ଦ କୁଇଭର ବ୍ୟୁରୋ :- କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ଦର ୫୦ ଟଙ୍କା କୁ ବୃଦ୍ଧି କରିଛନ୍ତି । ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ଘରୋଇ ଏଲ୍ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଉଜ୍ଜ୍ବଳା ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍ପିଜି ଦର ୫୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ କହିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି। ଯଦିଓ ଏହାର ବୋଝ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି ଅନ୍ୟପଟେ କିନ୍ତୁ ଏଲ୍ପିଜି ଦର ବଢ଼ାଇ ସାଧାରଣ ଲୋକଙ୍କ ଉପରେ ଦରଦାମ ବୋଝକୁ ଲଦି ଦେଇଛନ୍ତି। ଗ୍ୟାସ ବିକ୍ରି ବାବଦରେ ତୈଳ କମ୍ପାନିଗୁଡ଼ିକ ସହିଥିବା ୪୩ ହଜାର କୋଟି ଟଙ୍କାର କ୍ଷତିର କିଛି ଅଂଶ ଭରଣା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ବୃଦ୍ଧିର ସମୀକ୍ଷା ପ୍ରତି ୧୫ରୁ ୩୦ ଦିନରେ କରାଯିବ ବୋଲି ସେ କହିଛନ୍ତି।
No comments yet.
Health & lifestyle,National
ଦ କୁଇଭର ବ୍ୟୁରୋ:- ଦେଶରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ମେ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ୧୦୦୦ ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ ମାମଲା ରେକର୍ଡ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ୧୧୬ ମାମଲା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ ହୋଇଛି। ତଥାପି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
National,Health & lifestyle
ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।
Health & lifestyle
ଦ କୁଇଭର ବ୍ୟୁରୋ :- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି।
ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
Sports
ଦ କୁଇଭର ବ୍ୟୁରୋ:- ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଅନ୍ୟପଟେ ଆଜିର ପରାଜୟ ସହ ଗୁଜରାଟ ଟାଇଟେଲ ଦୌଡରୁ ବାଦ ପଡ଼ିଛି । ୨୨୯ ରନର ପିଛା କରିଥିବା ଗୁଜରାଟ ୨୦ ଓଭରରେ ୨୦୮ ରନ ହିଁ କରିପାରିଥିଲା ।ଦଳ ପକ୍ଷରୁ ସାଇ ସୁଦର୍ଶନ ୮୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ରୋହିତ ଶର୍ମା ବ୍ୟାଟିଂ ଓପନ କରିଥିଲେ । ବେୟାରଷ୍ଟୋ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବାବେଳେ ରୋହିତ ଟିକିଏ ସତର୍କତାର ସହ ବ୍ୟାଟିଂ କରିଥିଲେ । ବେୟାରଷ୍ଟୋ ମାତ୍ର ୨୨ ବଲରେ ୪୭ ରନ କରି ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସୂର୍ଯ୍ୟକୁମାର ଯାଦବ । ରୋହିତ ମାତ୍ର ୫୦ ବଲରେ ୮୧ ରନ କରିଥିବାବେଳେ ସୂର୍ଯ୍ୟକୁମାର ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ସାଇକିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ
State
ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗସ୍ ଫାଇନାଲରେ ପ୍ରବେଶ କରିଛି। ଏବେ ପଞ୍ଜାବ କିଙ୍ଗସ୍ ଜୁନ୍ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସିଜିନ୍ ର ଫାଇନାଲ୍ ଖେଳିବା ଦେଖିବାକୁ ମିଳିବ। ଏହି ପରାଜୟ ସହିତ, ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଯାଇଛି। ଏହି ସିଜିନ୍ ସାରା ଚମତ୍କାର ପ୍ରଦର୍ଶନ କରିଥିବା ମୁମ୍ବାଇ କ୍ୱାଲିଫାୟର ୨ରୁ ଆଗକୁ ବଢ଼ିପାରି ନାହିଁ l ଏହି ମ୍ୟାଚ୍ ରେ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ଯାଏ। ଶ୍ରେୟସ୍ ତୃତୀୟ ଓଭରରେ କ୍ରିଜ୍ କୁ ଆସିଥିଲେ ଏବଂ ୧୯ ଓଭର ଶେଷ ପର୍ଯ୍ୟନ୍ତ କ୍ରିଜ୍ ରେ ରହି ତାଙ୍କ ଦଳକୁ ବିଜୟୀ କରାଇ ଫାଇନାଲ୍ ରେ ପହଞ୍ଚାଇଥିଲେ। ଏହା ସହିତ ପଞ୍ଜାବ ୧୧ ବର୍ଷ ପରେ ଆଇପିଏଲ୍ ର ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୪ ପରେ, ଏବେ ପଞ୍ଜାବ ଆଇପିଏଲ ୨୦୨୫ ରେ ଦ୍ୱିତୀୟ ଫାଇନାଲ୍ ଖେଳିବାର ଦେଖିବାକୁ ମିଳିବ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହା ସହିତ ଶ୍ରେୟସ ଆୟର ଆଇପିଏଲ ଇତିହାସରେ ୩ଟି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଏବେ ପଞ୍ଜାବ କିଙ୍ଗସକୁ ଆଇପିଏଲ ର ଫାଇନାଲରେ ପହଞ୍ଚାଇଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ କେକେଆର କୁ ୨୦୨୪ର ବିଜେତା ମଧ୍ୟ କରାଇଛନ୍ତି।
State
ଦ କୁଇଭର ବ୍ୟୁରୋ:- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନୁଗୁଳ, ପୁରୀ, କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଉଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୨ କୋଟି ଟଙ୍କା ଜବତ କରିଛି। ତାଙ୍କ ଅନୁଗୁଳ ଘରୁ ୯୦ ଲକ୍ଷ ଓ ରାଜଧାନୀ ବାସଭବନରୁ ୧ କୋଟି ୧୦ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାଯାଇଛି।ଭିଜିଲାନ୍ସ ଡିଏସପି ଅନୁଷ୍କା ସେନାପତିଙ୍କ ତତ୍ତ୍ଵାବଧାନରେ ଚଢ଼ଉ ଚାଲିଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା। ସେହିପରି ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବ ପାରିତ ହୋଇଥିଲା। ବୁଧବାର ନୂଆ ଢାଞ୍ଚାରେ କ୍ୟାବିନେଟ୍ ବୈଠକ ହୋଇଥିଲା। କେବଳ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗର ସଚିବଙ୍କୁ ବୈଠକରେ ବସିବାକୁ ଅନୁମତି ନଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ୍ ବୈଠକରେ ଓଡ଼ିଶା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ନୀତି-୨୦୨୫କୁ ମଞ୍ଜୁରି ମିଳିଛି। ଏହା ଅଧୀନରେ ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ୍ ଗଠନ କରିବେ; ଯାହା ବିଭିନ୍ନ ବିଭାଗରେ ଏଆଇକୁ ପ୍ରୟୋଗ କରିବାର ଶୀର୍ଷ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ। ଏହା ଉଚ୍ଚସ୍ତରୀୟ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍ ଭଳି ଦ୍ବି-ସ୍ତରୀୟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ରେ ଏଆଇ ସେଲ୍ ରହିବ। ଏହା ଏଆଇର ଗ୍ରହଣୀୟତା, ପାଇଲଟ୍ ପ୍ରକଳ୍ପ ଓ ବ୍ୟାବହାରିକ ମାମଲାଗୁଡ଼ିକୁ ତ୍ବରାନ୍ବିତ କରିବା ଉପରେ କାମ କରିବ। ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଭଳି ଏଆଇ ବ୍ୟବହାର ହୋଇପାରିବ, ସେହି ସୁଯୋଗ ଓ ସମ୍ଭାବନାଗୁଡ଼ିକୁ ଚିହ୍ନଟ କରାଯିବ। ଏଆଇ ସହଯୋଗରେ ରୋଗର ପୂର୍ବାନୁମାନ ଓ ସ୍କ୍ରିନିଂ, ସ୍ମାର୍ଟ ଜଳସେଚନ, ଫସଲ ନିଦାନ, ଶିକ୍ଷାରେ ବହୁଭାଷୀ ଏଆଇ ଟୁଲ୍, ପ୍ରତିଷେଧମୂଳକ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଓ ବୁଦ୍ଧିମାନ ନାଗରିକ ସମ୍ପୃକ୍ତି ପ୍ଲାଟ୍ଫର୍ମ ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏଆଇର ନୈତିକ ଓ ଦାୟିତ୍ବବାନ ବ୍ୟବହାର ଉପରେ ନୀତିରେ ଗୁରୁତ୍ବ ଦିଆଯାଇଛି। ଏହା ଓଡ଼ିଶାକୁ ଏଆଇ ନବସୃଜନ, ଏଆଇ ଷ୍ଟାର୍ଟଅପ୍ ଓ ରପ୍ତାନିଭିତ୍ତିକ ଏଆଇ ସମାଧାନ ହବ୍ରେ ପରିଣତ କରିବ ବୋଲି କୁହାଯାଇଛି। ଜଗତସିଂହପୁର ଜିଲ୍ଲାର ଜିଲ୍ଲାର ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଓ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ହୋଇଥିବା ରିହାତି ଚୁକ୍ତିନାମାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଫଳରେ ସରକାର ଓ କମ୍ପାନି ମଧ୍ୟରେ ରିହାତି ଚୁକ୍ତିନାମା ସ୍ବାକ୍ଷର ବାଟ ଫିଟିଛି। ୨୦୧୮ରେ ଏହି ପ୍ରକଳ୍ପକୁ ସରକାର ନୀତିଗତ ଅନୁମୋଦନ ଦେଇଥିଲେ ଓ ୨୦୨୨ ଡିସେମ୍ବର ୩ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ଜେଟି ବନ୍ଦରକୁ ସଂଯୋଗ କରୁଥିବା ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହିତ କରିବ। ଏହା ରାଜ୍ୟ ପାଇଁ ରାଜସ୍ବ ସୃଷ୍ଟି କରିବ ଓ ୩୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।
ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୫ କ୍ୟାବିନେଟ୍ରେ ପାରିତ ହୋଇଛି। ଏବେ ୧୯୭ ଜଣ ଚକ୍ଷୁ ଚିକିତ୍ସା ସହାୟକ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ଗତ ବର୍ଷ ମାର୍ଚ୍ଚ ମାସରେ ଚକ୍ଷୁ ଚିକିତ୍ସା ସେବା ଅଧୀନରେ ମୂଳ ପଦବିରେ ୩୩୮ଟି ସମେତ ମୋଟ୍ ୫୩୮ଟି ପଦବି ସୃଷ୍ଟି କରିଥିଲେ। ଏଥି ସହ ମୂଳ ପଦବିରେ ୧୪୧ଟି ନୂଆ ପଦବି ସୃଷ୍ଟି ହେବ। ପଦୋନ୍ନତି ଭିତ୍ତିରେ ବିଭିନ୍ନ ପଦବି ପୂରଣ ପାଇଁ ମୋଟ୍ ୨୦୦ଟି ପଦବି ସୃଷ୍ଟି କରାଯାଇଛି। ଏହା ଦ୍ବାରା ମୂଳ ପଦବିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମାଗାଦି ନୂଆ ରୂପ ନେବ। ଏଠାରେ ଉନ୍ନତିମୂଳକ କାର୍ଯ୍ୟ ସହ ଶୂନ୍ୟ ମଣ୍ଡପ ନିର୍ମାଣ କରାଯିବ। ଏଥି ପାଇଁ ହୋଇଥିବା ଟେଣ୍ଡରରେ ଏମ୍ଏସ୍ ଆଇରନ୍ ଟ୍ରାଏଙ୍ଗଲ୍ ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ଏହି କାମର ବ୍ୟୟ ଅଟକଳ ରହିଛି ୧୭୧ କୋଟି ୧୧ ଲକ୍ଷ ଟଙ୍କା। ବୁଧବାର କ୍ୟାବିନେଟ୍ରେ ଏହି ଟେଣ୍ଡରକୁ ଅନୁମୋଦନ ମିଳିବା ସହ ୩୬ ମାସରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।
National
ଦ କୁଇଭର ବ୍ୟୁରୋ:- ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ, କିପରି ସତର୍କ ରହିବେ, ନିଜକୁ କିପରି ସୁରକ୍ଷିତ ରଖିବେ, ଏନେଇ ଅଭ୍ୟାସ କରାଯିବ । ପାକ୍ ସୀମାକୁ ଲାଗିଥିବା ରାଜ୍ୟରେ ହେବ ଶତୃପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି । ପଞ୍ଜାବ, ଗୁଜରାଟ, ରାଜସ୍ଥାନ ଓ ଜମ୍ମୁ- କାଶ୍ମୀରରେ ୩୧ ମେ’ରେ ଏହି ଅଭ୍ୟାସ କରାଯିବ । ଗୁରୁବାର ଏହି ୪ ରାଜ୍ୟରେ ମକ୍ଡ୍ରିଲ୍ ହେବାର ଥିଲା ହେଲେ ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି, ବଦଳରେ ଶନିବାର ଯୁଦ୍ଧାଭ୍ୟାସ ହେବ ।
ସୂଚନା ପ୍ରକାରେ,୭ ମେ’ରେ ସାରା ଦେଶରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହାପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲା ଭାରତୀୟ ବାୟୁସେନା । ପ୍ରଥମେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ତେବେ ଭାରତର ଏୟାର ଡିଫେନ୍ସ ଏହାକୁ ବିଫଳ କରିଥିଲା । ତେବେ ପାକିସ୍ତାନର ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ଭୟରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ।
State
ଦ କୁଇଭର ବ୍ୟୁରୋ :-:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ କରାଯାଉଛି।
ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ହେଲା-
