Banner Ad

ନିମଖଣ୍ଡି ପୋଲିସ ଦ୍ୱାରା ୫ ଅପରାଧୀ ଗିରଫ,ବହୁ ମାରଣାସ୍ତ୍ର ଜବତ

ନିମଖଣ୍ଡି ପୋଲିସ ଦ୍ୱାରା ୫ ଅପରାଧୀ ଗିରଫ,ବହୁ ମାରଣାସ୍ତ୍ର ଜବତ
Published by : Jyotshna Kumari
#State
Jul 17, 2025, 8:56 PM

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ସନ୍ନିକଟ ନିମଖଣ୍ଡି ଥାନା ପୁଲିସ ୫ଜଣିଆ ଏକ ଡକାୟତି ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବହୁ ପୁରୁଣା ବା ପେସାଧାର ଅପରାଧୀ ରହିଥିବା ଜଣାପଡିଛି ।


ସୂଚନା ପ୍ରକାରେ,ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ଶାହାଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ ବେଳେ ଏକ ଡକାୟତି ଗ୍ୟାଙ୍ଗକୁ କାବୁ କରିଛି । ନିମଖଣ୍ଡି ଥାନା ଲୋଚାପଡା ଛକରେ ନିମଖଣ୍ଡି ଥାନା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରୁଥିଲେ, ତାଙ୍କୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ ନିମଖଣ୍ଡିରେ ନବନିର୍ମିତ ରିଙ୍ଗ ରୋଡରେ (ଝାଡଙ୍କୁଲି ପେଟ୍ରୋଲ ପମ୍ପରୁ ନିମଖଣ୍ଡି ହାଇସ୍କୁଲ ପର୍ଯ୍ୟନ୍ତ) କିଛି ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇଛନ୍ତି ଏବଂ ନିକଟସ୍ଥ ଅଞ୍ଚଳର କୌଣସି ଘର କିମ୍ବା ଦୋକାନରେ ଡକାୟତି କରିବାକୁ ଏକାଠି ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ନିର୍ମାଣାଧୀନ ରିଙ୍ଗ ରୋଡକୁ ଯାଇ ଦେଖିଲେ ଯେ ଅନ୍ଧାରରେ କିଛି ଲୋକ କ୍ଷେତରେ ଏକାଠି ହୋଇଛନ୍ତି।ପୋଲିସ ସେଠାରେ ଉପସ୍ଥିତ ପାଞ୍ଚ ଜଣଙ୍କୁ ଅଟକ ରଖିଥିଲେ ଏବଂ ଜଣେ ବ୍ୟକ୍ତି ଅନ୍ଧାର ରାତିର ସୁଯୋଗ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।


ଗିରଫ ସମୟରେ ଅଭିଯୁକ୍ତ ମୁରଲୀ ସାହୁ @ମିତୁ ସାହୁ ପୋଲିସଠାରୁ ଖସିଯିବାରେ ସଫଳ ହୋଇଥିଲେ କିନ୍ତୁ ଦୌଡ଼ିବା ସମୟରେ ସେ ରାସ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା। ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିମାନେ ବ୍ରହ୍ମପୁର ସର୍କଲ ଜେଲରେ ଭେଟିବା ସମୟରେ ପରସ୍ପରକୁ ଚିହ୍ନିତ ଥିଲେ କାରଣ ସେମାନେ ପୂର୍ବରୁ ଅନେକ ଅପରାଧିକ ମାମଲାରେ ଜଡିତ ଥିଲେ । ତେବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ତଲାସୀରେ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ, 4ଟି ଜୀବନ୍ତ ଗୁଳି, ଦୁଇଟି ପତ୍ରିକା, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଦୁଇଟି ଖଣ୍ଡା ଜବତ କରିଥିଲା । ନିମଖଣ୍ଡି ଆଇଆଇସି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l

Leave a Comment

Comments

No comments yet.

