର ଦେଖାଇଥିଲେ ଏବଂ ପୂର୍ବ ରେଳବାଇର ଜିଏମ୍‌ର ଉଚ୍ଚ ଅଧିକାରୀଙ୍କ ଫଟୋ ଦେଖାଇଥିଲେ। ଏହା ପରେ ସେ ଭୁବନେଶ୍ୱରର ବାରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏ ବିଘ୍ନେଶ୍ୱର ରାଓ ଦୋରାଙ୍କ ମାଧ୍ୟମରେ ପାଞ୍ଚ ଜଣ ପ୍ରାର୍ଥୀଙ୍କଠାରୁ ୧୨ ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ। ବିଘ୍ନେଶ୍ୱର ଦୋରାଙ୍କ ମାଧ୍ୟମରେ ସେମାନଙ୍କୁ ମୋଟ ୬୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା ଏବଂ ସେମାନେ ଅଭିଯୋଗକାରୀଙ୍କୁ ଡାକ ମାଧ୍ୟମରେ ନିଯୁକ୍ତି ପତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ତାଲିମ ପାଇଁ କୋଲକାତା ନିଆଯିବ।ଅଭିଯୋଗକାରୀ ଏବଂ ବନ୍ଧୁମାନେ ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଟ୍ରେନ୍ ଯୋଗେ କୋଲକାତା ଯାଇଥିଲେ ଏବଂ ସେମାନଙ୍କର ସିଆଲଡାର ବି.ଆର.ସିଂହ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଯୋଗକାରୀ ଏବଂ ବନ୍ଧୁମାନେ ସେମାନଙ୍କ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ ଡାକ ମାଧ୍ୟମରେ କଲ୍ ଲେଟର, ଡକ୍ୟୁମେଣ୍ଟ ଯାଞ୍ଚ ଅନୁମୋଦନ ଏବଂ ଡାକ୍ତରୀ ପରୀକ୍ଷା ଫଳାଫଳ ପାଇଲେ। ଦୁଇ ସପ୍ତାହ ପରେ ସେମାନେ ଭିନ୍ନ ଭିନ୍ନ ତାରିଖରେ ଯୋଗଦାନ ପତ୍ର ଭଳି ବିଭିନ୍ନ ନକଲି ଚିଠି ପାଇଲେ। ଅଭିଯୋଗକାରୀ ଏବଂ ଅନ୍ୟମାନେ ମେଲଗୁଡ଼ିକୁ ସନ୍ଦେହ କଲେ ଏବଂ ବସନ୍ତ ସିଂହ ଏବଂ ଶୁଭଲକ୍ଷ୍ମୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେମାନେ କହିଲେ ଯେ ସେମାନେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି। ଅଭିଯୋଗକାରୀ ଏ.ବିଘ୍ନେଶ୍ୱର ରାଓ ଦୋରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ କିନ୍ତୁ ସେ କୁକୁଡାଖଣ୍ଡି ଅଞ୍ଚଲରେ ନଥିଲେ।ଏତେ ଯୋଗାଯୋଗ ପରେ ଅଭିଯୋଗକାରୀ ଏବଂ ଅନ୍ୟମାନେ କୋଲକାତା ସହର କେନ୍ଦ୍ରରେ ବସନ୍ତ ସିଂହଙ୍କୁ ଭେଟିଲେ ଏବଂ ସେମାନେ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କୁ ଅଧିକ ବେକାର ବ୍ୟକ୍ତିଙ୍କୁ ପରିଚିତ କରାଇବାକୁ ଜଣାଇଲେ, ତା’ପରେ ସେମାନେ ସେମାନଙ୍କୁ ସ୍ଥାୟୀ ଚାକିରି ଦେବେ। ଏତେ ସବୁ ପରେ ଅଭିଯୋଗ କାରୀ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହେଲେ l ତେବେ ଉପରୋକ୍ତ ତମାମ ଘଟଣା କୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି ବ୍ରହ୍ମପୁର ସଦର ପୋଲିସ l

State,Health & lifestyle,Politics,National

ଆଜି ଫେରିବେ ନବୀନ : ସ୍ବାଗତ କରିବେ ବହୁ କର୍ମୀ ଓ ଶୁଭେଚ୍ଛୁ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହେବେ ।


ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ନିବାସ ଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା । ଆଜି ନବୀନ ଫେରିବା ବେଳେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ତାଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ଭିଡ଼ ହୋଇପାରେ । କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ ଦୀପଜାଳି ଆଶୁ ଆରୋଗ୍ୟ କାମନା କରିଥିଲେ ଲୋକେ । ଏବେ ନବୀନଙ୍କ ଫେରିବା ଖବର ଜାଣିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।

National

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ :- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । AAIB ଅନୁଯାୟୀ, ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ବିମାନଟି ଆଗକୁ ଉଡ଼ି ପାରିନଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।


AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି ।ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ RAT ବାହାରକୁ ବାହାରି ଆସିଥିଲା , ଯାହା ସୂଚିତ କରେ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ଡେରି ହୋଇଯାଇଥିଲା । ବିମାନଟି ଆଉ ଉଚ୍ଚତାକୁ ଉଡ଼ି ନପାରିବାରୁ ବିମାନବନ୍ଦର ବର୍ଡ଼ର ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

State,National

ୟୁଟ୍ୟୁବ କ୍ରିଏଟରଙ୍କ ପାଇଁ ବଡ଼ ଖବର

Blog Thumbnail

ଦ କୁଇଭର ବ୍ୟୁରୋ :- ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଆଣିଛି କିଛି ନୂଆ ନିୟମବଳୀ l ୟୁଟ୍ୟୁବ୍ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ଏବଂ ଏପରି ଚ୍ୟାନେଲଗୁଡ଼ିକୁ ମଧ୍ୟ ଡିମନିଟାଇଜ୍ କରାଯାଇପାରେ । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ଲାଟଫର୍ମରେ ମୌଳିକ ଏବଂ ସୃଜନଶୀଳ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ।ଏହା ସହିତ, ୟୁଟ୍ୟୁବ୍ "ଥମ୍ବନେଲ୍" ଏବଂ "ଟାଇଟଲ୍"କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ । ଦର୍ଶକଙ୍କୁ ଭ୍ରମିତ କରୁଥିବା ଏଭଳି କ୍ଲିକ୍‌ବେଟ୍ କଣ୍ଟେଣ୍ଟ ଉପରେ ୟୁଟ୍ୟୁବ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାହାଦ୍ୱାରା ଦର୍ଶକମାନେ ସଠିକ୍ ସୂଚନା ପାଇପାରିବେ ।


ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟକୁ ନେଇ । ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ "ଲେବଲ୍" ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଇବ ଯେ ସେମାନେ ଦେଖୁଥିବା କଣ୍ଟେଣ୍ଟ ବାସ୍ତବ ନୁହେଁ, ବରଂ ଏଆଇ ଦ୍ୱାରା ନିର୍ମିତ । ଏହି ନିୟମର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ ଏବଂ ଗୁଜବକୁ ରୋକିବା ।ଏହିସବୁ ପରିବର୍ତ୍ତନ ବ୍ୟତୀତ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।

State

ଦୁଇ ବାଇକ୍ ମୁହାମୁହିଁ : ଦୁର୍ଘଟଣାରେ ବାପା ପୁଅ ସମେତ ୩ ଜଣଙ୍କ ମୃତ୍ୟୁ

Blog Thumbnail

ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍‌ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ‌ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

State,National,Politics

ଆଉ ନିର୍ବାଚନ ଲଢ଼ିବିନି, ଯୁବ ପିଢ଼ିକୁ ବାଟ ଛାଡ଼ିବି : ଜୁଏଲ ଓରାମ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ସୁନ୍ଦରଗଡ଼ର ସାଂସଦ ଏହି ଘୋଷଣା କରି ନିଜର ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିଅରର ଅନ୍ତ ଘଟାଇଛନ୍ତି।ଜାତୀୟ ରାଜନୀତିରେ ଜଣେ ପ୍ରମୁଖ ଆଦିବାସୀ ଚେହେରା ଏବଂ ସୁନ୍ଦରଗଡ଼ରୁ ପାଞ୍ଚ ଥର ସାଂସଦ ହୋଇଥିବା ଓରାମ ବିଜେପିରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ବହୁବାର କାର୍ଯ୍ୟ କରିଛନ୍ତି।


୧୯୮୯ ମସିହାରେ ବିଜେପିରେ ଯୋଗଦେବା ପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ସେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବଣାଇରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ସେ ସୁନ୍ଦରଗଡ଼ରୁ ଲୋକସଭାରେ ପ୍ରବେଶ କରିଥିଲେ ଏବଂ ସେବେଠାରୁ ଆଦିବାସୀ କଲ୍ୟାଣ ଏବଂ ବିକାଶ ପାଇଁ ଏକ ସ୍ଥିର ସ୍ୱର ହୋଇ ଆସିଛନ୍ତି। ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବା ସତ୍ତ୍ୱେ, ଓରାମ ଦୃଢ଼ ଭାବରେ କହିଛନ୍ତି ଯେ, ସେ ଦଳର ସେବା ଜାରି ରଖିବେ। ସେ କହିଛନ୍ତି ‘ମୁଁ ବିଜେପିରେ ଅଛି ଏବଂ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି।’ସେ କହିଛନ୍ତି,ନିର୍ବାଚନ ନଲଢ଼ିବା ମୋର ନିଷ୍ପତ୍ତି। କିନ୍ତୁ ଯଦି ଦଳ କହିବ, ମୁଁ ଲଢ଼ିବି। ମୁଁ ପୂର୍ବରୁ ୧୦ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛି। ମୁଁ ଯୁବ ପିଢ଼ିଙ୍କ ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

National,Politics,State

ଆଦାନିଙ୍କ ପାଇଁ ରଥକୁ ରୋକାଯାଇଥିଲା: ରାହୁଲ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେଇ ଆଜି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି | ରଥଯାତ୍ରାରେ ଅବ୍ୟବସ୍ଥା ସହ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ରାହୁଲ | ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଆଦାନିଙ୍କ ପାଇଁ ରଥକୁ ରୋକାଯାଇଥିଲା | ରାହୁଲ କହିଛନ୍ତି ଯେ ଏହା ଆପଣଙ୍କ ସରକାର ନୁହେଁ, ଆଦାନିଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର | ସେହିପରି ରାହୁଲ କହିଛନ୍ତି ଯେ ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ଗାଏବ ହୋଇଛନ୍ତି, ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି | ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି | ସେହିପରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି | ସେ କହିଛନ୍ତି ଯେ ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା, ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା | କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି | ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି | ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ | ରାହୁଲ କହିଛନ୍ତି ଯେ ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି, ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି |

State

ବିପୁଳ ପରିମାଣର ଗଞ୍ଜେଇ ଜବତ : ୧୨ ଜଣ ଗିରଫ

Blog Thumbnail

ଦ କୁଇଭର ବ୍ୟୁରୋ :- ଅପରେସନ ଶୁଦ୍ଧି ରେ ନୂଆପଡ଼ା ଜିଲ୍ଲା ପୋଲିସ ନିଶା ବେପାରୀ ଙ୍କ ଉପରେ ଚଡ଼କ ଛାଡିଥିବା ବେଳେ । ଦୈନନ୍ଦିନ ମଦ ଓ ଗଞ୍ଜେଇ ସହ ନିଶା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ନୂଆପଡ଼ା ର ବିଭିନ୍ନ ଥାନା ପୋଲିସ । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତି ଙ୍କ ସହ ବାର ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ କୁ ଜବତ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।


ସୂଚନା ଅନୁସାରେ ଗତକାଲି ଦିନ ୧୨.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆ ଙ୍କ ନେତୃତ୍ଵ ରେ ଏକ ଆଇ-20 କାର କୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତା ର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତି ଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶ ରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀ ଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରି ଥିଲା । ଏହି ମାମଲା ରେ ବର୍ତ୍ତମାନ ୧୨ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କା କୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବା ରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।



State

ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର, ଠିକଣା ଅସ୍ପଷ୍ଟ

Blog Thumbnail

ଭଞ୍ଜନଗର( ଦ କୁଇଭର ):- ଭଞ୍ଜନଗର ବାଇବାଲି ମୁନିଆକଣ ଜଙ୍ଗଲରେ ପୋତା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ଗୋଟିଏ ଦିନ ଏବେ ବି କାରଣ ଅସ୍ଵଷ୍ଟ ।ଖବରରୁ ଜଣାଯାଏ ଯେ ଭଞ୍ଜନଗର ଥାନା ବାଇବାଲି ଗାଁର ମୁନିଆକଣ ଜଙ୍ଗଲ ମଧ୍ଯ ଭାଗରେ ମାଟି ତଳେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ ପ୍ରଶାସନ । ଗତକାଲି ଦିନ 12 ଘଣ୍ଟ ସମୟରେ ଉଦ୍ଧାର ହୋଇଥିଲେ ମଧ୍ଯ ଘଟଣାକୁ ଗୋଟିଏ ଦିନ ବିତିଗଲା ତଥାପି ଯୁବକଙ୍କ ପରିଚୟ ମିଳୁନଥିବା ବେଳେ ପରିଚୟ ସଂଗ୍ରହ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାକୁ ଅବଗତ କରାଯାଇଛି ଖୁବଶୀଘ୍ର ଜଣାପଡିବ ବୋଲି ଆଜି ଦିନ ଦୁଇଘଣ୍ଟ ସମୟରେ ଭଞ୍ଜନଗର SDPO ସୂଚନା ଦେଇଛନ୍ତି ।

National,Health & lifestyle,State

ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍‌ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍‌ପିଟାଲର ସମସ୍ତ ଡାକ୍ତରୀ ଟିମ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।


ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍‌ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

State,Education

ସ୍କୁଲ ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

State

ମାଓ କ୍ୟାମ୍ପ ଠାବ ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ - କମ୍ବିଂ ଅପରେସନ ଜାରି

Blog Thumbnail

ଦ କୁଇଭର ବ୍ୟୁରୋ :- କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ, ଛତିଶଗଡ ରାଜ୍ୟରେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନକୁ ଜୋରଦାର କରିଥିବାବେଳେ ମାଓବାଦୀମାନେ ଆତ୍ମଗୋପନ କରିବା ପାଇଁ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏହି ଖବର ଗୋଇନ୍ଦା ବିଭାଗ ସୂତ୍ରରୁ ପାଇ ନୂଆପଡା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୁରକ୍ଷା ବାହିନୀ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟସ୍ଥ ଛତିଗଡ ସୀମାନ୍ତ ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ନାରାୟଣ ଡୋଙ୍ଗରି ସଂରକ୍ଷିତ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେଶନ କରୁଥିବା ଜାଣି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସେହି ସମୟରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିରେ ଗୋଟିଏ ଟିଫିନ ବୋମା, ୨୦ଟି ଜିଲେଟିନ ବାଡି, ଇଲେକ୍ଟ୍ରିକାଲ ଡେଟନେଟର, ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଚ୍ଚନ୍ତି । ଅପର ପକ୍ଷରେ ପଡୋଶୀ ଛଟିଶଗଡ ରେ ମାଓବାଦୀ ମାନଙ୍କ ଉପରେ ଘନଘନ ଆକ୍ରମଣ ଦ୍ଵାରା ମାଓବାଦୀ ମାନେ ଓଡ଼ିଶା ମୁହାଁ ବିଶେଷ କରି ନୂଆପଡ଼ା ମୁହାଁ ହେଉଥିବା ଚର୍ଚ୍ଚା କୁ ନୂଆପଡ଼ା ଏସପି ପରୋକ୍ଷ ରେ ସ୍ବୀକାର କରିବା ସହ ଏ ଉପରେ ନୂଆପଡ଼ା ପୋଲିସ ସହ ଯବାନ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।



National,State

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Blog Thumbnail

ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।

Sports,State

ବଡବିଲ ଇଣ୍ଡୋର ଷ୍ଟାଡିୟମରେ ଆର୍ସେଲର୍ ମିତ୍ତଲ କମ୍ପାନୀର ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ବିରୋଧ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

Blog Thumbnail

ବଡ଼ବିଲ( ଦ କୁଇଭର ):- ସରକାରଙ୍କ ଦ୍ଵାରା ସ୍ଥାନୀୟ ଖେଳାଳିଙ୍କ ପାଇଁ ଓମ୍ବାଡ ସି ଫଣ୍ଡରେ ନିର୍ମିତ ବଡବିଲ ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଫାଇନାଲ ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା ଚଳାଇଛି। ଖଣି କାରବାର କରି ଦୈନିକ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଆର୍ସେଲର୍ ମିତ୍ତଲ କମ୍ପାନୀ ମାତ୍ର ୩ ହଜାର ଟଙ୍କା ଫିସ ଦେଇ କୋଟି କୋଟି ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମକୁ ବର୍ବାଦ୍ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏଠାରେ ସୂଚନା ଥାଉ କି ବିଗତ ସରକାରଙ୍କ ଦ୍ଵାରା ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମରେ ବଡବିଲ ତଥା ଆଖପାଖ ଅଞ୍ଚଳର ଖେଳାଳୀ ମାନେ ଆସି ଖେଳ ଅଭ୍ୟାସ କରୁଥିବା ବେଳେ ହଠାତ୍ ଜିଲ୍ଲା ପ୍ରଶାସନ ସ୍ୱଳ୍ପ କ୍ଷମତା ଥିବା ଏହି ଷ୍ଟାଡିୟମ ଭିତରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ସୁରକ୍ଷା କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଲେ କିପରି ? ହଜାର ହଜାର ଲୋକଙ୍କୁ ନେଇ ଯଦି ଏହି କାର୍ଯ୍ୟକ୍ରମ ହୁଏ ହେଲେ ଏହି ଷ୍ଟାଡିୟମର କ୍ଷତି ହେବା ସହ ଖେଳ ଉପଯୋଗୀ ରହିବ ନାହିଁ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଅନ୍ୟ ପକ୍ଷରେ ଆର୍ସେଲର୍ ମିତ୍ତଲ କମ୍ପାନୀ ଖେଳାଳି ମାନଙ୍କ ସହ କୌଣସି ଆଲୋଚନା ନ କରି ବୁଧବାର ହଠାତ୍ ଷ୍ଟାଡିୟମ୍ ପରିସରରେ କାର୍ଯ୍ୟକ୍ରମ ପାଇଁ ବାଉଁଶ ପକାଉଥିବା ବେଳେ ଖେଳାଳି ମାନେ ଏହାର ବିରୋଧ କରିବା ସହ କମ୍ପାନୀ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମ ଅନ୍ୟତ୍ର କରିବାକୁ କହିଥିଲେ। ଲୋକଙ୍କ ବିରୋଧକୁ ଦେଖି ବାଉଁଶ ବୋଝେଇ ଟ୍ରକ ଷ୍ଟାଡିୟମ୍ ପରିସର ବାହାରକୁ ଚାଲି ଆସିଥିଲା। ଅନ୍ୟ ପକ୍ଷରେ ବୁଧବାର ଅପରାହ୍ନରେ ବଡବିଲ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ବିକାଶ ମହଲଠାରେ ଏକ ବୈଠକ ଆୟୋଜନ କରାଯାଇ ଜିଲ୍ଲା ପ୍ରଶାସନ ଓ ଆର୍ସେଲର୍ ମିତ୍ତଲ କମ୍ପାନୀର ଏପରି ମନୋଭାବକୁ ନିନ୍ଦା କରା ଯାଇଛି। ଯଦି ଆର୍ସେଲର୍ ମିତ୍ତଲ କମ୍ପାନୀର କାର୍ଯ୍ୟକ୍ରମ ଇଣ୍ଡୋର ଷ୍ଟାଡିୟମରେ କରିବାର ଅନୁମତି ପ୍ରତ୍ୟାହାର ନ ହୁଏ ତେବେ ବଡବିଲବାସି ରାଜରାସ୍ତାରେ ଏହାର ବିରୋଧ କରିବେ ବୋଲି ଚେତାବନୀ ଦିଆ ଯାଇଛି। ନିର୍ମାଣ ହେବା ଦିନଠାରୁ ଏହି ଷ୍ଟାଡିୟମର ରକ୍ଷଣା ବେକ୍ଷଣ ଠିକ ଭାବେ ହେଉ ନ ଥିବାରୁ ଭିତରକୁ ବର୍ଷା ପାଣି ଗଳୁଛି। ପ୍ଲାଏ କାଠରେ ନିର୍ମିତ ବ୍ୟାଡମିଣ୍ଟନ ପିଚ୍ ଉଇ ଖାଇ ନଷ୍ଟ ହେବାକୁ ଯାଉଥିବା ବେଳେ ଅଭ୍ୟାସ କରୁଥିବା ଖେଳାଳୀ ମାନେ ଚାନ୍ଦା ଆଦାୟ କରି କାମ ଚଳାଉଛନ୍ତି। ଏତଦ୍ ବ୍ୟତୀତ ପରିସରରେ ଥିବା ବୋରୱେଲରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହଁ ବୋଲି ଅଭିଯୋଗ ହୋଇଛି। ଏହି ଷ୍ଟାଡିୟମର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହ ମରାମତି କରାଇବା ପାଇଁ ସାଧାରଣରେ ଦାବି ହୋଇଛି। ତଦ ସହିତ ଖେଳାଳି ମାନଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମକୁ ଖେଳ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିବାକୁ ଅନୁମତି ନ ଦିଆଯାଉ ବୋଲି ସରକାର, ସ୍ଥାନୀୟ ପ୍ରଶାସନ ଓ କ୍ରୀଡା ବିଭାଗକୁ ଅନୁରୋଧ କରିଛନ୍ତି।

National,Politics

ଯମୁନା ପୁଣି ପ୍ରଦୂଷିତ

Blog Thumbnail

ଦ କୁଇଭର ବ୍ୟୁରୋ :- ପବିତ୍ର ଯମୁନା ନଦୀକୁ ନେଇ ବହୁତ କିଛି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠୁ ଲାଗିପଡ଼ିଥିଲେ । କହିଲେ ଯମୁନା ହେବ ପ୍ରଦୂଷଣ ମୁକ୍ତ । ସ୍ୱଚ୍ଛ ହେବ ପାଣି, ଫେରିବ ପବିତ୍ରତା । ଲୋକଙ୍କର ସବୁଠୁ ବଡ଼ ସମସ୍ୟାକୁ ଦୂର କରିଦେବେ । ହେଲେ ୬ ମାସ ଯାଇନି ଫସର ଫାଟିଲାଣି । ଯମୁନା ପ୍ରଦୂଷଣ ମୁକ୍ତ ହେବ କଣ ? ଅଧିକ ପ୍ରଦୂଷିତ ହେଲାଣି । ଦେଖନ୍ତୁ ଏହି ସ୍ଥିତି ।


ଅସମ୍ଭାଳ ହେଲାଣି ଯମୁନା ସ୍ଥିତି । ପ୍ରଦୂଷଣ ଭୟଙ୍କର ରୂପ ନେଲାଣି । ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏ ସବୁ ଦିଶୁନି । ବିଜେପିକୁ ବି ଦିଶୁନି । ସବୁଠୁ ବଡ଼ କଥା ହେଲା ବିରୋଧୀ ଆପ ବି ଚୁପ ହୋଇ ବସିଛି । ପ୍ରଦୂଷଣ ଦିଲ୍ଲୀରେ ଭୟଙ୍କର ରୂପ ନେଇ ଚାଲିଛି । ବାୟୁ ବା ଧୂଳି ପ୍ରଦୂଷଣକୁ କୃତ୍ରିମ ବର୍ଷା ଦ୍ୱାରା ରୋକି ପାରିବେ, ହେଲେ ଯମୁନା ପ୍ରଦୂଷଣ ଏବେ ବଡ଼ ଚିନ୍ତା । ଲମ୍ବା ଲମ୍ବା କଥା ଫିକା ପଡ଼ିଗଲାଣି । ରେଖା ଗୁପ୍ତାଙ୍କ ସରକାର ଆଣ୍ଠେଇ ପଡ଼ିଲାଣି । ଯମୁନା ଦେଖାଉଛି ରେଖା ଗୁପ୍ତାଙ୍କ ଫେଲ ମଡ଼େଲ ।


ଯମୁନାର ପ୍ରଦୂଷଣ ଆଗରେ ସମସ୍ତେ ହାରୁଛନ୍ତି, ହେଲେ ମାନୁନାହାନ୍ତି । ପ୍ରଦୂଷଣ ଏତେ ଗମ୍ଭୀର ଯେ, କିଛି କରିବା କଷ୍ଟକର ହେଲାଣି । ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ମାନଙ୍କ ବିରୁଦ୍ଧରେ ପଦକ୍ଷେପ ବୋଲି ଶୂନ । ରାଜନୈତିକ ଚାନ୍ଦା ଦେଇ ଦେଇ ଶିଳ୍ପପତି ପ୍ରକୃତିକୁ ଖିନଭିନ କରୁଛନ୍ତି । ଆଉ ଚାନ୍ଦା ପାଇ କେବଳ ଲୋକଙ୍କ ଆଖିରେ ପରଦା ପକାଇବା ପାଇଁ ହୋହାଲ୍ଲା କରି ନିରବ ବସୁଛନ୍ତି ନେତାମାନେ । ଯାହା ଫଳରେ ପ୍ରଦୂଷଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡୁଛି । ଦେଖାଯାଉ ରେଖା ଗୁପ୍ତାଙ୍କ ସରକାର ଯମୁନାକୁ ବାସ୍ତବରେ ପ୍ରଦୂଷଣ ମୁକ୍ତ କରୁଛନ୍ତି ନା କର୍ଦମୁକ୍ତ କରୁଛନ୍ତି ?



State

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।

State

ରାଜ୍ୟରେ ଗଡ଼ୁନି ଗାଡ଼ି : କଲବଲ ଯାତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଅଖ ଚକ ସବୁ ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ, ସାମ୍ନାକୁ ଆସୁଛି ଯାତ୍ରୀ ଯନ୍ତ୍ରଣାର ପୁଳା ପୁଳା ଚିତ୍ର। କେଉଁଠି ବସଷ୍ଟାଣ୍ଡରେ ଛୁଆପିଲା ଧରି କଲବଲ ହେଉଛନ୍ତି ଲୋକ, ତ କିଏ ଗାଡ଼ି ନପାଇ ମେଡିକାଲରୁ ମାଇଲ ମାଇଲ ବାଟ ଚାଲି ଚାଲି ଘରକୁ ଫେରୁଛି। ୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ଅଧିକାଂଶ ଦାବି ଉପରେ ସରକାର ବିଚାର କରୁଥିବା କହିଥିଲେ ମଧ୍ୟ, ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ସଂଘ ଅଡ଼ି ବସିଥିବାରୁ କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟବ୍ୟାପୀ ଠପ୍ ହୋଇଛି ପରିବହନ ସେବା।ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛି। ରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାର। ଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏ। ସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏ। ଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି। ତେବେ ଖାଦ୍ୟ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ କାର୍ଯ୍ୟ ରେ ବାଧା ଦେଖାଦେଇଥିବା ସାଧାରଣରେ ଦେଖାଦେଇଛି, ତେଣୁ ଏସବୁର ସମାଧାନ ଯେତେ ଶୀଘ୍ର ହେବ, ସାଧାରଣ ଜନତା ସେତେ ଶୀଘ୍ର ଉପକୃତ ହେବେ ବୋଲି ସୂଚନା ଚର୍ଚ୍ଚା ଚାଲିଛି l

State

୯ କାରାଗାର ବନ୍ଦ ନିଷ୍ପତ୍ତି

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୯ଟି ଜେଲ୍ । ୩ଟି ଜେଲ ବନ୍ଦ ହୋଇସାରିଥିବା ବେଳେ ଖୁବ୍‌ଶୀଘ୍ର ଆଉ ୬ଟି ବନ୍ଦ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଜେଲରେ ହାତଗଣତି କଏଦୀ ଓ ବିଚାରିଧିନ କଏଦୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ନିଷ୍ପତ୍ତି ଅନୁସାରେ‌, ନୟାଗଡର ଖଣ୍ଡପଡା ସବ୍ ଜେଲ୍, ବାଲେଶ୍ଵରର ନୀଳଗିରି ସବ୍ ଜେଲ୍ ଓ ବଡ଼ଗଡ଼ ଜିଲ୍ଲାର ସୋହେଲା ସବ୍‌ ଜେଲ୍‌କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ ସରକାର । ଯାହାକି ଏବେ କାର୍ଯ୍ୟକ୍ଷମ ନାହିଁ କହିଲେ ଚଳେ । ଏହି ୩ଟି ଜେଲ୍‌ରେ ଅଳ୍ପ ସଂଖ୍ୟକ କଏଦୀ ଓ କର୍ମଚାରୀ ଥିଲେ । ଏଥିରେ ରହିଥିବା କଏଦୀ ଓ କର୍ମଚାରୀ ଜିଲ୍ଲା ଜେଲକୁ ସ୍ଥାନାନ୍ତର ସହ ସେମାନଙ୍କ ସହ ମିଶ୍ରଣ କରାଯାଇଛି । ତେବେ ବନ୍ଦ ଜେଲ୍ କୋଠାକୁ ସ୍କୁଲ,କଲେଜ ଭଳି ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆଉ ବନ୍ଦ ହେବାକୁ ଥିବା ଆଉ ଛ'ଟି ଜେଲ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ପାତ୍ରପୁର ସବ୍ ଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସବ୍ ଜେଲ, ମାଲକାନଗିରିର ଏମ୍‌ଭି-୭୯ ଓ ରାୟଗଡ଼ା ଜିଲ୍ଲାରେ ଥିବା କାଶିପୁର ସବ୍‌ ଜେଲ୍ । ତା' ସହିତ ଆଠଗଡ଼ ସବ୍ ଜେଲ୍ ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସବ୍ ଜେଲକୁ ମଧ୍ୟ ବନ୍ଦ କରିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ବନ୍ଦ ପାଇଁ ଜେଲ ବିଭାଗରେ ସହମତି ରହିଛି । ରାଜ୍ୟରେ ମୋଟ ୯୧ଟି ଜେଲ୍ ଥିଲା । ସେଥିମଧ୍ୟରୁ ୧୭ଟି ଜିଲ୍ଲା ଜେଲ୍, ୭ଟି ମଣ୍ଡଳ ଜେଲ୍ ୨ଟି ସ୍ପେଶାଲ୍ ଜେଲ, ୬ଟି ସବ୍ ସ୍ପେଶାଲ୍ ଜେଲ, ୧ଟି ମହିଳା କାରାଗାର, ୧ଟି ମୁକ୍ତାକାଶ ଜେଲ୍, ବାକି ୫୭ଟି ସବ୍ ଜେଲ୍ ରହିଥିଲା । ୫୭ଟି ସବ୍ ଜେଲ୍ ମଧ୍ୟରୁ ୪ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ । ମୋଟ ୮୭ଟି ଜେଲ ଏବେ କାର୍ଯ୍ୟକ୍ଷମ । ଯେଉଁଥିରେ ପାଖାପାଖି ୨୪୦୫୯ଜଣ କଏଦୀ ‌କ୍ଷମତା ରହିଛି । ଏବେ ୧୭୫୨୯ ଜଣ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୩୦୦୦ କେବଳ କଏଦୀ ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।