Banner Ad

ଆଇପିଏଲ୍ ଫାଇନାଲରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା

ଆଇପିଏଲ୍ ଫାଇନାଲରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା
Published by : Jyotshna Kumari
#State
Jun 2, 2025, 9:13 AM

ଦ କୁଇଭର ବ୍ୟୁରୋ:- ଆଇପିଏଲ ୨୦୨୫ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗସ୍ ଫାଇନାଲରେ ପ୍ରବେଶ କରିଛି। ଏବେ ପଞ୍ଜାବ କିଙ୍ଗସ୍ ଜୁନ୍ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସିଜିନ୍ ର ଫାଇନାଲ୍ ଖେଳିବା ଦେଖିବାକୁ ମିଳିବ। ଏହି ପରାଜୟ ସହିତ, ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଯାଇଛି। ଏହି ସିଜିନ୍ ସାରା ଚମତ୍କାର ପ୍ରଦର୍ଶନ କରିଥିବା ମୁମ୍ବାଇ କ୍ୱାଲିଫାୟର ୨ରୁ ଆଗକୁ ବଢ଼ିପାରି ନାହିଁ l ଏହି ମ୍ୟାଚ୍ ରେ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ଯାଏ। ଶ୍ରେୟସ୍ ତୃତୀୟ ଓଭରରେ କ୍ରିଜ୍ କୁ ଆସିଥିଲେ ଏବଂ ୧୯ ଓଭର ଶେଷ ପର୍ଯ୍ୟନ୍ତ କ୍ରିଜ୍ ରେ ରହି ତାଙ୍କ ଦଳକୁ ବିଜୟୀ କରାଇ ଫାଇନାଲ୍ ରେ ପହଞ୍ଚାଇଥିଲେ। ଏହା ସହିତ ପଞ୍ଜାବ ୧୧ ବର୍ଷ ପରେ ଆଇପିଏଲ୍ ର ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୪ ପରେ, ଏବେ ପଞ୍ଜାବ ଆଇପିଏଲ ୨୦୨୫ ରେ ଦ୍ୱିତୀୟ ଫାଇନାଲ୍ ଖେଳିବାର ଦେଖିବାକୁ ମିଳିବ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହା ସହିତ ଶ୍ରେୟସ ଆୟର ଆଇପିଏଲ ଇତିହାସରେ ୩ଟି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଏବେ ପଞ୍ଜାବ କିଙ୍ଗସକୁ ଆଇପିଏଲ ର ଫାଇନାଲରେ ପହଞ୍ଚାଇଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ କେକେଆର କୁ ୨୦୨୪ର ବିଜେତା ମଧ୍ୟ କରାଇଛନ୍ତି।

Leave a Comment

Comments

No comments yet.

Best Biofloc Fish Farming

ad
Read more

Shree Jagannath

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ୍

Blog Thumbnail

ଦ କୁଇଭର ବ୍ୟୁରୋ:- ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡିବ ବସ । ରଥଯାତ୍ରା ସମୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଭକ୍ତଙ୍କ ଯାତାୟତକୁ ସୁବିଧା କରିବା ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର । ପୁରୀକୁ ଗଡିବ ୧୦୦୦ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ଦେବେ ସରକାର । ଏହି ସମସ୍ତ ଗାଡ଼ିର ପାର୍କିଂ ବ୍ୟବସ୍ଥା ମାଳତୀ ପାଟପୁର ଠାରେ କରିଯିବ ।ସେଠାରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଗାଡ଼ି । ଆସୁଥିବା ଯାତ୍ରୀଙ୍କ ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିବେ ସରକାର, ଧାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍ ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି l ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ୍ ପାର୍କିଂ ବ୍ୟବସ୍ଥା । ଯାତ୍ରୀଙ୍କୁ ବସ୍ ରହଣି ସ୍ଥଳରୁ ବଡଦାଣ୍ଡ ଯାଏଁ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ସେପଟେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ ।ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।


ତେବେ ଏହି ବୌଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ,ସେ ନେଇ ଆଲୋଚନା କରାଯାଇଥିଲା । ତେବେ ତାଳବଣିଆ ବସ ଷ୍ଟାଣ୍ଟରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ପୁରୀକୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକଟ କରିଛନ୍ତି STA କମିଶନର । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।

