No comments yet.
Education,State
ଦ କୁଇଭର ବ୍ୟୁରୋ :- ଆହତ ଜ୍ୟୋତିପ୍ରକାଶଙ୍କ ପାଖରେ ଅଛି ସୌମ୍ୟାଶ୍ରୀଙ୍କ ଆତ୍ମାହୂତିର ଚାବି । କେମିତି ଜଳିଲେ, ପେଟ୍ରୋଲ କେମିତି ପକାଇଲେ ଆଉ ଜଳିବା ପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଗଲେ ନା ସିଧା ବାହାରକୁ ଦୌଡିଲେ, ସବୁର ଏକମାତ୍ର ପ୍ରମାଣ ଜ୍ୟୋତିପ୍ରକାଶ । ତଦନ୍ତକାରୀ କ୍ରାଇମବ୍ରାଞ୍ଚ ତାଙ୍କୁ ଭରସା କରିଛି । ସେ ଯେମିତି ବୁଲାଇବେ, ସେମିତି ଗଡ଼ିବ ତଦନ୍ତର ଦିଗ । ବାକିସବୁ କଥା ଫେଲ ମାରିବ ।
ସୌମ୍ୟଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ପୂରା ଗୋଳି କଲାଣି । କଲେଜ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ଜେରା କରିବ । ପେଟ୍ରୋଲପମ୍ପ ଯାଇ ପେଟ୍ରୋଲ କିଏ ଆଣିଲା ତାହା ବି ଖୋଜୁଛି । ସତେ ଯେମିତି ସେହି ପମ୍ପରୁ ପେଟ୍ରୋଲ ଆସିଛି । ତଦନ୍ତ କମ ପ୍ରହସନ ଅଧିକ ଚାଲିଛି । ହେଲେ କେହି ପ୍ରତ୍ୟକ୍ଷଦର୍ଶୀ ମିଳୁ ନାହାନ୍ତି । ତଦନ୍ତକାରୀ ଟିମ ଏବେ ଜ୍ୟୋତିପ୍ରକାଶଙ୍କ ଉପରେ ନଜର ରଖିଛି । ତାଙ୍କରି ଠାରୁ ଯାହା ମିଳିବ ତାହା ହିଁ ହେବ ତଦନ୍ତର ମଞ୍ଜି ।
ଇତିମଧ୍ୟରେ ବିଭିନ୍ନ ମନ୍ତ୍ରୀ ଯାଇ ଜ୍ୟୋତିପ୍ରକାଶଙ୍କୁ ଭେଟିଛନ୍ତି । ଏହାପରେ ତାଙ୍କ ମତ କେତେ ନିରପେକ୍ଷ ହେବ ତାହା ବି ସନ୍ଦେହରେ ରହିଛି । ଅନ୍ୟପକ୍ଷରେ ତଦନ୍ତକୁ ଭୁଆଁ ବୁଲାଇବାକୁ ଏବେ ନାନା ତଥ୍ୟ ପଦାକୁ ଆସୁଛି । ହେଲେ ବାସ୍ତବ କାରଣକୁ ନଜର ଯାଉନି । HOD ବା ଅଧ୍ୟକ୍ଷଙ୍କ ନିର୍ଯ୍ୟାତନା ସୌମ୍ୟାଶ୍ରୀଙ୍କୁ ମାରିଛି ନା ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଏମପିଙ୍କ ଅବହେଳା ମାରିଛି ? ନିର୍ଯ୍ୟାତନା ପରେ ସେ ଲଢୁଥିଲେ, ମାତ୍ର ଯେତେବେଳେ ସରକାର ନ୍ୟାୟ ଦେଲେନାହିଁ ସେତେବେଳେ ସେ ଆତ୍ମହୁତି ଦେଲେ ? ଏଦିଗକୁ ଯାଇ ତଦନ୍ତ କରିବ ତ କ୍ରାଇମବ୍ରାଞ୍ଚ ? ନା ପୂର୍ବ ସରକାର ଭଳି ସବୁ ଅବାନ୍ତର ଦିଗକୁ ନେଇ ତଦନ୍ତ ସାରିଦେବ ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ନଜର ଜ୍ୟୋତିପ୍ରକାଶଙ୍କ ଉପରେ ରହିଛି । ଦେଖାଯାଉ ଜ୍ୟୋତିପ୍ରକାଶ କି ତଥ୍ୟ ଦେଉଛନ୍ତି ଓ ତଦନ୍ତ କେଉଁ ଦିଗକୁ ଯାଉଛି ?