Best Biofloc Fish Farming

ad
Read more

Shree Jagannath

ପୁରୀରେ ଖାଁ ଖାଁ

Blog Thumbnail

ପୁରୀ ( ଦ କୁଇଭର ):- ଓଡ଼ିଶା ବନ୍ଦ ଯୋଗୁଁ ପୁରୀରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିଲା । ବସ ଚଳାଚଳ ବନ୍ଦ ରହିଥିଲା ବେଳେ ରେଳୱେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଛି । ବନ୍ଦର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରତିଦିନ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଆଜି କିନ୍ତୁ ଭକ୍ତଙ୍କ ଆଗମନ କମ ରହିଥିଲା । ବସ ଚଳାଚଳ ବନ୍ଦ ଥିବାରୁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଆଗମନ କମ୍ ରହିଛି । କେବଳ ଟ୍ରେନରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ହୋଇଛି। ଓଡ଼ିଶା ବନ୍ଦ ପାଳନ ନେଇ କଂଗ୍ରେସ ଓ ବାମଦଳ କର୍ମୀ ମାନେ ପୁରୀ ବସଷ୍ଟାଣ୍ଡରେ ପ୍ରତିବାଦ ସଭା କରିଥିଲେ। ପୂର୍ବରୁ ଓଡ଼ିଶା ବନ୍ଦ ନେଇ ଘୋଷଣା ଥିବାରୁ କୌଣସି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ବସ ମାଲିକ ମାନେ ବସ ଚଳାଚଳ ବନ୍ଦ ରଖିଛନ୍ତି। ଫଳରେ ବସଷ୍ଟାଣ୍ଡ ସକାଳୁ ଖାଁ ଖାଁ ରହିଥିଲା। କେହି ବି ଯାତ୍ରୀ ବସଷ୍ଟାଣ୍ଡରେ ନଥିଲେ। ଟ୍ରେନ ଚଳାଚଳ କରୁଥିବାରୁ ପୁରୀକୁ ଆସିଥିବା ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି। ଆଜି ସକାଳୁ କଂଗ୍ରେସ୍ ଓ ବାମଦଳ କର୍ମୀ ମାନେ ପୁରୀ କଟକ ସଟଲ ଟ୍ରେନଲୁ କିଛି ସମୟ ଅଟକାଇଥିଲେ। ପରେ ଆରପିଏଫ୍, ଜିଆରପି ଆନ୍ଦୋଳନରତ କର୍ମୀଙ୍କୁ ଟ୍ରେନ ଟ୍ରାକ ରୁ ହଟାଇଥିଲେ। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ କଂଗ୍ରେସ କର୍ମୀ ମାନେ ବାଇକରେ ପୁରୀ ସହର ବୁଲି ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କଲେଜ ବନ୍ଦ କରିଥିଲେ। କଚେରୀ ଛକରେ ଟାୟାର ଜାଳି ଉଭୟ କଂଗ୍ରେସ ଓ ବାମଦଳ କର୍ମୀ ରାସ୍ତା ରୋକ୍ କରିଥିଲେ। ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ସହ ଏହି ଘଟଣାରେ ଯେଉଁ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁରୀ କଂଗ୍ରେସ ଓ ବାମଦଳ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ ହେବା ନେଇ ଚେନାବନୀ ଦେଇଛନ୍ତି ।

State,Politics

ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ : ନବୀନ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । ଏଫଏମ କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ଏହା ଶାସନବ୍ୟବସ୍ଥାର ଗଭୀର ବିଫଳତାକୁ ପ୍ରମାଣିତ କରୁଛି। ଅପରାଧୀମାନେ ସାହସୀ ହୋଇଛନ୍ତି। ଦଣ୍ଡର ଭୟ ନାହିଁ। ସରକାରୀ ଉଦାସୀନତା ଓ ଅପରାଧୀ ପୃଷ୍ଠପୋଷକତା ସେମାନଙ୍କୁ ସୁହାଉଛି। ରାଜ୍ୟ ବର୍ତ୍ତମାନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ହୋଇଛି। ଓଡ଼ିଶା ସରକାର କେବେ ଗଭୀର ନିଦ୍ରାରୁ ଜାଗିବେ ?। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ମହିଳା ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ନବୀନ।

Education,State

ବଳଙ୍ଗା ଘଟଣା : ଜଳିଯାଇଛି ୭୦ ପ୍ରତିଶତ ଶରୀର’

Blog Thumbnail

ଦ କୁଇଭର ବ୍ୟୁରୋ :- ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗାରେ ନିଆଁରେ ପୋଡ଼ି ହୋଇଥିବା ନାବାଳିକାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ତାଙ୍କର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି। ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଉପଜିଲ୍ଲାପାଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୁଲିସ ଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବ। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା କରାଯାଇପାରିନି।ନାବାଳିକାଙ୍କ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ୍ ଦେବା ସହ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

State

ଅପରାହ୍ନ ସାଢ଼େ ୫ଟା ପରେ କାମ କରିବେନି କୌଣସି ମହିଳା କର୍ମଚାରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ । ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍‌ ରହିବ ।

State

ଆସୁଛି ଆହୁରି ଏକ ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ଆସୁଛି ଆହୁରି ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଓଡ଼ିଶାରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୪ ରୁ ୨୬ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଷ୍ଟି ହେବ । ଏହା ପ୍ରଭାବରେ ୨୩ ତାରିଖରୁ ବର୍ଷା ପୁଣି ବଢ଼ିବା ସହ ୨୬ ତାରିଖ ଯାଏଁ ଲାଗି ରହିବ । ସେହିପରି ଆଜିଠାରୁ ୨୨ ତାରିଖ ଯାଏ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ । ଏଯିପାଇଁ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ଆଜି ବି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଏଥିପାଇଁ ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି ।

Education,State,Politics

ସୌମ୍ୟାଶ୍ରୀଙ୍କୁ ନିର୍ଯାତନା : ସବୁ ଦଳର ହାତ

Blog Thumbnail

ଦ କୁଇଭର ବ୍ୟୁରୋ :- ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇଥିବା HOD ଓ ଅଧ୍ୟକ୍ଷଙ୍କ ପଛରେ ସବୁ ଦଳର ନେତାଙ୍କ ହାତ ରହିଛି । ସେ ବିଜେଡି ହେଉ କି କଂଗ୍ରେସ ବା ବିଜେପି, ସମସ୍ତଙ୍କର ସମର୍ଥନରେ HOD ସମୀର ସାହୁ ଓ ଅଧ୍ୟକ୍ଷ ଘୋଷ ନିର୍ଯାତନା ଦେଉଥିଲେ । ଏପରିକି ବିଜେଡି ସହାୟତାରେ ଅଧ୍ୟାପକ ସମୀର ଭୁବନ କଲେଜରୁ ସୁରକ୍ଷା ପାଇ ଫେରିଥିଲେ । ତାଙ୍କର କଳା କାରନାମାକୁ ବିଜେଡି ଲୁଚାଇବା ପଛରେ କାଳେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ହାତ ରହିଛି । ଦେବୀଙ୍କ ପୁଅଙ୍କର କମ୍ପାନୀ ଡିଅନରେ ସମୀରଙ୍କ ବାପା ସମ୍ପୃକ୍ତି ରହିଥିବା କୁହାଯାଉଛି । କେବଳ ସେତିକି ନୁହେଁ, ତାଙ୍କ ଶାଳକ ହେଲେ ବିଜେପିର ଜିଲ୍ଲା ପରିଷଦ ପ୍ରତିନିଧି । କଂଗ୍ରେସ ସହ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କର ଭଲ ସମ୍ପର୍କ ରହିଛି । ତେଣୁ ତିନିଦଳ ମିଶି ଏହି ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କୁହାଯାଉଛି ।


ସୌମ୍ୟାଶ୍ରୀଙ୍କୁ ଏମାନେ ନ୍ୟାୟ ଦେବେ ? ଏମାନଙ୍କର ସେ ନୀତି ନା ନୈତିକତା ଅଛି । ନା ବିରୋଧୀଙ୍କର ଆନ୍ଦୋଳନ କରି ଦାବି କରିବାର ନୈତିକତା ରହିଛି ନା ସରକାରୀ ଦଳର ତଦନ୍ତ କରି ଦୋଷୀଙ୍କୁ ଧରିବାର କ୍ଷମତା ରହିଛି । ସବୁ ଏମାନେ ଚାପି ଦେବାକୁ ବସିଛନ୍ତି । ତଦନ୍ତ କେବଳ ଧୂଆଁ ବାଣ ହେବ । ସବୁ ରଫାଦଫା ହେବ । ଏପରିକି ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଏମାନେ ପ୍ରଲୋଭିତ କରି ଚୁପ କରାଇ ଦେବେ । ଆନ୍ଦୋଳନକାରୀ ସପ୍ତାହେ ମଧ୍ୟରେ ବସିଯିବେ । ସରକାର ବି ଚୁପ ହୋଇଯିବେ । କିଛିବର୍ଷ ପରେ ଅଭିଯୁକ୍ତ ଜାମିନରେ ଆସି ପୁଣି ବୁଲିବେ ଆଉ ଏହାପରେ ଆଉ କେଉଁ ଛାତ୍ରୀଙ୍କ ନିର୍ଯାତନାର କାହାଣୀ ଲେଖାଯିବ ।


ଅଭିଯୁକ୍ତ ସମୀର ସାହୁଙ୍କ ବାପା କାଳେ ଡିଅନ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ତେଣୁ ଦେବୀ ମିଶ୍ରଙ୍କ ସୁରକ୍ଷାରେ ସେ ବହୁ ବର୍ଷରୁ ଥିବା କୁହାଯାଉଛି । କାରଣ ଦେବୀଙ୍କ ପୁଅଙ୍କର କମ୍ପାନୀରେ ସମୀରଙ୍କ ବାପା ବିମ୍ବାଧର ସାହୁ ଭଲଭାବେ ଜଡ଼ିତ ରହିଛନ୍ତି । ଏହାକୁ ଦେବୀ ମିଶ୍ରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛି । ହେଲେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ତ ? ସେହିପରି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ହେଉଛନ୍ତି ବିଧାୟକ ମାନସ ଦତ୍ତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଏତେ ସବୁ ରାଜନୈତିକ ଲିଙ୍କ ଥିବା ନେତାଙ୍କର କିଛି କରିବ ତ କ୍ରାଇମବ୍ରାଞ୍ଚ ?


ପୂର୍ବରୁ ଏପରି ଅପରାଧରେ ସାମିଲ ଥିବା ନେତାଙ୍କ ସମର୍ମ୍ପୀୟ ମାନଙ୍କୁ ତଦନ୍ତ ଛୁଇଁ ପାରିନଥିଲା । ଏବେ ସମାନ ସ୍ଥିତି ଦେଖା ଦେଇଛି । ଏଭଳି ସ୍ଥିତିରେ ତଦନ୍ତ କେତେ ଠିକ ହେବ ? କେତେଦୂର ଦମ୍ଭରେ ନ୍ୟାୟ ମାଗିବେ ବିରୋଧୀ ? ଏମିତି ପ୍ରଶ୍ନ ମୋହନ ସରକାରଙ୍କୁ କେବଳ ନୂହେଁ ପୂରା ବ୍ୟବସ୍ଥା ଆଡ଼କୁ ଉଠିଲାଣି । ଯଦି ସବୁ ଚର୍ଚ୍ଚା ଅଭିଯୋଗର ବିଦ୍ଧିବଦ୍ଧ ହେଲା, ବାସ୍ତବ ତଥ୍ୟ ପଦାକୁ ଆସିବ । ଦେଖାଯାଉ ଏଭଳି ସ୍ଥିତିରୁ ମୋହନ ସରକାର ମୃତା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇ ପାରୁଛନ୍ତି ନା ରାଜନୈତିକ ପଶାପାଲୀରେ ଛନ୍ଦି ହୋଇ ରହିଯାଉଛି ଏହି ଘଟଣା ।


Education,State

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍'