Sports

ପଂଜାବକୁ ହରାଇ ଫାଇନାଲ୍‌ରେ ବେଙ୍ଗାଲୁରୁ

Blog Thumbnail

ଦ କୁଇଭର ବ୍ୟୁରୋ:- ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ପଂଜାବ କିଙ୍ଗ୍‌ସକୁ ପରାସ୍ତ କରିଛି। ବେଙ୍ଗାଲୁରୁ ୧୦ ଓଭରରେ ୨ଟି ୱିକେଟ୍‌ ହରାଇ ୧୦୬ ରନ୍‌ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁର ଟିମ୍‌ ୯ ବର୍ଷ ପରେ ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି। ବେଙ୍ଗାଲୁରୁ ପାଇଁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍ ସଲ୍ଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ ସାମ୍ନା କରିଥିଲେ ଏବଂ ୬ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୬ ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୨ ରନ୍ କରିଥିଲେ। ୧୨ଟି ବଲ୍ ଖେଳି ସେ ୨ଟି ଚୌକା ମାରିଥିଲେ। ମୟଙ୍କ ଅଗ୍ରୱାଲ ୧୯ ରନ୍ ଓ ଅଧିନାୟକ ରଜତ ପାଟିଦାର ଅପରାଜିତ ୧୫ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରଭାବଶାଳୀ ବୋଲିଂ ଯୋଗୁଁ ପଂଜାବ ଟିମ୍ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ବେଙ୍ଗାଲୁର ପାଇଁ ସୂୟାଶ ଶର୍ମା ଓ ଜୋସ୍ ହେଜଲଉଡ୍ ସର୍ବାଧିକ ୩-୩ଟି ୱିକେଟ୍ ନେଇଥିଲେ। ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Education,Farming,Health & lifestyle,State

ଭଦ୍ରକ ବିକାଶ ପାଇଁ ୨୭୪ କୋଟିର ୧୩ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

Blog Thumbnail

ଭଦ୍ରକ( ଦ କୁଇଭର ):- ଭଦ୍ରକରେ ଖୁବ୍‌ଶୀଘ୍ର ସରକାରୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ୍‌ ପ୍ରତିଷ୍ଠା ହେବ। ଏଥିସହିତ ଧାମନଗର ଛକରେ ଆଇଓସିଏଲ୍‌ ପକ୍ଷରୁ ବୈଷୟିକ ବୟନ ଶିଳ୍ପ କମ୍ପ୍ଲେକ୍ସ,ଏମ୍‌ପିସିଆଇ ପକ୍ଷରୁ ପଲିଷ୍ଟର ଉତ୍ପାଦନ କମ୍ପାନି ପ୍ରତିଷ୍ଠା କରାଯିବ। ଭଦ୍ରକ ବ୍ଲକ୍‌ ରମ୍ଭିଳା ପଞ୍ଚାୟତ ଆରଡ଼ିପଦାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଘୋଷଣା କରିଛନ୍ତି। ଯାହା ଭଦ୍ରକବାସୀଙ୍କ ମନରେ ଉତ୍ସାହ ଭରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭୪ କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଦ୍ରକ ମାଟିର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣି ଓ ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ସହ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ନାମ ସ୍ମରଣ କରିଥିଲେ। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଇରମ ଓ ସହିଦନଗରର ଲୁଣିଆ ମାଟିକୁ ମନେପକାଇ କହିଥିଲେ, ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଉନ୍ନତି ପାଇଁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟସେବା ପାଇଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀମାନଙ୍କପାଇଁ ଆମର ବଡ଼ ଅବଦାନ ହେଉଛି; ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ମାଆମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛୁ। ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି। ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବିକାଶଧାରା ତ୍ବରାନ୍ବିତ ହେବ। ସଂଗ୍ରାମ ପୀଠରେ ବିକାଶମୂଳକ କାର୍ଯ୍ୟ କରାଯିବ। ବହୁ ପ୍ରତୀକ୍ଷିତ ଧାମନଗର ଛକରେ ଆଇଓସିଏଲ୍‌ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ୬ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଫଳରେ ୫ ହଜାରରୁ ଊର୍ଦ୍ଧ୍ବ ଯୁବକଯୁବତୀ ନିଯୁକ୍ତି ପାଇବେ। ଜିଲ୍ଲାବାସୀଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ୍‌ଶୀଘ୍ର ଏଠାରେ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ୍‌ ସହ ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯିବ। ସମ୍ମାନିତ ଅତିଥି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଆଗକୁ ମଧ୍ୟ ଦେଉଥିବା ପ୍ରତିଶ୍ରୁତି ପୂରା କରିବୁ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଜେପି ସରକାର ଭଦ୍ରକ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରାଣୀତାଲ ରାସ୍ତାରେ ରେଳ ଓଭର୍‌ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ବାଗତ ଭାଷଣ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଧନ୍ୟବାଦ ଦେଇଥିଲେ।

Sports,State

ଗୃହରକ୍ଷୀ ଶାରୀରିକ ପରୀକ୍ଷାରେ ଅଘଟଣ : ଦୌଡ଼ିବା ବେଳେ ୨ ମୃତ, ୪ ଗୁରୁତର

Blog Thumbnail

ପାରଳାଖେମୁଣ୍ଡି ( ଦ କୁଇଭର ):- ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାଲିଥିବା ଏହି ଯୋଗ୍ୟତା ପରୀକ୍ଷାରେ ୨ କିମି ଦୌଡ଼ ପ୍ରତିଯୋଗିତା ବେଳେ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ (୨୭) ଓ ନାରାୟଣପୁର ଗ୍ରାମର ଦୀପକ ପଡ଼ାଲ (୨୮)। ଅସୁସ୍ଥଙ୍କ ମଧ୍ୟରେ ଘୁରୁଣି ଗ୍ରାମର ସଞ୍ଜୟ ଶବର, ବାଲକ୍ରିଷ୍ଣା ଲିମା, ଅପ୍ରୀତିକର ଲିମା ଓ ପି.ଶଙ୍କର ଅଛନ୍ତି। ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।