National,State
ନୂଆଦିଲ୍ଲୀ( ଦ କୁଇଭର ):- ଓଡ଼ିଆ ଫିଲ୍ମ ଇତିହାସରେ ପ୍ରଥମ । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି । ପୂରା ଟିମ୍ ସହ ଫିଲ୍ମ ଦେଖି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଶ୍ରୀଜଗନ୍ନାଥଙ୍କ ନବକଳେବର' ଚଳଚ୍ଚିତ୍ରର ସ୍ବତନ୍ତ୍ର ସୋ’ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନର କଲଚରାଲ୍ ସେଣ୍ଟରରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମ ସହ ଜଡିତ ପୂରା ଟିମ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂରା ଟିମ୍ ଫିଲ୍ମଟିକୁ ଦେଖିଥିଲେ ।ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ରାଷ୍ଟ୍ରପତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଛନ୍ତି, ‘ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।’
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ସହ ଚଳଚ୍ଚିତ୍ରର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଦେବଶ୍ବେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଫ୍ଏ) । ଓଡ଼ିଶାର ସାଂସଦ ମୁନା ଖାଁଙ୍କ ସହ ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର,କାହାଣୀ ଓ ସଂଳାପକାର ଶଙ୍କର ତ୍ରୀପାଠି ଙ୍କ ସହ ଫିଲ୍ମର ମୁଖ୍ୟ କଳାକାର ବୃନ୍ଦ ଯେପରିକି ସିଦ୍ଧାନ୍ତ ମହାପାତ୍ର,ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ, ଓ ଅଂଶୁମାନ ପ୍ରମୁଖ ।
ତେବେ ଜୁଲାଇ ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ । ରିଲିଜ ହେବା ଦିନରୁ ଫିଲ୍ମଟି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି । ରାଷ୍ଟ୍ରପତି ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍କୁ ନିମନ୍ତ୍ରଣ କରିଥିଲେ । ଫିଲ୍ମଟି ଦର୍ଶକଙ୍କୁ ଭାବବିହ୍ବଳ କରୁଛି ।
Education,State
ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଦ୍ବାରା ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପୀଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶେଷରେ ଛାତ୍ରୀଙ୍କ ଜୀବନ ଯାଇଥିଲା। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯିବା ଆବଶ୍ୟକ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ ହେଲେ ସତ ପଦାକୁ ଆସିବ। ଅଧ୍ୟାପକ, ମହାବିଦ୍ୟାଳୟ ପ୍ରଶାସନ, ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ରହିଥିବା ୨୦୧୫ର ନିୟମାବଳୀ ପାଳନ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରାଯିବ l ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଶିଶୁ ଓ ମହିଳା ଶାଖା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଉ। ୟୁଜିସି ପକ୍ଷରୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ରିପୋର୍ଟ ତଲବ କରାଯିବା ସହିତ ଅନୁଷ୍ଠାନର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୟୁଜିସି ନିୟମାବଳୀ, ୨୦୧୫ ଅନୁସାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଆବେଦନକାରୀ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ବନ୍ଦ ଡାକରା ଦିଆଯାଉଛି। ଏହା ଦ୍ବାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ, ମହିଳା କମିସନ, ୟୁଜିସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏଭଳି ସ୍ଥିତିରେ ଆଇନଗତ ପଦକ୍ଷେପ ନ ନେଇ ବନ୍ଦ ଡାକରା ଦିଆଯିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।
Education,State
ଦ କୁଇଭର ବ୍ୟୁରୋ :- ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁର ସହର ଉପକଣ୍ଠରେ ଥିବା ଚିତାଳୋ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ପଣ୍ଡାଙ୍କ ନାମରେ ଏଭଳି ଅଭିଯୋଗ ରହିଛି। ୨୦୨୧ରେ ସେ ଛାତ୍ରମାନଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ପୁଲିସ ଯାଜପୁର ଥାନା କେସ୍ ନମ୍ବର ୩୧୧ ରୁଜୁ କରି ୩୦.୦୮.୨୦୨୧ରେ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଜାତିକୁ ନେଇ ଆକ୍ଷେପ ଓ ଗାଳିଗୁଲଜ କରିବା ଅଭିଯୋଗରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି ଏବଂ ୨୦୨୨ ମାର୍ଚ୍ଚ ୧୫ରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲା ଯାଜପୁର ଜିଲ୍ଲା ଦୌରା ଜଜ୍ କୋର୍ଟରେ ବିଚାରାଧୀନ ରହିଛି। ଏହାବ୍ୟତୀତ ବେଆଇନ ନିଯୁକ୍ତିକୁ ନେଇ କେସ୍ ନଂ. ୩୭୯/୨୦୨୪, ଓଡ଼ିଶା ଲୋକାୟୁକ୍ତଙ୍କ ସମେତ କ୍ରାଇମ୍ବ୍ରାଞ୍ଚ, ଭିଜିଲାନ୍ସ, ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ପରିସରଭୁକ୍ତ ରହିଛି। ଓଡ଼ିଶା ମାନବାଧିକାର ଆୟୋଗରେ ମଧ୍ୟ (କେସ୍ ନଂ ୩୦୭୨/୨୦୨୪) ରୁଜୁ ହୋଇ ବିଚାରାଧୀନ ରହିଛି।