୧. ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଗୋଟିଏ ୨ ବିଏଚକେ ଫ୍ଲାଟ୍।
୨. ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା।
୩. ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କର କାର୍ଯ୍ୟାଳୟ।
୪. ଭୁବନେଶ୍ୱରର ସହୀଦ ନଗରର ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍।
Education,Farming,Health & lifestyle,State
ଭଦ୍ରକ( ଦ କୁଇଭର ):- ଭଦ୍ରକରେ ଖୁବ୍ଶୀଘ୍ର ସରକାରୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏଥିସହିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୈଷୟିକ ବୟନ ଶିଳ୍ପ କମ୍ପ୍ଲେକ୍ସ,ଏମ୍ପିସିଆଇ ପକ୍ଷରୁ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଭଦ୍ରକ ବ୍ଲକ୍ ରମ୍ଭିଳା ପଞ୍ଚାୟତ ଆରଡ଼ିପଦାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଘୋଷଣା କରିଛନ୍ତି। ଯାହା ଭଦ୍ରକବାସୀଙ୍କ ମନରେ ଉତ୍ସାହ ଭରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭୪ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଦ୍ରକ ମାଟିର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ସହ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଇରମ ଓ ସହିଦନଗରର ଲୁଣିଆ ମାଟିକୁ ମନେପକାଇ କହିଥିଲେ, ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଉନ୍ନତି ପାଇଁ ସ୍କୁଲ୍ରେ ଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀମାନଙ୍କପାଇଁ ଆମର ବଡ଼ ଅବଦାନ ହେଉଛି; ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମାଆମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛୁ। ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବିକାଶଧାରା ତ୍ବରାନ୍ବିତ ହେବ। ସଂଗ୍ରାମ ପୀଠରେ ବିକାଶମୂଳକ କାର୍ଯ୍ୟ କରାଯିବ। ବହୁ ପ୍ରତୀକ୍ଷିତ ଧାମନଗର ଛକରେ ଆଇଓସିଏଲ୍ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ୬ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଫଳରେ ୫ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ନିଯୁକ୍ତି ପାଇବେ। ଜିଲ୍ଲାବାସୀଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ୍ଶୀଘ୍ର ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ସହ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯିବ। ସମ୍ମାନିତ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଦେଉଥିବା ପ୍ରତିଶ୍ରୁତି ପୂରା କରିବୁ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଜେପି ସରକାର ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରାଣୀତାଲ ରାସ୍ତାରେ ରେଳ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଧନ୍ୟବାଦ ଦେଇଥିଲେ।
State
ଗଜପତି ( ଦ କୁଇଭର ):- ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ସୁଚନା ପ୍ରକାରେ,ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
National
ଦ କୁଇଭର ବ୍ୟୁରୋ :- ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଜଳ ପ୍ରଳୟ ଆଣିଛି । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ଆଉ ପାଣି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତା ନଈ ପାଲଟିଛି, ରାସ୍ତାରେ ଡଙ୍ଗା ଚାଲୁଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଆଉ ଏହି ବନ୍ୟାରେ ଆସାମରେ ଭୟାବହ ସ୍ଥିତି ଉପୁଜିଛି । ଆସାମର ଅନେକ ଗାଁ ଏବେବି ଜଳମଗ୍ନ । ବାହ୍ୟ ଜଗତ ଠାରୁ ସେସବୁ ଗାଁ ପୂରା ବିଚ୍ଛିନ୍ନ ହୋଇଛି । ପ୍ରାୟ ସାଢେ ୩ ଲକ୍ଷ ଲୋକ ଜଳବନ୍ଦୀ ଥିବା କୁହାଯାଉଥିବା ବେଳେ ସବୁଠାରୁ ବଡ଼ ଓ ଦୁଃଖର କଥା ଏଯାଏଁ ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିନି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି ।
State
ବ୍ରହ୍ମପୁର( ଦ କୁଇଭର):- ରାଜ୍ୟରେ ଦିନକୁ ଦିନ ଅପରାଧ ଆଉ ଅପରାଧିକ ମାମଲା ବଢ଼ିବାରେ ଲାଗିଛି l ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଚଳାଇଛି ଖୁଲମ ଖୁଲା ଅପରାଧ l ଏକ ପ୍ରକାର ପୋଲିସ ପ୍ରଶାସନର ନିଦ ହଜାଇଦେଇଥିବା ବେଳେ ଏ ନେଇ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ସହର ରେ ଅପରାଧୀଙ୍କୁ ଖୋଜି ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବ୍ରହ୍ମପୁର ପୋଲିସ ପାଇଁ କିନ୍ତୁ ଏହି ଚ୍ୟାଲେଞ୍ଜ କୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସପି ଡ଼ା ଶ୍ରବଣl ବିବେକ ଏମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧୀମାନଙ୍କ ଚେର କୁ ଗୋଟେ ପରେ ଗୋଟେ କରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ ପ୍ରଶାସନ l
ବ୍ରହ୍ମପୁରରେ ଚାଲିଛି ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ l ତେବେ ଏସପି ଙ୍କ ନିର୍ଦେଶ କ୍ରମେ ଗୋଶାଣୀନୂଆଗାଁ ଏବଂ ବୈଦ୍ୟନାଥ ପୁର ପୋଲିସ ର ମିଳିତ ଉଦ୍ୟମରେ ଶନିବାର ବ୍ରହ୍ମପୁର ସହରରେ ୭ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୫ଟି ପିସ୍ତଲ, ୪୦ରୁ ଅଧିକ ଜୀବନ୍ତ ଗୁଳି ସହ ନଗଦ ୧,୧୧,୫୦୦ ଟଙ୍କା,ଗୋଟିଏ ମହେନ୍ଦ୍ର ଟିୟୁଭି ୩୦୦ ଏବଂ ଅନେକ ବୋମା ଜବତ କରାଯାଇଛି l ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଗୋଶାଣୀନୂଆଗାଁ ଅଞ୍ଚଳରୁ ହୋଇଥିବା ବେଳେ ବଳକା ୨ ଜଣ ଅପରାଧୀ ବୈଦ୍ୟନାଥ ପୁର ଥାନା ଅଂଚଳର ବୋଲି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି l
State
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରରେ ଚାଞ୍ଚଲ୍ୟ,ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ l ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଥାନା ଅଞ୍ଚଳ ସୁବାସ ନଗର ପ୍ରଥମ ଲାଇନ ବାସିନ୍ଦା ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ l ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ. ଏମ l
ସୂଚନା ପ୍ରକାରେ,ଗତ ୨୯ ତାରିଖ ପ୍ରାୟ ୩ ଟା ସମୟରେ ମୃତକ ହରିହର ସାହୁଙ୍କ ଝିଅ ମଧୁମିତା ସାହୁ ବି.ଏନ ପୁର ଥାନାରେ ଅଭିଯୋଗ କରିଥିଲେ, ଯେ ତାଙ୍କ ପିତା ସୁବାସ ନଗର ପ୍ରଥମ ଲେନରେ ଥିବା ଘରର ପ୍ରଥମ ମହଲାରେ ଏକା ରହୁଥିଲେ, ସେହି ମହଲାରେ ସୁଦେଷ୍ଣା ଜେନା ନାମକ ଜଣେ ବିଧବା ମହିଳା ଭଡ଼ା ଘରେ ରହୁଥିଲେ। ସେହି ଦିନ ସୁଦେଷ୍ଣା ଜେନା ସକାଳେ ଅଭିଯୋଗକାରୀଙ୍କ ଘରକୁ ଆସି ତାଙ୍କ ପିତା ଗୁରୁତର ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ MKCG, MCHରେ ଭର୍ତ୍ତି କରା ଯାଇଥିବା କହିଥିଲେ। ଅଭିଯୋଗକାରୀ ତାଙ୍କ ପୁଅ ଏବଂ ଝିଅ ସହିତ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ ଏବଂ ତାଙ୍କ ପିତାଙ୍କୁ ଗୁରୁତର ପୋଡ଼ି ଯାଇଥିବା ଦେଖିଥିଲେ. ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ SCB.କଟକକୁ ରେଫର କରାଯାଇଥିଲା। କଟକର ଏସସିବିରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ ହରିହର।
ଘଟଣା ଦିନ ରାତିରେ ପ୍ରାୟ ୨-୩ଟା ସମୟରେ ତାଙ୍କ ଉପରେ କେହି ଜଣେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାର ଦେଖିଥିଲେ ବୋଲି ୩୦ ତାରିଖରେ ହରିହର ତାଙ୍କ ଝିଅକୁ କହିଥିଲେ ବୋଲି ପୁଲିସ କହିଛି l ଆହତ ରୋଗୀ ହରିହର ସାହୁଙ୍କ ବୟାନକୁ ଆଧାର କରି ତଦନ୍ତ କରାଯାଇଥିଲା ଏବଂ ତଦନ୍ତରୁ ଜଣାପଡିଥିଲା ଯେ ଘରର ତଳ ମହଲାରେ ରହୁଥିବା ମହିଳା ମୃତ ହରିହର ସାହୁଙ୍କୁ ତାଙ୍କ ଘରେ ନିଆଁ ଲଗାଇ ହତ୍ୟା କରିଛନ୍ତି। ହତ୍ୟା ପଛରେ ଉଦ୍ଦେଶ୍ୟ ହେଉଛି ହରିହରଙ୍କ ସମ୍ପତ୍ତି ହଡପ କରିବା l ମୃତକ ହରିହରଙ୍କ ସହ ଅଭିଯୁକ୍ତ ସୁଦେସ୍ନା ଜେନାଙ୍କ ଚାରି ପାଞ୍ଚ ବର୍ଷ ହେଲା ଶାରୀରିକ ସମ୍ପର୍କ ଥିଲା। ସୁଦେସ୍ନା ଜେନାଙ୍କର ଗୋଟିଏ ଝିଅ ଅଛି ଏବଂ ସେ ହାଇଦ୍ରାବାଦରେ କାମ କରେ। ଯେତେବେଳେ ସୁଦେସ୍ନା ଜେନା ତାଙ୍କ ଝିଅ ଘରକୁ ଯିବାକୁ ଚାହୁଁଥିଲେ, ମୃତକ ତାଙ୍କୁ ବାଧା ଦେଉଥିଲେ ଏବଂ ତାଙ୍କ ସହିତ ରହିବାକୁ ବାଧ୍ୟ କରୁଥିଲେ। ଅଧିକାଂଶ ସମୟ ତାଙ୍କ ବିନା ଇଚ୍ଛାରେ ମୃତକ ତାଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରୁଥିଲେ। ଏହା ସହିତ, ମୃତକଙ୍କ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା. ମୃତକ ଜଣେ ଅବସରପ୍ରାପ୍ତ ସରକାରୀ ଆରଆଇ ଏବଂ ତାଙ୍କର ସମ୍ପତ୍ତି ଅଛି। ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ, ସୁଦେସ୍ନା ଜେନା ସୁଚିନ୍ତିତ ଭାବେ ମଧ୍ୟରାତ୍ରିରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଯୋଜନା କରିଥିଲେ l
ଅପରାଧର ପ୍ରମାଣ ହଟାଇବା ପାଇଁ ସେ ମୃତକଙ୍କ ମୋବାଇଲ୍ ଘର ଅଗଣାରେ ଥିବା କୂଅ ପାଖରେ ଫିଙ୍ଗି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ୍ କିରୋସିନ୍ ବୋତଲକୁ ମଧ୍ୟ ନିଆଁରେ ଫିଙ୍ଗି ଦେଇଥିଲେ. ପଡ଼ୋଶୀଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରିବାର ଅଭିନୟ କରିଥିଲେ l ଦୁଇଜଣ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ମୃତକଙ୍କୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୁକ୍ତ ଅଭିଯୋଗ କରିଥିଲେ କିନ୍ତୁ ତଦନ୍ତରେ ମିଛ ବୋଲି ଧରା ପଡିବା ପରେ ପୁଲିସ ସୁଦସନାଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l
Sports
ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Shree Jagannath
ପୁରୀ( ଦ କୁଇଭର):- ପୁରୀରେ ୨୭ ଜୁନ୍, ୨୦୨୫ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରଥଯାତ୍ରାର ପ୍ରସ୍ତୁତି ପାଇଁ, ସୋମବାର କଟକର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ସୁଗମ ଏବଂ ସୁରକ୍ଷିତ ଭାବରେ ସମ୍ପନ୍ନ ହେବା ପାଇଁ ବ୍ୟାପକ ସୁରକ୍ଷା ଏବଂ ପ୍ରଭାବଶାଳୀ ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଡିଜିପି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନିରନ୍ତର ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।
ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ପ୍ରମୁଖ ରୀତିନୀତିଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ସମୀକ୍ଷା କରାଯାଇଥିଲା:
ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା
ଜୁନ୍ ୨୬ରେ ନବ ଯୌବନ ଦର୍ଶନ
ଜୁନ୍ ୨୭ ତାରିଖରେ ରଥଯାତ୍ରା
ଜୁଲାଇ ୧ ରେ ହେରା ପଞ୍ଚମୀ
ଜୁଲାଇ ୪ ରେ ସନ୍ଧ୍ୟା ଦର୍ଶନ
ଜୁଲାଇ ୫ ରେ ବାହୁଡା ଯାତ୍ରା
ଜୁଲାଇ ୬ ରେ ସୁନାବେଶ
୭ ଜୁଲାଇରେ ଅଧର ପଣା
ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ
ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ।
ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ। ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିୟୋଜନ, ରଣନୈତିକ ସ୍ଥାନରେ ସିସି କ୍ୟାମେରା ସ୍ଥାପନ ଏବଂ ରାସ୍ତା ଡିଭାଇଡର୍, ଡେଲିନେଟର ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ସହିତ ଟ୍ରାଫିକ୍ ପରିଚାଳନା ଯୋଜନା ସମେତ ବିଭିନ୍ନ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ପୁଲିସ ନିୟମିତ ବେଳାଭୂମି ପାଟ୍ରୋଲିଂ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଇଛି। ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଭଳି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବିଘ୍ନ ସୁରକ୍ଷା କଭରେଜ ପାଇଁ ଆରପିଏଫ ସହିତ ଘନିଷ୍ଠ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ହୋଇଥିବା ଅତିରିକ୍ତ ସୁରକ୍ଷା ପଦକ୍ଷେପ ମଧ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ହୋଟେଲ ଏବଂ ଲଜ୍ ଯାଞ୍ଚ, କେ-୯ ସ୍କ୍ୱାଡ୍ ମୁତୟନ ଏବଂ ଦଳାଚକଟା ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଭିଆଇପିଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ବ୍ୟବସ୍ଥା, ପୁଲିସ କର୍ମଚାରୀଙ୍କ ପାଇଁ ରହିବା ସୁବିଧା, ବ୍ୟାରିକେଡିଂ, ଶୃଙ୍ଖଳିତ ଯାନବାହାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ନିର୍ଦ୍ଦେଶକ ଆରପି କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସକେ ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା, ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଏଡିଜି ରାଜେଶ କୁମାର, ଆଇଜି ଏସ. ପ୍ରବୀଣ କୁମାର, ଆଇଜି ଡକ୍ଟର ଦୀପକ କୁମାର, ଆଇଜି ଅନୁପ କୁମାର ସାହୁ, ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଚରଣ ସିଂହ ମୀନା, ଡିଆଇଜି ଡକ୍ଟର କନୱର ବିଶାଲ ସିଂହ, ଡିଆଇଜି ପିନାକ ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍ପି ବିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
State
ଦ କୁଇଭର ବ୍ୟୁରୋ:- ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆଜିଠୁ ପୁଣି ବଢିବ ତାତି । ୫ରୁ ୬ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି । ତଥାପି ସଂପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳ ଉପରେ ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି ।ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
National,State
ଦ କୁଇଭର ବ୍ୟୁରୋ:- ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ ।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ ।
State,Sports
ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍ପି ଅଫିସ୍ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।
ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।