ତେବେ ସୂଚନା ପ୍ରକାରେ, ଗଜପତି ଜିଲ୍ଲା ନିମନ୍ତେ ୧୪୪ଟି ଗୃହରକ୍ଷୀ ପଦବି ପାଇଁ ମନୋନୟନ ପ୍ରକ୍ରିୟା ଜାରି ରହିଛି। ପର୍ଯ୍ୟାୟ କ୍ରମେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଯୋଗ୍ୟତା ଓ ଚୟନ ପାଇଁ ଗୁରୁବାର ୨ କିଲୋମିଟର ଦୌଡ଼ ପ୍ରତିଯୋଗିତା ରହିଥିଲା। ସକାଳ ପ୍ରାୟ ୬ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠସ୍ଥିତ ଏସ୍‌ପି ଅଫିସ୍‌ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ୧୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ବ୍ୟାଚ୍‌ରେ ୨ କିଲୋମିଟର ରାସ୍ତାକୁ ୧୦ ମିନିଟ୍‌ ମଧ୍ୟରେ ଅତିକ୍ରମ କରି ଯୋଗ୍ୟତା ହାସଲ କରିଥିଲେ ସୁଲନ୍ତ। ହେଲେ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ସମୟରେ ଘଟିଥିଲା ଅଘଟଣ। ହୃଦ୍‌ସ୍ପନ୍ଦନ ବଢ଼ିଯିବା କାରଣରୁ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସହିତ ଜଣେ ପରେ ଜଣେ ଦୌଡ଼ୁଥିବା ଏଭଳି ୬ ଜଣ ଅସୁସ୍ଥ ହୋଇ ଟ୍ରାକ୍‌ ଉପରେ ଖସି ପଡ଼ିଥିଲେ। ଯୋଗ୍ୟତା ପରୀକ୍ଷାରେ ଉପସ୍ଥିତ ଥିବା ଡାକ୍ତର ସୁଲନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଅସୁସ୍ଥ ହୋଇଥିବା ଦୀପକ ପଡ଼ାଲଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଯେଉଁ ୪ ଜଣ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।


ତେବେ ଶାରୀରିକ ପରୀକ୍ଷା ବେଳେ ଘଟିଥିବା ଏହି ଅଘଟଣକୁ ନେଇ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କେବଳ ୧୦ ମିନିଟ୍‌ ମଧ୍ୟରେ ଯୋଗ୍ୟତା ହାସଲ କରିବା ପାଇଁ ପ୍ରଯୁଜ୍ୟ ଥିଲା। ଦୌଡ଼ ପରୀକ୍ଷା ବେଳେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରାସ୍ତାରେ ପୁଲିସ, ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜିତ ଥିଲେ। ତଥାପି ପ୍ରତିଯୋଗୀ ଏଭଳି ଅସୁସ୍ଥ ହୋଇପଡ଼ିବା ଏବଂ ଦୁଇଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ମୃତ ସୁଲନ୍ତଙ୍କ ଘରେ ବିଧବା ମା’ ରହିଥିବା ବେଳେ ୧୦ ବର୍ଷ ତଳେ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଥିଲା। ମା’ ପ୍ରମିଳା ମିଶାଲ ଗାଁ’କୁ ଗାଁ ବୁଲି ଶୁଖୁଆ ବିକ୍ରି କରନ୍ତି। ସୁଲନ୍ତ ସିଲେଇ କାମ କରି ଘର ଚଳାଉଥିବାବେଳେ ଯୁକ୍ତତିନି ପାଠପଢ଼ା ପରେ ଚାକିରି ସନ୍ଧାନରେ ଥିଲେ। ଏବେ ଏକମାତ୍ର ପୁଅକୁ ହରାଇ ପ୍ରମିଳା ନିଃସହାୟ ହୋଇପଡ଼ିଛନ୍ତି।

State

ବ୍ରହ୍ମପୁର ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

Blog Thumbnail

ଦ କୁଇଭର ବ୍ୟୁରୋ :-:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ବ୍ରହ୍ମପୁରର ଆର୍ ଆଣ୍ଡ ବି ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ୩ ଜଣ ଡିଏସଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ କରାଯାଉଛି।

ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ହେଲା-

୧. ଧର୍ମ ନଗର, ବ୍ରହ୍ମପୁରର ସ୍ପେକ୍ଟ୍ରମ୍ ରୟାଲ୍ ଠାରେ ଗୋଟିଏ ୨ ବିଏଚକେ ଫ୍ଲାଟ୍।

୨. ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା।

୩. ବ୍ରହ୍ମପୁରର ଆର୍ ଆଣ୍ଡ୍ ବି ଡିଭିଜନ-୧ରେ ତାଙ୍କର କାର୍ଯ୍ୟାଳୟ।

୪. ଭୁବନେଶ୍ୱରର ସହୀଦ ନଗରର ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟ୍।

Health & lifestyle,State

ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌, ସଂଖ୍ୟା ୧୨କୁ ବୃଦ୍ଧି

Blog Thumbnail

ଦ କୁଇଭର ବ୍ୟୁରୋ:- କୋଭିଡ୍‌-୧୯ ପୁଣି ଥରେ ସାରା ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏଣେ ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି। ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଉଛି। ଫଳରେ ରାଜ୍ୟଗୁଡ଼ିକ କୋଭିଡ୍ ପରୀକ୍ଷା ବୃଦ୍ଧି ଏବଂ ହସ୍ପିଟାଲ ବେଡ୍ ପ୍ରସ୍ତୁତି ଭଳି ପ୍ରତିରୋଧକ ପଦକ୍ଷେପ ନିଆଯାଉଛି। ଏବେ ଜାଣିବାକୁ ମିଳିଛି ଯେ ପ୍ରାଥମିକ ସ୍ତରରେ ଆକ୍ରାନ୍ତମାନେ ଜ୍ବର ଓ ଡାଇରିଆରେ ପଡୁଛନ୍ତି। ସେହିକାରଣରୁ ଏଭଳି ଲକ୍ଷଣ ଦିଶିଲେ ତୁରନ୍ତ କରୋନା ପରୀକ୍ଷା କରାଇବା ଉଚିତ।

National

ଆସାମରେ ବନ୍ୟା ସ୍ଥିତି

Blog Thumbnail

ଦ କୁଇଭର ବ୍ୟୁରୋ :- ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଜଳ ପ୍ରଳୟ ଆଣିଛି । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ଆଉ ପାଣି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତା ନଈ ପାଲଟିଛି, ରାସ୍ତାରେ ଡଙ୍ଗା ଚାଲୁଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଆଉ ଏହି ବନ୍ୟାରେ ଆସାମରେ ଭୟାବହ ସ୍ଥିତି ଉପୁଜିଛି । ଆସାମର ଅନେକ ଗାଁ ଏବେବି ଜଳମଗ୍ନ । ବାହ୍ୟ ଜଗତ ଠାରୁ ସେସବୁ ଗାଁ ପୂରା ବିଚ୍ଛିନ୍ନ ହୋଇଛି । ପ୍ରାୟ ସାଢେ ୩ ଲକ୍ଷ ଲୋକ ଜଳବନ୍ଦୀ ଥିବା କୁହାଯାଉଥିବା ବେଳେ ସବୁଠାରୁ ବଡ଼ ଓ ଦୁଃଖର କଥା ଏଯାଏଁ ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିନି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି ।

State

କୁବେର ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨.୫କୋଟି ନଗଦ ଜବତ

Blog Thumbnail

ଦ କୁଇଭର ବ୍ୟୁରୋ:- ମେ’ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ। ତା’ ପୂର୍ବରୁ ମାଡ଼ିବସିଲା ଭିଜିଲାନ୍ସ। ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟର ଆକାର ଦେଖି ଖୋଦ ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି। କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା। ରାଜଧାନୀଠା‌ରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼। ରୋଚକ ବିଷୟଟି ହେଉଛି, ଭିଜିଲାନ୍ସ ଟିମ୍‌ ଆଜି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍‌ ବଜାଇବାବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍‌ ଫିଙ୍ଗି ଚାଲିଥିଲେ। ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା। ନାକେଦମ୍‌ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ। ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା। ଭିଜିଲାନ୍ସର ୭ଟି ଟିମ୍‌ ଆଜି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆସ୍ଥିତ ବାସଭବନ ଓ ଲୋକେଇପଶିସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ଆଦି ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଶୁକ୍ରବାର ଭୋରରୁ ଭିଜିଲାନ୍ସ ଟିମ୍‌ ଭୁବନେଶ୍ବର, ପୁରୀ ଓ ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌, ଅନୁଗୁଳରେ ୨ଟି ଦୁଇ ମହଲା କୋଠା, ପୁରୀ ପିପିଲି ଅଞ୍ଚଳରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଥିଲା। ଭୁବନେଶ୍ବର ଡୁମଡୁମା ଅଞ୍ଚଳରେ ଥିବ‌ା‌ ୧୫୩୦ ବର୍ଗଫୁଟରେ ନିର୍ମିତ ଦାମୀ ଫ୍ଲାଟ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ଅନୁଗୁଳରେ ଥିବା ଦୁଇଟି କୋଠାର ମୂଲ୍ୟ ୨ କୋଟିରୁ ଅଧିକ ହେବ। ସେହିପରି ପିପିଲି ଶିଉଳା ଅଞ୍ଚଳରେ ୧୧୦୦ ବର୍ଗଫୁଟରେ ନିର୍ମିତ ଫ୍ଲାଟ୍‌ର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଆକଳନ କରାଯାଇଛି। ପୁରୀ ଓ ଅନୁଗୁଳର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଯେଉଁଥିରେ ପୁରୀରେ ୪ଟି ଓ ଅନୁଗୁଳରେ ୩ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ୨.୫କୋଟିରୁ ଊର୍ଦ୍ଧ୍ବ ହେବ। ଏଥିସହିତ ବ୍ୟାଙ୍କଜମା, ବୀମା ଓ ବଣ୍ଡର ସନ୍ଧାନ ମିଳିଛି। ଯାହାର ମୂଲ୍ୟ ୧.୫କୋଟି ଟଙ୍କା ହେବ।ଧରପଗଡ଼ ସମୟରେ ଭୁବନେଶ୍ବର ଡୁମଡୁମା ଘରୁ ନଗଦ ୧.୩୪ କୋଟି ଓ ଅନୁଗୁଳ ଘରୁ ୧.୨୨ କୋଟି ଟଙ୍କା ସହିତ ମୋଟ ୨,୫୬,୦୦୦,୦୦ ଟଙ୍କା ଜବତ କରାଯାଇଛି। ୧୧୪୧ ଗ୍ରାମ୍‌ ସୁନାଗହଣା, ୫୦୦ ଗ୍ରାମର ରୁପା, ବିଦେଶରୁ ଆମଦାନି କରାଯାଇଥିବା ୧୫ଟି ଦାମୀ ହାତଘଣ୍ଟା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ସହିତ ଗୋଟିଏ କାର ଠାବ କରାଯାଇଛି। ଏହାଛଡ଼ା ସେ ସେୟାର ବଜାରରେ ୨.୭ କୋଟିର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ସମ୍ପତ୍ତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପଟେ ମୁଖ୍ୟଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଆଜି ଚଢ଼ଉରେ ୮ ଜଣ ଡିଏସ୍‌ପି, ୧୨ ଜଣ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।

State

ସପ୍ତାହେ ୪୦ ଡିଗ୍ରୀ ପରେ ରହିବ ତାପମାତ୍ରା

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ମୋୖସୁମୀ ଆସିବା ସତ୍ତ୍ବେ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପାଗ ଶୁଖିଲା ରହିବା ସହ ବର୍ଷାର ଦେଖା ଦର୍ଶନ ନାହିଁ । କେବଳ ମୟୂରଭଞ୍ଜକୁ ଛାଡିଦେଲ ଆଉ ସମସ୍ତ ଜିଲ୍ଲାରେ ଶୁଖିଲା ପାଗ । ବର୍ଷା ବଦଳରେ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ମୌସୁମୀ ଜନିତ ବର୍ଷା ଏବେ ଆରମ୍ଭରୁ ନିରାଶ କରିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ କହିଛନ୍ତି ‘‘ଆସନ୍ତା ୧୦ଦିନ ଧରି ମୋସୁମୀ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନିଷ୍କ୍ରିୟ ରହିବ। ରାଜ୍ୟକୁ ପଶ୍ଚିମ ପବନ ବହୁଥିବାରୁ ମୋସୁମୀର ଏକ ଚାଦର ଓଡିଶା ଉପରେ ଘେରି ହୋଇଛି। ଆସନ୍ତା ୧୦ ତାରିଖରୁ ବା ୧୨ତାରିଖ ଆଡକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେତେବେଳକୁ ପ୍ରାୟ ୪ରୁ ୫ଦିନ ଯାଏ ବର୍ଷା ଲାଗି ରହିବ । ଅର୍ଥାତ୍ ଏଭଳି ଗରମ ଓ ଗୁଳୁଗୁଳି ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୫ ତାରିଖ ପର୍ଯନ୍ତ ତାପମାତ୍ରା ଏଇ ଭଳି‌ ଭାବେ ବୃଦ୍ଧି ରହିବ’’।


ସେହିପରି ଆସନ୍ତା ସାତ ଦିନ‌ ପାଇଁ ଟ୍ବିନି ସିଟିରେ ହିଟ୍ ଓ୍ବେଭ ଆଲର୍ଟ। ସର୍ବାଧିକ ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ତାପମାତ୍ରା । ଭୁବନେଶ୍ୱରରେ ଆସନ୍ତା ସାତ ଦିନ‌ ପାଇଁ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ । ଦୁଇ ତିନି ଦିନ ଯାଏଁ ୪୦ରୁ ୪୧ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେହିପରି କଟକରେ ୩୯ ଡିଗ୍ରି ତଥା ୪୦ ପର୍ଯ୍ୟନ୍ତ ତାପମାତ୍ରା ଆଗାମୀ ଦୁଇ ତିନ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨ ରୁ ୬ ଯାଏଁ ଏହ ସବୁ ଜିଲ୍ଲାରେ ପାରଦ ଉପରମୁହାଁ ରହିବ । ୧୧ ଜିଲ୍ଲାରେ ତାତି ବଢିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ।


ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ଜୁନ 1ରୁ ହଠାତ୍‌ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୪ଡିଗ୍ରୀ ସେଲସିୟସ ଡିଗ୍ରୀ ରେକର୍ଡ କରଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜରେ ୬୦ପ୍ରତିଶତରୁ କମ ବର୍ଷା ହୋଇଥିବା ବେଳେ ବାକି ସାରା ରାଜ୍ୟର ସମସ୍ତ ଜିଲ୍ଲା ପୁରା ଶୁଖିଲା ରହିଛି। ଅର୍ଥାତ୍ ସାରା ରାଜ୍ୟରେ ୧୦୦ ପ୍ରତିଶତ ବିନା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗର ରେକର୍ଡ କହୁଛି।

State

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନୁଗୁଳ, ପୁରୀ, କଟକ ଓ ଢେ଼ଙ୍କାନାଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ଉ କରାଯାଉଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୨ କୋଟି ଟଙ୍କା ଜବତ କରିଛି। ତାଙ୍କ ଅନୁଗୁଳ ଘରୁ ୯୦ ଲକ୍ଷ ଓ ରାଜଧାନୀ ବାସଭବନରୁ ୧ କୋଟି ୧୦ ଲକ୍ଷ ଟଙ୍କା ନଗଦ ମିଳିଥିବା ଜଣାଯାଇଛି।ଭିଜିଲାନ୍ସ ଡିଏସପି ଅନୁଷ୍କା ସେନାପତିଙ୍କ ତତ୍ତ୍ଵାବଧାନରେ ଚଢ଼ଉ ଚାଲିଛି। ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଆଉ ଦୁଇ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

State

ବର୍ଷାରୁ ମିଳିବ ଆସ୍ବସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ:- ବର୍ଷାରୁ ମିଳିବ ଆସ୍ବସ୍ତି ,ଖୁବଶୀଘ୍ର ହେବ ପାଗରେ ପରିବର୍ତ୍ତନ । ରାଜ୍ୟରେ କମିବ ବର୍ଷାର ପରିମାଣ,ବଢିବ ତାପମାତ୍ରା । ଆସନ୍ତାକାଲି ଠାରୁ ଓଡ଼ିଶାରେ କୌଣସି ପାଣିପାଗ ସତର୍କତା ନାହିଁ । ଲଘୁଚାପ ପ୍ରଭାବ ହଟିବା ପରେ ଏଣିକି କମିବ ବର୍ଷା । ଆସନ୍ତା ୧ ତାରିଖରୁ ବର୍ଷାର ପରିମାଣ କମିବ । ଆଗାମୀ ଦୁଇ ଦିନ ପରଠୁ ବଢିବ ତାପମାତ୍ରା । ୨ ରୁ ୪ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସର୍ବାଧିକ ବଡଗଡରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ମୌସୁମୀ ଛୁଇଁବା ପରେ ରାଜ୍ୟରେ ବିଗତ ସାତ ଦିନ‌ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏବେ ଲଗାଣ ବର୍ଷାରେ ଲାଗିବ ବ୍ରେକ । ଏନେଇ ଆଗକୁ ସେଭଳି ବଡ଼ ଧରଣର ବର୍ଷା ସମ୍ଭାବନା ନଥିବା ବେଳେ ମୋସୁମୀ ଜନିତ ବର୍ଷା ପରିମାଣ ମଧ୍ୟ ସେଭଳି‌ ଦେଖିବାକୁ ମିଳିବ ନାହିଁ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଅଧିକ ବର୍ଷା ବରଗଡ଼ ୫୭ ମିମି ବର୍ଷା ରେକର୍ଡ କରଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ କାଁଭାଁ କିଛି ସ୍ଥାନରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି । ୩୫ରୁ ୪୦ କିମି ବେଗରେ ଝଟକା ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।"ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭଦ୍ରକ କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ନବରଙ୍ଗପୁର ଏବଂ ରାୟଗଡାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ସୁନ୍ଦରଗଡ଼ରେ ସର୍ବାଧିକ ୩୬.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାୟଗଡ଼ାରେ ୨୨.୬ଡିଗ୍ରୀ ସେଲସିୟସରୁ ରେକର୍ଡ ହୋଇଛି ‌। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ ରୁ ୬ଡିଗ୍ରୀ ସେଲସିୟସ ହ୍ରାସ ପାଇଥିଲା । ଓଡିଶାର କିଛି ସ୍ଥାନରେ ସ୍ବାଭାବିକଠୁ ୫ରୁ ୬ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ରହିଥିବା ବେଳେ ଉପକୂଳ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ ରହିଥିଲା ।"

State,National

ଆଜି ସଂଧ୍ୟାରେ ହେବ ମକ୍‌ଡ୍ରିଲ୍‌

Blog Thumbnail

ଦ କୁଇଭର ବ୍ୟୁରୋ:- ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍‌ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ ।ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ ।

National,Business

କମିଲା ଏଲପିଜି ସିଲିଣ୍ଡର ଦର

Blog Thumbnail

ଦ କୁଇଭର ବ୍ୟୁରୋ:- ଜୁନ୍ ୧ ତାରିଖରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି। ଏହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଭଳି ପ୍ରତିଷ୍ଠାନଗୁଡ଼ିକୁ ଲାଭ ଦେବ। ଦର ହ୍ରାସ ଯୋଗୁ ବ୍ୟବସାୟ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ଲଗାତାର ତୃତୀୟ ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା।

Health & lifestyle

ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି।


ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

State

କରୋଡପତି ହେବେ ଲକ୍ଷପତି ଦିଦି : ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଆରମ୍ଭ ହୋଇଯାଇଛି 'ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫' । ଗୁରୁବାର 'ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫' ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୨୫ଟି ରାଜ୍ୟର ଲକ୍ଷପତି ଦିଦି ସାମିଲ ହୋଇଛନ୍ତି । ସାରା ଭାରତରୁ ଲକ୍ଷପତି ଦିଦି ମାନେ ଏକତ୍ରିତ ହୋଇ ନିଜର ସଫଳତାର କାହାଣୀ ବଖାଣିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ସ୍ବୟଂ ସହାୟକ ସହାୟକ ଗୋଷ୍ଠୀର ମହିଳାମାନେ ଆର୍ଥିକ କାର୍ଯ୍ୟକଳାପ ଜରିଆରେ ବାର୍ଷିକ ଏକ ଲକ୍ଷ ଟଙ୍କା ବା ଅଧିକ ରୋଜଗାର କରି ପାରୁଛନ୍ତି, ତାହା ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳାଙ୍କୁ ଅଗ୍ରାଧିକାର କରିବା ଆଜିର କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ତେବେ ଏହାକୁ ନେଇ ପ୍ରଭାତୀ ପରିଡ଼ା କହିଛନ୍ତି,"ଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେ । ଶିଳ୍ପପତି ଭାବେ ଗଣା ହେବେ । ଓଡ଼ିଶା ବର୍ଷକ ମଧ୍ୟରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ସୃଷ୍ଟି କରିଛି । ଯେଉଁଥିପାଇଁ ସମଗ୍ର ଭାରତ ବର୍ଷରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛୁ । ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ଶଶକ୍ତ କରିବାରେ ଲକ୍ଷ ପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷ ପତିରୁ କରୋଡ଼ ପତି ଆଡ଼କୁ ସମସ୍ତେ ବଢ଼ନ୍ତୁ, ଆମ ସରକାର ସମସ୍ତଙ୍କ ସହ ଅଛନ୍ତି ।"


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି,"ମହିଳା ଶସକ୍ତିକରଣରେ ଓଡ଼ିଶା ମଡେଲ, ସାରା ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ୧ ନମ୍ବର । ଅନ୍ୟ ରାଜ୍ୟ ବି ଓଡ଼ିଶାକୁ ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଗସ୍ତ ସମୟରେ ମହିଳା ଶସକ୍ତିକରଣ ନେଇ ପ୍ରଧାନମନ୍ତ୍ରୀ ସହିତ ଆଲୋଚନା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବେଶ ପ୍ରଶଂସା କରିଛନ୍ତି । ଆଗକୁ ମହିଳାମାନେ କିପରି ଆଗକୁ ବଢ଼ିବେ ସେ ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ର ମହିଳାଙ୍କ ସମ୍ମାନ ପ୍ରତି କେବେ ବି ଅଣଦେଖା କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,"ମହିଳା ଶସକ୍ତିକରଣ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା । ମହିଳା ମାନଙ୍କୁ ଲକ୍ଷପତି ଦିଦି ସହିତ ରାଜନୀତିକ କ୍ଷେତ୍ର ପାଇଁ ବି ପଦକ୍ଷେପ ନିଆଯାଉଛି । ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଲ ପାରିତ ହୋଇଛି । ଏଠାରେ ଉପସ୍ଥିତ ଥିବା ଅନେକ ଲକ୍ଷପତି ଦିଦି ଆଗାମୀ ୨୦୨୯ ନିର୍ବାଚନରେ ବିଧାୟକ ସାଂସଦ ହୋଇ ଯାଇଥିବେ ବୋଲି ଅନୁଭବ ହେଉଛି । "

Health & lifestyle,National

ଦେଶରେ ୨୭ ଶହ କରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ୨୨

Blog Thumbnail

ଦ କୁଇଭର ବ୍ୟୁରୋ:- ଦେଶରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ମେ ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ପାଞ୍ଚ ଗୁଣ ବୃଦ୍ଧି ପାଇଛି ଏବଂ ୧୦୦୦ ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ ମାମଲା ରେକର୍ଡ ହୋଇଛି, ତା’ପରେ ମହାରାଷ୍ଟ୍ର ୪୨୪, ଦିଲ୍ଲୀ ୨୯୪ ଏବଂ ଗୁଜରାଟ ୨୨୩ ମାମଲା ରହିଛି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ୧୪୮ ମାମଲା ରେକର୍ଡ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗରେ ୧୧୬ ମାମଲା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଏବଂ ତାମିଲନାଡୁରେ ଗୋଟିଏ ଲେଖାଏ ମୃତ୍ୟୁ ମାମଲା ରେକର୍ଡ ହୋଇଛି। ତଥାପି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Education

ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ।ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ।ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।


ଏ ନେଇ ଆଣ୍ଟି ରେଗିଙ୍ଗ ସେଲ ରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କତୃପକ୍ଷ ଆଜି ଅପରାହ୍ନ ରେ ଏକ ଜରୁରୀ ବୈଠଜ ଡ଼ାକି ନେଇଛନ୍ତି ପଦକ୍ଷେପ।ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଅଧକ୍ଷ ତଥା ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର ।ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ ।ବୈଠକରେ କମିଟି ସଦସ୍ୟ ଯୋଗଦେଇ ତର୍ଜମା କରିବା ସହିତ ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।


Shree Jagannath

ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

Blog Thumbnail

ପୁରୀ( ଦ କୁଇଭର):- ପୁରୀରେ ୨୭ ଜୁନ୍, ୨୦୨୫ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରଥଯାତ୍ରାର ପ୍ରସ୍ତୁତି ପାଇଁ, ସୋମବାର କଟକର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ସୁଗମ ଏବଂ ସୁରକ୍ଷିତ ଭାବରେ ସମ୍ପନ୍ନ ହେବା ପାଇଁ ବ୍ୟାପକ ସୁରକ୍ଷା ଏବଂ ପ୍ରଭାବଶାଳୀ ପରିଚାଳନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ଡିଜିପି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ କାର୍ଯ୍ୟକ୍ରମ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ନିରନ୍ତର ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।


ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ପ୍ରମୁଖ ରୀତିନୀତିଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ସମୀକ୍ଷା କରାଯାଇଥିଲା:

ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା

ଜୁନ୍ ୨୬ରେ ନବ ଯୌବନ ଦର୍ଶନ

ଜୁନ୍ ୨୭ ତାରିଖରେ ରଥଯାତ୍ରା

ଜୁଲାଇ ୧ ରେ ହେରା ପଞ୍ଚମୀ

ଜୁଲାଇ ୪ ରେ ସନ୍ଧ୍ୟା ଦର୍ଶନ

ଜୁଲାଇ ୫ ରେ ବାହୁଡା ଯାତ୍ରା

ଜୁଲାଇ ୬ ରେ ସୁନାବେଶ

୭ ଜୁଲାଇରେ ଅଧର ପଣା

ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ

ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ।


ଏହି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଆସିବେ ବୋଲି ଆଶା କରାଯାଉଛି, ତେଣୁ ସତର୍କ ଯୋଜନା ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକତା ଉପରେ ଡିଜିପି ଗୁରୁତ୍ବାରୋପ କରିଥି‌ଲେ। ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିୟୋଜନ, ରଣନୈତିକ ସ୍ଥାନରେ ସିସି କ୍ୟାମେରା ସ୍ଥାପନ ଏବଂ ରାସ୍ତା ଡିଭାଇଡର୍, ଡେଲିନେଟର ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ସହିତ ଟ୍ରାଫିକ୍ ପରିଚାଳନା ଯୋଜନା ସମେତ ବିଭିନ୍ନ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ପୁଲିସ ନିୟମିତ ବେଳାଭୂମି ପାଟ୍ରୋଲିଂ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅସ୍ଥାୟୀ ଆଉଟପୋଷ୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଇଛି। ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଭଳି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ସୁଗମ ଭାବରେ ପରିଚାଳନା କରିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ସହିତ ସମନ୍ୱୟକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ବିଘ୍ନ ସୁରକ୍ଷା କଭରେଜ ପାଇଁ ଆରପିଏଫ ସହିତ ଘନିଷ୍ଠ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ହୋଇଥିବା ଅତିରିକ୍ତ ସୁରକ୍ଷା ପଦକ୍ଷେପ ମଧ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ହୋଟେଲ ଏବଂ ଲଜ୍ ଯାଞ୍ଚ, କେ-୯ ସ୍କ୍ୱାଡ୍ ମୁତୟନ ଏବଂ ଦଳାଚକଟା ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଭିଆଇପିଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ବ୍ୟବସ୍ଥା, ପୁଲିସ କର୍ମଚାରୀଙ୍କ ପାଇଁ ରହିବା ସୁବିଧା, ବ୍ୟାରିକେଡିଂ, ଶୃଙ୍ଖଳିତ ଯାନବାହାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।


ଏହି ବୈଠକରେ ନିର୍ଦ୍ଦେଶକ ଆରପି କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏସକେ ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା, ଏଡିଜି ସଞ୍ଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଏଡିଜି ରାଜେଶ କୁମାର, ଆଇଜି ଏସ. ପ୍ରବୀଣ କୁମାର, ଆଇଜି ଡକ୍ଟର ଦୀପକ କୁମାର, ଆଇଜି ଅନୁପ କୁମାର ସାହୁ, ଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଚରଣ ସିଂହ ମୀନା, ଡିଆଇଜି ଡକ୍ଟର କନୱର ବିଶାଲ ସିଂହ, ଡିଆଇଜି ପିନାକ ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍‌ପି ବିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

National,Health & lifestyle

କରୋନା ଦେଶରେ ୪ହଜାର ପାର,୨୪ ଘଣ୍ଟାରେ ୪ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ଭାରତରେ କୋଭିଡ୍ ମାମଲା ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୪ ହଜାର ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ରିପୋର୍ଟ ହୋଇଛି। ଜାନୁଆରୀ ୧ ତାରିଖରୁ, ଦେଶରେ କୋଭିଡ୍ ସମ୍ବନ୍ଧୀୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରି ଜଣଙ୍କର ମୃତ୍ୟୁ ହୋଇଛି।


ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ପ୍ରତ୍ୟେକରେ ଗୋଟିଏ ଲେଖାଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ୨୨ ବର୍ଷୀୟ ମହିଳା ଏବଂ ମହାରାଷ୍ଟ୍ରର ଜଣେ ୪୪ ବର୍ଷୀୟ ପୁରୁଷ ଥିଲେ ଯିଏ ଯକ୍ଷ୍ମା ଓ ପରବର୍ତ୍ତୀ ସମୟରେ ଫୁସଫୁସ ରୋଗର ଶିକାର ହୋଇଥିବା ଇତିହାସ ରହିଛି।