Blog Thumbnail

ଦ କୁଇଭର ବ୍ୟୁରୋ :- ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’। ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ‘ମିସନ୍‌ ଲାଇଫ୍’କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବା ଦ୍ବାରା ୧୪.୭ ଲକ୍ଷରୁ ଅଧିକ ସ୍କୁଲର ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଉଭୟ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍କୁଲ ଶିକ୍ଷାରେ ‘ମିସନ ଲାଇଫ’କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ପାଠପଢାର ଅଂଶ ଭାବରେ ନିଆଯାଇ ବାଲ୍‌ବାଟିକାରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରାଯାଇଛି।ସ୍କୁଲ ପାଠ୍ୟକ୍ରମରେ ‘ମିସନ୍‌ ଲାଇଫ୍‌’କୁ ସାମିଲ କରାଗଲେ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହାକି ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ। ସ୍ଥାୟିତ୍ୱ ଏଜେଣ୍ଡାକୁ ଆଗେଇ ନେବା, ପିଲାଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାନସିକତା ଏବଂ ବ୍ୟବହାର ବଢ଼ାଇବା ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି। ତୃଣମୂଳ ସ୍ତରରେ ଜଳବାୟୁ ଶିକ୍ଷାକୁ ଗ୍ରହଣ କରିବା, ଗାମିଫିକେସନ୍ ଓ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ପରିବେଶଗତ ଶିକ୍ଷା, ତାଲିମକୁ ପ୍ରୋତ୍ସାହିତ କରିବା, ‘ମିସନ୍ ଲାଇଫ୍‌’ର ଉପାଦାନଗୁଡ଼ିକ ଉପରେ ଶିକ୍ଷକ ହ୍ୟାଣ୍ଡବୁକ୍‌କୁ ବିକଶିତ, ଛାତ୍ରଛାତ୍ରୀ ତଥା ସମସ୍ତ ଅଂଶୀଦାରଙ୍କ ଦ୍ୱାରା ପରିବେଶ-ଅନୁକୂଳ ଆଚରଣକୁ ପ୍ରୋତ୍ସାହିତ କରିବାକୁ ‘ମିସ୍‌ନ ଲାଇଫ୍‌’ର ସକରାତ୍ମକ ଦିଗକୁ କ୍ରେଡିଟ୍ ଫ୍ରେମ୍‌ୱାର୍କରେ ଅନ୍ତର୍ଭୁକ୍ତ କରିବା ପାଇଁ ଡାଏଟ୍‌ଗୁଡ଼ିକୁ ସାମିଲ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

National

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଛାଡପତ୍ରର କାରଣ : ହାଇକୋର୍ଟ

Blog Thumbnail

ମୁମ୍ବାଇ ( ଦ କୁଇଭର ):- ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ କିମ୍ବା ପରକୀୟ ପ୍ରୀତି ନେଇ ସ୍ୱାମୀଙ୍କ ଉପରେ ସନ୍ଦେହ ମଧ୍ୟ ଛାଡପତ୍ରର କାରଣ ହୋଇପାରିବ । ଗୁରୁବାର ମୁମ୍ବାଇ ହାଇକୋର୍ଟ ପରିବାର ଅଦାଲତର ଛାଡପତ୍ର ରାୟ ବିରୋଧରେ ଦାୟର ଆବେଦନକୁ ଖାରଜ କରି ଏହା କହିଛନ୍ତି । ମହିଳାଙ୍କ ଖରାପ ଆଚରଣ ଓ ବ୍ୟବହାରକୁ ମଧ୍ୟ ସ୍ୱାମୀଙ୍କ ଉପରେ ନିଷ୍ଠୁରତା ବୋଲି ଧରି ନିଆଯିବ ବୋଲି କହିଛନ୍ତି ମୁମ୍ବାଇ ହାଇକୋର୍ଟଙ୍କ ଖଣ୍ଡପୀଠ ।ସ୍ୱାମୀଙ୍କ ଆବେଦନକୁ ଭିତ୍ତି କରି ମୁମ୍ବାଇର ପରିବାର ଛାଡପତ୍ର ଆବେଦନକୁ ମଂଜୁରୀ ଦେବା ସହ ସ୍ତ୍ରୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରିବାର ଅଦାଲତଙ୍କ ରାୟ ବିରୋଧରେ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୩ ମସିହାରେ ବିବାହ କରିଥିବା ଦମ୍ପତି ୨୦୧୫ରେ ଛାଡପତ୍ର ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ବିରୋଧରେ ନିଷ୍ଠୁରତା ଅଭିଯୋଗ ଆଣିଥିଲେ ସ୍ୱାମୀ । ପରିବାର ଅଦାଲତ ଏହି ମାମଲାର ବିଚାର କରି ଛାଡପତ୍ର ଆବେଦନକୁ ମଂଜୁର କରିଥିଲେ ।

Education,State

ମହାମାୟୀ କଲେଜରେ ଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟରେ ସ୍କୁଲ କଲେଜ ଛତ୍ରୀ ଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଇସିସି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା "ଅଗ୍ନି" ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତା ବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟା କୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷ | ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।

State

ଦିଗପହଣ୍ଡି ଚାଙ୍ଗୁଡିଦେଇ ପାହାଡରୁ ଅପହୃତ ନାବାଳିକାକୁ ଉଦ୍ଧାର କଲା ପାଟପୁର ପୋଲିସ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଘରୁ ଅପହରଣ କରି ଏକ ଭଙ୍ଗା ଘର ପରେ ଜଙ୍ଗଲ ରେ ବାରମ୍ବାର ଦୁଷ୍କର୍ମ କରି ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରି ନାବାଳିକା କୁ ଉଦ୍ଧାର କରିଥିଲେ ପୀଡ଼ିତା ଙ୍କ ବାପା ପରେ ଥାନରେ ଅଭିଯୋଗ ପରେ ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବାର ୩ ଦିନ ବିତିଯାଇଥିବା ବେଳେ ପାଟପୁର ପୋଲିସ ଦୁଷ୍କର୍ମ କାରୀ ନାବାଳକ କୁ ଅଟକ ରଖିଥିବା ସୂଚନା ମିଳିଅଛି ।


ସୂଚନା ପ୍ରକାରେ,ଦିଗପହଣ୍ଡି ଥାନା ଚାଗୁଂଡିଦେଇ ପାହାଡ ରୁ ଜଣେ ନାବାଳିକାକୁ ଉଦ୍ଧାର କରିଛି ପାଟପୁର ପୋଲିସ ପ୍ରଶାସନ । ଜଣେ ନାବାଳକକୁ ମଧ୍ଯ ପୋଲିସ ପ୍ରଶାସନ ଅଟକ ରଖିଥିବା ବେଳେ ନାବାଳକ ଘର ଦିଗପହଣ୍ଡି ଥାନା ମୌଳାଭଣଜା ଗାଁର ବୋଲି ଜଣାପଡିଛି । ତେବେ ଉକ୍ତ ନାବାଳକ ଜଣକ ପାଟପୁର ଥାନା ଇଲାକାର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଉଭୟଙ୍କୁ ଡାକ୍ତରୀମାଇନା କରାଯାଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

Health & lifestyle,State

MKCG ରେ ଅନ୍ତରୀଣ କମିଟିର ତଦନ୍ତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଘରୋଇ ମେଡିକଲକୁ ନିଜେ ଏମକେସିଜିର ଡାକ୍ତର ରୋଗୀ ଚାଲାଣ ଘଟଣାରେ ଆରମ୍ଭ ହୋଇଛି ଅନ୍ତରୀଣ କମିଟିର ତଦନ୍ତ । ଆଜି ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ କୋଠରୀରେ ଅନ୍ତରୀଣ କମିଟିର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତର ମାନେ ରହିଥିଲେ । ମୃତ ବଳରାମ କିଭଳି ଅବସ୍ଥାରେ ଏମକେସିଜି ଆସିଥିଲେ ଓ ଅଭିଯୋଗ ପ୍ରକାରେ ଡାକ୍ତର ଦିଲ୍ଲୀପ ପ୍ରଧାନ କାହିଁକି ବଳରାମଙ୍କୁ ନିଜ ଘରୋଇ ମେଡିକାଲକୁ ନେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ବୈଠକରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିଲା । ଘଟଣାର ତଦନ୍ତ ହୋଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୪ଟା ସୁଦ୍ଧା ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବ । ସେହି ରିପୋର୍ଟ ଅନୁସାରେ ସରକାରଙ୍କୁ ଜଣାଇ ଦିଆଯିବ । ଯଦି ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଦୋଷ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ । ତେବେ ଗତ ୧୦ ତାରିଖରେ ବାଘଲଟି ଅଞ୍ଚଳର ବଳରାମ ଗୌଡ଼ ଦୁର୍ଘଟଣାରେ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ ପ୍ରଧାନ ନିଜର ଘରୋଇ ମେଡିକାଲ ବିନାୟକ ହସପିଟାଲକୁ ରୋଗୀଙ୍କୁ ନେବା ପାଇଁ କହିଥିଲେ । ସେଠାରେ ତିନି ଦିନ ଧରି ରୋଗୀଙ୍କୁ ଚିକାଗୋ କରାଯିବା ପରେ ଗତ ୧୩ ତାରିଖରେ ବଳରାମଙ୍କ ମୃତ୍ୟୁ ହୋଇଥିଲା। ବଳରାମଙ୍କ ମୃତ୍ୟୁ ପାଇଁ ଡାକ୍ତର ଦିଲ୍ଲୀପ ପ୍ରଧାନ ସମ୍ପୂର୍ଣ୍ଣ ଦାୟୀ ରହିଥିବା ନେଇ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।‌ ଯଦି ଅନ୍ତରୀଣ କମିଟି ନ୍ୟାୟ ନ ଦେବ ତେବେ ବଳରାମଙ୍କ ଦଶାହ କାର୍ଯ୍ୟ ବିନାୟକ ହସପିଟାଲ ସମ୍ମୁଖ, ଡାକ୍ତର ଦିଲ୍ଲୀପ ପ୍ରଧାନଙ୍କ ଘର ସମ୍ମୁଖ, ଏମକେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ବଳରାମଙ୍କ ସମ୍ପର୍କୀୟ ।


Education,State

ଏଫଏମ ଛାତ୍ରୀ ଆତ୍ମହୁତି ଘଟଣା : ଏସ୍‌ଆଇଟି ତଦନ୍ତ ପାଇଁ ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

Blog Thumbnail

ଦ କୁଇଭର ବ୍ୟୁରୋ :- ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଦ୍ବାରା ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପୀଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରହିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶେଷରେ ଛାତ୍ରୀଙ୍କ ଜୀବନ ଯାଇଥିଲା। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯିବା ଆବଶ୍ୟକ। ହାଇକୋର୍ଟଙ୍କ ତତ୍ତ୍ବାବଧାନ‌ରେ ଏସ୍‌ଆଇଟି ତଦନ୍ତ ହେଲେ ସତ ପଦାକୁ ଆସିବ। ଅଧ୍ୟାପକ, ମହାବିଦ୍ୟାଳୟ ପ୍ରଶାସନ, ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ରହିଥିବା ୨୦୧୫ର ନିୟମାବଳୀ ପାଳନ ଓ ଅନ୍ୟ ପ୍ରସଙ୍ଗରେ ତଦନ୍ତ କରାଯିବ l ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଶିଶୁ ଓ ମହିଳା ଶାଖା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଉ। ୟୁଜିସି ପକ୍ଷରୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ରିପୋର୍ଟ ତଲବ କରାଯିବା ସହିତ ଅନୁଷ୍ଠାନର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୟୁଜିସି ନିୟମାବଳୀ, ୨୦୧୫ ଅନୁସାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଆବେଦନକାରୀ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ବନ୍ଦ ଡାକରା ଦିଆଯାଉଛି। ଏହା ଦ୍ବାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବିଚାରକୁ ନେଇ ଜାତୀୟ ମାନବାଧିକାର କମିସନ, ମହିଳା କମିସନ, ୟୁଜିସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି। ଏଭଳି ସ୍ଥିତିରେ ଆଇନଗତ ପଦକ୍ଷେପ ନ ନେଇ ବନ୍ଦ ଡାକରା ଦିଆଯିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

State,Health & lifestyle,Politics

ବିଜେଡିର ଏଣ୍ଡୁଅ ନେତା

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):-

ଏଁ ୟେ କି ଅସୁସ୍ଥତା ? ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ବୋଲି ICU ରେ ଭର୍ତ୍ତି ହୋଇଛନ୍ତି । ଯନ୍ତ୍ରଣାରେ ଛଟପଟ ହେବା ବଦଳରେ ICU ରେ ଚାଲିଛି ହସ ଆଉ ଖୁସି । ଯନ୍ତ୍ରଣା କଣ ହେଉଛି ତାହା କିଏ କହିବ ? ICU ଭଳି ଗମ୍ଭୀର ସ୍ଥାନରେ ବି ହସ ଖୁସିର ଆସର । ଯାହା ଦେଖାଉଛି ବିଜେଡି ନେତାଙ୍କ ଏଣ୍ଡୁଅ ଚରିତ୍ର ।


ମୋହନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ରତ ବିଜେଡି ନେତାଙ୍କ ଉପରେ ବାଜିଥିଲା ରବର ଗୁଳି । ଜନତାଙ୍କ ପାଇଁ ସବୁ ସହିବାକୁ ଶପଥ ନେଇ ରାଜନୀତିକୁ ଆସିଥିବା ନେତା ମାନେ ରବର ଗୁଳି ଗୋଡ଼ରେ ବାଜିବାରୁ କାଳେ ଗମ୍ଭୀର ହୋଇଗଲା ସ୍ୱାସ୍ଥ୍ୟ ଅବସ୍ଥା । ଏତେ ଗମ୍ଭୀର ଭାବରେ ଆହତ ହେଲେ ଯେ ICU ରେ ଭର୍ତ୍ତି ହୋଇଗଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ICU ରେ ଭର୍ତ୍ତି ହେବା ପରେ ସେଠି ଚିକିତ୍ସା କମ ଚାଲିଛି ଦଳୀୟ ଆସର । ହସ ଖୁସିରେ ଏକ ପ୍ରକାର ମଉଜ ଚାଲିଥିଲା । ଯାହା ଦେଖାଉଛି ଏମାନଙ୍କ ଦୁଇନମ୍ବିରୀ ଆଭିମୁଖ୍ୟ । ଏମାନେ ଆଗକୁ ଦେଖାନ୍ତି ଗୋଟେ ଭିତରେ ଆଉ ଗୋଟେ । ଏକଥା ପ୍ରମାଣ କରିଦେଲେ ଯାଜପୁରିଆ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ପ୍ରୀତି ରଞ୍ଜନ ଘଡେଇ ଓରଫ ଡାନି ।


ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ପରେ ତାତିଛି ବିଜେଡି । ବୁଧବାର ଭୁବନେଶ୍ୱରରେ ବେଶ କିଛି ପ୍ରଭାବ ଦେଖାଇଛି । ପିଏମଜିରେ ଆନ୍ଦୋଳନ କରିଥିଲା ବିଜେଡି । ପୋଲିସ ସହ ହୋଇଥିଲା ମୁକାବିଲା । ଏହି ମୁକାବିଲାରେ ପୋଲିସ ବିଜେଡି ଆନ୍ଦୋଳନ କାରୀମାନଙ୍କୁ ଘଉଡେଇବା ପାଇଁ ପାଣି ମାଡ଼ କରିଥିଲା । ପାଣି ମାଡ଼ରେ ବେଶ ବ୍ୟତି ବ୍ୟସ୍ତ ହୋଇପଡିଥିଲେ ବିଜେଡି ନେତା ମାନେ । କାରଣ ସମସ୍ତଙ୍କର କାଳେ ମେକପ ଛାଡି ଯାଇଥିଲା । ପାଣି ମାଡ ସତ୍ୱେ ଆଗକୁ ମାଡ଼ି ଚାଲିଲା ବିଜେଡି ।


ତେଣୁ ପୋଲିସକୁ ରବର ଗୁଳି ଚଳାଇବାକୁ ପଡ଼ିଲା । ଏ ରବର ଗୁଳି ବାଜିଥିଲା ବବି ଓ ଡାନିଙ୍କ ଗୋଡରେ । ଦୁହେଁ ଚିକିତ୍ସା ପାଇଁ ଚାଲି ଚାଲି ଯାଇଥିଲେ । ୬ ନମ୍ବର ହସ୍ପିଟାଲରେ ଦୁହେଁ ଚିକିତ୍ସା ହେଉ ହେଉ ହଠାତ ଏମାନଙ୍କର ଅବସ୍ଥା ଗମ୍ଭୀର ହୋଇଗଲା । ବବି ରହିଲେ ୬ ନମ୍ବର ହସ୍ପିଟାଲ ICU ରେ ଆଉ ଡାନି ଚାଲିଲେ ନିଜ ହସ୍ପିଟାଲର ICU କୁ । ଉଭୟ ICU ରେ ପଡିଲେ । ବବିଙ୍କ ପାଖରେ ଥିବା ବିଜେଡି ନେତା ମାନେ ବେଶ ହସ ଖୁସିରେ ସମୟ କାଟୁଥିଲେ । ଆଉ ଡାନିଙ୍କ ICU ଭିତରେ ବି ଚାଲିଥିଲା ମିଟିଂ ।



Education,State

ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ୩ ଦୁର୍ବୃତ୍ତ

Blog Thumbnail

ପୁରୀ( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୧୫ ବର୍ଷୀୟା ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଆଜି(ଶନିବାର) ୩ ଦୁର୍ବୃତ୍ତ ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ନାବାଳିକା ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ୩ ଜଣ ଦୁର୍ବୃତ୍ତ ଜାଳି ଦେବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ଏମ୍ସ( AIIMS) ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣଙ୍କୁ ଦୁର୍ବୃତ୍ତ ମାନେ ନିଆଁ ଲଗାଇଲେ କାରଣ ଜଣାପଡିନାହିଁ ।

State,Education

ଫକୀର ମୋହନ କଲେଜରେ UGC ଫ୍ୟାକ୍ଟ ଫାଇଣ୍ଡି ଟିମ୍‌

Blog Thumbnail

ବାଲେଶ୍ୱର( ଦ କୁଇଭର ):- ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ ପାଇଁ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏଫଏମ କଲେଜରେ ପହଞ୍ଚିଛନ୍ତି । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଏହି ଟିମ୍‌ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବେ । ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରିବେ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ICC)ର ସଦସ୍ୟାମାନେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କଲେଜ ଅଧ୍ୟକ୍ଷ ଫିରୋଜ ପାଢ଼ୀ ଓ ICC କମିଟିର ସମସ୍ତ ସଭ୍ୟସଭ୍ୟା ସମେତ ୪ ଜଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଗୁରୁବାର(ଜୁଲାଇ ୧୭) କ୍ରାଇମବ୍ରାଞ୍ଚ ଟିମ କଲେଜରେ ତଦନ୍ତ କରିଥିବା ବେଳେ ଆଇସିସି କମିଟି ସଦସ୍ୟମାନଙ୍କୁ ପଚରାଉଚରା କରିଛି । ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ଫିରୋଜ ପାଢ଼ୀ ତଦନ୍ତ ସମ୍ପର୍କରେ କହିଛନ୍ତି, "ୟୁଜିସି ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆସୁଛନ୍ତି । ଏହାସହ ଉଚ୍ଚଶିକ୍ଷା ବିଭାଗର ତଦନ୍ତ କମିଟି ଟିମ ଏବଂ କ୍ରାଇମବ୍ରାଞ୍ଚ ଟିମ କଲେଜ ଆସୁଛନ୍ତି । ବିଭିନ୍ନ ସ୍ତରରେ ଏହାର ତଦନ୍ତ ଚାଲିଛି । ୟୁଜିସି ଏକ ସ୍ୱତନ୍ତ୍ର କମିଟି ଆକାରରେ ଆସୁଛନ୍ତି । ସେମାନେ ସବୁ ଦିଗ ଉପରେ ତଦନ୍ତ କରିବେ ।"

Farming,State

ଖରିଫ ଫସଲ ପାଇଁ ୭.୯୪ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ

Blog Thumbnail

ଦ କୁଇଭର ବ୍ୟୁରୋ :- ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି।‌‌ କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ ଏଫ୍‌ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଯୋଜନା କରାଯାଇଛି I ଏଥି ମଧ୍ୟରୁ ୩୪.୯୪ ଲକ୍ଷ ହେକ୍ଟର ଧାନ ଏବଂ ୨୩.୫୬ ଲକ୍ଷ ହେକ୍ଟର ଅଣଧାନ ଅନ୍ତର୍ଭୁକ୍ତ। ଭାରତ ସରକାର ସମଗ୍ର ଖରିଫ ଋତୁ ପାଇଁ ରାଜ୍ୟକୁ ବିଭିନ୍ନ ଗ୍ରେଡ୍‌ର ୯.୫୫ ଲକ୍ଷ ମେଟ୍ରିକ୍‌ ଟନ୍ ସାର ଆବଣ୍ଟନ କରିଛନ୍ତି। ଖରିଫ ଚାଷ ପୂର୍ବରୁ ରାଜ୍ୟ ସରକାର ମାର୍କଫେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍‌ ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ମୋଟ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିଛି। ୩.୬୫ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇସାରିଛି। ବିଭିନ୍ନ ଜିଲ୍ଲାରେ ୪.୨୪ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ୨୩,୫୮୯ ମେଟ୍ରିକ ଟନ୍ ସାର ଖୁବ୍‌ଶୀଘ୍ର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପାଇଁ ପରିବହନରେ ଅଛି। ମାର୍କଫେଡ୍‌କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବାକୁ ସାର ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ / ଲ୍ୟାମ୍ପସଗୁଡ଼ିକୁ ବିଭିନ୍ନ ଗ୍ରେଡ୍‌ର ସାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମାର୍କଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଖରିଫରେ ଏହି ସମୟ ମଧ୍ୟରେ ରାଜ୍ୟରେ ୭.୭୧ ଲକ୍ଷ ମେଟ୍ରି୍‌କ ଟନ୍ ସାର ଉପଲବ୍ଧ ଥିଲା। ଏହି ବର୍ଷ ଅଧିକ ସାର ଉପଲବ୍ଧ ଅଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

International

ବର୍ଷାରେ ଅସ୍ତବ୍ୟସ୍ତ ଆମେରିକା

Blog Thumbnail

ଦ କୁଇଭର ବ୍ୟୁରୋ :-: ବିଶ୍ୱର ସବୁଠୁ ଉନ୍ନତ ବା ପ୍ରଭାବଶାଳୀ ଦେଶ ଆମେରିକା ବି ଘାଣ୍ଟି ହେଉଛି ବର୍ଷା ପାଣିରେ । ରାସ୍ତା ବୁଡ଼ୁଛି, ଡ୍ରେନ ଚୋକ୍ । ଯାହାକୁ ଅତି ଉନ୍ନତ କହି କିଛି ଭାରତୀୟ ଦୌଡୁଥିଲେ ବା ଦୌଡୁଛନ୍ତି ଆମେରିକା, ସେମାନେ ଦେଖନ୍ତୁ ଆମେରିକା କେତେ ଉନ୍ନତ ? ଆମେରିକାର ଏହି ବ୍ୟବସ୍ଥା ଦେଖିଲେ ନିଜକୁ ଶିକ୍ଷିତ, ଉନ୍ନତ କହୁଥିବା ଭାରତୀୟଙ୍କ ପ୍ରତି ଦୟା ଆସିବା ସ୍ୱାଭାବିକ । ଭାରତକୁ ନ୍ୟୁନ ବା ନିକୃଷ୍ଟ ଦେଖାଇ ଆମେରିକାକୁ ସ୍ୱର୍ଗ ବୋଲି ଦେଖାଉଥିବା ତଥାକଥିତ ଭାରତୀୟ ମାନଙ୍କୁ ଏଠି କଣ କୁହାଯିବ ?


ଭାରତ ଅପରିଷ୍କାର, ଭାରତର ବ୍ୟବସ୍ଥା ନାହିଁ, ଏମିତି କହୁଥୁବା ଭାରତୀୟ ମାନେ ଥରେ ଦେଖନ୍ତୁ ନ୍ୟୁୟର୍କର ଅବସ୍ଥା, ଦେଖନ୍ତୁ ଟେକ୍ସସାସର ଅବସ୍ଥା କ'ଣ ? ବର୍ଷା ପାଣିରେ ଗାଡି ଭାସି ଯାଉଛି । ରାସ୍ତାରେ ଗାଡି ଚଲେଇବା ସମ୍ଭବ ହେଉନି । ସବୁ ଠପ ହୋଇ ଯାଉଛି । ଖାଲି ପରିମଳ ବ୍ୟବସ୍ଥା ନୁହେଁ କି ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାରେ ଆମେରିକା ତଳକୁ ଖସି ନାହିଁ । ସେଠାରେ ଥିବା ଭାରତୀୟଙ୍କ ସାମାଜିକ ସୁରକ୍ଷା ବି ବିପଦରେ । ଭାରତର ବ୍ୟବସ୍ଥାକୁ ନେଇ ନିନ୍ଦୁଥିବା ଓ ନିଜକୁ ଆମେରିକାରେ ଚାକିରୀ କରୁଥିବା ନେଇ ଦାବି କରୁଥିବା ଲୋକେ ଆମେରିକା ସ୍ଥିତି ଦେଖନ୍ତୁ । ଏବେ କୁହନ୍ତୁ ଆମେରିକା ଉନ୍ନତ ନା କଣ ?



Health & lifestyle,Education,State

ଏମ୍ସ ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ନିର୍ଦ୍ଦେଶ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି। ଏଥି ସହିତ ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।


ଅନ୍ୟପଟରେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ। ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି। ମାତ୍ର ତାହା କ’ଣ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାରେ କେତେଜଣ ଲୋକ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ସେନେଇ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରି ନାହିଁ। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

State

ଜିଲ୍ଲା କୋର୍ଟରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ'

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୭ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହେବ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାକୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଏହା ଏକ ବଡ଼ ସୁଯୋଗ l ସବିଶେଷ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ବ୍ରହ୍ମପୁର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ l