ଦ କୁଇଭର ବ୍ୟୁରୋ :- ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ସୁନ୍ଦରଗଡ଼ର ସାଂସଦ ଏହି ଘୋଷଣା କରି ନିଜର ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିଅରର ଅନ୍ତ ଘଟାଇଛନ୍ତି।ଜାତୀୟ ରାଜନୀତିରେ ଜଣେ ପ୍ରମୁଖ ଆଦିବାସୀ ଚେହେରା ଏବଂ ସୁନ୍ଦରଗଡ଼ରୁ ପାଞ୍ଚ ଥର ସାଂସଦ ହୋଇଥିବା ଓରାମ ବିଜେପିରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ବହୁବାର କାର୍ଯ୍ୟ କରିଛନ୍ତି।
୧୯୮୯ ମସିହାରେ ବିଜେପିରେ ଯୋଗଦେବା ପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ସେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବଣାଇରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ସେ ସୁନ୍ଦରଗଡ଼ରୁ ଲୋକସଭାରେ ପ୍ରବେଶ କରିଥିଲେ ଏବଂ ସେବେଠାରୁ ଆଦିବାସୀ କଲ୍ୟାଣ ଏବଂ ବିକାଶ ପାଇଁ ଏକ ସ୍ଥିର ସ୍ୱର ହୋଇ ଆସିଛନ୍ତି। ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବା ସତ୍ତ୍ୱେ, ଓରାମ ଦୃଢ଼ ଭାବରେ କହିଛନ୍ତି ଯେ, ସେ ଦଳର ସେବା ଜାରି ରଖିବେ। ସେ କହିଛନ୍ତି ‘ମୁଁ ବିଜେପିରେ ଅଛି ଏବଂ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି।’ସେ କହିଛନ୍ତି,ନିର୍ବାଚନ ନଲଢ଼ିବା ମୋର ନିଷ୍ପତ୍ତି। କିନ୍ତୁ ଯଦି ଦଳ କହିବ, ମୁଁ ଲଢ଼ିବି। ମୁଁ ପୂର୍ବରୁ ୧୦ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛି। ମୁଁ ଯୁବ ପିଢ଼ିଙ୍କ ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।
No comments yet.
State
ଦ କୁଇଭର ବ୍ୟୁରୋ:- ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୯ଟି ଜେଲ୍ । ୩ଟି ଜେଲ ବନ୍ଦ ହୋଇସାରିଥିବା ବେଳେ ଖୁବ୍ଶୀଘ୍ର ଆଉ ୬ଟି ବନ୍ଦ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଜେଲରେ ହାତଗଣତି କଏଦୀ ଓ ବିଚାରିଧିନ କଏଦୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ନିଷ୍ପତ୍ତି ଅନୁସାରେ, ନୟାଗଡର ଖଣ୍ଡପଡା ସବ୍ ଜେଲ୍, ବାଲେଶ୍ଵରର ନୀଳଗିରି ସବ୍ ଜେଲ୍ ଓ ବଡ଼ଗଡ଼ ଜିଲ୍ଲାର ସୋହେଲା ସବ୍ ଜେଲ୍କୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ ସରକାର । ଯାହାକି ଏବେ କାର୍ଯ୍ୟକ୍ଷମ ନାହିଁ କହିଲେ ଚଳେ । ଏହି ୩ଟି ଜେଲ୍ରେ ଅଳ୍ପ ସଂଖ୍ୟକ କଏଦୀ ଓ କର୍ମଚାରୀ ଥିଲେ । ଏଥିରେ ରହିଥିବା କଏଦୀ ଓ କର୍ମଚାରୀ ଜିଲ୍ଲା ଜେଲକୁ ସ୍ଥାନାନ୍ତର ସହ ସେମାନଙ୍କ ସହ ମିଶ୍ରଣ କରାଯାଇଛି । ତେବେ ବନ୍ଦ ଜେଲ୍ କୋଠାକୁ ସ୍କୁଲ,କଲେଜ ଭଳି ଅନ୍ୟ କିଛି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ଆଉ ବନ୍ଦ ହେବାକୁ ଥିବା ଆଉ ଛ'ଟି ଜେଲ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ପାତ୍ରପୁର ସବ୍ ଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସବ୍ ଜେଲ, ମାଲକାନଗିରିର ଏମ୍ଭି-୭୯ ଓ ରାୟଗଡ଼ା ଜିଲ୍ଲାରେ ଥିବା କାଶିପୁର ସବ୍ ଜେଲ୍ । ତା' ସହିତ ଆଠଗଡ଼ ସବ୍ ଜେଲ୍ ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସବ୍ ଜେଲକୁ ମଧ୍ୟ ବନ୍ଦ କରିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି । ବନ୍ଦ ପାଇଁ ଜେଲ ବିଭାଗରେ ସହମତି ରହିଛି । ରାଜ୍ୟରେ ମୋଟ ୯୧ଟି ଜେଲ୍ ଥିଲା । ସେଥିମଧ୍ୟରୁ ୧୭ଟି ଜିଲ୍ଲା ଜେଲ୍, ୭ଟି ମଣ୍ଡଳ ଜେଲ୍ ୨ଟି ସ୍ପେଶାଲ୍ ଜେଲ, ୬ଟି ସବ୍ ସ୍ପେଶାଲ୍ ଜେଲ, ୧ଟି ମହିଳା କାରାଗାର, ୧ଟି ମୁକ୍ତାକାଶ ଜେଲ୍, ବାକି ୫୭ଟି ସବ୍ ଜେଲ୍ ରହିଥିଲା । ୫୭ଟି ସବ୍ ଜେଲ୍ ମଧ୍ୟରୁ ୪ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଅଚଳ । ମୋଟ ୮୭ଟି ଜେଲ ଏବେ କାର୍ଯ୍ୟକ୍ଷମ । ଯେଉଁଥିରେ ପାଖାପାଖି ୨୪୦୫୯ଜଣ କଏଦୀ କ୍ଷମତା ରହିଛି । ଏବେ ୧୭୫୨୯ ଜଣ କଏଦୀ ଓ ବିଚାରଧୀନ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ କେବଳ ୩୦୦୦ କେବଳ କଏଦୀ ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
National,Politics
ଦ କୁଇଭର ବ୍ୟୁରୋ :- ପବିତ୍ର ଯମୁନା ନଦୀକୁ ନେଇ ବହୁତ କିଛି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠୁ ଲାଗିପଡ଼ିଥିଲେ । କହିଲେ ଯମୁନା ହେବ ପ୍ରଦୂଷଣ ମୁକ୍ତ । ସ୍ୱଚ୍ଛ ହେବ ପାଣି, ଫେରିବ ପବିତ୍ରତା । ଲୋକଙ୍କର ସବୁଠୁ ବଡ଼ ସମସ୍ୟାକୁ ଦୂର କରିଦେବେ । ହେଲେ ୬ ମାସ ଯାଇନି ଫସର ଫାଟିଲାଣି । ଯମୁନା ପ୍ରଦୂଷଣ ମୁକ୍ତ ହେବ କଣ ? ଅଧିକ ପ୍ରଦୂଷିତ ହେଲାଣି । ଦେଖନ୍ତୁ ଏହି ସ୍ଥିତି ।
ଅସମ୍ଭାଳ ହେଲାଣି ଯମୁନା ସ୍ଥିତି । ପ୍ରଦୂଷଣ ଭୟଙ୍କର ରୂପ ନେଲାଣି । ହେଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏ ସବୁ ଦିଶୁନି । ବିଜେପିକୁ ବି ଦିଶୁନି । ସବୁଠୁ ବଡ଼ କଥା ହେଲା ବିରୋଧୀ ଆପ ବି ଚୁପ ହୋଇ ବସିଛି । ପ୍ରଦୂଷଣ ଦିଲ୍ଲୀରେ ଭୟଙ୍କର ରୂପ ନେଇ ଚାଲିଛି । ବାୟୁ ବା ଧୂଳି ପ୍ରଦୂଷଣକୁ କୃତ୍ରିମ ବର୍ଷା ଦ୍ୱାରା ରୋକି ପାରିବେ, ହେଲେ ଯମୁନା ପ୍ରଦୂଷଣ ଏବେ ବଡ଼ ଚିନ୍ତା । ଲମ୍ବା ଲମ୍ବା କଥା ଫିକା ପଡ଼ିଗଲାଣି । ରେଖା ଗୁପ୍ତାଙ୍କ ସରକାର ଆଣ୍ଠେଇ ପଡ଼ିଲାଣି । ଯମୁନା ଦେଖାଉଛି ରେଖା ଗୁପ୍ତାଙ୍କ ଫେଲ ମଡ଼େଲ ।
ଯମୁନାର ପ୍ରଦୂଷଣ ଆଗରେ ସମସ୍ତେ ହାରୁଛନ୍ତି, ହେଲେ ମାନୁନାହାନ୍ତି । ପ୍ରଦୂଷଣ ଏତେ ଗମ୍ଭୀର ଯେ, କିଛି କରିବା କଷ୍ଟକର ହେଲାଣି । ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ମାନଙ୍କ ବିରୁଦ୍ଧରେ ପଦକ୍ଷେପ ବୋଲି ଶୂନ । ରାଜନୈତିକ ଚାନ୍ଦା ଦେଇ ଦେଇ ଶିଳ୍ପପତି ପ୍ରକୃତିକୁ ଖିନଭିନ କରୁଛନ୍ତି । ଆଉ ଚାନ୍ଦା ପାଇ କେବଳ ଲୋକଙ୍କ ଆଖିରେ ପରଦା ପକାଇବା ପାଇଁ ହୋହାଲ୍ଲା କରି ନିରବ ବସୁଛନ୍ତି ନେତାମାନେ । ଯାହା ଫଳରେ ପ୍ରଦୂଷଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡୁଛି । ଦେଖାଯାଉ ରେଖା ଗୁପ୍ତାଙ୍କ ସରକାର ଯମୁନାକୁ ବାସ୍ତବରେ ପ୍ରଦୂଷଣ ମୁକ୍ତ କରୁଛନ୍ତି ନା କର୍ଦମୁକ୍ତ କରୁଛନ୍ତି ?
State
ଦ କୁଇଭର ବ୍ୟୁରୋ :- ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ଠାରେ ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ଗାଡି ଯାଞ୍ଚ ସମୟରେ ବାହାରିଲା ୧୧୦ କେଜି ରୁପା l ରେଙ୍ଗାଲି ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ସନ୍ଦେହ ରେ ସ୍କୋର୍ପିଓ ଗାଡି ଯାଞ୍ଚ ସମୟରେ ବାହାରିଲା ରୁପା ଇଟା l ସୂଚନା ଅନୁସାରେ ନାଶିକରୁ ରାଞ୍ଚି ଯାଉଥିଲା ରୁପା lଅବକାରୀ ବିଭାଗ ଯାଞ୍ଚ କରୁଥିବା ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ ୧୧୦ କେଜି ରୁପା ମିଳିଥିଲା l ତେବେ ଏତେ ପରିମାଣ ରୁପାର କୌଣସି କାଗଜପତ୍ର ମଗାଯିବାରୁ ଗାଡିରେ ଥିବା 2 ଜଣ ବ୍ୟକ୍ତି କୌଣସି କାଗଜ ପତ୍ର ଦେଖେଇ ପାରି ନଥିଲେ l ଫଳରେ ଗାଡିକୁ ଅଟକ ରଖା ଯାଇ ସବୁ ରୁପାକୁ ରେଙ୍ଗାଲି ଅବକାରୀ ବିଭାଗ ଅଫିସକୁ ନିଆଯାଇଥିଲା l ସମ୍ବଲପୁର ସିଟି ଜିଏସଟିର ଏକ ଟିମ ଘଟଣା ସ୍ଥଳକୁ ଯାଇ ଅଟକ ଲୋକଙ୍କୁ ପଚରା ଉଚରା ଜାରି ରଖିଛି lଅବକାରୀ ବିଭାଗ ଅଧିକ୍ଷକ ଅଶୋକ ସେଠଙ୍କ ସୂଚନା ଅନୁସାରେ ଏହି ରୁପା ମହାରାଷ୍ଟ୍ରର ନାଶିକରୁ ରାଞ୍ଚିକୁ ଯାଉଥିଲା l ଅଟକ ଯୁବକ ଜଣକ ହେଲେ ଡ୍ରାଇଭର ସଂଜୟ ପଟେଲ ଓ ସହଯୋଗୀ ଚନ୍ଦ୍ରକାନ୍ତ ପଟେଲ l ଅବକାରୀ ବିଭାଗର ଟିମ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନିୟମିତି ଯେମିତି ସମ୍ବଲପୁର- ଝାରସୁଗୁଡା ରାସ୍ତା ଓ ସମ୍ବଲପୁର ରେଢ଼ାଖୋଲ ରାସ୍ତାରେ ଗାଡି ଗୁଡିକର ଯାଞ୍ଚ କରିଥାଏ, ସେହିପରି ଆଜି ମଧ୍ୟ ଶାସନ ଟୋଲ ଗେଟ ଠାରେ ଗାଡି ଗୁଡିକର ଯାଞ୍ଚ କରୁଥିଲା l ତେବେ ଏକ ମହିନ୍ଦ୍ର ସ୍କୋର୍ପିଓ ଗାଡିରେ ସନ୍ଦେହ ହେବାରୁ ଅବକାରୀ ଟିମ ଗାଡିଟିର ଯାଞ୍ଚ କରିଥିଲା l
State,Politics
ଭୁବନେଶ୍ୱର(ଦ କୁଇଭର): ବିଜେଡି ଅପରାଧ ଓ ନାରୀ କେଳେଙ୍କାରୀର ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ଦୁଇବର୍ଷ ପରେ ବିସ୍ଫୋରଣ କରି ଅନେକ ସତ ଓଗାଳିଛନ୍ତି । ପୂରା ବିଜେଡିକୁ କାଠଗଡ଼ାକୁ ଟାଣି ଦେଇଛନ୍ତି । ତାଙ୍କ ଅଭିଯୋଗର ତଦନ୍ତ ହେଲେ ବିଜେଡିର ଅନେକ ନେତା ଫସିବେ ବୋଲି ଜଳ ଜଳ ହୋଇ ଦିଶିଲାଣି । ଟିକେ ନଜର ପକାଇ ନେବା ତାଙ୍କ ଅଭିଯୋଗ ଉପରେ । ସେ କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେଲ ଯାଇ ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବସୁଥିଲେ । ସେଠାକୁ ଅର୍ଚ୍ଚନାଙ୍କୁ ଡକାଇ କଥା ହେଉଥିଲେ । ତାଙ୍କୁ ଚା’ ଦିଆଯାଉଥିଲା । ଅର୍ଚ୍ଚନା ଚେୟାରରେ ବସି ଚା ପିଉଥିଲେ ।
ଏହା ମିଥ୍ୟା ନୁହେଁ ବୋଲି ବି ଜେଲର ଅନେକ କର୍ମଚାରୀ କହିଲେଣି । ଜେଲ ସୁପରିଟେଣ୍ଡାଣ୍ଟଙ୍କର ବାଇଁଆ ପାରିବାରିକ ସମ୍ପର୍କୀୟ ନଥିଲେ କି? ବାଇଁଆଙ୍କ ସହ ଜେଲ ସୁପରିଟେଣ୍ଡାଣ୍ଟଙ୍କ କି ସମ୍ପର୍କ ରହିଛି । ସୁପରିଟେଣ୍ଡାଣ୍ଟଙ୍କ ପ୍ରକୋଷ୍ଠରେ ବିଚାରାଧିନ କୈଦୀ ଅର୍ଚ୍ଚନାଙ୍କୁ ବସାଇ ଚା’ କାହିଁକି ଦିଆଯାଉଥିଲା? ତାହା ପୁଣି ବାଇଁଆଙ୍କୁ ବସାଇ । କେବଳ ସେତିକି ନୁହେଁ, ପୋଲିସ ଏସିପି ହିମାଂଶୁ ସ୍ୱାଇଁ ମଧ୍ୟ ସମାନ କାମ କରୁଥିଲେ କାହିଁକି? ତାହା କ’ଣ ଜେଲ କ୍ୟାଣ୍ଟିନ କି? ଜଣେ ବିଚାରାଧିନ କୈଦୀଙ୍କୁ ବସାଇ ଚା ପିଆଇବା ଓ ଚା’ ପିଇ ଯିବା ପରେ ଅର୍ଚ୍ଚନା ଶୋଇ ରହିବା ପଛରେ ବଡ଼ ଷଡ଼ଯନ୍ତ୍ର ସ୍ପଷ୍ଟ ହେଉ ନାହିଁ କି?
କେବଳ ସେତିକି ନୁହେଁ ତାଙ୍କୁ ଟଙ୍କା ଦିଆଯାଉଥିଲ କାହିଁକି? ଟଙ୍କାକୁ ତକ୍ରାଳୀନ ଜେଲର ଜବତ ବି କରିଥିଲେ । ଜେଲରଙ୍କୁ ସେ ଜବତ ଟଙ୍କା ଫେରାଇ ଦେବାକୁ ଜେଲ ସୁପରିଟେଣ୍ଡାଣ୍ଟ ଚାପ ପକାଇଥିଲେ କାହିଁକି? ଅର୍ଚ୍ଚନାକୁ ମାନସିକ ଭାରସାମ୍ୟ ହରାଇଥିବା କଥା ଲେଖି କୋର୍ଟଙ୍କୁ ଜଣାଇବାକୁ ବାଇଁଆ ଓ ବିବାଦୀୟ ଅଫିସରମାନେ କାହିଁକି ଚାପ ପକାଉଥିଲେ? ଏଥିରେ ଜେଲର ସହଯୋଗ ନକରିବାରୁ ତାଙ୍କୁ କାହିଁକି ହଟାଗଲା? ଏସବୁ ପଛରେ କାହାର ହାତ ଥିଲା । କାହା ଇଙ୍ଗିତରେ ଜେଲ ଭିତରେ ଏତେ ସବୁ କେଳେଙ୍କାରୀ ଚାଲିଥିଲା । ଅର୍ଚ୍ଚନାଙ୍କ ମୁହଁ ବନ୍ଦ କରିବାକୁ ଏତେ କାରସାଦୀ କାହିଁକି କରାଯାଉଥିଲା । ଏହାର ଜବାବ ବିଜେଡି ନେତା ଓ ସମ୍ପୃକ୍ତ ଅଫିସରମାନେ ଦେଇ ପାରିବେ ତ?
ଏବେ ଏହି ସବୁ ଘଟଣାର ତଦନ୍ତ କରିବାକୁ ଅର୍ଚ୍ଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତାଙ୍କୁ ପ୍ରତିଶୃତି ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀ ଦମ ଦେଖାଇବେ ତ? ବିବାଦୀୟ ଅଫିସରମାନେ ଏବେ ବିଜେପି ବିଧାୟକ ଓ ନେତା ମାନଙ୍କ ଖାସ ଲୋକ ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ଗୃହ ବିଭାଗ ପଦକ୍ଷେପ ନେଇ ପାରିବ ନା ଲାଙ୍ଗୁଡ଼ ଜାକିବ? ଉାମଲା ପଛର ରହସ୍ୟ ପଦାକୁ ଆସିବ ତ? ମୋହନ ଖୋଲି ପାରିବେ କି ବିଜେଡି ଦ୍ୱାରା ରଚାଯାଇଥିଲା ନାରୀ କେଳେଙ୍କାରୀର ଗୁମର? ନା ମୋହନ ବି ବାଆଁରେଇବେ?
State,Education
ଦ କୁଇଭର ବ୍ୟୁରୋ :- ଅଚାନକ ସ୍କୁଲ ପରିଦର୍ଶନ କଲେ । ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢ଼ାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଲ ବାଟିକା, ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସଂପର୍କରେ ପଚାରି ଥିଲେ । ବାଲ ବାଟିକାର ଶିଶୁ ମାନେ କିପରି ଅକ୍ଷର ଶିକ୍ଷା ଗ୍ରହଣ କରୁଛନ୍ତି ତାହା ଦେଖିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକର ବିଭିନ୍ନ ଗୀତ ଓ ଗପ ଶୁଣେଇଥିଲେ। ଏହା ପରେ ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବ୍ଳାକ ବୋର୍ଡରେ ଗଣିତ ବିଷୟ ର ପ୍ରଶ୍ନୋତ୍ତର ଅଭ୍ୟାସ କରେଇଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଆଲୋଚନା କରିବା ସହ ଶିକ୍ଷକ ଅଭାବ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ଜନ୍ମ ନେଲା ଏକ ଭାରତୀୟ ଗୟଳ ଶାବକ । ଗତକାଲି ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ୪୨ନଂ ଖୁଆଡରେ ରହୁଥିବା ମାଈ ଗୟଳ ଏହି ଶାବକ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନରେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଶେଷଥର ପାଇଁ ୨୦୨୪ ମସିହା ଜୁନ ୫ରେ ଗୟଳ ଜନ୍ମ ନେଇଥିଲା । ତେବେ ଏକ ବର୍ଷପରେ ପୁଣି ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇଛି ।ବର୍ତ୍ତମାନ ୩ଟି ଅଣ୍ଡିରା, ୩ଟି ମାଇ ଏବଂ ଗୋଟିଏ ଶାବକଙ୍କୁ ମିଶାଇ ୭ଗୟଳ ଅଛନ୍ତି । ସର୍ବବୃହତ ବନ୍ୟଗାଈ ପ୍ରଜାତି ମଧ୍ୟରେ ଏହି ଗୟଳ ଅନ୍ୟତମ । ଏହାର ମାଂସପେଶୀ ଗଠନ, ଉତ୍ତଳକ ପାଳଧାର ଏବଂ ଗୋଡ଼ର ରଙ୍ଗ ପାଇଁ ଜଣାଶୁଣା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ସୂଚୀ ଅନୁଯାୟୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅଧୀନରେ ଏହି ପ୍ରଜାତି ଗୟଳଙ୍କର ବଂଶବୃଦ୍ଧି ପାଇଁ ପ୍ରଜନନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
State
ଦ କୁଇଭର ବ୍ୟୁରୋ :- ଭୁଶୁଡୁଛି ମାଓ ଦୁର୍ଗ । ଧ୍ବଂସ ପାଉଛି ଲାଲ୍ ଗଡ଼ । ଭାରତକୁ ମାଓମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନକ୍ସଲଙ୍କୁ ନିସ୍ତାର ଦେଉନାହାନ୍ତି ସୁରକ୍ଷାକର୍ମୀ । ଗୋଟେ ପଟେ ନକ୍ସଲଙ୍କୁ ନିପାତ କରାଯାଉଥିବା ବେଳେ ଅନ୍ୟପଟେ ପ୍ରାଣ ବିକଳରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଆଉ ଏହି କ୍ରମରେ ଛତିଶଗଡ ନାରାୟଣପୁରରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ତେବେ ନାରାୟଣପୁର ପୋଲିସ ପାଖରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୮ ଜଣ ମହିଳା ଅଛନ୍ତି । ୨୨ ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନେ ଅବୁଝମାଡ ଡିଭିଜନର ଡିସିଏମ, ଏସିଏମ, ପାର୍ଟି ମେମ୍ବର ଭାବେ ସକ୍ରୀୟ ଥିଲେ। ତେବେ ଆତ୍ମସର୍ପଣ ପରେ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି ।
State
ବ୍ରହ୍ମପୁର( ଦ କୁଇଭର ):- ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଗୁରୁବାର ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ଓ ରଶ୍ମିତା ଦଳାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ କରା ଯାଇଥିଲା । ସାରସ୍ବତ କବିତା ପାଠୋତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଡ ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଭାବେ ନାଟ୍ୟକାର ଇ. ଯାମିନି କାନ୍ତ ଦାସ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାଶ, ସଂଗଠକ ମିହିର ରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସୁଜାତା ଶତପଥୀ ସୁନୀଲ କୁମାର୍ ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରରେ ଭଜନ ସମାରୋହ ହୋଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀବିଧାୟକ କେ.ଅନିଲ କୁମାର୍,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ...., ଦିଗପହଣ୍ଡି ବିଧାୟକ ଡ୍ ସିଦ୍ଧାନ୍ତ ମହାପାତ୍ର, କୁକୁଡ଼ା ଖଣ୍ଡି ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଟି .ଗୋପୀ, ଶରତ ପଟ୍ଟନାୟକ, ବନମାଳୀ ସେଠୀ . ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ସହ ସମସ୍ତ ସାମ୍ୱାଦିକ ମାନଙ୍କୁ କମିଟି ତରଫରୁ ଏଠାରେ ସମ୍ମାନୀତ କରା ଯାଇଥିଲା। କଳାକାର ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା ।ସୂଚନା ଯୋଗ୍ୟ ଦୀର୍ଘ୍ ୧୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି । ବହୁ ଜନସାଧାରଣ ଓ ଦର୍ଶକ ଯାତ୍ରାରେ ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିଲା । ଏହି ଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ,ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଥିଲା। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିଲା ।
State
ଦ କୁଇଭର ବ୍ୟୁରୋ :- ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଅଖ ଚକ ସବୁ ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ, ସାମ୍ନାକୁ ଆସୁଛି ଯାତ୍ରୀ ଯନ୍ତ୍ରଣାର ପୁଳା ପୁଳା ଚିତ୍ର। କେଉଁଠି ବସଷ୍ଟାଣ୍ଡରେ ଛୁଆପିଲା ଧରି କଲବଲ ହେଉଛନ୍ତି ଲୋକ, ତ କିଏ ଗାଡ଼ି ନପାଇ ମେଡିକାଲରୁ ମାଇଲ ମାଇଲ ବାଟ ଚାଲି ଚାଲି ଘରକୁ ଫେରୁଛି। ୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ଅଧିକାଂଶ ଦାବି ଉପରେ ସରକାର ବିଚାର କରୁଥିବା କହିଥିଲେ ମଧ୍ୟ, ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ସଂଘ ଅଡ଼ି ବସିଥିବାରୁ କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟବ୍ୟାପୀ ଠପ୍ ହୋଇଛି ପରିବହନ ସେବା।ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛି। ରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାର। ଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏ। ସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏ। ଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି। ତେବେ ଖାଦ୍ୟ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ କାର୍ଯ୍ୟ ରେ ବାଧା ଦେଖାଦେଇଥିବା ସାଧାରଣରେ ଦେଖାଦେଇଛି, ତେଣୁ ଏସବୁର ସମାଧାନ ଯେତେ ଶୀଘ୍ର ହେବ, ସାଧାରଣ ଜନତା ସେତେ ଶୀଘ୍ର ଉପକୃତ ହେବେ ବୋଲି ସୂଚନା ଚର୍ଚ୍ଚା ଚାଲିଛି l
State
ଦ କୁଇଭର ବ୍ୟୁରୋ :- ଅପରେସନ ଶୁଦ୍ଧି ରେ ନୂଆପଡ଼ା ଜିଲ୍ଲା ପୋଲିସ ନିଶା ବେପାରୀ ଙ୍କ ଉପରେ ଚଡ଼କ ଛାଡିଥିବା ବେଳେ । ଦୈନନ୍ଦିନ ମଦ ଓ ଗଞ୍ଜେଇ ସହ ନିଶା କାରବାର ରେ ଲିପ୍ତ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ନୂଆପଡ଼ା ର ବିଭିନ୍ନ ଥାନା ପୋଲିସ । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତି ଙ୍କ ସହ ବାର ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ କୁ ଜବତ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଖରୀଆର ରୋଡ ଯୋଙ୍କ ପୋଲିସ ।
ସୂଚନା ଅନୁସାରେ ଗତକାଲି ଦିନ ୧୨.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଖରୀଆର ରୋଡ଼ ଯୋଙ୍କ ଥାନା ଆଇଆଇସି ପ୍ରଦୀପ ଧରୁଆ ଙ୍କ ନେତୃତ୍ଵ ରେ ଏକ ଆଇ-20 କାର କୁ ଅଟକ ରଖି ଛାନଭିନ କରିଥିଲା । କାର ମଧ୍ୟରେ ଥିବା ଦମ୍ପତ୍ତି ଅତି ଚତୁରତା ର ସହ ୨୪ କେଜି ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା l ପରେ ସେମାନଙ୍କୁ ପଚରା ଉଚୁରା କରିବାପରେ ଦମ୍ପତ୍ତି ଙ୍କ ଘର କୋମନା ଥାନା ଜେଠୁପାଲି ରେ ଚଢାଉ କରି ସେଠାରୁ ମଧ୍ୟପ୍ରଦେଶ ରୁ ଆସିଥିବା ୧୦ ଜଣ ଗଞ୍ଜେଇ ବେପାରୀ ଙ୍କୁ କାବୁ କରି ତାଙ୍କ ଠାରୁ ୧୪ କେଜି ଗଞ୍ଜେଇ ସହ ସମସ୍ତଙ୍କୁ ଗିରଫ କରି ଥିଲା । ଏହି ମାମଲା ରେ ବର୍ତ୍ତମାନ ୧୨ ଜଣ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୮ କେଜି ଗଞ୍ଜେଇ ସହ ଗୋଟିଏ କାର, ଚାରି ଗୋଟି ମୋବାଇଲ, ନଗଦ ୨୭ ଏକ ଶହ ଟଙ୍କା କୁ ଜବତ କରିବା ସହ ୧୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ୧୨ ଜଣ ଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳା ମଧ୍ୟ ସାମିଲ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚୋରା ଚାଲାଣ ଆନ୍ତରାଜ୍ୟ ହୋଇଥିବା ରୁ ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
State
ଦ କୁଇଭର ବ୍ୟୁରୋ :- ଗଞ୍ଜାମ ଓକିଲ ସଂଘର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅବ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ଳ ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଆଇନଜୀବୀଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟାକୁ କିଭଳି ଭାବେ କାର୍ଯ୍ୟକାରି କରାଯିବ ସେଥି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା l ବୈଠକର ଆରମ୍ଭ ରେ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୂର୍ଣ୍ଣସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ
ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି.ଏଲ.ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l
State,Politics,National
ଦ କୁଇଭର ବ୍ୟୁରୋ :- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ଶିବିର । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ରାହୁଲଙ୍କ ଗସ୍ତ ଓ ସଭାକୁ ଆଖିରେ ରଖି ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ । ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଯଦିଓ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି, ହେଲେ କିଛି ସମାଧାନ ବାହାରି ପାରିନି ନାହିଁ । ଫଳରେ ଗତ ତିନି ଦିନ ଧରି ଡ୍ରାଇଭର ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ଚତୁର୍ଥ ଦିନ । ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡା ହୋଇ ରହିଛି । କେବଳ ଜରୁରୀକାଳିନ ଓ ଘରୋଇ ଗାଡିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଲୋକେ ହିନସ୍ତା ହେଉଛନ୍ତି । ଏନେଇ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି । ତଥାପି ସମାଧାନର ବାଟ ବାହାରିପାରିନି ।
State
ଦ କୁଇଭର ବ୍ୟୁରୋ :- ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ୪ ଦିନ ପରେ ଗଡ଼ିଲା ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନିଷ୍ପତ୍ତି ନେଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି ।ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ଧରି ଯାତ୍ରୀ ପରିବହନ ଠପ ହୋଇ ଯାଇଥିଲା । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।ଅନ୍ୟପଟେ ସମ୍ବଲପୁର ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସବୁ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ଜାରି ରହିଛି । ବସ୍ କିଏ ଚଲାଇବ ? ସେପଟେ ଘରୋଇ ବସ୍ ମାଲିକ ସଂଘର ଘୋଷଣା ପରେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
National,Health & lifestyle,State
ଦ କୁଇଭର ବ୍ୟୁରୋ :- ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚିକିତ୍ସାରେ ଉତ୍ସର୍ଗୀକୃତ ସେବା ପାଇଁ ସେ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଓଡ଼ିଶାବାସୀ, ଶୁଭେଚ୍ଛୁଙ୍କ ସମେତ ସଭିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମଙ୍ଗଳ କାମନା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏହି ପ୍ରଭାବରେ ଗତକାଲି ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆଜିଠାରୁ କମିବ ବର୍ଷାର ପରିମାଣ ଓ ବିସ୍ତୃତି । ୧୩ ତାରିଖରେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୪ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l
National,State
ନୂଆଦିଲ୍ଲୀ( ଦ କୁଇଭର ):- ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାକ୍ଷାତ ସମୟର ଫଟୋ ବଢାଇଲା ଚର୍ଚ୍ଚା । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ର ବା ମୋଦୀ ସବୁଜ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।
State
ଗଞ୍ଜାମ ( ଦ କୁଇଭର ):- ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟ ତଥା ଜରଡ଼ା-ସାମନ୍ତରାପୁର ଗ୍ରାମ ମଧ୍ୟସ୍ଥଳୀ ଠାରେ ଗୋଟିଏ ବୁଲେଟ ଓ ଅନ୍ୟଟି ଯାଭା ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣକ ମୃତ୍ୟୁ ଘଟିଥିବା ଏକା ସମ୍ବେଦନଶୀଳ ଘଟଣା ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ (୨୫)। ସେହିଭଳି ଅନ୍ୟ ମୃତକ ଜଣକ ହେଲେ ବି. ଏନ ପୁର ଥାନା ଅଧୀନ ଗୁଇଲୁଣ୍ଡି ଅଂଚଳର ରାଜେଶ ପାଣିଗ୍ରାହୀ (୨୫)। ରାଜେଶ ଓ ତାଙ୍କ ସାଙ୍ଗମାନେ ବାର୍ହାପଥରକୁ ବଣଭୋଜି କରିବାକୁ ଯାଇଥିଲେ। ଫେରିବା ସମୟରେ ସେମାନେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ହୋଇଥିଲେ। ଦଉ ଓ ସୁନିଲ କୌଣସି କାମରେ ଜରଡ଼ା ଗ୍ରାମରୁ ନିଜ ଗ୍ରାମକୁ ଫେରିବା ସମୟରେ ଠଣାଗାଁ ନିକଟରେ ଦଉ ଓ ସୁନିଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁନିଲ ଏବଂ ରାଜେଶଙ୍କ ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତ୍ବର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଉଙ୍କ ଚିକିତ୍ସା ବେଳେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପଠାଯାଇଥିବା ସୂଚନା ମିଳିଛି। ସେହିଭଳି ଖବର ପାଇ ପାତ୍ରପୁର ବଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଦୁଃଖଦ ଖବର ଜଣାପଡିଵା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
State
ଦ କୁଇଭର ବ୍ୟୁରୋ:- ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା ।
କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି । ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ । ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।ତେବେଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।
Politics,National
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ ମିଳିଛି । ଏହା ପରେ, କେନ୍ଦ୍ରମନ୍ତ୍ରୀ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନ ପାଟନାରେ ଅଭିଯୋଗ କରିଛନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।ପୂର୍ବରୁ, ଛାପ୍ରାରେ ଆୟୋଜିତ ‘ନବ ସଂକଳ୍ପ ମହାସଭା’କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ। ଏପରି ପରିସ୍ଥିତିରେ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବି ।ସେହି ସମୟରେ, ସେ ସ୍ପଷ୍ଟ କରିଥିଲେ ଯେ ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, ‘‘ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଆଜି, ସାରଣର ଏହି ପବିତ୍ର ଭୂମିରୁ, ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ କହୁଛି ଯେ ହଁ, ମୁଁ ନିର୍ବାଚନ ଲଢ଼ିବି । ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା’ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।”