ମହାବିଦ୍ୟାଳୟର ପରିଚାଳନା ସମିତି ଓ ଉଚ୍ଚଶିକ୍ଷା ବିଭାଗର ବିନା ଅନୁମୋଦନରେ ୨୦୦୮-୦୯ରୁ ୨୦୦୯-୧୦ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଜାଲ୍ କାଗଜପତ୍ର ଦେଇ ସେ ଏମ୍ଫିଲ କରିଥିଲେ। ଏହି ସମୟରେ ସେ ଉପସ୍ଥାନ ଖାତାରେ ଦସ୍ତଖତ କରି ଦରମା ମଧ୍ୟ ଉଠାଇଥିଲେ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ବଢ଼ିବାରୁ ଯାଜପୁରର ତତ୍କାଳୀନ ଉପଜିଲ୍ଲାପାଳ ତଥା ପରିଚାଳନା ସମିତି ସଭାପତି ତାଙ୍କୁ ୨୦୨୧ ସେପ୍ଟେମ୍ବର ୬ ତାରିଖଠାରୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ୨୦୨୩ ଫେବ୍ରୁଆରି ୨୧ରେ ଉଚ୍ଚଶିକ୍ଷା ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ସରକାର ସମୟରେ ସେ ରାଜନୈତିକ ଚାପ ପକାଇ ପୁଣି ଏହି ମହା ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଏ ନେଇ ନିର୍ଦେଶନାମା ଦେଇଥିଲା। ବଡ଼କଥା ହେଉଛି, ୨୦୨୫ ମାର୍ଚ୍ଚ ୪ ତାରିଖରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ବିବାଦୀୟ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ନିଲମ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ମୁଦୁଲି ମଧ୍ୟ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିବା କହିଛନ୍ତି। ଏହା ସତ୍ତ୍ବେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାଦ୍ବାରା ମହାବିଦ୍ୟାଳୟର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାରୁ ଅଧ୍ୟାପକଙ୍କୁ ତୁରନ୍ତ ହଟାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ନଚେତ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ଏ ସଂପର୍କରେ ଅଧ୍ୟାପକ ନିରଞ୍ଜନ ପଣ୍ଡା କହିଛନ୍ତି ଯେ ୨୦୨୧ରେ ତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସାଇ ଦିଆଯାଇଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏବେ ତାଙ୍କ ନାମରେ ନାନାଦି ମିଛ ଅଭିଯୋଗ ଅଣାଯାଉଛି ବୋଲି ସେ ସଫେଇ ଦେଇଛନ୍ତି।
Shree Jagannath
ପୁରୀ ( ଦ କୁଇଭର ):- ଓଡ଼ିଶା ବନ୍ଦ ଯୋଗୁଁ ପୁରୀରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିଲା । ବସ ଚଳାଚଳ ବନ୍ଦ ରହିଥିଲା ବେଳେ ରେଳୱେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଛି । ବନ୍ଦର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରତିଦିନ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଜି କିନ୍ତୁ ଭକ୍ତଙ୍କ ଆଗମନ କମ ରହିଥିଲା । ବସ ଚଳାଚଳ ବନ୍ଦ ଥିବାରୁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଆଗମନ କମ୍ ରହିଛି । କେବଳ ଟ୍ରେନରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହୋଇଛି। ଓଡ଼ିଶା ବନ୍ଦ ପାଳନ ନେଇ କଂଗ୍ରେସ ଓ ବାମଦଳ କର୍ମୀ ମାନେ ପୁରୀ ବସଷ୍ଟାଣ୍ଡରେ ପ୍ରତିବାଦ ସଭା କରିଥିଲେ। ପୂର୍ବରୁ ଓଡ଼ିଶା ବନ୍ଦ ନେଇ ଘୋଷଣା ଥିବାରୁ କୌଣସି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ବସ ମାଲିକ ମାନେ ବସ ଚଳାଚଳ ବନ୍ଦ ରଖିଛନ୍ତି। ଫଳରେ ବସଷ୍ଟାଣ୍ଡ ସକାଳୁ ଖାଁ ଖାଁ ରହିଥିଲା। କେହି ବି ଯାତ୍ରୀ ବସଷ୍ଟାଣ୍ଡରେ ନଥିଲେ। ଟ୍ରେନ ଚଳାଚଳ କରୁଥିବାରୁ ପୁରୀକୁ ଆସିଥିବା ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଆଜି ସକାଳୁ କଂଗ୍ରେସ୍ ଓ ବାମଦଳ କର୍ମୀ ମାନେ ପୁରୀ କଟକ ସଟଲ ଟ୍ରେନଲୁ କିଛି ସମୟ ଅଟକାଇଥିଲେ। ପରେ ଆରପିଏଫ୍, ଜିଆରପି ଆନ୍ଦୋଳନରତ କର୍ମୀଙ୍କୁ ଟ୍ରେନ ଟ୍ରାକ ରୁ ହଟାଇଥିଲେ। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ କଂଗ୍ରେସ କର୍ମୀ ମାନେ ବାଇକରେ ପୁରୀ ସହର ବୁଲି ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କଲେଜ ବନ୍ଦ କରିଥିଲେ। କଚେରୀ ଛକରେ ଟାୟାର ଜାଳି ଉଭୟ କଂଗ୍ରେସ ଓ ବାମଦଳ କର୍ମୀ ରାସ୍ତା ରୋକ୍ କରିଥିଲେ। ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ସହ ଏହି ଘଟଣାରେ ଯେଉଁ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁରୀ କଂଗ୍ରେସ ଓ ବାମଦଳ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ ହେବା ନେଇ ଚେନାବନୀ ଦେଇଛନ୍ତି ।
State
ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୭ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାକୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଏହା ଏକ ବଡ଼ ସୁଯୋଗ l ସବିଶେଷ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ବ୍ରହ୍ମପୁର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l
State
ଦ କୁଇଭର ବ୍ୟୁରୋ :- ଆସୁଛି ଆହୁରି ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଓଡ଼ିଶାରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୪ ରୁ ୨୬ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଷ୍ଟି ହେବ । ଏହା ପ୍ରଭାବରେ ୨୩ ତାରିଖରୁ ବର୍ଷା ପୁଣି ବଢ଼ିବା ସହ ୨୬ ତାରିଖ ଯାଏଁ ଲାଗି ରହିବ । ସେହିପରି ଆଜିଠାରୁ ୨୨ ତାରିଖ ଯାଏ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ । ଏଯିପାଇଁ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ଆଜି ବି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଏଥିପାଇଁ ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି ।
Health & lifestyle,State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।
Education,State
ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟରେ ସ୍କୁଲ କଲେଜ ଛତ୍ରୀ ଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଇସିସି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା "ଅଗ୍ନି" ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତା ବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟା କୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷ | ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।
State,National
ଦ କୁଇଭର ବ୍ୟୁରୋ :- ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି। ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି। ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି।
State,Education
ଦ କୁଇଭର ବ୍ୟୁରୋ :- ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଅଭିଯୁକ୍ତ ସମୀର ସାହୁଙ୍କ ଏକ ଭିଡିଓ । ଏ ଭିଡ଼ିଓ ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବରୁ ବୋଲି ଜଣାପଡୁଛି । ସହକାରୀ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ପରେ ସମୀର ସାହୁ ଏକ ବୈଠକରେ ଭୁଲ ମାଗୁଥିବା ଜଣାପଡିଛି । ଭିଡିଓରେ ସମୀର ସାହୁ, ପୀଡ଼ିତାଙ୍କ ପ୍ରତି ଆଉ ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ ବୋଲି କହୁଛନ୍ତି । ପୀଡ଼ିତାଙ୍କୁ କ୍ଲାସ୍ ଆସିବାକୁ କହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଫଏମ ବିଶ୍ୱ ବିଦ୍ୟାଳୟ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍ଓଡି କାରାଗାରର ୩ ନମ୍ବର ସେଲ୍ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି । ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି । ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍ଚାପ୍ ରହୁଥିବା ଜଣାଯାଇଛି ।
Education,State
ଦ କୁଇଭର ବ୍ୟୁରୋ :- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ । ଏଥିସହ POSH Act, 2013 ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।
Farming,State
ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି। କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ ଏଫ୍ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଯୋଜନା କରାଯାଇଛି I ଏଥି ମଧ୍ୟରୁ ୩୪.୯୪ ଲକ୍ଷ ହେକ୍ଟର ଧାନ ଏବଂ ୨୩.୫୬ ଲକ୍ଷ ହେକ୍ଟର ଅଣଧାନ ଅନ୍ତର୍ଭୁକ୍ତ। ଭାରତ ସରକାର ସମଗ୍ର ଖରିଫ ଋତୁ ପାଇଁ ରାଜ୍ୟକୁ ବିଭିନ୍ନ ଗ୍ରେଡ୍ର ୯.୫୫ ଲକ୍ଷ ମେଟ୍ରିକ୍ ଟନ୍ ସାର ଆବଣ୍ଟନ କରିଛନ୍ତି। ଖରିଫ ଚାଷ ପୂର୍ବରୁ ରାଜ୍ୟ ସରକାର ମାର୍କଫେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍ ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ମୋଟ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିଛି। ୩.୬୫ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇସାରିଛି। ବିଭିନ୍ନ ଜିଲ୍ଲାରେ ୪.୨୪ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ୨୩,୫୮୯ ମେଟ୍ରିକ ଟନ୍ ସାର ଖୁବ୍ଶୀଘ୍ର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପାଇଁ ପରିବହନରେ ଅଛି। ମାର୍କଫେଡ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବାକୁ ସାର ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ / ଲ୍ୟାମ୍ପସଗୁଡ଼ିକୁ ବିଭିନ୍ନ ଗ୍ରେଡ୍ର ସାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମାର୍କଫେଡ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଖରିଫରେ ଏହି ସମୟ ମଧ୍ୟରେ ରାଜ୍ୟରେ ୭.୭୧ ଲକ୍ଷ ମେଟ୍ରି୍କ ଟନ୍ ସାର ଉପଲବ୍ଧ ଥିଲା। ଏହି ବର୍ଷ ଅଧିକ ସାର ଉପଲବ୍ଧ ଅଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
State
ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସନ୍ନିକଟ ନିମଖଣ୍ଡି ଥାନା ପୁଲିସ ୫ଜଣିଆ ଏକ ଡକାୟତି ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବହୁ ପୁରୁଣା ବା ପେସାଧାର ଅପରାଧୀ ରହିଥିବା ଜଣାପଡିଛି ।
ସୂଚନା ପ୍ରକାରେ,ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ଶାହାଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ ବେଳେ ଏକ ଡକାୟତି ଗ୍ୟାଙ୍ଗକୁ କାବୁ କରିଛି । ନିମଖଣ୍ଡି ଥାନା ଲୋଚାପଡା ଛକରେ ନିମଖଣ୍ଡି ଥାନା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରୁଥିଲେ, ତାଙ୍କୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ ନିମଖଣ୍ଡିରେ ନବନିର୍ମିତ ରିଙ୍ଗ ରୋଡରେ (ଝାଡଙ୍କୁଲି ପେଟ୍ରୋଲ ପମ୍ପରୁ ନିମଖଣ୍ଡି ହାଇସ୍କୁଲ ପର୍ଯ୍ୟନ୍ତ) କିଛି ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇଛନ୍ତି ଏବଂ ନିକଟସ୍ଥ ଅଞ୍ଚଳର କୌଣସି ଘର କିମ୍ବା ଦୋକାନରେ ଡକାୟତି କରିବାକୁ ଏକାଠି ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ନିର୍ମାଣାଧୀନ ରିଙ୍ଗ ରୋଡକୁ ଯାଇ ଦେଖିଲେ ଯେ ଅନ୍ଧାରରେ କିଛି ଲୋକ କ୍ଷେତରେ ଏକାଠି ହୋଇଛନ୍ତି।ପୋଲିସ ସେଠାରେ ଉପସ୍ଥିତ ପାଞ୍ଚ ଜଣଙ୍କୁ ଅଟକ ରଖିଥିଲେ ଏବଂ ଜଣେ ବ୍ୟକ୍ତି ଅନ୍ଧାର ରାତିର ସୁଯୋଗ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଗିରଫ ସମୟରେ ଅଭିଯୁକ୍ତ ମୁରଲୀ ସାହୁ @ମିତୁ ସାହୁ ପୋଲିସଠାରୁ ଖସିଯିବାରେ ସଫଳ ହୋଇଥିଲେ କିନ୍ତୁ ଦୌଡ଼ିବା ସମୟରେ ସେ ରାସ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା। ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିମାନେ ବ୍ରହ୍ମପୁର ସର୍କଲ ଜେଲରେ ଭେଟିବା ସମୟରେ ପରସ୍ପରକୁ ଚିହ୍ନିତ ଥିଲେ କାରଣ ସେମାନେ ପୂର୍ବରୁ ଅନେକ ଅପରାଧିକ ମାମଲାରେ ଜଡିତ ଥିଲେ । ତେବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ତଲାସୀରେ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ, 4ଟି ଜୀବନ୍ତ ଗୁଳି, ଦୁଇଟି ପତ୍ରିକା, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଦୁଇଟି ଖଣ୍ଡା ଜବତ କରିଥିଲା । ନିମଖଣ୍ଡି ଆଇଆଇସି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
Education,State,Politics
ଦ କୁଇଭର ବ୍ୟୁରୋ :- ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି । ସେ ବିଜେଡି ହେଉ କି କଂଗ୍ରେସ ବା ବିଜେପି, ସମସ୍ତଙ୍କର ସମର୍ଥନରେ HOD ସମୀର ସାହୁ ଓ ଅଧ୍ୟକ୍ଷ ଘୋଷ ନିର୍ଯାତନା ଦେଉଥିଲେ । ଏପରିକି ବିଜେଡି ସହାୟତାରେ ଅଧ୍ୟାପକ ସମୀର ଭୁବନ କଲେଜରୁ ସୁରକ୍ଷା ପାଇ ଫେରିଥିଲେ । ତାଙ୍କର କଳା କାରନାମାକୁ ବିଜେଡି ଲୁଚାଇବା ପଛରେ କାଳେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ହାତ ରହିଛି । ଦେବୀଙ୍କ ପୁଅଙ୍କର କମ୍ପାନୀ ଡିଅନରେ ସମୀରଙ୍କ ବାପା ସମ୍ପୃକ୍ତି ରହିଥିବା କୁହାଯାଉଛି । କେବଳ ସେତିକି ନୁହେଁ, ତାଙ୍କ ଶାଳକ ହେଲେ ବିଜେପିର ଜିଲ୍ଲା ପରିଷଦ ପ୍ରତିନିଧି । କଂଗ୍ରେସ ସହ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ଭଲ ସମ୍ପର୍କ ରହିଛି । ତେଣୁ ତିନିଦଳ ମିଶି ଏହି ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କୁହାଯାଉଛି ।
ସୌମ୍ୟାଶ୍ରୀଙ୍କୁ ଏମାନେ ନ୍ୟାୟ ଦେବେ ? ଏମାନଙ୍କର ସେ ନୀତି ନା ନୈତିକତା ଅଛି । ନା ବିରୋଧୀଙ୍କର ଆନ୍ଦୋଳନ କରି ଦାବି କରିବାର ନୈତିକତା ରହିଛି ନା ସରକାରୀ ଦଳର ତଦନ୍ତ କରି ଦୋଷୀଙ୍କୁ ଧରିବାର କ୍ଷମତା ରହିଛି । ସବୁ ଏମାନେ ଚାପି ଦେବାକୁ ବସିଛନ୍ତି । ତଦନ୍ତ କେବଳ ଧୂଆଁ ବାଣ ହେବ । ସବୁ ରଫାଦଫା ହେବ । ଏପରିକି ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଏମାନେ ପ୍ରଲୋଭିତ କରି ଚୁପ କରାଇ ଦେବେ । ଆନ୍ଦୋଳନକାରୀ ସପ୍ତାହେ ମଧ୍ୟରେ ବସିଯିବେ । ସରକାର ବି ଚୁପ ହୋଇଯିବେ । କିଛିବର୍ଷ ପରେ ଅଭିଯୁକ୍ତ ଜାମିନରେ ଆସି ପୁଣି ବୁଲିବେ ଆଉ ଏହାପରେ ଆଉ କେଉଁ ଛାତ୍ରୀଙ୍କ ନିର୍ଯାତନାର କାହାଣୀ ଲେଖାଯିବ ।
ଅଭିଯୁକ୍ତ ସମୀର ସାହୁଙ୍କ ବାପା କାଳେ ଡିଅନ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ତେଣୁ ଦେବୀ ମିଶ୍ରଙ୍କ ସୁରକ୍ଷାରେ ସେ ବହୁ ବର୍ଷରୁ ଥିବା କୁହାଯାଉଛି । କାରଣ ଦେବୀଙ୍କ ପୁଅଙ୍କର କମ୍ପାନୀରେ ସମୀରଙ୍କ ବାପା ବିମ୍ବାଧର ସାହୁ ଭଲଭାବେ ଜଡ଼ିତ ରହିଛନ୍ତି । ଏହାକୁ ଦେବୀ ମିଶ୍ରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛି । ହେଲେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ତ ? ସେହିପରି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ହେଉଛନ୍ତି ବିଧାୟକ ମାନସ ଦତ୍ତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଏତେ ସବୁ ରାଜନୈତିକ ଲିଙ୍କ ଥିବା ନେତାଙ୍କର କିଛି କରିବ ତ କ୍ରାଇମବ୍ରାଞ୍ଚ ?
ପୂର୍ବରୁ ଏପରି ଅପରାଧରେ ସାମିଲ ଥିବା ନେତାଙ୍କ ସମର୍ମ୍ପୀୟ ମାନଙ୍କୁ ତଦନ୍ତ ଛୁଇଁ ପାରିନଥିଲା । ଏବେ ସମାନ ସ୍ଥିତି ଦେଖା ଦେଇଛି । ଏଭଳି ସ୍ଥିତିରେ ତଦନ୍ତ କେତେ ଠିକ ହେବ ? କେତେଦୂର ଦମ୍ଭରେ ନ୍ୟାୟ ମାଗିବେ ବିରୋଧୀ ? ଏମିତି ପ୍ରଶ୍ନ ମୋହନ ସରକାରଙ୍କୁ କେବଳ ନୂହେଁ ପୂରା ବ୍ୟବସ୍ଥା ଆଡ଼କୁ ଉଠିଲାଣି । ଯଦି ସବୁ ଚର୍ଚ୍ଚା ଅଭିଯୋଗର ବିଦ୍ଧିବଦ୍ଧ ହେଲା, ବାସ୍ତବ ତଥ୍ୟ ପଦାକୁ ଆସିବ । ଦେଖାଯାଉ ଏଭଳି ସ୍ଥିତିରୁ ମୋହନ ସରକାର ମୃତା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇ ପାରୁଛନ୍ତି ନା ରାଜନୈତିକ ପଶାପାଲୀରେ ଛନ୍ଦି ହୋଇ ରହିଯାଉଛି ଏହି ଘଟଣା ।
State,Education
ବାଲେଶ୍ୱର( ଦ କୁଇଭର ):- ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ପାଇଁ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏଫଏମ କଲେଜରେ ପହଞ୍ଚିଛନ୍ତି । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଏହି ଟିମ୍ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବେ । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରିବେ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ICC)ର ସଦସ୍ୟାମାନେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କଲେଜ ଅଧ୍ୟକ୍ଷ ଫିରୋଜ ପାଢ଼ୀ ଓ ICC କମିଟିର ସମସ୍ତ ସଭ୍ୟସଭ୍ୟା ସମେତ ୪ ଜଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଗୁରୁବାର(ଜୁଲାଇ ୧୭) କ୍ରାଇମବ୍ରାଞ୍ଚ ଟିମ କଲେଜରେ ତଦନ୍ତ କରିଥିବା ବେଳେ ଆଇସିସି କମିଟି ସଦସ୍ୟମାନଙ୍କୁ ପଚରାଉଚରା କରିଛି । ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ଫିରୋଜ ପାଢ଼ୀ ତଦନ୍ତ ସମ୍ପର୍କରେ କହିଛନ୍ତି, "ୟୁଜିସି ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆସୁଛନ୍ତି । ଏହାସହ ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି ଟିମ ଏବଂ କ୍ରାଇମବ୍ରାଞ୍ଚ ଟିମ କଲେଜ ଆସୁଛନ୍ତି । ବିଭିନ୍ନ ସ୍ତରରେ ଏହାର ତଦନ୍ତ ଚାଲିଛି । ୟୁଜିସି ଏକ ସ୍ୱତନ୍ତ୍ର କମିଟି ଆକାରରେ ଆସୁଛନ୍ତି । ସେମାନେ ସବୁ ଦିଗ ଉପରେ ତଦନ୍ତ କରିବେ ।"
Education,Politics,State
ଦ କୁଇଭର ବ୍ୟୁରୋ :-
ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସରକାରଙ୍କର ଏହି ପଦକ୍ଷେପକୁ ଦଳୀୟ ନେତାମାନେ ପ୍ରଶଂସା କରୁଛନ୍ତି । ତଦନ୍ତ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି । ମୋହନ ସରକାର ନବୀନଙ୍କ ଭଳି ନୁହେଁ, ତଦନ୍ତ ପରେ ଚାପି ଦେବେ । ଏମିତି ବି କହି ଡିଣ୍ଡିମ ପିଟୁଛନ୍ତି । ଆମେ କହୁନାହୁଁ ନୀବନଙ୍କ ଭଳି ଶାସନ ମୋହନ କରିବେ, ହେଲେ ଗୋଟିଏ ପ୍ରଶ୍ନ ମୋହନଙ୍କ ଆଭିମୁଖ୍ୟ ଉପରକୁ ଉଠୁଛି । ତାହା ହେଲା କିଟ ଛାତ୍ରୀ ମୃତ୍ୟୁ ଘଟଣା । କୁଆଡ଼େ ଗଲା ସେହି ତଦନ୍ତ ? କାହିଁ ତାହାର ରିପୋର୍ଟ ? କିଟ ବିରୋଧରେ କି ପଦକ୍ଷେପ ନେଲ ମୋହନ ସରକାର ? ଦେଇ ପାରିବ ଉତ୍ତର ? ନା ଉତ୍ତର ଦେଇ ପାରିବେ କିଟକୁ ପ୍ରଶଂସାରେ ପୋତି ପକାଉଥିବା ଏମପି ଅପରାଜିତା ଷଢ଼ଙ୍ଗୀ ଓ କିଟ ପ୍ରତିଷ୍ଠାତାଙ୍କ ସହ ବୈଠକ କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନା ଜବାବ ଦେଇ ପାରିବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ? ଏଫଏମ କଥାରେ ତୁମ୍ବି ତୁଫାନ ମାରୁଥିବା ନେତାମାନେ କିଟ ପ୍ରସଙ୍ଗରେ ପାଟି ଖନି ମାରିଯିବ ।
ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋରଦାର ଚାଲିଛି । ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷୁଛନ୍ତି । ବିଜେପି ବିରୋଧୀଙ୍କୁ ଆଙ୍ଗୁଳି ଦେଖାଉଛି । ବିଜେପି ନେତ୍ରୀ ଅରାଜିତା ଷଢ଼ଙ୍ଗୀ କହିଛନ୍ତି, ସରକାର ଯଥାର୍ଥ ପଦକ୍ଷେପ ନେଇଛନ୍ତି । ପୂର୍ବ ସରକାର ତ କିଛି କରୁନଥିଲେ । ସେମାନଙ୍କ ସମୟରେ ନାରୀ ନିର୍ଯାତନା ମାମଲା ହେଉଥିଲା, ଆମ ସମୟରେ ବି ହେଲା । ଆମେ ତଦନ୍ତ କରୁଛୁ ।
ହେଲେ ଅରାଜିତାଙ୍କୁ ଏବେ ବଡ଼ ପ୍ରଶ୍ନ ଯଦି ସରକାରଙ୍କ ପଦକ୍ଷେପ ଭରସାଯୋଗ୍ୟ, ତେବେ କିଟ ଛାତ୍ରୀ ମୃତ୍ୟୁ ଘଟଣାରେ କାହିଁକି ସରକାର ଅସ୍ପଷ୍ଟ ? କାହିଁକି ତଦନ୍ତର ରିପୋର୍ଟ ଏଯାଏ ମିଳିଲା ନାହିଁ ? କିଟ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଡିଲ କରିଦେଲେ କି ? ନା ଉଚ୍ଚଶିକ୍ଷା ବିଭାଗର ଡିଲ ଅଛି ? ନା କିଟ ସହ ନିଜେ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କର ଭଲ ସମ୍ପର୍କ ଅଛି ବୋଲି ତାହାର ତଦନ୍ତ ରିପୋର୍ଟ ବାହାରକୁ ଆସୁନାହିଁ ? ଯଦି ଏସବୁ କିଛି ନୁହେଁ, ତେବେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେପିକୁ କିଣି ନେଲେକି ? ନହେଲେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଗଲା କୁଆଡ଼େ ? କୁଆଡ଼େ ଗଲା ଦାଣ୍ଠୁଆ ଅଫିସର ମାନଙ୍କ ଦମ ? ଏମିତି ଅନେକ ପ୍ରଶ୍ନ ସରକାରଙ୍କ ଆଡ଼କୁ ଉଠୁଥିବା ବେଳେ ଏଫଏମ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କେତେ ଭରସାଯୋଗ୍ୟ ତାହାର ଜବାବ କିଏ ଦେବ ? ଦେଖାଯାଉ ସୌମ୍ୟାଶ୍ରୀଙ୍କ ଘଟଣାର ତଦନ୍ତ ପଦାକୁ ଆସୁଛି ନା କିଟ ଭଳି ଚପି ଯାଉଛି ?
State,Politics
ଭୁବନେଶ୍ୱର(ଦ କୁଇଭର): ଏମପି ଅପରାଜିତା ଷଢ଼ଙ୍ଗୀ ଅନ୍ଧ ହୋଇଗଲେ । ତାଙ୍କର ସ୍ପଷ୍ଟବାଦୀତା ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ହିଁ ତାଙ୍କୁ ରାଜ୍ୟରେ ସ୍ୱତନ୍ତ୍ର ନେତ୍ରୀର ମାନ୍ୟତା ଦେଇଥିଲା । ତାଙ୍କ ନୀତି ନୈତିକତାକୁ ଲେକେ ଗ୍ରହଣ କରନ୍ତି । ମାତ୍ର ସେ ଦଳୀୟ ପ୍ରେମରେ ତାଙ୍କ ନୈତିକତା ଓ ନୀତିକୁ ଏମିତି ଏଡ଼ାଇଦେବେ ବା ବାସ୍ତବତା ପ୍ରତି ଆଖି ବୁଜି ଅନ୍ଧ ହୋଇଯିବେ ତାହା ଏବେ ଗ୍ରହଣୀୟ ହେଉନାହିଁ । ଏଫଏମ ଛାତ୍ରୀଙ୍କ ଆତ୍ମାହୂତି ଘଟଣାରେ ରାଜ୍ୟ ସରକାରଙ୍କର ବିରାଟ ଭୁଲକୁ ଘୋଡ଼ାଇବାକୁ ଯାଇ ଅପରାଜିତା ନିଜର ନୈତିକତାକୁ କେବଳ ହରାଇ ନାହାନ୍ତି, କ୍ଲିନ ଇମେଜକୁ ଗୋଳିଆ କରିଛନ୍ତି । ଏହି ଘଟଣାରେ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ଭୂଲ ନୁହେଁ । ମାତ୍ର ଯେଉଁ ତ୍ରୁଟି ରହିଛି ତାକୁ ମାନିଥିଲେ କ’ଣ ପ୍ରଳମ୍ବ ଅସୁଦ୍ଧି ହୋଇଯାଇଥାନ୍ତା କି?
ଏଫଏମ ଛାତ୍ରୀଙ୍କ ଆତ୍ମାହୂତି ଘଟଣାରେ ସରକାରଙ୍କର ସବୁଠୁ ଅଧିକ ଦୋଷ ରହିଛି । ସରକାରୀ ଦଳର ଛାତ୍ର ସଂଗଠନ ଏବିଭିପିର ଆଗଧାଡ଼ିର ଛାତ୍ରୀନେତ୍ରୀ ଥିଲେ । ବିଜେପିର ଆଭିମୁଖ୍ୟ ନେଇ ସେ ଆଗକୁ ବଢ଼ୁଥିଲେ । ମାତ୍ର ତାଙ୍କୁ ବିଜେଡିର ପୂର୍ବତନ ମନ୍ତ୍ରୀଙ୍କ ବଳରେ ବଳିଆନ ହୋଇଥିବା ଅଧ୍ୟାପକ ସମୀର ସାହୁ ନିର୍ଯାତନା ଦେଇଥିଲେ । ତାଙ୍କ ପ୍ରତି ହେଉଥିବା ନିର୍ଯାତନା କଥା ସେ ଦଳର ସ୍ଥାନୀୟ ଏମପିଙ୍କ ଠୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ । ବିଜେପିର ସବୁ ବର୍ଗରେ ଏ ଖବର ଥିଲା । ଏବିଭିପିର କିଛି ସମର୍ଥକ ବି ତାଙ୍କୁ ସମର୍ଥନ କରି ଧାରଣା ଦେଇଥିଲେ । ତଥାପୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ନିଦ ଭାଙ୍ଗିଲାନି କି ଉଚ୍ଚଶିକ୍ଷା ସଚିବଙ୍କ ନଜର ପଡ଼ିଲାନି ।
୧୧ ଦିନ ଧରି ସେ ସରକାରଙ୍କ ଠାରୁ ସହାୟତା ଅପେକ୍ଷା କରି ରହିଲେ । ହେଲେ କେହି ଶୁଣିଲେ ନାହିଁ । ଶେଷରେ ନିରାସ ହୋଇ ଆତ୍ମାହୂତି ଦେଲେ । ଏଥିରେ ସରକାରଙ୍କର ସବୁଠୁ ବଡ଼ ଭୂଲ ରହିଲା । ଯଦି ଛାତ୍ରୀ ଜଣକ ସ୍ଥାନୀୟ ଏମପି, ରାଜ୍ୟ ସରକାର, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କରି ନଥାନ୍ତେ, ତେବେ ଅଭିଯୁକ୍ତ କେବଳ ଦୁଇଜଣ ହୋଇଥାନ୍ତେ । ମାତ୍ର ଏଠି ସମସ୍ତେ ଜାଣି ନୀରବ ରହିଛନ୍ତି । ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀ କିପରି ଅଭିଯୁକ୍ତ ହେବେ ନାହିଁ? କିପରି ସ୍ଥାନୀୟ ଏମପିଙ୍କୁ ଅଭିଯୁକ୍ତ କରାଯିବ ନାହିଁ? ଏଭଳି ସମ୍ବେଦନଶୀଳ ଦିଗକୁ ଅପରାଜିତା ନଜର ଦେଲେ ନାହିଁ ।
ଅପରାଜିତାଙ୍କ ଶିକ୍ଷା ଓ ସଂସ୍କାର ଏହାକୁ ଅନୁମୋଦନ ଦେଇ ନଥିବ ବୋଲି କେତେକ କହୁଛନ୍ତି । ଦଳର ହୁଇପ ଆଗରେ ସେ ତାଙ୍କ ନୀତି ଓ ନୈତିକତାକୁ ଘୋଡ଼ାଇ ଦେଇଥିବେ । କାରଣ ଅପରାଜିତାଙ୍କର ଇମେଜ ରାଜ୍ୟରେ ରହିଛି । ତାଙ୍କ ମୁହଁରୁ ସରକାରଙ୍କ ପ୍ରଶଂସା କୁହାଇ ଦେଲେ ଲୋକେ କିଛିଟା ଗ୍ରହଣ କରିବେ । ହେଲେ ଏହା ଅପରାଜିତାଙ୍କ ନୀରପେକ୍ଷତାକୁ ଲୁଣ୍ଠନ କଲା । ତାଙ୍କ କ୍ଲିନ ଇମେଜକୁ ମଳିଛିଆ କରିଦେଲା । କାହିଁକି ଅପରାଜିତା କହିଲେ ଅଦ୍ଧସତ୍ୟ । କାହିଁକି ମନ୍ତ୍ରୀଙ୍କୁ ଦେଲେ ସୁରକ୍ଷା? କାହିଁକି ନିଜର ସ୍ପଷ୍ଟବାଦୀତାରେ କଳା ବୋଳିଦେଲେ । ତାଙ୍କ ପାଇଁ ବ୍ୟବସ୍ଥାର ତ୍ରୁଟି ବଡ଼ ନୁହେଁ, ଦଳୀୟ ଅପାରଗ ନେତାଙ୍କ ସୁରକ୍ଷା ଆଗ ବୋଲି ସେ ଦେଖାଇ ଦେଲେ । ବିଭିନ୍ନ ପ୍ରସଙ୍ଗର ବିଜେଡି ଓ କଂଗ୍ରେସକୁ ଆଙ୍ଗୁଳି ଦେଖାଉଥିବା ଅପରାଜିତା ନିଜକୁ ପ୍ରଶ୍ନ ପଚାରିବେ କି?
କେବଳ ସେତିକି ନୁହେଁ, ସରକାରଙ୍କ ବିରୋଧରେ ବିରୋଧୀଙ୍କ ଆନେ୍ଦାଳନକୁ ସେ ସମାଲୋଚନା କରିଛନ୍ତି । କଂଗ୍ରେସର ଆନେ୍ଦାଳନ କରିବାର ନୈତିକତା ନାହିଁ ବୋଲି କହିଛନ୍ତି । କାରଣ କଂଗ୍ରେସ ସମୟରେ ଅନେକ ନାରୀଙ୍କୁ ନିର୍ଯାତନା ଦିଆଯାଇଛି । ଏହା କହି ଅପରାଜିତା ସେମାନେ ନାରୀଙ୍କୁ ନିର୍ଯାତନା ଦେଇଥିଲେ ବିଜେପି ବି ଦେବ ବୋଲି କହି ନାହାନ୍ତି ତ? ବିରୋଧୀଙ୍କ ଅଭିଯୋଗକୁ ଡରୁନାହିଁ ତ ବିଜେପି? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଲାଣି । ବିଶେଷ କରି ଅପରାଜିତା ଏବେ ତାଙ୍କ ଆଭିମୁଖ୍ୟ ବିରୋଧରେ ଯାଉଥିବା କୁହାଗଲାଣି । ଦେଖାଯାଉ, ଆଗକୁ ଅପରାଜିତା ତାଙ୍କ ନୀତି ନୈତିକତାକୁ ଦେଖୁଛନ୍ତି ନା ଦଳ ପାଇଁ ତାକୁ ବଳି ଦେଇ ଅନ୍ୟ ନେତାଙ୍କ ଭଳି ହେଉଛନ୍ତି?
State,Education
ଦ କୁଇଭର ବ୍ୟୁରୋ :- ସର୍ଜରି ବିଭାଗର ବର୍ଣ୍ଣ ଆଇସିୟୁର ବେଡ୍ ନଂ ୯ରେ ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଲେ, ସେ ସଂପର୍କରେ ପଚାରିଥିଲେ। ଏହା ସହିତ ଜ୍ୟୋତିପ୍ରକାଶଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିଛି। ଅପରାହ୍ଣ ପ୍ରାୟ ୪ଟା ବେଳେ କ୍ରାଇମ୍ବ୍ରାଞ୍ଚ ଟିମ୍ ବଡ଼ଡାକ୍ତରଖାନାରୁ ଫେରିଥିଲା। ଜ୍ୟୋତିପ୍ରକାଶଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍ସିବି ପକ୍ଷରୁ ସୂଚନା ମିଳିଛି।
ସେହିପରି ଗୁରୁବାର କ୍ରାଇମ୍ବ୍ରାଞ୍ଚର ଏକ ତିନିଜଣିଆ ଟିମ୍ ବାଲେଶ୍ବର ଫକୀରମୋହନ କଲେଜକୁ ଯାଇଥିଲା। ଟିମ୍ରେ ଆଇଜି ଏସ୍. ସାଇନି, ଡିଏସ୍ପି ଇମନ କଲ୍ୟାଣ ନାୟକ, ଇନ୍ସ୍ପେକ୍ଟର ପାଞ୍ଚାଳୀ ରାଉତ ଓ ଜଣେ କନେଷ୍ଟବଳ ରହିଥିଲେ। ବାଲେଶ୍ବର ଡିଏସ୍ପି ତପସ୍ବିନୀ କୁଅଁର ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। କ୍ରାଇମ୍ବ୍ରାଞ୍ଚ ଟିମ୍ କଲେଜର କର୍ମଚାରୀ ଓ ଆଇସିସି କମିଟିର ସଦସ୍ୟଙ୍କୁ ୫ ଘଣ୍ଟା ଧରି ଗୁଡ଼େଇତୁଡ଼େଇ ପଚରାଉଚରା କରିବା ସହ ଘଟଣାସ୍ଥଳ ତଦାରଖ କରିଥିଲେ। ତେବେ କେହି ଗଣମାଧ୍ୟମକୁ ଅଧିକ କିଛି ସୂଚନା ଦେଇ ନଥିଲେ। ଡିଏସ୍ପି ଶ୍ରୀମତୀ କୁଅଁର କହିଥିଲେ, ମାମଲାଟି ସମ୍ବେଦନଶୀଳ। ତେଣୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି।